Advertisment

ଟେକ୍ ସିଟିକୁ ଟ୍ୟାଙ୍କର ସିଟିରେ ପରିଣତ କରି ଦେଇଛି କଂଗ୍ରେସ: ପ୍ରଧାନମନ୍ତ୍ରୀ

କର୍ଣ୍ଣାଟକାରେ ୨୮ଟି ଲୋକସଭା ଆସନ ଥିବା ବେଳେ ଏପ୍ରିଲ ୨୬ ଓ ମେ’ ୭ରେ ଦୁଇଟି ପର୍ଯ୍ୟାୟରେ ଏଠାରେ ମତଦାନ ହେବ।

author-image
Jitendra Garnayak
ଅଦ୍ୟତନ ହୋଇଛି
PM Modi

PM Modi

କିଛି ସପ୍ତାହ ତଳେ ଜଳ ସଙ୍କଟକୁ ନେଇ ବେଙ୍ଗାଲୁରୁ ଚର୍ଚ୍ଚାରେ ରହିଥିଲା। ସହରର ଲୋକେ ବାଲ୍‌ଟି ଓ ଅନ୍ୟାନ୍ୟ ପାତ୍ର ଧରି ପାଣି ଟ୍ୟାଙ୍କର ପାଖରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲେ। ଆଉ ଏହାକୁ ନେଇ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର କଂଗ୍ରେସ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସ ଟେକ୍‌ ସିଟିକୁ ଟ୍ୟାଙ୍କର ସିଟିରେ ପରିଣତ କରି ଦେଇଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ପାଲଟା ଆକ୍ରମଣ କରି କହିଛନ୍ତି ଯେ ଯେତେବେଳେ ରାଜ୍ୟ ବନ୍ୟା ଓ ମରୁଡ଼ି ସଙ୍କଟ ଦେଇ ଗତି କରୁଥିଲା ସେତେବେଳେ ପ୍ରଧାନମନ୍ତ୍ରୀ କେଉଁଠି ଥିଲେ।

Advertisment

ବେଙ୍ଗାଲୁରୁରେ ଥିବା ୪ଟି ଲୋକସଭା ଆସନ ପାଇଁ ଏପ୍ରିଲ ୨୬ ତାରିଖରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ତା’ ପୂର୍ବରୁ ଆୟୋଜିତ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ରାଜ୍ୟକୁ ଗ୍ରୀନ୍ ଏନର୍ଜି ହବ୍‌, ଫାର୍ମା ହବ୍‌, ଇଲେକ୍ଟ୍ରୋନିକ୍‌ସ ହବ୍, ଇଲେକ୍ଟ୍ରିକାଲ୍ ଭେଇକଲ ହବ୍, ସେମିକଣ୍ଡକ୍ଟର ହବ୍ ଓ ଗ୍ଲୋବାଲ୍ ଇନୋଭେସନ୍ ହବ୍‌ କରିବାକୁ ଚାହୁଁଛନ୍ତି। ଫଳରେ ଭାରତ ଗ୍ଲୋବାଲ୍ ଇକୋନୋମୀ ହବ୍‌ରେ ପରିଣତ ହୋଇପାରିବ। କିନ୍ତୁ କଂଗ୍ରେସ ଓ ଇଣ୍ଡି ମେଣ୍ଟର ନେତାମାନେ କହୁଛନ୍ତି ଯେ ସେମାନେ ମୋଦିଙ୍କୁ ହଟାଇ ଦେବେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୋଦି ଗ୍ୟାରେଣ୍ଟି ଯୋଗୁ ୫ଜି ପରେ ଏବେ ଦେଶରେ ୬ଜି ଆସିବାକୁ ଯାଉଛି। କିନ୍ତୁ ସେମାନେ କହୁଛନ୍ତି ମୋଦିଙ୍କୁ ହଟାଇ ଦେବେ। ଏହା ହେଉଛି ମୋଦି ଗ୍ୟାରେଣ୍ଟି ଯାହା ଚନ୍ଦ୍ରଯାନ ପରେ ଗଗନଯାନ ଭାରତକୁ ଗୌରବାନ୍ୱିତ କରିବ। କିନ୍ତୁ ସେମାନେ କହୁଛନ୍ତି ମୋଦିଙ୍କୁ ହଟାଅ। କଂଗ୍ରେସ ଯୁବ ବିରୋଧୀ। କାରଣ ଏହି ଦଳ ନିବେଶ ବିରୋଧୀ ଓ ଶିଳ୍ପ ବିରୋଧୀ। ମିଶନ ୨୦୪୭ ପାଇଁ ସେ ଦିନ ରାତି ୨୪ ଘଣ୍ଟା କାମ କରୁଛନ୍ତି ବୋଲି କହୁଛନ୍ତି। 

