Advertisment

ବିଜେଡି-ବିଜେପି ବିରୁଦ୍ଧରେ କଂଗ୍ରେସର ୧୦ଦଫା ଚାର୍ଜସିଟ୍ : ବିଜେଡି ଶାସନରେ ଅସ୍ତିତ୍ୱ ଖୋଜୁଛନ୍ତି ଓଡ଼ିଆ

ବିଜେଡି ଓ ବିଜେପି ବିରୁଦ୍ଧରେ ଆଜି ଏଭଳି ୧୦ଦଫା ଅଭିଯୋଗପତ୍ର (ଚାର୍ଜସିଟ) ଉପସ୍ଥାପନ କରିଛି କଂଗ୍ରେସ।

author-image
Ordigital Desk
undefined

congress

ବିଜେଡି ଶାସନରେ ଅସ୍ତିତ୍ୱ ଖୋଜୁଛନ୍ତି ଓଡ଼ିଆ। ସବୁ କ୍ଷେତ୍ରରେ ଓଡ଼ିଶାର ଜନସାଧାରଣ ଅବହେଳିତ। ବିଜେଡିର ଭ୍ରଷ୍ଟାଚାରର ବିଚାର ଓଡ଼ିଶାର ଜନତା ଅଦାଲତରେ ହେବ। ବିଜେଡି ଓ ବିଜେପି ବିରୁଦ୍ଧରେ ଆଜି ଏଭଳି ୧୦ଦଫା ଅଭିଯୋଗପତ୍ର (ଚାର୍ଜସିଟ) ଉପସ୍ଥାପନ କରିଛି କଂଗ୍ରେସ।
କଂଗ୍ରେସ ଭବନରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି ଯେ,ନବୀନ ସରକାରଙ୍କ ଦୀର୍ଘ ୨୪ବର୍ଷର ଶାସନ ପରେ ଆଜି ଓଡ଼ିଶାରେ ଓଡ଼ିଆମାନେ ନିଜ ଅସ୍ତିତ୍ୱ ଖୋଜୁଛନ୍ତି । ଓଡ଼ିଶାର ପ୍ରାକୃତିକ ସମ୍ପଦ, ମାନବସମ୍ବଳ ଓ ସମସ୍ତ ପୁଞ୍ଜିକୁ ଓଡ଼ିଶା ବାହାରର ଲୋକଙ୍କ ହାତରେ ଟେକିଦେବାକୁ ଏ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି । ଓଡ଼ିଶାରେ ସମସ୍ତ ନିର୍ମାଣ କାର୍ଯ୍ୟ ଏବେ ବାହାର ରାଜ୍ୟର ଠିକାଦାର କରୁଥିବାବେଳେ ଓଡ଼ିଶାର ଠିକାଦାରମାନେ ହାତବାନ୍ଧି ବସିଛନ୍ତି । ସରକାରୀ ଯୋଜନା ସାଧାରଣ ଲୋକଙ୍କ ପାଇଁ ଅପହଞ୍ଚ ହୋଇ ରହିଥିବାବେଳେ ପ୍ରଶାସନିକ ଅଧିକାରୀମାନେ ମନମୁଖୀ କାର୍ଯ୍ୟ ଚଳାଇଛନ୍ତିି । ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ବୃଦ୍ଧି ପାଉଥିବାବେଳେ ରାଜ୍ୟବାସୀ ଅବହେଳାର ଶିକାର ହେଉଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

Advertisment

ଓଡ଼ିଶାର ସମ୍ପତ୍ତିକୁ ରାଜ୍ୟ ବାହାରର ଲୋକଙ୍କ ହାତରେ ଟେକିଦେବା ପାଇଁ ସରକାର ସୁଚିନ୍ତିତ ଟେଣ୍ଡର ବ୍ୟବସ୍ଥା କରିଛନ୍ତି । ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପ ନିମନ୍ତେ ୩୫ହଜାର କୋଟି ଟଙ୍କାରୁ ୩୪ ହଜାର କୋଟି ଟଙ୍କା ରାଜ୍ୟ ବାହାର ଠିକାଦାରଙ୍କୁ ଦିଆଯାଇଛି । କିନ୍ତୁ ଲୋକେ ପାନୀୟଜଳ ପାଇପାରୁ ନାହାନ୍ତି । ନିମ୍ନମାନର କାର୍ଯ୍ୟ ଯୋଗୁ ସବୁ ବିପର୍ଯ୍ୟସ୍ତ ହୋଇପଡ଼ିବାବେଳେ ଅଭିଯୋଗ ଶୁଣିବାକୁ କେହି ନାହିଁ । ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଲୋକେ କାହାକୁ ଅଭିଯୋଗ କରିବେ ଜାଣିପାରୁନାହାନ୍ତି । ଖାଲି ସେତିକି ନୁହେଁ, ବିଭିନ୍ନ ନିର୍ମାଣ କାର୍ଯ୍ୟ,ରାସ୍ତାଘାଟ ଏପରିକି ଲକ୍ଷ୍ମୀ ବସ୍ ପାଇଁ ମଧ୍ୟ ରାଜ୍ୟ ବାହାର ଠିକାଦାରଙ୍କୁ କାର୍ଯ୍ୟ ଦିଆଯାଇଛି । ବିଜେଡି ସରକାର ନିଜର ପ୍ରଚାର ପ୍ରସାର ପାଇଁ ଓଡ଼ିଆ ଜାତିର ପରିଚୟ ଓ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ଛାଡ଼ି ନାହାନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଳରେ ଯେଭଳି ଭାବେ ଅର୍ପଣ ରଥ ପରିକ୍ରମା କଲା ତାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଗଭୀର ମାନସିକ ଆଘାତ ଦେଇଛି । ଅର୍ପଣ ରଥରେ ନବୀନ ପଟ୍ଟନାୟକ ଓ କାର୍ତିକେୟନ ପାଣ୍ଡିଆନଙ୍କ ଫଟୋ ଲଗାଇ ପରିକ୍ରମା କରାଗଲା ଓ ବିଜେଡିର ପ୍ରଚାର ହେଲା । ଗୁଆ ଚାଉଳ ଦେଇ ନିମନ୍ତ୍ରଣ କରାଯିବା ବଦଳରେ ଓଡ଼ିଆ ପରମ୍ପରାର ବିରୋଧାଚରଣ କରି ଲୋକଙ୍କଠାରୁ ଗୁଆ ଓ ଚାଉଳ ସଂଗ୍ରହ କରାଗଲା।

ବିଭିନ୍ନ ବିଭାଗରେ ୨ ଲକ୍ଷରୁ ଅଧିକ ସରକାରୀ ପଦବୀ ଖାଲି ପଡ଼ିବାବେଳେ ଓଡ଼ିଆ ଯୁବକ ଯୁବତୀମାନେ ଚାକିରି ପାଇଁ ସଂଘର୍ଷ କରୁଛନ୍ତି । ବିନା ଉତ୍କୋଚରେ ସରକାରୀ ଚାକିରି ଖଣ୍ଡେ ମିଳିପାରୁନାହିଁ । ଶିକ୍ଷକ ଚାକିରି ପାଇଁ ୧୨ ଲକ୍ଷ, ଫରେଷ୍ଟ ଗାର୍ଡ ପାଇଁ ୫ ଲକ୍ଷ, ବିଭିନ୍ନ ପଦବୀ ପାଇଁ ନିର୍ଦ୍ଧାରିତ ପରିମାଣର ଟଙ୍କା କାରବାର ହେଉଛି । ଶିକ୍ଷିତ ଓଡ଼ିଆ ଯୁବକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଓଡ଼ିଶାରେ ଶିକ୍ଷାର ମାନ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । କାରଣ ୨୦୧୭-୧୮ରେ ସର୍ବଭାରତୀୟ ସ୍ତରରେ ଶିକ୍ଷା କ୍ଷେତ୍ରରେ ୧୦ମ ସ୍ଥାନରେ ଥିବା ଓଡ଼ିଶା ଏବେ ୨୪ ତମ ସ୍ଥାନକୁ ଖସିଯାଇଛି । ରାଜ୍ୟରେ ୫୦ ହଜାରରୁ ଅଧିକ ଶିକ୍ଷକ ପଦବି ଖାଲିପଡିଛି । ୪୦ରୁ ୫୦ ହଜାର ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶ୍ରେଣୀ ଗୃହ ନାହିଁ ।  ସବୁଠାରୁ ବଡ଼ ଦୁର୍ନୀତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କରାଯାଉଥିବା ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଘରୋଇ ହସ୍ପିଟାଲଗୁଡ଼ିକୁ ଲାଭବାନ କରିବା ନିମନ୍ତେ ଏହି ଯୋଜନା କରାଯାଇଛି । ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର ବର୍ଷକୁ ୩ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏହି ଅର୍ଥ ଘରୋଇ ହସ୍ପିଟାଲ ମାଲିକମାନଙ୍କ ପକେଟକୁ ଯାଉଛି । ସରକାରୀ ହସ୍ପିଟାଲଗୁଡିକ ଅବହେଳିତ ହୋଇପଡ଼ିଛି।

Advertisment

ବହୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ନର୍ସ ପଦବୀ ଖାଲିପଡ଼ିଥିବାବେଳେ ଆବଶ୍ୟକ ସ୍ୱାସ୍ଥ୍ୟ ଭତ୍ତିଭୂମି ନାହିଁ । ଏହାର ସମାଧାନ ନିମନ୍ତେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ସବୁବେଳେ ମା'କୁ ସମ୍ମାନ କଥା କହୁଥିବା ନବୀନ ସରକାରଙ୍କ ଶାସନ କାଳରେ ନାରୀ ନିର୍ଯାତନା, ଅପହରଣ ଓ ବଳାତ୍କାର ବଢ଼ିଚାଲିଛି । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ ବିଭାଗ ଦାୟିତ୍ୱରେ ଥିଲେ ମଧ୍ୟ ମମିତା ମେହେର, ପରୀ, ଇତିଶ୍ରୀ, ବେବିନା ଆଦି ଅନେକ ହତ୍ୟାକାଣ୍ଡରେ ପ୍ରକୃତ ଦୋଷୀଙ୍କୁ ଦଣ୍ଡମିଳିନଥିବାବେଳେ ପୀଡ଼ିତାଙ୍କ ପରିବାର ନ୍ୟାୟ ପାଇବାରୁ ବଂଚିତ ହୋଇଛନ୍ତି । ମହିଳା ସଶକ୍ତିକରଣ ଆଳରେ ଏସ୍‌ଏଚଜି ମହିଳାମାନଙ୍କୁ ବିଜେଡି କର୍ମୀ ଭାବେ ବ୍ୟବହାର କରାଯାଉଛି । ବାସ୍ତବରେ ସେମାନଙ୍କୁ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ କରିବା ପରିବର୍ତେ ବସ୍ ଯୋଗେ ଆଣି ବିଜେଡିର ସଭା ସମିତି ଓ ସମାବେଶରେ ସାମିଲ କରାଯାଉଛି । ଏଥିଯୋଗୁ ସେମାନଙ୍କ ବହୁମୂଲ୍ୟ ସମୟ ନଷ୍ଟ କରାଯାଉଛି ଓ ମିଶନ ଶକ୍ତି ମାଧ୍ୟମରେ ସେମାନଙ୍କୁ ଋଣଗ୍ରସ୍ତ କରି ପାରିବାରିକ ଅଶାନ୍ତି ସୃଷ୍ଟି କରାଯାଉଛି । ବିଜେଡି ଶାସନ କାଳରେ ଚାଷୀମାନେ ସବୁଠୁ ଅଧିକ ଅବହେଳିତ ହେଉଛନ୍ତି।

ସରକାରୀ ଅଧିକାରୀ ଓ ପୁଲିସକୁ ବିଜେଡି ଏଜେଂଟ ଭାବେ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଛି । ଏପରିକି ତୃତୀୟ ମହଲାର ଅନେକ ଅଧିକାରୀ ସିଧାସଳଖ ଭାବେ ବିଜେଡିର ଦଳୀୟ କାର୍ଯ୍ୟକ୍ରମରେ ସାମିଲ ରହୁଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ,  ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ପଂଚାନନ କାନୁନଗୋ ଓ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ବିଶ୍ୱରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ।

BjD Bjp Congress