Advertisment

ମହାରାଷ୍ଟ୍ରରେ ବିଗିଡ଼ିଲା ଖେଳ, ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ କଲେ ସିନ୍ଦେ ପରିବାର

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଲେ ବରିଷ୍ଠ କଂଗ୍ରେସ ନେତା ସୁଶୀଲ କୁମାର ସିନ୍ଦେ ଓ ତାଙ୍କ ଝିଅ ପ୍ରଣୀତି ସିନ୍ଦେ। ବିଗିଡ଼ିଲା ମହାବିକାଶ ଅଘାଡ଼ି ଗଣିତ।

author-image
Debadatta Aryashrestha
ଅଦ୍ୟତନ ହୋଇଛି
sushilkumar shinde and praniti shinde (File Photo))

sushilkumar shinde and praniti shinde (File Photo))

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏକ ବଡ଼ ଓଲଟପାଲଟ ଦେଖିବାକୁ ମିଳିଛି। କଂଗ୍ରେସର ବରିଷ୍ଠ ନେତା ସୁଶୀଲ କୁମାର ସିନ୍ଦେ ଓ ତାଙ୍କ ଝିଅ ତଥା କଂଗ୍ରେସ ସାଂସଦ ପ୍ରଣୀତି ସିନ୍ଦେ ସୋଲାପୁର ଦକ୍ଷିଣ ଆସନରେ ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଇଥିବା ଘୋଷଣା କରିଛନ୍ତି। ଏହି ଖବର ମହାରାଷ୍ଟ୍ର ରାଜନୀତିକୁ ସରଗରମ କରିଛି। କାରଣ ଏହି ଆସନରେ କଂଗ୍ରେସ ସମର୍ଥନରେ ଉଦ୍ଧବ ଠାକରେଙ୍କ ଶିବସେନା ପ୍ରାର୍ଥୀ ଦେଇଥିଲା। ହେଲେ ସ୍ୱାଧୀନ ପ୍ରାର୍ଥୀଙ୍କୁ ସମର୍ଥନ କରି ପୂରା ଇଣ୍ଡିଆ ମେଣ୍ଟକୁ ଶକ୍ତ ଝଟକା ଦେଇଛନ୍ତି ସିନ୍ଦେ ପରିବାର।

Advertisment

ମହାରାଷ୍ଟ୍ରରେ କଂଗ୍ରେସ, ଏନସିପି (ଶରଦଚନ୍ଦ୍ର ପାୱାର) ଓ ଶିବସେନା (ଉଦ୍ଧବ ଗୋଷ୍ଠୀ) ଦଳର ମେଣ୍ଟ 'ମହାବିକାଶ ଅଘାଡ଼ି', ଶାସକ ମେଣ୍ଟ 'ମହାୟୁତି' ସହ କଡ଼ା ପ୍ରତିଦ୍ୱନ୍ଦ୍ୱିତା କରୁଛି। ସୋଲାପୁର ଦକ୍ଷିଣ ଆସନରେ ମହାବିକାଶ ଅଘାଡ଼ି ପକ୍ଷରୁ ଉଦ୍ଧବ ଠାକରେଙ୍କ ଶିବସେନାର ପ୍ରାର୍ଥୀ ହୋଇଛନ୍ତି ଅମର ପାଟିଲ। ହେଲେ ଯେତେବେଳେ ବରିଷ୍ଠ କଂଗ୍ରେସ ନେତା ସୁଶୀଲ କୁମାର ସିନ୍ଦେ ଓ ତାଙ୍କ ଝିଅ ତଥା ସୋଲାପୁର ସାଂସଦ ପ୍ରଣୀତି ସିନ୍ଦେ ଭୋଟ ଦେଇ ବୁଥରୁ ବାହାରିଥିଲେ, ସେମାନେ ନିର୍ଦ୍ଦଳୀୟ ପ୍ରାର୍ଥୀ ଧର୍ମରାଜ କଡାଡ଼ିଙ୍କୁ ଭୋଟ ଦେଇଥିବା କହିଥିଲେ। ସୁଶୀଲ କୁମାର ସିନ୍ଦେ କହିଛନ୍ତି, ‘ଧର୍ମରାଜ କଡାଡ଼ି ଜଣେ ଭଲ ନେତା। ଏହି କ୍ଷେତ୍ରର ବିକାଶ ପାଇଁ ସେ ଉପଯୁକ୍ତ ବିକଳ୍ପ। ପୂର୍ବରୁ ଲାଗୁଥିଲା ଯେ କଂଗ୍ରେସର ଦିଲୀପ ମାନେଙ୍କୁ ଏଠାରୁ ଟିକଟ ମିଳିବ। ହେଲେ ତାଙ୍କୁ ଦଳ ଟିକଟ ଦେଇନଥିଲା। ତେଣୁ ଆମେ ଧର୍ମରାଜଙ୍କୁ ସମର୍ଥନ କରିବା ଉଚିତ ଭାବିଲୁ।’

ପ୍ରକାଶ ଥାଉ, ସୋଲାପୁର ଦକ୍ଷିଣ ଆସନ ଉଦ୍ଧବ ଗୋଷ୍ଠୀକୁ ଯିବା ନେଇ ପୂର୍ବରୁ ସିନ୍ଦେ ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ଏହି ଆସନରେ କଂଗ୍ରେସର ମଜବୁତ ଜନାଧାର ରହିଛି। ତେଣୁ ଏହି ଆସନ କଂଗ୍ରେସ ହାତରେ ରହିବା ଉଚିତ। ଏହି ଆସନ ତାଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଭଳି ପଦକୁ ଯିବାକୁ ସୁଯୋଗ ଦେଇଛି। ହେଲେ ଏହା ଉଦ୍ଧବ ଗୋଷ୍ଠୀକୁ ଯିବା ନେଇ ଅସନ୍ତୋଷ ପ୍ରକାଶ କରି ସେ କହିଥିଲେ, ‘ଏଠାରେ କଂଗ୍ରେସର ସ୍ଥିତି ବେଶ ମଜବୁତ ଅଛି। ଏଭଳି ସ୍ଥିତିରେ ଶିବସେନା ପ୍ରାର୍ଥୀଙ୍କୁ ଟିକଟ ଦେବାର ଉଦ୍ଦେଶ୍ୟ ମୁଁ ବୁଝିପାରୁନାହିଁ।’

Advertisment
Congress Maharashtra Politics Sushilkumar Shinde Praniti Shinde Shiv Sena UBT Maha Vikash Aghadi