Advertisment

ସେ ଆହୁରି କହିଛନ୍ତି, କଂଗ୍ରେସ ଟେକ୍ ସିଟିକୁ ଟ୍ୟାଙ୍କର ସିଟିରେ ପରିଣତ କରି ଦେଇଛି। କୃଷି ଠାରୁ ଆରମ୍ଭ କରି ସହରାଞ୍ଚଳର ଭିତ୍ତିଭୂମି ସବୁ କ୍ଷେତ୍ରରେ ବଜେଟ୍‌କୁ ହ୍ରାସ କରି ଦେଇଛି କଂଗ୍ରେସ। କଂଗ୍ରେସ କେବଳ ଦୁର୍ନୀତି ଉପରେ ଧ୍ୟାନ କେନ୍ଦ୍ରିତ କରେ। ବେଙ୍ଗାଲୁରୁର ସମସ୍ୟା ଉପରେ କଂଗ୍ରେସର ଆଦୌ ଧ୍ୟାନ ନାହିଁ। ଏଠାରେ କେବଳ କେନ୍ଦ୍ର ସରକାରଙ୍କ ପ୍ରକଳ୍ପଗୁଡ଼ିକର କାମ ଦ୍ରୁତ ଗତିରେ ଆଗେଇ ଚାଲିଛି। କର୍ଣ୍ଣାଟକାର କଂଗ୍ରେସ ସରକାରଙ୍କ ଚିନ୍ତାଧାରା ଭାରି ବିପଜ୍ଜନକ । ଏଠାରେ ଆମ ଝିଅମାନଙ୍କ ଉପରକୁ ଆକ୍ରମଣ ହେଉଛି, ବଜାରରେ ବୋମା ପକାଯାଉଛି। କଂଗ୍ରେସ ପ୍ରତି ସମସ୍ତେ ସତର୍କ ରୁହନ୍ତୁ।

ପ୍ରଧାନମନ୍ତ୍ରୀ ଏହି ଅଭିଭାଷଣ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା। ପ୍ରଧାନମନ୍ତ୍ରୀଙ୍କ ନାଁ ନ ନେଇ ସେ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି, ଲୋକଙ୍କ ପାଇଁ ଦିନ ରାତି ୨୪ ଘଣ୍ଟା କାମ କରୁଛନ୍ତି ବୋଲି କହୁଛନ୍ତି। ତା’ହେଲେ କର୍ଣ୍ଣାଟକା ଯେତେବେଳେ ବନ୍ୟା ଓ ମରୁଡ଼ି ସଙ୍କଟ ଦେଇ ଗତି କରୁଥିଲା, ସେତେବେଳେ ସେ କେଉଁଠି ଥିଲେ? ତା’ହେଲେ ଏ ୨୪x୭ ପଛର ସତ କାହାଣୀ କ’ଣ? ଏହା ପିଆର୍‌ ଭଳି ଲାଗୁଛି, ଯେମିତି ସବୁ ବେଳେ ଲାଗେ!

ସୂଚନାଯୋଗ୍ୟ, କର୍ଣ୍ଣାଟକାରେ ୨୮ଟି ଲୋକସଭା ଆସନ ଥିବା ବେଳେ ଏପ୍ରିଲ ୨୬ ଓ ମେ’ ୭ରେ ଦୁଇଟି ପର୍ଯ୍ୟାୟରେ ଏଠାରେ ମତଦାନ ହେବ। ୧୪ଟିରେ ଏପ୍ରିଲ ୬ରେ ଓ ଅନ୍ୟ ୧୪ଟିରେ ମେ’ ୭ରେ ମତଦାନ ହେବ। ବେଙ୍ଗାଲୁରୁରେ ଥିବା ୪ଟି ଲୋକସଭା ଆସନ ପାଇଁ ଏପ୍ରିଲ ୨୬ରେ ଭୋଟ୍ ଗ୍ରହଣ ହେବ। 

Congress Narendra Modi Siddaramaiah