ପିପିଲି ମଇଦାନରୁ କଂଗ୍ରେସ ଆଉଟ୍: କିଏ ହାତେଇବ କଂଗ୍ରେସର ପାରମ୍ପରିକ ଭୋଟ୍ ?

ଭୁବନେଶ୍ୱର(ପ୍ରକାଶ ସେଠୀ): ଗତ ପଂଚାୟତ ନିର୍ବାଚନରେ ରାଜ୍ୟରେ ୩ ନମ୍ବର ଦଳକୁ ଖସି ଆସିଥିବା କଂଗ୍ରେସ ଏବେ ନିଜର ଅସ୍ତିତ୍ୱ ହରାଇବାକୁ ବସିଛି। ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ କୌଣସି ଉପନିର୍ବାଚନ ମଇଦାନରୁ କଂଗ୍ରେସ ଅଘୋଷିତ ସନ୍ୟାସ ନେଇଛି। ଦଳର ପ୍ରାର୍ଥୀ ଅଜିତ୍ ମଙ୍ଗରାଜ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ହୋମ୍ ଆଇସୋଲେସନରେ ରହି କୋଭିଡ୍ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରିଛନ୍ତି। ଆଉ ପିପିଲିରେ କଂଗ୍ରେସର ଛାମୁଆ ନେତାମାନେ […]

congress

Ordigital Desk
  • Published: Friday, 09 April 2021
  • , Updated: 09 April 2021, 08:49 PM IST

ଭୁବନେଶ୍ୱର(ପ୍ରକାଶ ସେଠୀ): ଗତ ପଂଚାୟତ ନିର୍ବାଚନରେ ରାଜ୍ୟରେ ୩ ନମ୍ବର ଦଳକୁ ଖସି ଆସିଥିବା କଂଗ୍ରେସ ଏବେ ନିଜର ଅସ୍ତିତ୍ୱ ହରାଇବାକୁ ବସିଛି। ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ କୌଣସି ଉପନିର୍ବାଚନ ମଇଦାନରୁ କଂଗ୍ରେସ ଅଘୋଷିତ ସନ୍ୟାସ ନେଇଛି। ଦଳର ପ୍ରାର୍ଥୀ ଅଜିତ୍ ମଙ୍ଗରାଜ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ହୋମ୍ ଆଇସୋଲେସନରେ ରହି କୋଭିଡ୍ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରିଛନ୍ତି। ଆଉ ପିପିଲିରେ କଂଗ୍ରେସର ଛାମୁଆ ନେତାମାନେ ଏବେ ବିଜେଡି ମୁହାଁ ହେଉଥିବା ଓ କଂଗ୍ରେସର ପାରମ୍ପରିକ ଭୋଟକୁ ବାନ୍ଧି ରଖିବା ପାଇଁ ନେତୃତ୍ୱ ଅଭାବ ଯୋଗୁ ଦଳର ଭୋଟ୍ ବିଭାଜନ ହେବାରେ ଲାଗିଛି। ଦୀର୍ଘ ୨୦ବର୍ଷ ଧରି କ୍ରମାଗତ ଦୟନୀୟ ସ୍ଥିତିକୁ ଖସୁଥିବା କଂଗ୍ରେସ, ଭବିଷ୍ୟତରେ ଓଡ଼ିଶାରେ ଆଉ ସୁଧରିବା ସମ୍ଭାବନା କ୍ଷୀଣ ବୋଲି ଦଳର ପିପିଲି ନିର୍ବାଚନ ପରିଚାଳନାରୁ ସ୍ପଷ୍ଟ ପ୍ରମାଣିତ ହେଲାଣି।

ମିଳିଥିବା ସୂଚନା ଅନୁସାରେ, ପିପିଲି ଉପନିର୍ବାଚନ ରଣାଙ୍ଗନରେ କଂଗ୍ରେସର ଅନୁପସ୍ଥିତିରେ ଏବେ ବିଜେଡି ଓ ବିଜେପି ମଧ୍ୟରେ ଲଢ଼େଇ ଜୋରଦାର ହେଉଥିବାବେଳେ ରାଜ୍ୟରେ ଗୋଷ୍ଠୀକନ୍ଦଳରେ ଲିପ୍ତ କଂଗ୍ରେସ କେବଳ ପୋଷ୍ଟର ପାର୍ଟି ଭଳି ନିଜର ଅସ୍ତିତ୍ୱ ରକ୍ଷା କରିବାକୁ ନିର୍ବାଚନ ମଇଦାନରେ ରହିଛି। କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ ପିପିଲିରେ ଦଳର ଷ୍ଟାର ପ୍ରଚାରକମାନେ ପ୍ରଚାରକୁ ଆସୁନଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିବାର ୨୪ଘଣ୍ଟା ପରେ ଅସୁସ୍ଥ ହୋଇପଡ଼ି ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ପ୍ରଚାର ମଇଦାନରେ କଂଗ୍ରେସର ସ୍ଥିତି କାଁ ଭାଁ ଦୃଶ୍ୟମାନ ହେଉଥିବାବେଳେ ଲଢ଼େଇ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ଚାଲିଛି । କଂଗ୍ରେସର ପାରମ୍ପରିକ ଭୋଟକୁ ହାତେଇବା ପାଇଁ ଏବେ ଦୁଇ ଦଳ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି।

ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, କଂଗ୍ରେସର ପ୍ରଭାବଶାଳୀ ନେତା ଯୁଧିଷ୍ଠିର ସାମନ୍ତରାୟଙ୍କ ପୁଅ ଏବେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି। ସେହିପରି ଦଳୀୟ ଟିକେଟରୁ ବଂଚିତ ହୋଇଥିବା ଜଣେ ପୁରୁଖା ନେତା ଏବେ ବିଜେଡି ସହ ଯୋଗସୂତ୍ରରେ ରହିଛନ୍ତି । ଆଉ ଦଳୀୟ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ ଅସୁସ୍ଥ ହୋଇ ହସ୍ପିଟାଲରେ ଥିବାରୁ ପିପିଲିରେ ଦଳ ସପକ୍ଷରେ ପ୍ରଚାର ମଧ୍ୟ ଆଖିଦୃଶିଆ ହୋଇପାରୁନି।

ତେବେ ଏସବୁ ମଧ୍ୟରେ କଂଗ୍ରେସର ପାରମ୍ପରିକ ଭୋଟ କେଉଁ ଦଳ ସପକ୍ଷରେ ଯିବ ତାକୁ ନେଇ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଛି। ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତରାୟ ପରୋକ୍ଷରେ ବିଜେଡି ପ୍ରାର୍ଥୀ ଦିବଂଗତ ପ୍ରଦୀପ ମହାରଥୀଙ୍କୁ ସମର୍ଥନ କରିଥିଲେ ମଧ୍ୟ କଂଗ୍ରେସର ସମସ୍ତ ଭୋଟକୁ ନିଜ ପାଖରେ ରଖିବାରେ ସକ୍ଷମ ହୋଇପାରିନଥିଲେ। ଯେଉଁଥିପାଇଁ ବିଜେପି ପ୍ରାର୍ଥୀଙ୍କୁ ୨୦୧୯ ନିର୍ବାଚନରେ ଅଧିକ ୩୬ ପ୍ରତିଶତ(୨୦୧୪ ନିର୍ବାଚନ ତୁଳନାରେ) ଭୋଟ ମିଳିଥିଲା।

୨୦୧୪ରେ ବିଜେପି ପ୍ରାର୍ଥୀ ପ୍ରଫୁଲ୍ଲ ପ୍ରସାଦ ଗଜେନ୍ଦ୍ରଙ୍କୁ ୪.୭୫% ଭୋଟ୍ ମିଳିଥିବାବେଳେ ୨୦୧୯ରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୪୧.୬୨% ଭୋଟ୍ ପଡ଼ିଥିଲା । ଆଉ ପ୍ରଦୀପ ମହାରଥୀଙ୍କୁ କଡ଼ା ଟକ୍କରର ସମ୍ମୁଖୀନ ହୋଇ ମାତ୍ର ୧୫୭୩୧(ପ୍ରାୟ ୯%) ବ୍ୟବଧାନରେ ଜିତିବାକୁ ପଡ଼ିଥିଲା। ଅବଶ୍ୟ ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କୁ ୫.୬୩% ଭୋଟ୍ ହାତେଇବାରେ ସକ୍ଷମ ହୋଇଥିଲେ । ୧୯୮୦ ମସିହା ପରେ କଂଗ୍ରେସ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟ ମାତ୍ର ଥରେ ୧୯୯୫ ମସିହାରେ ଜିତିଥିଲେ ମଧ୍ୟ ପିପିଲିରେ କଂଗ୍ରେସ ସବୁବେଳେ କଡ଼ା ଟକ୍କର ଦେଇଥାଏ। ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ୩୦.୪୩% (୪୯୦୭୬ ଖଣ୍ଡ ) ଭୋଟ ରହିଥିଲାବେଳେ ୨୦୦୯ରେ କଂଗ୍ରେସ ସପକ୍ଷରେ ୪୦.୮୫ %(୬୧୬୦୭ଖଣ୍ଡ) ଭୋଟ ପଡ଼ିଥିଲା।

ଗତଥର ସବୁ ପ୍ରୟାସ ସତ୍ତ୍ୱେ ପିପିଲି ରାଜନୀତିରେ ପ୍ରଭାବଶାଳୀ ଯୁଧିଷ୍ଠିର ସାମନ୍ତରାୟ ତାଙ୍କର ସମସ୍ତ ପାରମ୍ପରିକ ଭୋଟକୁ ପ୍ରଦୀପ ମହାରଥୀଙ୍କ ସପକ୍ଷକୁ ଆଣିପାରିନଥିଲେ। ଯାହାର ଫାଇଦା ପରୋକ୍ଷରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ମିଳିଥିଲା। କଂଗ୍ରେସ ଏବେ ପିପିଲିରେ ନେତୃତ୍ୱବିହୀନ ହୋଇପଡ଼ିଥିବାରୁ ଦଳର ପାରମ୍ପରିକ ଭୋଟ ଅନ୍ୟ ଦଳକୁ ଯିବା ପ୍ରାୟତଃ ନିଶ୍ଚିତ ହୋଇପଡ଼ିଛି।

୨୦୧୯ ନିର୍ବାଚନ ପରେ ଆସିଥିବା ‘ଫନି’ ବାତ୍ୟା ଯୋଗୁ ଉଭୟ ପିପିଲି ଓ ଡେଲାଙ୍ଗ ବ୍ଲକର ପ୍ରାୟତଃ ପ୍ରତ୍ୟେକ ପଂଚାୟତରେ ସାଧାରଣ ଲୋକଙ୍କ ମଧ୍ୟରେ ରୋଷ ରହିଛି। ବିଜେଡି ନେତାମାନେ ଏବେ ସେହି ରୋଷକୁ ପ୍ରଶମିତ କରିବାକୁ ପ୍ରୟାସ କରୁଥିବାବେଳେ ବିଜେପି ଏବେ ପାରମ୍ପରିକ କଂଗ୍ରେସ ଭୋଟକୁ ନିଜ ସପକ୍ଷକୁ ଆଣିବାରେ ଲାଗିଛି। ରାଜ୍ୟର ବିଜେଡି ସରକାର ପ୍ରତି ଫନି କ୍ଷତିଗ୍ରସ୍ତ ସାଧାରଣ ଲୋକଙ୍କ ମଧ୍ୟରେ ଥିବା ରୋଷରୁ ଦଳୀୟ ପ୍ରାର୍ଥୀଙ୍କୁ ଫାଇଦା ମିଳିବ ବୋଲି ବିଜେପି ଆଶା ରଖିଥିବାବେଳେ ବିଜେଡି ନିଜର ବିଜୟ ଭୋଟ୍ ବ୍ୟବଧାନକୁ ୧୫ହଜାରରୁ ୩୦ହଜାରକୁ ବୃଦ୍ଧି କରିବା ରଣନୀତି ନେଇ କାମ କରୁଛି।

କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ପିପିଲିରେ ଦଳର ନିର୍ବାଚନ ପରିଚାଳନା ଓ ରଣନୀତି ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଦୁର୍ଭାଗ୍ୟର କଥା ପ୍ରାର୍ଥୀ ଅଜିତ୍ ମଙ୍ଗରାଜ କରୋନା ସଂକ୍ରମିତ ଅଛନ୍ତି। ସେ ପ୍ରଚାର ମଇଦାନକୁ ଓହ୍ଲାଇବାର ସମ୍ଭାବନା କମ୍ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ସଂସ୍ପର୍ଶରେ ଆସିଥିବାରୁ ଏବେ ହୋମ୍ ଆଇସୋଲେସନରେ ରହିଛନ୍ତି। ଆଜି ରାତିରେ ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ଆସିବା ପରେ ତାଙ୍କର ପିପିଲି କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବ।

ଆସନ୍ତାକାଲି କଂଗ୍ରେସର ସହପ୍ରଭାରୀ ରୁଦ୍ର ରାଜୁ ଓଡ଼ିଶା ଗସ୍ତରେ ଆସିବେ। ସେ ଦଳର ବରିଷ୍ଠ ନେତାମାନଙ୍କ ସହ ପିପିଲି ଉପନିର୍ବାଚନ ପ୍ରସଙ୍ଗରେ ଆଲୋଚନା କରିବେ। ତା’ପରେ ହିଁ ପିପିଲିରେ ଦଳର ଆଭିମୁଖ୍ୟ କ’ଣ ରହିବ ତାହା ସ୍ପଷ୍ଟ ହୋଇପାରିବ। ଅବଶ୍ୟ ଏବେ ଦଳର ବରିଷ୍ଠ ନେତାମାନେ ପିପିଲିରେ ପ୍ରଚାରର ମଙ୍ଗ ଧରିଛି। ସେ ନିଜେ ଗତ ଦୁଇଦିନ ଧରି ପିପିଲିରେ ପ୍ରଚାରରେ ସାମିଲ ହୋଇଥିବାବେଳେ ବିଧାୟକ ସୁରେଶ କୁମାର ରାଉତରାୟ, ବିଧାୟକ ମହମ୍ମଦ ମୋକିମ୍ , ଜୟଦେବ ଜେନା ମଧ୍ୟ ପ୍ରଚାର କରିଛନ୍ତି।

ସୂଚନାଯୋଗ୍ୟ, ଆସନ୍ତା ୧୭ତାରିଖରେ ପିପିଲି ନିର୍ବାଚନ ମଣ୍ଡଳୀରେ ମୋଟ ୨ଲକ୍ଷ ୨୯ହଜାର ୫୮୩ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବାର ସମ୍ଭାବନା ରହିଛି।

Related story