Advertisment

ବିଜୁଳି କାଟ୍ ପ୍ରତିବାଦରେ ଗ୍ରୀଡକୋ ଅଫିସକୁ ଅଣ୍ଡା, ଟମାଟୋ ମାଡ଼ କଲେ କଂଗ୍ରେସ କର୍ମୀ

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ବହୁ କଂଗ୍ରେସ ନେତା, ବିଧାୟକ ଏହି ପ୍ରତିବାଦ ସଭା ଓ ବିକ୍ଷୋଭରେ ସାମିଲ ହୋଇଥିଲେ।

author-image
Niranjan Mishra
ଅଦ୍ୟତନ ହୋଇଛି
PCC President

PCC President

ବିଜୁଳି କାଟ୍ ପ୍ରତିବାଦରେ ଆଜି ଭୁବନେଶ୍ୱର ସ୍ଥିତ ଗ୍ରୀଡକୋ ଅଫିସକୁ ଅଣ୍ଡା, ଟମାଟୋ ମାଡ଼ କଲେ କଂଗ୍ରେସ କର୍ମୀ। ଗ୍ରୀଡ୍‌କୋ ଅଫିସ ଆଗରେ ସେମାନେ ବିକ୍ଷୋଭ କରିବା ସହ ଅଣ୍ଡା, ଟମାଟୋ ମାଡ଼ କରିଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ବହୁ କଂଗ୍ରେସ ନେତା, ବିଧାୟକ ଏହି ପ୍ରତିବାଦ ସଭା ଓ ବିକ୍ଷୋଭରେ ସାମିଲ ହୋଇଥିଲେ।

Advertisment

ଏହି ସମୟରେ ବିଦ୍ୟୁତ୍ ବକେୟା ବିଲ୍ ସୁଧ ସହ ନଦେବାକୁ ପିସିସି ସଭାପତି ଲୋକଙ୍କୁ ଆହ୍ୱାନ ଦେଇଛନ୍ତି। ୨୦୨୪ରେ କଂଗ୍ରେସ ସରକାର ଆସିଲେ ଏହା ଉପରେ ଠୋସ୍ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

ସେ କହିଛନ୍ତି, ରାଜ୍ୟ ସରକାର ୨୦ ହଜାର କୋଟି ଟଙ୍କା ବିଦ୍ୟୁତ୍‌ ଭିତ୍ତିଭୂମି ସଜାଡ଼ିବାକୁ ଖର୍ଚ୍ଚ କରିଥିବା କହୁଛନ୍ତି। ହେଲେ ୫ ହଜାର କୋଟି ଟଙ୍କା ଟାଟାକୁ ଦେଇଥିବା ବେଳେ ବାକି ୧୫ ହଜାର କୋଟି ଟଙ୍କାର ହିସାବ ନାହିଁ। ବିଦ୍ୟୁତ୍ ଟ୍ରାନ୍ସମିସନ ପ୍ରକଳ୍ପ ଅନ୍ତର୍ଗତ ୪୦ ବର୍ଷର ଭିଜିନ୍‌କୁ ଦେଖି ଯଦି ଅଣ୍ଡରଗ୍ରାଉଣ୍ଡ ବିଦ୍ୟୁତ୍‌କରଣ କରାଯାଇଥାଆନ୍ତା ତେବେ ଏଭଳି ଅସୁବିଧା ହୋଇନଥାଆନ୍ତା। ୪୦ରୁ ୪୫ ଡିଗ୍ରୀ ଅସହ୍ୟ ଖରା ହେଉଥିବା ବେଳେ ଗ୍ରାମାଞ୍ଚଳରେ ଦୁଇରୁ ୩ ଦିନ ଲାଇନ୍‌ କାଟି ଦିଆଯାଉଛି। ଭୁବନେଶ୍ୱର ସହରରେ ମଧ୍ୟ ବିଦ୍ୟୁତ୍ କାଟ୍ ହେଉଛି। ନବୀନ ପଟ୍ଟନାୟକ ୨୫ ବର୍ଷ ଧରି କ୍ଷମତାରେ ରହିଥିଲେ ହେଁ ବିଦ୍ୟୁତ୍‌ ବିଭାଗର ଭିତ୍ତିଭୂମି ଉନ୍ନତିକରଣ କରାଗଲାନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ଲୋକେ ଦେଖିବାକୁ ପାଉନାହାନ୍ତି। ଯିଏ ସରକାରୀ ଚାକିରିଆ ଓ ୫ଟି ବୋଲି କାମ କରୁଛନ୍ତି ସିଏ କାହିଁକି ବା ଲୋକଙ୍କ କଥା ଶୁଣିବେ। ଯେଉଁ ସରକାରଙ୍କ ଭିଜନ ନାହିଁ, ବିଦ୍ୟୁତ୍ କାଟ୍‌ କରୁଛନ୍ତି, ତାହାର ତଦନ୍ତ ହେବା ଉଚିତ୍। ଗୋଟିଏ ତାରିଖରେ ବିଦ୍ୟୁତ୍ ବିଲ୍‌ କଲେକସନ୍ କରାଯାଉ। ମନଇଛା ମାସ ସାରା ବିଲ୍ ଆଦାୟ ବନ୍ଦ କରାଯାଉ। ବିଦ୍ୟୁତ୍‌ ଦରବୃଦ୍ଧିକୁ ହଟାଇ ୟୁନିଟ୍‌ ପିଛା ୨ଟଙ୍କା କମା ଯାଉ। ଟାଟାର ଗୁଣ୍ଡାଗର୍ଦ୍ଦି ବନ୍ଦ କରାଯାଉ। ଯେଉଁମାନଙ୍କର ବିଦ୍ୟୁତ୍ ବିଲ୍ ବକେୟା ରହିଛି ସେଥିରେ ସୁଧ ମିଶାଇ ବେକୟା ଆଦାୟ ବନ୍ଦ କରାଯାଉ।

Advertisment

ସରକାର ତୁରନ୍ତ ପଦକ୍ଷେପ ନନେଲେ ଜିଲ୍ଲା ଓ ସବ୍‌ଡିଭିଜନସ୍ତରରେ ଆନ୍ଦୋଳନ କରାଯିବ। ଓଡ଼ିଶା ବିଦ୍ୟୁତ୍ ଉତ୍ପାଦନରେ ଏକ ବଳକା ରାଜ୍ୟ ହୋଇଛି ଓ ଅନ୍ୟ ରାଜ୍ୟକୁ ବିଜୁଳି ବିକ୍ରି କରାଯାଉଛି। ମାତ୍ର ନିଜ ରାଜ୍ୟରେ ଓଡ଼ିଶା ସରକାର ବିଦ୍ୟୁତ୍ କାଟ କରିବା ନିନ୍ଦାଜନକ। ସରକାର ଏହାର ସ୍ୱେତପତ୍ର ଦିଅନ୍ତୁ।

ଏଥିସହ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି, ବକେୟା ଥିବା ବିଦ୍ୟୁତ୍‌ ବିଲ୍ ସୁଧ ସହ ଦିଅନ୍ତୁ ନାହିଁ। ୨୦୨୪ରେ କଂଗ୍ରେସ ସରକାର ଆସିଲେ ଗ୍ରାହକଙ୍କ କଥା ଆଗ ବୁଝାଯିବ। ଏବାବଦରେ ଆଗକୁ ଦୃଢ଼ ପଦକ୍ଷେପ ନିଆଯିବ। ଏନେଇ କଂଗ୍ରେସ ହେଲପ ଲାଇନ ଖୋଲିବ ଓ ଲୋକଙ୍କ ପାଖରେ ଛିଡ଼ାହେବ।

ସେହିପରି ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ଦୀର୍ଘ ୧୫ ଦିନ ହେଲା ସାରା ଓଡ଼ିଶାରେ ବିଦ୍ୟୁତ୍‌ କାଟ୍ କରାଯାଉଛି। ଲୋକେ ଗରମରେ ଡହଳ ବିକଳ ହେଉଛନ୍ତି ଓ ଅନ୍ଧାରରେ ରାତି ବିତାଉଛନ୍ତି। ଗ୍ରାମାଞ୍ଚଳରେ ଦିନକୁ ୧୫ ଥର ଓ ଭୁବନେଶ୍ୱରରେ ଦିନକୁ ୧୦ ଥର ବିଦ୍ୟୁତ୍ କାଟ ହେଉଛି। ଭୁବନେଶ୍ୱର ଓ କଟକ ଭଳି ପ୍ରମୁଖ ସହରରେ କାଳବୈଶାଖୀ ହେଲେ ୯ ଘଣ୍ଟା ସହର ଅନ୍ଧାର ରହୁଛି। ନବୀନ ପଟ୍ଟନାୟକ ସରକାର ବିଦ୍ୟୁତ୍‌ ଭିତ୍ତିଭୂମି ସୁଧାରିବାକୁ ୪୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ହେଲେ କାହିଁ କେଉଁଠି ବି ଏହାର ରୂପରେଖ କିଛି ବି ନଜର ଆସୁନି। କଂଗ୍ରେସ ସରକାର ଥିବା ବେଳେ ଓଡ଼ିଶାରୁ ପଶ୍ଚିମବଙ୍ଗ ଓ ବିହାରକୁ ବିଦ୍ୟୁତ୍ ବିକ୍ରି କରୁଥିଲା। ଏବେ ଟାଟା ପାୱାରକୁ ସରକାର ବିଦ୍ୟୁତ୍ ଯୋଗାଣ କ୍ଷମତା ଦେଇ ଅଘୋଷିତ ବିଦ୍ୟୁତ୍‌ କାଟ କରୁଛନ୍ତି। ଆଗକୁ ଏହା ବିରୋଧରେ ବିରାଟ ଅନ୍ଦୋଳନ କରାଯିବ।

ସୂଚନା ଥାଉକି, ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ରାଜ୍ୟବ୍ୟାପୀ ଅଘୋଷିତ ବିଦ୍ୟୁତ୍‌ କାଟ୍ ଜନଅସନ୍ତୋଷର କାରଣ ହୋଇଛି। ଏହାଛଡ଼ା ସାମାନ୍ୟ କାଳବୈଶାଖୀ ହେଲେ ଦୀର୍ଘଦିନ ଗାଁ ଠାରୁ ସହର ଅନ୍ଧାର ରହୁଛି। ଯାହା ସମସ୍ୟାକୁ ବଢ଼ାଇ ଦେଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏକ ଅନ୍ତଃଜାତୀୟ ମ୍ୟାଚ୍‌ ବେଳେ ବିଦ୍ୟୁତ୍ କାଟ୍ କରିବା, ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ସଭାରେ ବିଜୁଳି କଟିବା, ଶକ୍ତିମନ୍ତ୍ରୀ ସଭାରେ ଦୀର୍ଘ ସମୟ ବିଦ୍ୟୁତ୍‌ କାଟ୍ ପ୍ରଭୃତି ବିଭିନ୍ନ ଘଟଣାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ।

Odisha Congress Power Politics Power Cuts