Advertisment

ଲୋକସଭା ନିର୍ବାଚନ: ଆଉ ୪୫ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ

ପ୍ରଧାନମନ୍ତ୍ରୀଙ୍କ ବିପକ୍ଷରେ କଂଗ୍ରେସରୁ ପୁଣି ଲଢ଼େଇ କରିବେ ଅଜୟ ରାୟ।

author-image
Jitendra Garnayak
Digbijay Singh

Digbijay Singh

ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌କୁ ଆଉ ମାସେରୁ କମ୍ ସମୟ ଥିବା ବେଳେ ଶନିବାର କଂଗ୍ରେସ ପକ୍ଷରୁ ଏହାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଛି। ଏଥିରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୪୫ ଜଣଙ୍କ ନାଁ ରହିଛି। ଦଳର କେତେକ ବଡ଼ ନେତାଙ୍କ ନାଁ ଏହି ତାଲିକାରେ ରହିଛି।

Advertisment

ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କୁ ରାଜଗଡ଼ରୁ ପ୍ରାର୍ଥୀ କରାଯାଇଛି। ସେ ଏବେ ରାଜ୍ୟସଭା ସାଂସଦ ଅଛନ୍ତି। କାର୍ତ୍ତି ପି ଚିଦାମ୍ବରମଙ୍କୁ ତାମିଲନାଡୁର ଶିବଗଙ୍ଗା ଆସନରୁ ପ୍ରାର୍ଥୀ କରିଛି ଦଳ। ସେ ୨୦୧୯ରେ ଏହି ଆସନରୁ ବିଜୟୀ ହୋଇଥିଲେ। ଦାନିଶ ଅଲୀଙ୍କୁ ଉତ୍ତର ପ୍ରଦେଶର ଅମରୋହାରୁ ଟିକେଟ୍ ଦିଆଯାଇଛି। ସେହିପରି ଅଜୟ ରାୟଙ୍କୁ ଦଳ ପୁଣି ଥରେ ବାରାଣସୀ ଆସନରୁ ପ୍ରାର୍ଥୀ କରିଛି। ସେ ଏଠାରେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ଲଢ଼ିବେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ କାନ୍ତିଲାଲ ଭୂରିଆଙ୍କୁ ମଧ୍ୟପ୍ରଦେଶର ରତଲାମ ଆସନରୁ ଟିକେଟ ଦିଆଯାଇଥିବା ବେଳେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ପୁଅ ବୀରେନ୍ଦ୍ର ରାୱତଙ୍କୁ ହରିଦ୍ୱାରରୁ ଟିକେଟ ଦିଆଯାଇଛି।

କଂଗ୍ରେସ ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶର ୯ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତେବେ ଦଳ ଏବେ ବି ଅମେଠି ଓ ରାଏ ବରେଲୀ ଆସନକୁ ନେଇ ସସପେନ୍ସ ଜାରି ରଖିଛି। ଏହି ଦୁଇଟି ଆସନ କଂଗ୍ରେସର ଗଡ଼। ତେବେ ୨୦୧୯ରେ ଅମେଠିରୁ ରାହୁଲ ଗାନ୍ଧି ହାରି ଯାଇଥିଲେ। ରାହୁଲ ଏଥର ପୁଣି ଏହି ଆସନରୁ ଲଢ଼ିପାରନ୍ତି। ତା’ସହିତ ସେ କେରଳ ୱାୟନାଡ଼ ଆସନରୁ ମଧ୍ୟ ଲଢ଼ିବେ। ଅନ୍ୟପକ୍ଷରେ ସମସ୍ତଙ୍କ ନଜର ଏବେ ରାଏ ବରେଲୀ ଆସନ ଉପରେ ରହିଛି। ଏହି ଆସନରୁ କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି। ଏହି ଆସନରୁ ତାଙ୍କ ମା’ ସୋନିଆ ଗାନ୍ଧି ଜିତି ଆସୁଥିବା ବେଳେ ଏଥର ସେ ଆଉ ପ୍ରାର୍ଥୀ ହେବେ ନାହିଁ। ସେ ରାଜସ୍ଥାନରୁ ରାଜ୍ୟସଭାକୁ ନିର୍ବାଚିତ ହୋଇସାରିଛନ୍ତି।

Advertisment

ଉତ୍ତର ପ୍ରଦେଶରେ ୮୦ଟି ଲୋକସଭା ଆସନ ଥିବା ବେଳେ କଂଗ୍ରେସ ୧୭ଟିରେ ଲଢ଼ିବ। ସମାଜବାଦୀ ପାର୍ଟି ସହିତ ହୋଇଥିବା ଆସନ ଭାଗବଣ୍ଟାରେ କଂଗ୍ରେସ ୧୭ଟି ଆସନ ପାଇଛି। ଏହି ୧୭ଟିରୁ ଦଳ ଗତକାଲି ୯ଟି ପାଇଁ ପ୍ରାର୍ଥୀ ଘୋଷଣା କରିଛି।

ଚତୁର୍ଥ ପର୍ଯ୍ୟାୟରେ କଂଗ୍ରେସ ୪୬ଟି ଆସନ ପାଇଁ ଟିକେଟ ଘୋଷଣା କରିଥିବା ବେଳେ ଏଥିରେ ୪୫ ଜଣ ଦଳୀୟ ନେତାଙ୍କ ନାଁ ରହିଛି। ରାଜସ୍ଥାନର ନାଗୌର ଆସନକୁ ଦଳ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (ଆରଏଲ୍‌ପି) ପାଇଁ ଛାଡ଼ିଛି। ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଏଯାବତ ୪ଟି ପର୍ଯ୍ୟାୟରେ ୧୮୩ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି।

Congress Loka Sabha Election 2024