Udit
ଏକ ବଳାତ୍କାର ଅଭିଯୋଗ ମାମଲାରେ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନଙ୍କୁ ପୁଲିସ ଗିରଫ କରିବା ପରେ ଆଜି ଦଳ ତାଙ୍କୁ ନିଲମ୍ବନ କରିଛି । ଏହାସହିତ ଉଦିତଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗର ଆଭ୍ୟନ୍ତରୀଣ ଯାଂଚ ନିମନ୍ତେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ମଧ୍ୟ ଗଠନ କରାଯାଇଛି । ରାଜ୍ୟରେ ବିଗତ କିଛିମାସ ଧରି ମହିଳାଙ୍କ ବିରୁଦ୍ଧରେ ହିଂସାକୁ ନେଇ ଲଢ଼େଇ କରୁଥିବା କଂଗ୍ରେସ ପାଇଁ ଉଦିତଙ୍କ ଗିରଫଦାରୀ ଏକ ଶକ୍ତଧକ୍କା ସଦୃଶ ହୋଇଛି । ଶାସକ ବିଜେପି ଆଜି ଉଦିତଙ୍କ ଗିରଫକୁ ମୁଖ୍ୟ ପ୍ରସଙ୍ଗ କରି କଂଗ୍ରେସର ଦୋମୁହାଁ ନୀତି ପଦାରେ ପଡ଼ିଛି ଓ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ।
ଉଦିତଙ୍କ ବିରୁଦ୍ଧରେ ଆକ୍ସନ ନେଲା କଂଗ୍ରେସ, ଗଢ଼ିଲା ଟିମ୍
ପୁଲିସ ଗତକାଲି ରାତିରେ ଉଦିତ ପ୍ରଧାନଙ୍କୁ ଗିରଫ କରିବା ପରେ ଆଜି ତାଙ୍କୁ ଏନଏସୟୁଆଇ(କଂଗ୍ରେସର ଛାତ୍ର ସଂଗଠନ) ରାଜ୍ୟ ସଭାପତି ପଦରୁ ହଟାଇ ଦିଆଯାଇଛି । ଏନଏସୟୁଆଇ ସଭାପତି ବରୁଣ ଚୌଧୁରୀ ଏକ ବିବୃତ୍ତି ଜାରି କରି ଶ୍ରୀ ପ୍ରଧାନଙ୍କୁ ତତ୍କାଳ ପ୍ରଭାବରୁ ପଦରୁ ହଟାଇ ନିଲମ୍ବନ କରିବା ସହ ଏନଏସୟୁଆଇ ସର୍ବଦା ଲିଙ୍ଗ ଆଧାରିତ ଅନ୍ୟାୟ ପ୍ରତି ଜିରୋ-ସହନଶୀଳତା ନୀତି ଅବଲମ୍ବନ କରେ ତଥା ଉତ୍ତରଦାୟିତ୍ୱ ଓ ନ୍ୟାୟ ପ୍ରତି ନିଜର ପ୍ରତିବଦ୍ଧତାରେ ଅଟଳ ଥିବା କହିଛନ୍ତି ।
ଅନ୍ୟପକ୍ଷରେ ପିସିସି ସଭାପତି ଭକ୍ତଚରଣ ଦାସ ମଧ୍ୟ ଏହି ଘଟଣାରେ ଆଭ୍ୟନ୍ତରୀଣ ଯାଂଚ ପାଇଁ ୬ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି । ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କ ନେତୃତ୍ୱରେ ଗଠିତ କମିଟିରେ ବିଧାୟିକା ସୋଫିଆ ଫିର୍ଦ୍ଦୋଷ, ଦେବସ୍ମିତା ଶର୍ମା, ସୋନାଲି ସାହୁ, ଜୟଶ୍ରୀ ପାତ୍ର ଓ ମନିଷା ଦାସ ପଟ୍ଟନାୟକ ସାମିଲ ଅଛନ୍ତି । ଅଭିଯୋଗକାରିଣୀଙ୍କୁ ଭେଟି ତାଙ୍କ ସହ ଆଲୋଚନା କରି ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜନୀତିକ ବୟାନବାଜି, ଘେରିଲା ବିଜେପି
ଉଦିତଙ୍କ ଗିରଫକୁ ନେଇ ରାଜ୍ୟ ବିଜେପି ଯୁବମୋର୍ଚ୍ଚା କଡ଼ା ଭାଷାରେ ସମାଲୋଚନା କରିଛି । ବିଜେପି ଯୁବମୋର୍ଚ୍ଚର ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ନାରୀ ସୁରକ୍ଷା ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଉଦିତଙ୍କ ଅସଲ ଚେହେରା ପଦାରେ ପଡ଼ିଯାଇଛି । ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଆନ୍ଦୋଳନ କରୁଥିବା ବ୍ୟକ୍ତି ନିଜେ ଦୁଷ୍କର୍ମୀ ବୋଲି ଜଣାପଡ଼ିଛି ।
ବହୁ ଅପରାଧରେ ଉଦିତ ଜଡ଼ିତ ଥିଲେ । ନୈତିକତା ଦୃଷ୍ଟିରୁ ପିସିସି ସଭାପତି ଭକ୍ତ ଦାସ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିବା ସହ ରାହୁଲ ଗାନ୍ଧି କାହିଁକି ଏହି ପ୍ରସଙ୍ଗରେ ଟ୍ୱିଟ୍ କରୁନାହାନ୍ତି ବୋଲି ସେ କଟାକ୍ଷ କରିଛନ୍ତି । କଂଗ୍ରେସର “ଦୋମୁହାଁ ନୀତି” ପଦାରେ ପଡ଼ିଥିବା ସେ ଅଭିଯୋଗ କରିଛନ୍ତି । ତେବେ କଂଗ୍ରେସ ଏହି ଘଟଣାରେ ଉଦିତଙ୍କୁ ତୁରନ୍ତ ଦଳରୁ ନିଲମ୍ବନ କରି ନାରୀ ସୁରକ୍ଷା ପ୍ରସଙ୍ଗରେ କୌଣସି ସାଲିସ୍ କରାଯିବ ନାହିଁ ବୋଲି ସନ୍ଦେଶ ଦେଇସାରିଥିବା ପିସିସି ସଭାପତି ଭକ୍ତ ଦାସ ସ୍ପଷ୍ଟ କରିଛନ୍ତି ।
ଅଭିଯୋଗ ଓ ପୁଲିସର କାର୍ଯ୍ୟାନୁଷ୍ଠାନ
ପୁଲିସର ସୂଚନା ଅନୁସାରେ, ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ଉଦିତଙ୍କୁ ଗିରଫ କରାଯାଇଛି । ଉଦିତ ତାଙ୍କୁ ନିଶା ଦେଇ ଦୁଷ୍କର୍ମ କରିଥିବା ନେଇ ମଂଚେଶ୍ୱର ଥାନାରେ ଏକ ମାମଲା ରୁଜୁ ହେବାପରେ ଗତକାଲି ଉଦିତଙ୍କୁ ଗିରଫ କରାଯାଇଛି । ୨୦୨୫ ମାର୍ଚ୍ଚ ୧୮ତାରିଖରେ ମଂଚେଶ୍ୱର ଅଂଚଳରେ ଥିବା ଗୋଟିଏ ହୋଟେଲରେ ଉଦିତ, ପୀଡ଼ିତାଙ୍କ ସମେତ ଅନ୍ୟ ଜଣେ ଯୁବତୀ ଓ ଜଣେ ପୁରୁଷ ବନ୍ଧୁ ଏକାଠି ମଦ୍ୟପାନ କରିଥିଲେ । କିନ୍ତୁ ପୀଡ଼ିତା ମଦ ପିଅନ୍ତି ନାହିଁ ବୋଲି କହିବା ପରେ ତାଙ୍କୁ ଉଦିତ୍ ମୃଦୁପାନୀୟରେ ନିଶା ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ମାତ୍ର ଉଦିତ ତାଙ୍କୁ ଭୟଭୀତ କରିଥିବାରୁ ସେ ଥାନାରେ ଅଭିଯୋଗ ପାଇଁ ସାହାସ ଜୁଟାଇ ପାରିନଥିଲେ । ଏବେ ଯେହେତୁ ଅନେକ ମାମଲାରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉଛି, ତେଣୁ ସେ ଥାନାରେ ଅଭିଯୋଗ କରିଥିବା ପୁଲିସ କହିଛି । ଉଦିତଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି । ଯେଉଁଥିରେ ଦୁଷ୍କର୍ମ (ବିଏନଏସ୍ ୬୪-୧), ଅପରାଧ ପାଇଁ ନିଶାଦ୍ରବ୍ୟ ପ୍ରୟୋଗ (ବିଏନଏସ୍ ୧୨୩), ସାର୍ବଜନୀନ ସ୍ଥାନରେ ଅଶ୍ଲୀଳ ଆଚରଣ (ବିଏନଏସ୍ ୨୯୬), ମହିଳାଙ୍କ ପ୍ରତି ଅଶ୍ଲୀଳ ଆଚରଣ (ବିଏନଏସ ୭୪), ଏବଂ ଅପରାଧିକ ଧମକ (ବିଏନଏସ୍ ୩୫୧-୨) ସାମିଲ ଅଛି । ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ ବୋଲି ପୁଲିସ ସୂଚନା ଦେଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Udit_1753107335.jpg)