Advertisment

ସଂସଦରେ ବିଜେପି ସାଂସଦଙ୍କ ଦୁର୍ବ୍ୟବହାର, ଦାନିଶ ଅଲୀ କହିଲେ- ମୁଁ ଶୋଇପାରୁନି

ବିବାଦ ବଢ଼ୁଥିବା ବେଳେ ଆଜି ଦାନିଶ ଅଲୀ ନିଜର ମନର ବ୍ୟଥା ସର୍ବସମ୍ମୁଖରେ ଉପସ୍ଥାପନ କରିଛନ୍ତି।

BSP

BSP

Advertisment

ଲୋକସଭା ଭଳି ପବିତ୍ର ସ୍ଥାନରେ ବିଜେପି ସାଂସଦ ରମେଶ ବିଧୁରୀ ସବୁ ସୀମା ଟପି ଯାଇଛନ୍ତି। ସେ ବିଏସ୍‌ପି ସାଂସଦ ଦାନିଶ ଅଲୀଙ୍କୁ ମନଇଚ୍ଛା ସମାଲୋଚନା କରି ତାଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ସବୁ ପ୍ରୟୋଗ କରି ଦୁର୍ବ୍ୟବହାର କରିଛନ୍ତି।

Advertisment

ଏହି ଘଟଣା ଯୋଗୁ ସେ ଠିକ ସେ ଶୋଇ ପାରୁ ନାହାନ୍ତି। ତାଙ୍କ ଆତ୍ମାକୁ ରମେଶ ବିଧୁରୀଙ୍କ ଶବ୍ଦ ଅତ୍ୟନ୍ତ କଷ୍ଟ ଦେଇଛି ବୋଲି ଆଜି ଦାନିଶ ଅଲୀ କହିଛନ୍ତି। ଏଥିସହ ସାଂସଦ ବିଧୁରୀଙ୍କ ବିରୋଧରେ ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ, ତା’ହେଲେ ସେ ନିଜେ ଲୋକସଭା ସଦସ୍ୟତା ପଦ ଛାଡ଼ିବାକୁ ଚିନ୍ତା କରିବେ ବୋଲି ବି କହିଛନ୍ତି।

ଗୁରୁବାର ଲୋକସଭାର ସ୍ୱତନ୍ତ୍ର ଅଧିବେଶନ ବେଳେ ଚନ୍ଦ୍ରଯାନ-୩ର ସଫଳତା ସମ୍ପର୍କରେ ଆଲୋଚନା ଚାଲିଥିଲା। ଏହି ସମୟରେ ବିଜେପି ସାଂସଦ ବିଧୁରୀ ସିଧାସଳଖ ଦାନିଶ ଅଲୀଙ୍କ ବିରୋଧରେ ମୁସଲିମ ବିରୋଧୀ ଅପଶବ୍ଦ ସବୁ ପ୍ରୟୋଗ କରିଥିଲେ। ଅବଶ୍ୟ ସେ ପ୍ରୟୋଗ କରିଥିବା ଶବ୍ଦକୁ ସଂସଦର ରେକର୍ଡରୁ ହଟାଇ ଦିଆଯାଇଛି।

Advertisment

ଏହାକୁ ନେଇ ବିବାଦ ବଢ଼ୁଥିବା ବେଳେ ଆଜି ଦାନିଶ ଅଲୀ ନିଜର ମନର ବ୍ୟଥା ସର୍ବସମ୍ମୁଖରେ ଉପସ୍ଥାପନ କରିଛନ୍ତି। ଘଟଣା ପରେ ସେ ଚିଠି ଲେଖି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ସବୁ କଥା କହିଛନ୍ତି। ଏଥିସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ସାଂସଦ ଅଲୀ କହିଛନ୍ତି, “ମୁଁ ନିଶ୍ଚିତ ଯେ ଲୋକସଭା ବାଚସ୍ପତି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସବୁ କିଛି ରେକର୍ଡରେ ଅଛି। ତଥାପି ଯଦି ବିଧୁରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ, ଯଦି ମୋ ଅଧିକାରକୁ ସୁରକ୍ଷା କରା ନ ଯିବ, ତା’ହେଲେ ମୁଁ ଲୋକସଭା ସଦସ୍ୟ ପଦ ଛାଡ଼ିବାକୁ ବିଚାର କରିବି।”

ଅଲୀ ତାଙ୍କ ଚିଠିରେ କହିଛନ୍ତି ଯେ “ଗୃହକୁ ସମ୍ବୋଧନ କରିବା ବେଳେ ସେ(ରମେଶ ବିଧୁରୀ) ଅତ୍ୟନ୍ତ ଆପତ୍ତିଜନକ ଓ ଅପମାନଜନକ ଶବ୍ଦ ସିଧାସଳଖ ମୋ ବିରୋଧରେ ପ୍ରୟୋଗ କରିଥିଲେ। ସେ ମୋତେ ଦୁର୍ବ୍ୟବହାର କରିବା ସହ ମୁସଲିମ ଆତଙ୍କବାଦୀ ବୋଲି କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସଂସଦର ନୂଆ ବିଲଡିଂରେ ଏସବୁ ହେଉଛି।

ମହାନ ଦେଶରେ ଜଣେ ସଂଖ୍ୟାଲଘୁ ସଦସ୍ୟ ଭାବେ ମୋ ସହ ଏପରି ହେବା ଅତ୍ୟନ୍ତ ଦୁଃଖଦାୟକ। ସୁରକ୍ଷା ପାଇଁ ମୁଁ କେଉଁଠି କି ଯିବି? ରମେଶ ବିଧୁରୀଙ୍କ ଶବ୍ଦ ପୂରା ମୁସଲିମ ସଂପ୍ରଦାୟର ଲୋକଙ୍କ ପ୍ରତି ଅପମାନ।

ପ୍ରଥମଥର ପାଇଁ ଏପରି ଅସଂସଦୀୟ ଶବ୍ଦ ଜଣେ ସାଂସଦଙ୍କ ବିରୋଧରେ ବ୍ୟବହାର କରାଯାଇଛି। ମୁଁ ଶୋଇ ପାରୁନି। ମୋ ଆତ୍ମା ଦୋହଲି ଯାଇଛି। ଯଦି ଜଣେ ନିର୍ବାଚିତ ସଦସ୍ୟ ଏପରି ସ୍ଥିତିର ସମ୍ମୁଖୀନ ହେଉଛନ୍ତି, ତା’ହେଲେ ସାଧାରଣ ଲୋକଙ୍କର କ’ଣ ହେବ ଥରେ ଚିନ୍ତା କରନ୍ତୁ।”

Bjp New Parliament Building BSP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe