ବିଜେପି ଓ ବିଜେଡି ମଧ୍ୟରେ ମିଛ ବାହାଘର କରିଥିବା କଂଗ୍ରେସ ପୁଣିଥରେ ଉଭୟଙ୍କ ସମ୍ପର୍କକୁ ନେଇ ଅନ୍ନପ୍ରାଶନ ଉତ୍ସବ କରିବାକୁ ନିଷ୍ପତ୍ତି ନେଇଛି । ଆସନ୍ତା ୧୧ତାରିଖରେ କଂଗ୍ରେସ ଭବନ ପରିସରରେ ହିନ୍ଦୁ ରୀତିନୀତିରେ ଏହି ଅନ୍ନପ୍ରାଶନ କାର୍ଯ୍ୟକ୍ରମ ହେବ । ଏଥିରେ ବିଜେଡି ଓ ବିଜେପି ସମ୍ପର୍କରେ ଜନ୍ମ ନେଇଥିବା ପିଲାଙ୍କ ନାମକରଣ କରାଯିବ ବୋଲି ଦଳ ସୂଚନା ଦେଇଛି।
ପିସିସି ସୋସିଆଲ ମିଡିଆ ମୁଖ୍ୟ ଅମୀୟ ପାଣ୍ଡବ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆନୁଷ୍ଠାନିକ ମେଂଟ କରିବାକୁ ଯାଉଛନ୍ତି। ଏହି ଦୁଇ ଦଳ ରାଜ୍ୟବାସୀଙ୍କୁ କୋଟି କୋଟି ଟଙ୍କାର ଦୁର୍ନୀତି ଓ ଅନ୍ୟାୟ ଭେଟି େଇଛନ୍ତି । ତେଣୁ କଂଗ୍ରେସ ସେମାନଙ୍କର ଏହି ପିଲାମାନଙ୍କ ଅନ୍ନପ୍ରାଶନ କରି ନାମକରଣ କରିବ।
ସେଦିନ ପୂଜାରୀ ଆସି ବିଧିବଦ୍ଧ ଭାବେ ପ୍ରତ୍ୟେକଙ୍କ ନାମକରଣ କରାଯିବ । ଏଥିପାଇଁ କାର୍ଡ ମଧ୍ୟ ଛପାଯାଇ ବଂଟାଯିବ । ଦଳର ବରିଷ୍ଠ ନେତାମାନଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କୁ ମଧ୍ୟ ନିମନ୍ତ୍ରଣ କାର୍ଡ ଦିଆଯିବ । ଏହି ଅନ୍ନପ୍ରାଶନ ଉତ୍ସବ ୧୧ତାରିଖ ଅପରାହ୍ନ ୨ଟା ପରେ କଂଗ୍ରେସ ଭବନରେ ଆୟୋଜିତ ହେବ ବୋଲି ସେ କହିଛନ୍ତି।
କଂଗ୍ରେସ କହିଛି ଯେ, ବିଜେପି ଓ ବିଜେଡି ମିଳିତ ଭାବେ କରିଥିବା ବ୍ୟାପକ ଦୁର୍ନୀିତି, ଚିଟଫଣ୍ଡ ଦୁର୍ନୀତି, ଖଣି ଦୁର୍ନୀତି, ମହିଳା ନିର୍ଯାତନା, ଦରଦାମ ବୃଦ୍ଧି ଓ ବେଆଇନ ମଦ କାରବାର ରାଜ୍ୟବାସୀଙ୍କୁ ସେମାନଙ୍କ ଉପହାର । ରାଜ୍ୟରେ ବେକାର ସମସ୍ୟା ବୃଦ୍ଧି ପାଇଁ ଉଭୟ ବିଜେଡି ଓ ବିଜେପି ଦାୟୀ ବୋଲି କଂଗ୍ରେସ ଅଭିଯୋଗ କରିବା ସହ ଏଠାରେ ରାଜ୍ୟ ବାହାରର ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ମିଳୁଛି । ଏସବୁର ନାମକରଣ ଜରୁରୀ ହୋଇପଡ଼ିଛି । ତେଣୁ ଅନ୍ନପ୍ରାଶନ ଉତ୍ସବ କରି ବିଜେଡି ଓ ବିଜେପିର ମିଳିତ ଉଦ୍ୟମରେ ଚାଲିଥିବା ଦୁର୍ନୀତି, ଅନ୍ୟାୟର ନାମକରଣ ହେବ।
ସୂଚନାଯୋଗ୍ୟ, କଂଗ୍ରେସ ପୂର୍ବରୁ ବିଜେଡି ଓ ବିଜେପି ମଧ୍ୟରେ ଭିତରି ବୁଝାମଣା ରହିଛି ଓ ଘନିଷ୍ଠ ସମ୍ପର୍କ ଅଛି ବୋଲି ଅଭିଯୋଗ କରି ସେମାନଙ୍କର ବିବାହ ଉତ୍ସବ କରାଇଥିଲା।