Advertisment

ବଢ଼ିଚାଲିଛି ଅପରାଧ: ପୁଲିସ ଫେଲ୍‌, ଅନାସ୍ଥା ପ୍ରସ୍ତାବ ଆଣିବ କଂଗ୍ରେସ, ଆକନ୍ସ ମୁଡ୍‌କୁ କେବେ ଆସିବେ ସରକାର

ଗଣଦୁଷ୍କର୍ମ, ହତ୍ୟା, ଅପହରଣ ଓ ମହିଳା ବିରୁଦ୍ଧ ଅପରାଧ ବଢ଼ିବାରେ ଲାଗିଛି । ଏହି ଘଟଣାସବୁ ସାଧାରଣ ଲୋକଙ୍କ ମନରେ ଅସୁରକ୍ଷିତ ଭାବନା ସୃଷ୍ଟି କରିଥିବାବେଳେ ପୁଲିସ ଓ ପ୍ରଶାସନର ଆଭିମୁଖ୍ୟ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Bhakta Charan Das

Bhakta Charan Das

Advertisment

ରାଜ୍ୟରେ ଉଦବେଗଜନକ ଭାବେ ମହିଳାଙ୍କ ବିରୁଦ୍ଧରେ ହିଂସା ଓ ଅପରାଧ ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି । ପ୍ରତ୍ୟେକଦିନ କିଛିନା କିଛି ଲୋମହର୍ଷଣକାରୀ ଅପରାଧ ରାଜ୍ୟବାସୀଙ୍କୁ ବ୍ୟଥିତ କରିଥିବାବେଳେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିର ଉତ୍କଟ ରୂପକୁ ପଦାରେ ପକାଇ ଦେଇଛି । ପୁଲିସର ବିଫଳତା ହେଉ ଅବା ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନର ଅଭାବ ଅବାପୁଣି ଉତ୍ତରଦାୟିତ୍ୱ ନିର୍ଦ୍ଧାରଣରେ ଅଭାବ ଯୋଗୁ ରାଜ୍ୟରେ ଅପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଥିବା  ବିରୋଧୀ ଦଳଗୁଡ଼ିକ ମତ ରଖିଛନ୍ତି । ରାଜ୍ୟରେ ମହିଳାଙ୍କୁ ନ୍ୟାୟ ଓ ସୁରକ୍ଷିତ ପରିବେଶ ଦେବାରେ ବିଫଳତା ପାଇଁ ମୋହନ ମାଝୀ ସରକାରଙ୍କ ବିରୁଦ୍ଧରେ ଆଗାମୀ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି କଂଗ୍ରେସ ଆଜି ସୂଚନା ଦେଇଛି । ତେବେ ମାଲକାନଗିରିରୁ ଜଗତସିଂହପୁର, ଗଞ୍ଜାମରୁ ବାଲେଶ୍ୱର, ପୁରୀରୁ କେନ୍ଦ୍ରାପଡ଼ା ଚାରିଆଡ଼େ ଏବେ ଗଣଦୁଷ୍କର୍ମ, ନିର୍ମମ ହତ୍ୟା ଭଳି ଅପରାଧ ଘଟଣା ବଢ଼ିବାରେ ଲାଗିଥିବାବେଳେ ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସନ୍ଧ୍ୟା ସମୟରେ ମହିଳାଙ୍କୁ ଅସଦାଚରଣର ଶିକାର ହେବାକୁ ପଡ଼ୁଥିବାର ଅଭିଯୋଗ ହୋଇଛି ।

Advertisment

ରାଜ୍ୟରେ ଅପରାଧ ଘଟଣା ବୃଦ୍ଧି ଅପ୍ରତ୍ୟାଶିତ ନା ସ୍ୱାଭାବିକ

ବିଗତ କିଛିଦିନ ଧରି ରାଜ୍ୟରେ ଅପରାଧ ବିଶେଷକରି ମହିଳା ବିରୁଦ୍ଧ ହିଂସା ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ଏହି ଅପରାଧଗୁଡ଼ିକ ପ୍ରତ୍ୟେକ ଦିନ ଗଣମାଧ୍ୟମରେ ଯେଭଳି ପ୍ରମୁଖ ପ୍ରସଙ୍ଗ ପାଲଟିଛି ତାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇବାରେ ଲାଗିଛି । ଗଣଦୁଷ୍କର୍ମ, ହତ୍ୟା, ଅପହରଣ ଓ ମହିଳା ବିରୁଦ୍ଧ ଅପରାଧ ବଢ଼ିବାରେ ଲାଗିଛି । ଏହି ଘଟଣାସବୁ ସାଧାରଣ ଲୋକଙ୍କ ମନରେ ଅସୁରକ୍ଷିତ ଭାବନା ସୃଷ୍ଟି କରିଥିବାବେଳେ ପୁଲିସ ଓ ପ୍ରଶାସନର ଆଭିମୁଖ୍ୟ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୁଲିସର ନିଷ୍କ୍ରିୟତା, ଅପରାଧୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ବା କାର୍ଯ୍ୟାନୁଷ୍ଠାନର ଅଭାବ, ଅପରାଧୀଙ୍କ ମଧ୍ୟରେ ଭୟ ନରହିବା ଆଦି ଯୋଗୁ ରାଜ୍ୟରେ ଚିନ୍ତାଜନକ ଢଙ୍ଗରେ ଅପରାଧ ଘଟଣାମାନ ବୃଦ୍ଧି ପାଇବାରେ ଲାଗିଥିବା ଜଣାପଡ଼ିଛି । ପୁରୀ ଜିଲ୍ଲାର ବଳଙ୍ଗାରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ନାବାଳିକା ଝିଅ ୭୦ପ୍ରତିଶତ ପୋଡ଼ି ହେବା ଘଟଣାରେ ପୁଲିସର ହାତ ଖାଲି । ନିଜେ ପୁଲିସ ଡିଜି ୱାଇବି ଖୁରାନିଆ ଘଟଣାସ୍ଥଳକୁ ଯାଇ ସରଜମିନ୍ ତଦନ୍ତ କରିଥିଲେ ମଧ୍ୟ ଘଟଣା ପଛର ରହସ୍ୟକୁ ପୁଲିସ ଏପର୍ଯ୍ୟନ୍ତ ଉଜାଗର କରିବାରେ ସକ୍ଷମ ହୋଇନାହିଁ । ପୁଲିସ ପ୍ରତି ଭୟ ନଥିବାରୁ ଅପରାଧୀମାନେ ଖୁଲମଖୁଲା ଅପରାଧ ଭିଆଇବାରେ ଲାଗିଛନ୍ତି । ଯଦିଓ ଶାସକ ଦଳ ଓ ସରକାରଙ୍କ ପକ୍ଷରୁ ଭିନ୍ନ ଯୁକ୍ତି ଦର୍ଶଯାଉଛି । ମହିଳାମାନେ ଏବେ ଅଧିକ ସଚେତନ ଓ ନ୍ୟାୟ ପାଇବା ଆଶାରେ ଆଗକୁ ଆସୁଥିବାରୁ ଏଭଳି ଘଟଣାମାନ ଅଧିକ ଲୋକଲୋଚନକୁ ଆସୁଛି ଏବଂ ଅଧିକାଂଶ ଘଟଣାରେ ପୁଲିସ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ନେଇ ଅପରାଧୀଙ୍କୁ ଗିରଫ ମଧ୍ୟ କରୁଛି ବୋଲି ଶାସକ ବିଜେପି ଦାବି କରୁଛି । ସେହିପରି ମହିଳାଙ୍କ ବିରୁଦ୍ଧରେ ଅପରାଧ ଓ ହିଂସାକୁ ନେଇ ମୋହନ ମାଝୀଙ୍କ ସରକାର ଜିରୋ ଟଲେରାନ୍ସ ନୀତିର ଆଭିମୁଖ୍ୟ ଆପଣାଇଛନ୍ତି ବୋଲି କହୁଥିଲେ ମଧ୍ୟ ପୁଲିସର କାର୍ଯ୍ୟକଳାପ ସିଧାସଳଖ ସରକାରଙ୍କ ଭାବମୂର୍ତ୍ତିକୁ ସଙ୍କଟରେ ପକାଇ ଦେଇଛି ।

ନାରୀଙ୍କୁ ନ୍ୟାୟ ପାଇଁ ବିଜେଡି ସହ କଂଗ୍ରେସ ମିଳାଇବ ହାତ: ଭକ୍ତ ଦାସ

ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ବୃଦ୍ଧି ପାଉଥିବା ଅପରାଧକୁ ନିୟନ୍ତ୍ରଣ ଓ ନାରୀଙ୍କୁ ନ୍ୟାୟ ଦେବା ପାଇଁ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡି ସହ ହାତ ମିଳାଇବାକୁ କଂଗ୍ରେସ ପ୍ରସ୍ତୁତ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ସଙ୍କେତ ଦେଇଛନ୍ତି । ଶ୍ରୀ ଦାସ କହିଛନ୍ତି ଯେ, ରାଜ୍ୟରେ ଯେଭଳି ମହିଳା ହିଂସା ବଢ଼ିବାରେ ଲାଗିଛି, ଟିକେ ଲଜ୍ଜା ଥିଲେ ସେମାନେ ସରକାରକୁ ଓହରି ଯାଇସାରନ୍ତେଣି । ବିଜେଡି ମଧ୍ୟ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଲଢ଼େଇ କରୁଥିବା ଗଣମାଧ୍ୟମକୁ ଜାଣିବାକୁ ପାଇଲି । ଯଦି ବିଜେଡି ପ୍ରକୃତରେ ଆନ୍ତରିକତାର ସହ ଲଢ଼େଇ କରୁଛି ତା’ହେଲେ ଆଗାମୀ ବିଧାନସଭାରେ ଏ ସରକାର ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣୁ କଂଗ୍ରେସ ଏହାକୁ ସମର୍ଥନ କରିବ । ନଚେତ୍ କଂଗ୍ରେସ ଆଣିଲେ ସେମାନେ ସମର୍ଥନ କରନ୍ତୁ ବୋଲି ଶ୍ରୀ ଦାସ କହିଛନ୍ତି । ଆତ୍ମଦାହ କରିଥିବା ବାଲେଶ୍ୱର ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ଆସନ୍ତାକାଲି ରାଜ୍ୟର ସମସ୍ତ ମହିଳାଙ୍କୁ ଏକ ମିନିଟ୍ ନିରବ ପ୍ରାର୍ଥନା ନିମନ୍ତେ କଂଗ୍ରେସ ଆହ୍ୱାନ କରିଛି ।

Advertisment

ସେହିପରି ବିଜେପି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, “ରାଜ୍ୟରେ ଆଇନଶୃଙ୍ଖଳାର ବିଫଳତା, ଶାସନରେ ଗୁରୁତର ତ୍ରୁଟି ଓ ବ୍ୟବସ୍ଥାଗତ ବିଫଳତା ପ୍ରତିଫଳିତ ହୋଇଛି । ମାତ୍ର ମାସକ ମଧ୍ୟରେ ଗୋପାଳପୁରରେ ଜଣେ ଛାତ୍ରୀ ଗଣଦୁଷ୍କର୍ମଠୁ ଆରମ୍ଭ କରି ବାଲେଶ୍ୱରରେ କଲେଜ ଛାତ୍ରୀଙ୍କ ଆତ୍ମାହୂତି, ଯାଜପୁରରେ ୧୫ବର୍ଷୀୟା ବାଳିକାଙ୍କୁ ଗଣଦୁଷ୍କର୍ମ, ପୁରୀରେ ଜଣେ ନାବାଳିକାଙ୍କୁ ପୋଡ଼ି ଦିଆଯିବା ଭଳି ଘଟଣାଗୁଡ଼ିକ ରାଜ୍ୟରେ ମହିଳାମାନଙ୍କ ବିରୁଦ୍ଧରେ ହିଂସାର ଏକ ଗଭୀର ଉଦବେଗଜନକ ଶୈଳୀକୁ ଉଜାଗର କରୁଛି ।”

ସେହିପରି ସମାଜସେବୀ ପ୍ରୀତିଛନ୍ଦା ଧଳ କହିଛନ୍ତି ଯେ “ ଆଇନକାନୁନ୍ ପ୍ରତି ଭୟ ନରହିବା, ନୈତିକ ଶିକ୍ଷାର ଅଭାବ ଓ ସାମାଜିକ ବ୍ୟବସ୍ଥାରେ ଅଧୋଗତି ଯୋଗୁ ଏଭଳି ଲୋମହର୍ଷଣକାରୀ ମହିଳା ବିରୁଦ୍ଧ ହିଂସାତ୍ମକ ଘଟଣା ଆସିବାରେ ଲାଗିଛି । ପୁଲିସର ନିଷ୍କ୍ରିୟତା ଓ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନର ଅଭାବ ମଧ୍ୟ ଏସବୁ ପାଇଁ ଦାୟୀ । ସରକାର ମହିଳା ବିରୁଦ୍ଧ ହିଂସାକୁ ନେଇ ଜିରୋ ଟଲେରାନ୍ସ ନୀତି କଥା କହୁଛନ୍ତି କିନ୍ତୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି କି ପୁଲିସର ବିଫଳତାକୁ ନେଇ ଉତ୍ତରଦାୟିତ୍ୱ ମଧ୍ୟ ନିର୍ଦ୍ଧାରଣ କରୁନାହାନ୍ତି । ଅପରାଧୀମାନଙ୍କ ମନରେ ଭୟ ସଂଚାର କରିବା ପାଇଁ ପୁଲିସକୁ କଠୋର ହେବାକୁ ପଡ଼ିବ ଏବଂ ପୀଡ଼ିତାଙ୍କ ଅଭିଯୋଗ ପ୍ରତି ପୁଲିସ ନିଜର ସମ୍ବେଦନଶୀଳତା ଆଭିମୁଖ୍ୟ ପୋଷଣ କରିବା ମଧ୍ୟ ଜରୁରୀ । ଝିଅ ଓ ମହିଳାମାନେ ବି ନିଜେ ସଚେତନା ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।”

ପୁଲିସ ପ୍ରଶାସନରେ ଆମୂଳଚୂଳ ପରିବର୍ତ୍ତନ ଲୋଡ଼ା

ରାଜ୍ୟରେ ଅପରାଧ ଘଟଣାଗୁଡ଼ିକ ବୃଦ୍ଧି ପାଇବା ସହ ଏସବୁ ଜାତୀୟସ୍ତରରେ  ଖବରର ଶିରୋନାମା ପାଲଟି ଓଡ଼ିଶା ବଦନାମ ହେଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାରେ ସରକାର ସଫଳ ହୋଇନାହାନ୍ତି । ସରକାରଙ୍କ ଜିରୋ ଟଲେରାନ୍ସ ନୀତିକୁ କାର୍ଯ୍ୟକାରୀ କରିବାରେ ପୁଲିସର ଅପାରଗତା ହେଉ ଅବା ଅପରାଧୀଙ୍କ ମନରେ ଭୟ ସଂଚାର କରିବା ଦିଗରେ ରାଜ୍ୟ ପୁଲିସ ଏବେ ବ୍ୟାକଫୁଟରେ ରହିଛି । ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅପରାଧ ବଢ଼ିବାରେ ଲାଗିଛି । ଜଗତସିଂହପୁର ଭଳି ସମ୍ବେଦନଶୀଳ ଜିଲ୍ଲାରେ ଆଇପିଏସଙ୍କ ବଦଳରେ ପ୍ରଥମଥର ପାଇଁ ଓପିଏସ ଅଫିସରଙ୍କୁ ଏସପି କରି ବସାଇବା, ବାଲେଶ୍ୱର ଜିଲ୍ଲାରେ ଏସପିଙ୍କ ବିବାଦୀୟ ଭୂମିକା, ଗଞ୍ଜାମରେ ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ପାଟ୍ରୋଲିଂ ଅଭାବରୁ ଛାତ୍ରୀଙ୍କୁ ଗଣଦୁଷ୍କର୍ମରେ କାହାରିକୁ ଦାୟୀ କରାନଯିବା ଏବଂ ବିଶେଷକରି ପୁଲିସ ବିଭାଗର ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦକ୍ଷ ଓ ସଚ୍ଚୋଟ ଅଫିସରଙ୍କୁ ଅବସ୍ଥାପିତ ନକରି ନିଜର ଚାଟୁକାର ଟିମ୍ ଗଢ଼ିବା ଏବେ ଓଡ଼ିଶା ପୁଲିସକୁ ମହଙ୍ଗା ପଡ଼ିବା ସହ ରାଜ୍ୟ ସରକାରଙ୍କ ପାଇଁ ମଧ୍ୟ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଗତକାଲି ବିଳମ୍ବିତ ରାତ୍ରିରେ ମୋହନ ସରକାର ଯେଭଳି ଜିଲ୍ଲାପାଳରୁ ସଚିବ ପର୍ଯ୍ୟନ୍ତ ଆଇଏଏସ୍ ଅଫିସରସ୍ତରରେ ବିରାଟ ଅଦଳବଦଳ କରିଛନ୍ତି ଅନୁରୂପ ବଦଳିର ଆବଶ୍ୟକତା ପୁଲିସ ବିଭାଗରେ ଜରୁରୀ ହୋଇପଡ଼ିଛି । ଯାହାଫଳରେ ଦକ୍ଷ ଓ ଯୋଗ୍ୟ ଅଫିସରମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇ ସରକାର ନିଜର ଭାବମୂର୍ତ୍ତି ସୁଧାରିବାରେ ସକ୍ଷମ ହୋଇପାରିବେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ।

Congress Bhakta Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe