Advertisment

କଂଗ୍ରେସ ବିଧାୟକଙ୍କ ପାଇଁ ବିଜେଡିରେ ବିବାଦ!

ଅଧିରାଜ ଏଯାଏଁ କଂଗ୍ରେସ ଛାଡ଼ି ନଥିବା ବେଳେ ତାଙ୍କୁ ନେଇ ସ୍ଥାନୀୟ ବିଜେଡି ଦୁଇ ଭାଗ ହୋଇଛି।

Adhiraj Panigrahi

Adhiraj Panigrahi

Advertisment

ପାଖେଇ ଆସିଲାଣି ନିର୍ବାଚନ। ତା’ପୂର୍ବରୁ ଆରମ୍ଭ ହୋଇଯାଇଛି ଦଳ ଡିଆଁ ପର୍ବ। କେତେକ ନେତା ଦଳ ବଦଳାଇ ସାରିଥିବା ବେଳେ ଆଉ କେତେ ଆଗକୁ ଦଳ ବଦଳାଇବେ ବୋଲି ଆଲୋଚନା ହେଉଛି। ଏହି ତାଲିକାରେ ଅଛନ୍ତି ନୂଆପଡା ଜିଲ୍ଳା ଖଡ଼ିଆଳର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ। ୨୦୧୯ରେ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିବା ଅଧିରାଜ ଏଥର ବିଜେଡିକୁ ଯିବେ ବୋଲି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚାକୁ ନେଇ ସେ ମୁହଁ ଖୋଲୁ ନଥିବା ବେଳେ ତାଙ୍କୁ ନେଇ ଖଡ଼ିଆଳ ବିଜେଡିରେ ବିବାଦ ଦେଖା ଦେଇଛି।

Advertisment

ମମିତା ମେହେର ଘଟଣା ହେଉ ଅବା ଦରବୃଦ୍ଧି ବା ଅନ୍ୟ କିଛି, ଅନେକ ସମୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ। ହେଲେ ବେଶ୍ କିଛି ଦିନ ହେବ ସେ ଚୁପ୍ ହୋଇଯାଇଛନ୍ତି। ଅଧିରାଜ ମନ ପରିବର୍ତ୍ତନ କରିଥିବା କୁହାଯାଉଛି। ସେ ଦଳ ବଦଳାଇବାକୁ ଚିନ୍ତା କରୁଥିବା ଆଲୋଚନା ହେଉଛି। ସେ ବିଜେଡିକୁ ଯିବେ ବୋଲି କୁହାଯାଉଛି। ସେ ନିଜେ ଏନେଇ କିଛି କହୁ ନଥିବାରୁ ଖଡ଼ଆଳରେ ଉଭୟ କଂଗ୍ରେସ ଓ ବିଜେଡି ଦ୍ୱନ୍ଦ୍ୱରେ ଅଛନ୍ତି।

ଦୀର୍ଘ ତିନି ଦଶନ୍ଧି ପରେ ଖଡ଼ିଆଳରେ କଂଗ୍ରେସକୁ ଜିତାଇଥିଲେ ଅଧିରାଜ ପାଣିଗ୍ରାହୀ। ସେ ଇସ୍ତଫା ଦେଲେ ଦଳ ଦୁର୍ବଳ ହୋଇଯିବ ବୋଲି ଖଡ଼ିଆଳ କଂଗ୍ରେସର ଗୋଟିଏ ଗୋଷ୍ଠୀ କହୁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ କହୁଛି କିଛି ଫରକ ପଡ଼ିବ ନାହିଁ।

Advertisment

କଂଗ୍ରେସ ନେତା କମଲ ଚରଣ ତାଣ୍ଡି କହିଛନ୍ତି, ଖଡ଼ିଆଳରେ କଂଗ୍ରେସର ସ୍ଥିତି ମଜବୁତ ଥିଲା ଓ ମଜବୁତ ରହିବ। ଯଦି ବିଧାୟକ ଅଧିରାଜ ପାଣିଗ୍ରାହୀ କଂଗ୍ରେସ ଛାଡ଼ିବା, ତା’ହେଲେ କୌଣସି ଅସୁବିଧା ହେବ ନାହିଁ।

ଅନ୍ୟପକ୍ଷରେ ଅନ୍ୟତମ କଂଗ୍ରେସ ନେତା ସନ୍ତୋଷ ପଟ୍ଟନାୟକ କହିଛନ୍ତି, ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କର ସଂଗଠନଟି ବହୁତ ମଜବୁତ ଅଛି। ଚର୍ଚ୍ଚା ହେଉଛି ସେ ବିଜେଡିକୁ ଯିବେ। ଯେକୌଣସି ଦଳ ଜଣେ ଭଲ ସଂଗଠକଙ୍କୁ ନେବାକୁ ଚାହେଁ। ଯଦି ସେ ବିଜେଡିକୁ ଯିବେ, ତା’ହେଲେ ନିଶ୍ଚିତ ଭାବେ କଂଗ୍ରେସ ଟିକେ ଦୁର୍ବଳ ହୋଇଯିବ।

ଅଧିରାଜ ଏଯାଏଁ କଂଗ୍ରେସ ଛାଡ଼ି ନଥିବା ବେଳେ ତାଙ୍କୁ ନେଇ ସ୍ଥାନୀୟ ବିଜେଡି ଦୁଇ ଭାଗ ହୋଇଛି। ଗୋଟିଏ ଗୋଷ୍ଠୀ ତାଙ୍କୁ ସମର୍ଥନ କରୁଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ତାଙ୍କୁ ବିରୋଧ କରୁଛି। ଗୋଟିଏ ଗୋଷ୍ଠୀ ସାମ୍ବାଦିକ ସମ୍ମିଳନୀ କରି ଅଧିରାଜଙ୍କୁ ବିରୋଧ କରିଛି। ପୁଣି ଥରେ ଦଳୀୟ ନେତା ଲମ୍ବୋଦର ନିଆଲଙ୍କୁ ପ୍ରାର୍ଥୀ କରିବାକୁ ଏହି ଗୋଷ୍ଠୀ ଦାବି କରିଛି। ସେହିପରି ଅଧିରାଜଙ୍କୁ ସମର୍ଥନ କରୁଥିବା ଗୋଷ୍ଠୀ ସାମ୍ବାଦିକ ସମ୍ମିଳନୀ ଡାକି କହିଛି ଯେ ମୁଖ୍ୟମନ୍ତ୍ରୀ ଯାହାଙ୍କୁ ଟିକେଟ ଦେବେ ସେମାନେ ତାଙ୍କୁ ସମର୍ଥନ କରିବେ। ତେବେ ପରୋକ୍ଷରେ ସେମାନେ ଅଧିରାଜଙ୍କ ପ୍ରତି ସେମାନଙ୍କର ସମର୍ଥନ ଜଣାଇଛନ୍ତି। 

ବିଜେଡି ନେତା ତଥା ଗତ ନିର୍ବାଚନରେ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ଠାରୁ ପରାସ୍ତ ହୋଇଥିବା ଲମ୍ବୋଦର ନିଆଲ କହିଛନ୍ତି, ଲୋକେ କଂଗ୍ରେସକୁ ଭୋଟ୍ ଦେଇଥିବାରୁ ଅନୁତାପ କରି ସାରିଛନ୍ତି। ସେଥିପାଇଁ ସେମାନେ ଗତ ଜିଲ୍ଲା ପରିଷଦ ନିର୍ବାଚନରେ ଏହାର ଜବାବ ଦେଇ ସାରିଛନ୍ତି। ବର୍ତ୍ତମାନ ଯେଉଁ କଂଗ୍ରେସ ବିଧାୟକ ଅଛନ୍ତି ସେ ଜିଲ୍ଲା ପରିଷଦ ନିର୍ବାଚନରେ ଗୋଟିଏ ବି ଆସନ ହାତେଇ ପାରି ନଥିଲେ। ସେଥିରୁ ଅନୁମାନ କରାଯାଇପାରୁଛି ତାଙ୍କର ଲୋକପ୍ରିୟତା କେମିତି ଅଛି। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ବଢ଼ିଥିବା ବେଳେ ପ୍ରାର୍ଥୀ ହିସାବରେ ମୋର ବି ଲୋକପ୍ରିୟତା ବଢ଼ିଛି। ମୁଁ ଆଶା କରୁଛୁ ଏଥର ଆମେ ବହୁତ ଭୋଟ୍‌ରେ ଜିତିବୁ।

୨୦୧୯ ନିର୍ବାଚନରେ ଅଧିରାଜ ମୋହନ ପାଣିଗ୍ରାହୀ ୫୯, ୩୦୮ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡି ନେତା ଲମ୍ବୋଦର ନିଆଲ ୫୬,୪୫୧ ଖର୍ଡ ଭୋଟ ପାଇଥିଲେ। ୨୦୧୪ରେ ଉଭୟ ଅଧିରାଜ ଓ ଲମ୍ବୋଦର ପରାଜିତ ହୋଇଥିଲେ। ସେଥର ବିଜେପି ଟିକେଟରେ ଜିତିଥିଲେ ଦୁର୍ଯୋଧନ ମାଝୀ। ୨୦୦୯ରେ ମଧ୍ୟ ଏହି ଆସନ ବିଜେପି ହାତକୁ ଯାଇଥିଲା।

ଖଡ଼ିଆଳରୁ ମନରଞ୍ଜନ ଯୋଶୀ ଓ କୁନାଲ ଚରଣ ବେହେରାଙ୍କ ରିପୋର୍ଟ

Adhiraj Panigrahi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe