Advertisment

ଅଗଷ୍ଟ ୨୨ରେ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଲା କଂଗ୍ରେସ

ଆମେରିକାର ଶର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ସଂସ୍ଥା ରିସର୍ଚ୍ଚରେ କହିଛି ଯେ ଆଦାନି ଗ୍ରୁପର ସ୍କାମରେ ଜଡ଼ିତ ବିଦେଶୀ କମ୍ପାନିରେ ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍ ଏବଂ ତାଙ୍କ ସ୍ୱାମୀ ଧବଲ ବୁଚଙ୍କ ଅଂଶଧନ ରହିଛି।

author-image
Hemant Lenka
Congress

Congress

ଆସନ୍ତା ଅଗଷ୍ଟ ୨୨ରେ ସମଗ୍ର ଦେଶରେ ଆନ୍ଦୋଳନ କରିବ କଂଗ୍ରେସ। ହିଣ୍ଡେନବର୍ଗ ରିପୋର୍ଟରେ ସେବି ମୁଖ୍ୟ ଓ ଆଦିନୀ ଗ୍ରୁପ ମଧ୍ୟରେ ମଧୁଛନ୍ଦ୍ରିକା ଥିବା କଥା ଦାବି କରାଯିବା ପରେ କଂଗ୍ରେସ ଏପରି ବିଶାଳ ଆନ୍ଦୋଳନର ଡାକରା ଦେଇଛି।

Advertisment

ହିଣ୍ଡେନବର୍ଗ ପକ୍ଷରୁ ସେବି ମୁଖ୍ୟ ମାଧବୀ ବୁଚ୍‌ଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଅଣାଯାଇଛି। ତେଣୁ ତାଙ୍କୁ ସରକାର ସେବି ମୁଖ୍ୟ ପଦରୁ ହଟାନ୍ତୁ ବୋଲି କଂଗ୍ରେସ ଦାବି କରିଛି। ପୂର୍ବରୁ କଂଗ୍ରେସ ସେବି ମୁଖ୍ୟ ଓ ଆଦାନି ଗ୍ରୁପ ମଧ୍ୟରେ ଥିବା ସମ୍ପର୍କରେ ଜେପିସି ତଦନ୍ତ ପାଇଁ ଦଳ ଦାବି କରିଥିଲା।

ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ଦଳର ସମସ୍ତ ସାଧାରଣ ସମ୍ପାଦକ, ଇନଚାର୍ଜ ଓ ରାଜ୍ୟ ମୁଖ୍ୟମାନେ ଯୋଗ ଦେଇଥିଲେ। ଏହି ବୈଠକରେ କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ କଂଗ୍ରେସ ନେତା ଜୟରାମ ରମେଶ ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, “ବର୍ତ୍ତମାନ ଦେଶରେ ଘଟିଥିବା ସବୁଠାରୁ ବଡ଼ ଦୁର୍ନୀତି ସମ୍ପର୍କରେ ଆମେ ଆଲୋଚନା କରିଥିଲୁ। ହିଣ୍ଡେନବର୍ଗ ସବୁ କିଛି ଖୁଲାସା କରିଛି। ଏହି ଦୁର୍ନୀତି ସେବି ଓ ଆଦାନି ସହ ଜଡ଼ିତ। ଆଦାନି ଓ ସେବି ବିରୋଧରେ ଆସିଥିବା ଅଭିଯୋଗର ଯୁଗ୍ମ ସଂସଦୀୟ କମିଟି ବା ଜେପିସି ତଦନ୍ତ ଦାବିରେ ଦଳର ନେତୃତ୍ୱବୃନ୍ଦ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଛନ୍ତି। ସର୍ବସମ୍ମତିକ୍ରମେ ଏପରି ନିଷ୍ପତ୍ତି ନିଆଯାଇଛି।

ଆମେ ସର୍ବସମ୍ମତିକ୍ରମେ ଦେଶବ୍ୟାପୀ ଦୁଇଟି ଦାବି ନେଇ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛୁ। ଗୋଟିଏ ହେଲା ପ୍ରଧାନମନ୍ତ୍ରୀ ସଂପୂର୍ଣ୍ଣ ଭାବେ ଜଡ଼ିତ ଥିବା ଆଦାନି ମେଗା ସ୍କାମର ଜେପିସି ତଦନ୍ତ ଓ ଅନ୍ୟଟି ହେଲା ଏହି ଦୁର୍ନୀତି ପାଇଁ ଆର୍ଥିକ ବଜାର ଅଧିନିୟମରେ କରାଯାଇଥିବା ସାଂଘାତିକ ଭାବେ ବୁଝାମଣା। ଏହି ଦୁଇଟି ପ୍ରସଙ୍ଗରେ ଆସନ୍ତା ୨୨ ତାରିଖରେ କଂଗ୍ରେସ ଦେଶବ୍ୟାପୀ ବିକ୍ଷୋଭ କରିବ।”

ଶନିବାର ହିଣ୍ଡେନବର୍ଗ ଆଦାନି ଗ୍ରୁପ୍ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲା। ଆମେରିକାର ଶର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ସଂସ୍ଥା ରିସର୍ଚ୍ଚରେ କହିଛି ଯେ ଆଦାନି ଗ୍ରୁପର ସ୍କାମରେ ଜଡ଼ିତ ବିଦେଶୀ କମ୍ପାନିରେ ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍ ଏବଂ ତାଙ୍କ ସ୍ୱାମୀ ଧବଲ ବୁଚଙ୍କ ଅଂଶଧନ ରହିଛି।

ଆଦାନୀ ଗ୍ରୁପର ବିଦେଶୀ ଅଂଶଧନ ସମ୍ପର୍କରେ ତଦନ୍ତ ପାଇଁ ସେବି ଯଥେଷ୍ଟ ଆଗ୍ରହ ନ ଦେଖାଇବାର ଏହା ଏକ କାରଣ ବୋଲି ହିଣ୍ଡେନବର୍ଗ ରିସର୍ଚ୍ଚ ଦାବି କରିଥିଲା। ଏହାକୁ ନେଇ ସେବି ମୁଖ୍ୟ ଏବଂ ତାଙ୍କ ସ୍ୱାମୀ ପ୍ରତିକ୍ରିୟା ରଖି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ବଦନାମ କରିବାକୁ ଚେଷ୍ଟା ଚାଲିଛି ବୋଲି କହିଥିଲେ।

ସେହିପରି ଆଦାନି ଗ୍ରୁପ୍ ମଧ୍ୟ ହିଣ୍ଡେନବର୍ଗର ରିପୋର୍ଟକୁ ବ୍ୟକ୍ତିଗତ ଫାଇଦା ଉଦ୍ଦେଶ୍ୟରେ କରାଯାଇଥିବା କହିଥିଲା। ଏସବୁ ସଫେଇ ସତ୍ତ୍ୱେ ଆଜି ଶେଆର ବଜାରରେ ଆଦାନି ଗ୍ରୁପ୍ ଉପରେ ପ୍ରଭାବ ପଡ଼ିଛି। ଏବେ କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଛି।

Hindenburg Issues Goutam Adani Hindenburg Research SEBI Cheif Hindenburg Vs SEBI