ରାଜ୍ୟବ୍ୟାପୀ କଂଗ୍ରେସ କଲା ସଂକୀର୍ତ୍ତନ ସତ୍ୟାଗ୍ରହ

ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କଂଗ୍ରେସ ପକ୍ଷରୁ ଆଜି ରାଜ୍ୟବ୍ୟାପୀ ସଂକୀର୍ତ୍ତନ ସତ୍ୟାଗ୍ରହ ହୋଇଛି ।

କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ

  • Published: Thursday, 09 November 2023
  • , Updated: 09 November 2023, 07:59 PM IST

ଅଭିନବ ଢଙ୍ଗରେ କଂଗ୍ରେସ ନିଜର ସାଂଗଠନିକ କାର୍ଯ୍ୟକ୍ରମ ଆରମ୍ଭ କରିଛି । ସାଧାରଣ ନିର୍ବାଚନ ପୂର୍ବରୁ ଲୋକଙ୍କ ଆସ୍ଥାଭାଜନ ହେବା ଓ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବା ନିମନ୍ତେ କଂଗ୍ରେସ ପକ୍ଷରୁ ଆଜି ରାଜ୍ୟବ୍ୟାପୀ ସଂକୀର୍ତ୍ତନ ସତ୍ୟାଗ୍ରହ କରାଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ସମସ୍ତ ୪ଟି ଦ୍ୱାର ଭକ୍ତଙ୍କ ପାଇଁ ଉନ୍ମୁକ୍ତ କରିବା, ରତ୍ନଭଣ୍ଡାରର ମରାମତି ଓ ରତ୍ନ ଅଳଙ୍କାରର ଗଣତି ଦାବିରେ କଂଗ୍ରେସ ପକ୍ଷରୁ ଏହି ସଂକୀର୍ତ୍ତନ ସତ୍ୟାଗ୍ରହ ହୋଇଛି । କଂଗ୍ରେସ ପକ୍ଷରୁ ଆଜି ରାଜ୍ୟର ସମସ୍ତ ବ୍ଲକ, ମ୍ୟୁନିସପାଲଟି ଓ ଏନଏଏସିରେ ସଂକୀର୍ତ୍ତନ ସତ୍ୟାଗ୍ରହ କରାଯାଇଛି ।

ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କଂଗ୍ରେସ ପକ୍ଷରୁ ଆଜି ରାଜ୍ୟବ୍ୟାପୀ ଏହି ସଂକୀର୍ତ୍ତନ ସତ୍ୟାଗ୍ରହ ହୋଇଛି । ଏଥିରେ ସଂକୀର୍ତ୍ତନ ହୁଳୁହୁଳି ଓ ଜୟଜଗନ୍ନାଥ ଧ୍ୱନି ସହ ବିଜେଡି ସରକାର ବିରୁଦ୍ଧରେ ସ୍ଲୋଗାନ ମାନ ଦିଆଯାଇଥିବା ଦେଖିବାକୁ ମିଳିଛି । ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟ ସରକାର ଯଦି ଦାବିକୁ ଗ୍ରହଣ କରି ପଦକ୍ଷେପ ନନେବେ ତା’ହେଲେ କଂଗ୍ରେସ ଆଗାମୀ ଦିନରେ ରାଜ୍ୟର ଜଗନ୍ନାଥପ୍ରେମୀ, ଭକ୍ତ ଓ ସାଧାରଣ ଲୋକଙ୍କ ପାଇଁ କଠୋର ପଦକ୍ଷେପ ନେବାକୁ ବାଧ୍ୟ ହେବ । ଏ ସକରାର ଅହଙ୍କାର ଓ ଗର୍ବରେ ଫାଟି ପଡ଼ୁଛି । ଭକ୍ତଙ୍କର କଷ୍ଟ ଦୁର୍ଦ୍ଦଶା ଦେଖି ଏ ସରକାର ଜାଣିଶୁଣି ନିରବ ରହୁଛି । ବେଦାନ୍ତ କମ୍ପାନୀ ଦ୍ୱାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅମୃତମଣୋହୀ ଜମିକୁ ଫେରାଇବା ପାଇଁ ଏ ସରକାର ସାମାନ୍ୟତମ ତତ୍ପରତା ନଦେଖାଇବା ଅତି ଆଶ୍ଚର୍ଯ୍ୟର କଥା । ମହାପ୍ରଭୁ କାହାରି ଗର୍ବ ସହିନାହାନ୍ତି ଓ ଏ ସରକାରର ଗର୍ବ ମଧ୍ୟ ସହିବେ ନାହିଁ । ଏ ଅହଙ୍କାର ବେଶୀଦିନ ରହିବ ନାହିଁ ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ,ଗତ ଅକ୍ଟୋବର ୧୬ତାରିଖରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ କର୍ମୀ ୬ଦଫା ଦାବି ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ଦୀର୍ଘ ସାଢ଼େ ୩ବର୍ଷରୁ ଅଧିକ ସମୟ ଧରି ଶ୍ରୀମନ୍ଦିରର ୩ଟି ଦ୍ୱାରକୁ ରାଜ୍ୟ ସରକାର ବିଭିନ୍ନ ଆଳ ଦେଖାଇ ବନ୍ଦ କରିଛନ୍ତି । ଭକ୍ତମାନେ ହଇରାଣ ହେଉଛନ୍ତି ଓ ବଡ଼ଦାଣ୍ଡରେ ଲମ୍ବାଲାଇନରେ ଛିଡ଼ା ହେବାକୁ ବାଧ୍ୟ ହେଉଛନ୍ତି । ତେଣୁ ୪ଦ୍ୱାର ଖୋଲିବା ପାଇଁ କଂଗ୍ରେସ ପକ୍ଷରୁ ସରକାରଙ୍କୁ ସମୟସୀମା ଦିଆଯାଇଥିଲା । କିନ୍ତୁ ସରକାର ଚୁପ୍ ରହିଲେ । ସେହିପରି ରତ୍ନଭଣ୍ଡାର ମରାମତି ଓ ରତ୍ନଅଳଙ୍କାର ଗଣନା ଦିଗରେ ବି ସରକାର ତତ୍ପରତା ଦେଖାଇନାହାନ୍ତି ।

Related story