Advertisment

Rajya Sabha elections: ଡାକ୍ତର ଦତ୍ତେଶ୍ୱର ମିଶ୍ରଙ୍କୁ କମନ୍ କ୍ୟାଣ୍ଡିଡେଟ୍ କଲା ବିଜେଡି, ସମର୍ଥନ ଘୋଷଣା କଲା କଂଗ୍ରେସ

ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ଶନିବାର ପ୍ରାର୍ଥୀ ଘୋଷଣା କରିଛି। ଦଳ ଦୁଇ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଜଣେ ହେଉଛନ୍ତି ଦଳର ନେତା ତଥା ୨୦୨୪ରେ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ସଂତୃପ୍ତ ମିଶ୍ର ଓ ଅନ୍ୟ ଜଣେ ହେଉଛନ୍ତି ସୁନାମଧନ୍ୟ ୟୁରୋଲୋଜିଷ୍ଟ ଡାକ୍ତର ଦତ୍ତେଶ୍ୱର ହୋତା।

author-image
Jitendra Garnayak
Naveen and bhakta

ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ଶନିବାର ପ୍ରାର୍ଥୀ ଘୋଷଣା କରିଛି। ଦଳ ଦୁଇ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଜଣେ ହେଉଛନ୍ତି ଦଳର ବରିଷ୍ଠ ନେତା ତଥା ୨୦୨୪ରେ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ସଂତୃପ୍ତ ମିଶ୍ର ଓ ଅନ୍ୟ ଜଣେ ହେଉଛନ୍ତି ସୁନାମଧନ୍ୟ ୟୁରୋଲୋଜିଷ୍ଟ ଡାକ୍ତର ଦତ୍ତେଶ୍ୱର ହୋତା। ଦଳ ସଂତୃପ୍ତ ମିଶ୍ରଙ୍କୁ ତୃତୀୟ ଆସନ ପାଇଁ ପ୍ରାର୍ଥୀ କରିଥିବା ବେଳେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ କରିଛି। ତା’ ସହିତ ଡାକ୍ତର ହୋତାଙ୍କୁ ଦଳ କମନ୍ କ୍ୟାଣ୍ଡିଡେଟ୍‌ ବୋଲି ଘୋଷଣା କରିଛନ୍ତି। ଡାକ୍ତର ହୋତା କମନ୍ କ୍ୟାଣ୍ଡିଡେଟ୍ ହୋଇଥିବାରୁ ତାଙ୍କୁ ଅନ୍ୟଦଳଗୁଡ଼ିକ ସମର୍ଥନ କରି ରାଜ୍ୟସଭାକୁ ପଠାନ୍ତୁ ବୋଲି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି।

Advertisment

ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ବିଜେଡି କମନ୍ କ୍ୟାଣ୍ଡିଡେଟ୍ ଘୋଷଣା କରିଥିବା ବେଳେ ତାଙ୍କୁ ସମର୍ଥନ ଘୋଷଣା କରିଛି କଂଗ୍ରେସ। ତାଙ୍କୁ କଂଗ୍ରେସ ସମର୍ଥନ କରିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। କଂଗ୍ରେସର ସମସ୍ତ ବିଧାୟକଙ୍କ ସହିତ ଦଳର ହାଇକମାଣ୍ଡଙ୍କର ମଧ୍ୟ ଏଥିରେ ସହମତି ଥିବା ଶ୍ରୀ ଦାସ ଜଣାଇଛନ୍ତି। ଯାହା ସବୁ ଘଟିଛି, ତାଙ୍କ ଜ୍ଞାତସାରରରେ ଘଟିଥିବା ସେ କହିଛନ୍ତି। ଡାକ୍ତର ଦତ୍ତେଶ୍ୱର ହୋତା ନବୀନ ପଟ୍ଟନାୟକ ଓ ତାଙ୍କୁ ଭେଟିଥିବା କଥା କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। 

ଶ୍ରୀ ଦାସ କହିଛନ୍ତି ଯେ ଚତୁର୍ଥ ଆସନ ପାଇଁ ଜଣେ ନିରପେକ୍ଷ ତଥା ଓଡ଼ିଶା ପାଇଁ କାମ କରିଥିବା ବ୍ୟକ୍ତିତ୍ୱଙ୍କୁ ପ୍ରାର୍ଥୀ କରିବାକୁ ସେ ୧୫/୨୦ ଦିନ ହେଲାଣି କହିଆସୁଥିଲେ। କାରଣ ଚତୁର୍ଥ ଆସନ ପାଇଁ ନା ବିଜେଡିର ନା କଂଗ୍ରେସ ପାଖରେ ସଂଖ୍ୟା ରହିଛି। କିନ୍ତୁ ଉଭୟ ମିଶିଲେ ଏହା ସମ୍ଭବ ହୋଇପାରିବ। ଏହା ସେତେବେଳେ ସମ୍ଭବ ହୋଇପାରିବ ଯେତେବେଳେ ଜଣେ ନିରପେକ୍ଷ ଓ ନିର୍ଦ୍ଦଳୀୟ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯିବ, ଯିଏ ନିଜେ ନିଜ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବେ ତଥା ରାଜ୍ୟ ପାଇଁ କାର୍ଯ୍ୟ କରିଥିବେ। ଏ ବିଷୟରେ ଆଲୋଚନା କରିବା ପାଇଁ ନବୀନ ପଟ୍ଟନାୟକଙ୍କୁ ସମୟ ମାଗିଥିଲି। ଗତ ସୋମବାର ନବୀନ ପଟ୍ଟନାୟକ ସମୟ ଦେଇଥିଲେ। ତାଙ୍କ ସହିତ ଆଲୋଚନା ହୋଇଥିଲା। ତାଙ୍କର ମଧ୍ୟ ସମାନ ମତ ଥିଲା। ଜଣେ କମନ କ୍ୟାଣ୍ଡିଡେଟ୍‌ ପାଇଁ ସେ ମତ ରଖିଥିଲେ। ଏକାଧିକ ନାଁ ତାଲିକାରେ ରହିଥିଲା। ସେମାନଙ୍କ ଭିତରେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ନାଁ ମଧ୍ୟ ରହିଥିଲା।

Advertisment

ପିସିସି ସଭାପତି କହିଛନ୍ତି, ଆଜି କମନ କ୍ୟାଣ୍ଟିଡେଟ୍ ଘୋଷଣା କରାଯାଇଛି। ବିରୋଧୀ ଦଳ ହିସାବରେ ଆମେ ଏହାକୁ ସମ୍ମାନ କରୁଛୁ। ନବୀନ ବାବୁ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେ ଉଚିତ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଥିପାଇଁ ମୁଁ ତାଙ୍କୁ ସାଧୁବାଦ ଜଣାଉଛି। ରାଜ୍ୟର ହିତ ଦୃଷ୍ଟିକୋଣରୁ ଏହି ନିଷ୍ପତ୍ତି ନିଆଯାଇଛି।

ଶ୍ରୀ ଦାସ କହିଛନ୍ତି, ଡାକ୍ତର ଦତ୍ତେଶ୍ୱର ହୋତା ଜଣେ ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ୟୁରୋଲୋଜିଷ୍ଟ। ରାଜ୍ୟରେ ଓ ଦେଶରେ ସେ ବହୁତ ପ୍ରସିଦ୍ଧ। ବହୁତ ଲୋକଙ୍କୁ ସେ ଭଲ କରିଛନ୍ତି। ତାଙ୍କର ଗୋଟିଏ ଟ୍ରଷ୍ଟ ଅଛି। ସେହି ଟ୍ରଷ୍ଟ ଜରିଆରେ ସେ ରାଜ୍ୟର ଉପାନ୍ତ ଅଞ୍ଚଳଗୁଡ଼ିକରେ ୧୦୦ରୁ ଅଧିକ ମାଗଣା ଚିକିତ୍ସା ଶିବିର ଆୟୋଜନ କରିଛନ୍ତି। ବିଭିନ୍ନ ଜିଲ୍ଲା ଓ ବ୍ଳକର ଅଗମ୍ୟ ଅଞ୍ଚଳରେ ସେ ଲୋକଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦେଇଛନ୍ତି। ତାଙ୍କର ଏହି ସେବା ମନୋଭାବ ଯୋଗୁ ପ୍ରାୟ ଏକ ଲକ୍ଷ ଲୋକ ମାଗଣାରେ ଚିକିତ୍ସିତ ହୋଇଛନ୍ତି। ଚିକିତ୍ସା କ୍ଷେତ୍ରରେ ସେ ଭଲ ନାମ ଅର୍ଜନ କରିଛନ୍ତି। ତେଣୁ ତାଙ୍କ ଭଳି ଜଣେ ବ୍ୟକ୍ତିତ୍ୱଙ୍କୁ କମନ କ୍ୟାଣ୍ଡିଡେଟ୍ କରାଯିବା ନିଷ୍ପତ୍ତିକୁ ନେଇ ଆମେ ଏକମତ। ସେ ରାଜ୍ୟସଭାକୁ ନିର୍ବାଚିତ ହେଲେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କୌଣସି ନୀତି ନିର୍ଦ୍ଧାରଣ କରିବାରେ ନିଶ୍ଚିତ ଭାବେ ଭଲ ଭୂମିକା ଗ୍ରହଣ କରିପାରିବେ।

ୟୁରୋଲୋଜିଷ୍ଟ  ଭାବେ  ଡାକ୍ତର  ଦତ୍ତେଶ୍ବର  ହୋତାଙ୍କର ୪୦ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି। SCB ମେଡିକାଲର ୟୁରୋଲୋଜି ବିଭାଗର ମୁଖ୍ୟ ଥିଲେ ସେ। SCB ମେଡିକାଲ୍ କଲେଜର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ। ସେ ହେଉଛନ୍ତି ଓଡ଼ିଶା  ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି। କିଡ୍‌ନୀ ଟ୍ରାନ୍‌ସପ୍ଲାଣ୍ଟ ଓ ଲିଭର ଟ୍ରାନ୍‌ସପ୍ଲାଣ୍ଡ ୟୁନିଟ୍ ପ୍ରତିଷ୍ଠାରେ ତାଙ୍କର ଅବଦାନ ରହିଛି। ଜଟିଳ ଅସ୍ତ୍ରୋପଚାର କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ।