Advertisment

ନରେନ୍ଦ୍ର ମୋଦି କହିଲେ- କଂଗ୍ରେସ ଆପଣମାନଙ୍କ ଘର ଓ ଗହଣା ନେଇଯିବ

କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ଆଖି ଲୋକଙ୍କ ସମ୍ପତ୍ତି ଉପରେ ରହିଛି ଓ ସେମାନେ ଏହାକୁ ଲୁଟ କରିବାକୁ ଚାହୁଁଥିବା ମୋଦି କହିଛନ୍ତି।

author-image
Hemant Lenka
PM Modi

PM Modi

ରାଜସ୍ଥାନର ବଂଶୱାରାରେ ସମ୍ପତ୍ତି ବଣ୍ଟନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ବୟାନ ବିବାଦ ସୃଷ୍ଟି କରିଥିବା ବେଳେ ଆଜି ସେ ପୁଣି କଂଗ୍ରେସ ବିରୋଧରେ ନିଜ ଆକ୍ରମଣକୁ ଶାଣିତ କରିଛନ୍ତି। କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ଆଖି ଲୋକଙ୍କ ସମ୍ପତ୍ତି ଉପରେ ରହିଛି ଓ ସେମାନେ ଏହାକୁ ଲୁଟ କରିବାକୁ ଚାହୁଁଥିବା ମୋଦି କହିଛନ୍ତି।

Advertisment

ଉତ୍ତର ପ୍ରଦେଶର ଅଲୀଗଡ଼ରେ ଗୋଟିଏ ନିର୍ବାଚନ ସଭାକୁ ସମ୍ବୋଧନ କରି ମୋଦି କହିଛନ୍ତି, “କ’ଣ ପାଇଁ ମୋଦି ବିକଶିତ ଭାରତ କଥା କହୁଛନ୍ତି? କ’ଣ ପାଇଁ ଭାରତକୁ ତୃତୀୟ ବୃହତ୍ତମ ଅର୍ଥନୀତିରେ ତିଆରି କରିବା ପାଇଁ କହୁଛନ୍ତି ବୋଲି ସେମାନେ ପ୍ରଶ୍ନ କରୁଛନ୍ତି। ଏଭଳି ଲୋକମାନେ ନିଜ ପରିବାର ବ୍ୟତୀତ ଆଉ କାହା ପାଇଁ କିଛି ଚିନ୍ତା କରନ୍ତି ନାହିଁ। ସେମାନେ କ୍ଷମତା ଲୋଭି। ସେମାନେ ଲୋକଙ୍କୁ ଠକି ଚାଲିଛନ୍ତି।”

କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ ନେଇ ସେ ଲୋକଙ୍କୁ ସତର୍କ କରାଇବାକୁ ଚାହୁଁଥିବା ମୋଦି କହିଛନ୍ତି। ସେ କହିଛନ୍ତି, “କଂଗ୍ରେସ ଓ ଇଣ୍ତି ମେଣ୍ଟ(ଇଣ୍ଡିଆ ମେଣ୍ଟ) ଏବେ ଆପଣମାନଙ୍କ ଆୟ ଓ ସମ୍ପତ୍ତି ଉପରେ ରହିଛି।”

Advertisment

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବୟାନକୁ କାଉଣ୍ଟର କରିବାକୁ ଯାଇ ମୋଦି କହିଛନ୍ତି, “କଂଗ୍ରେସ ଯୁବରାଜ କହୁଛନ୍ତି ଯେ ଯଦି ସେମାନେ ସରକାର ଗଠନ କରିବେ, ତା’ହେଲେ କିଏ କେତେ ଟଙ୍କା ରୋଜଗାର କରୁଛି, କାହାର କେତେ ସମ୍ପତ୍ତି ଓ କେତେ ଘର ଅଛି, ତା’ର ଯାଞ୍ଚ କରିବେ। ସେ ଆହୁରି କହୁଛନ୍ତି ଯେ ସରକାର ଆପଣମାନଙ୍କ ସମ୍ପତ୍ତିକୁ ନିୟନ୍ତ୍ରଣକୁ ନେବେ ଓ ସମସ୍ତଙ୍କ ମଧ୍ୟରେ ବାଣ୍ଟି ଦେବେ।”

କଂଗ୍ରେସ ଦେଶବ୍ୟାପୀ ସାମାଜିକ-ଅର୍ଥନୀତିକ ଓ ଜାତିଭିତ୍ତିକ ଜନଗଣନା କରି ତଥ୍ୟ ସଂଗ୍ରହ କରିବ ଓ ଏହାପରେ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି କହିଥିବାରୁ ଏହାକୁ ସମାଲୋଚନା କରି ମୋଦି ଏପରି କହିଛନ୍ତି।

ଅଲୀଗଡ଼ରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ମଙ୍ଗଳସୂତ୍ର ବୟାନକୁ ରିପିଟ କରିଛନ୍ତି। କଂଗ୍ରେସ ଆଇନରେ ପରିବର୍ତ୍ତନ କରି ମହିଳାମାନଙ୍କ ଅଳଙ୍କାର ନେଇଯିବ ବୋଲି ମୋଦି ଦାବି କରିଛନ୍ତି। ସେ କହିଛନ୍ତି, “ଦରମା ପାଉଥିବା ବ୍ୟକ୍ତି କେତେ ଟଙ୍କାର ସ୍ଥାୟୀ ଜମା କରିଛନ୍ତି, ତା’କୁ ସେମାନେ ଜାଣିବାକୁ ଚାହୁଁଛନ୍ତି। କେତୋଟି ଗାଡ଼ିର ମାଲିକ ଓ କେତେ ଜମି ରହିଛି, ସେକଥା ମଧ୍ୟ ସେମାନେ ହିସାବ କରିବେ।

ସେମାନେ ସର୍ଭେ କରିବେ ଓ ଆପଣମାନଙ୍କ ସମ୍ପତ୍ତି ଜବତ କରିବେ। ଯଦି କାହାର ଗାଁରେ ପାରିବାରିକ ଘର ରହିଛି ଓ ସେ ସହରରେ ଫ୍ଲାଟ କିଣିଛନ୍ତି, ତା’ହେଲେ କଂଗ୍ରେସ ଏହା ମଧ୍ୟରୁ ଗୋଟିଏକୁ ନେଇଯିବ।

କଂଗ୍ରେସ କହିବ ଆପଣମାନଙ୍କର ଗୋଟିଏ ଘର ରହିଛି ଓ ଆପଣଙ୍କର ଆଉ ଗୋଟିଏ ଦରକାର ନାହିଁ। ଏହ ନକ୍ସଲ ଓ ବାମପନ୍ଥୀ ଚିନ୍ତାଧାରା। ଏଭଳି ଚିନ୍ତାଧାରା ଅନେକ ଦେଶକୁ ବର୍ବାଦ କରି ଦେଇଛି। କଂଗ୍ରେସ ଓ ଇଣ୍ଡି ମେଣ୍ଟ ଭାରତରେ ଏହାର ପ୍ରୟୋଗ କରିବାକୁ ଚାହୁଁଛନ୍ତି।”

Congress PM Modi Lok Sabha Election 2024