Advertisment

ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ

ଦିଲ୍ଲୀର ମନ୍ତ୍ରୀ ଆତିଶୀ ସାମ୍ବାଦିକ ସମ୍ମିଳନୀ କରି ଦାବି କରିଥିଲେ ଆପର ୭ ଜଣ ବିଧାୟକଙ୍କୁ ବିଜେପି ୨୫ କୋଟି ଟଙ୍କା ଲେଖାଏ ଲାଞ୍ଚ ଦେଇ ଦଳ ଛାଡ଼ିବାକୁ ପ୍ରସ୍ତାବ ଦେଇଛି।

author-image
Hemant Lenka
AAP

AAP

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡ଼ୁଆ ବଢ଼ିଛି। ଆଜି ତାଙ୍କ ବାସଭବନରେ ପହଞ୍ଚିଛି ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ ଟିମ। ଆପର କିଛି ବିଧାୟକଙ୍କୁ ଦଳ ବଦଳ ପାଇଁ ଲାଞ୍ଚ ଯଚା ଯାଇଥିବା ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ଆରମ୍ଭ କରିଛି। ତେଣୁ ଟିମ ପକ୍ଷରୁ ଆଜି କେଜ୍ରିୱାଲଙ୍କୁ ଏ ସମ୍ପର୍କରେ ନୋଟିସ କରାଯାଇଛି। ନୋଟିସ ଦେବାକୁ କ୍ରାଇମବ୍ରାଞ୍ଚର ଟିମ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଥିବା ଜଣାପଡ଼ିଛି। 

Advertisment

ଗତ ସପ୍ତାହରେ ଦିଲ୍ଲୀର ମନ୍ତ୍ରୀ ଆତିଶୀ ସାମ୍ବାଦିକ ସମ୍ମିଳନୀ କରି ଦାବି କରିଥିଲେ ଆପର ୭ ଜଣ ବିଧାୟକଙ୍କୁ ବିଜେପି ୨୫ କୋଟି ଟଙ୍କା ଲେଖାଏ ଲାଞ୍ଚ ଦେଇ ଦଳ ଛାଡ଼ିବାକୁ ପ୍ରସ୍ତାବ ଦେଇଛି। ଏଥିସହ ବିଜେପି କେଜ୍ରିୱାଲ ସରକାରଙ୍କୁ ଭାଙ୍ଗିବାକୁ ଚେଷ୍ଟା କରୁଛି ବୋଲି ସେ କହିଥିଲେ।

ଲାଞ୍ଚ କାରବାର ପାଇଁ ଆପ୍‌ର ବିଧାୟକମାନଙ୍କ ସହ ଯୋଗାଯୋଗ କରିଥିବା ବ୍ୟକ୍ତିଙ୍କ ରେକର୍ଡିଂ ରହିଛି ଓ ପରବର୍ତ୍ତୀ ଅବସ୍ଥାରେ ଏହାକୁ ସାର୍ବଜନୀନ କରାଯିବ ବୋଲି ମଧ୍ୟ ଆତିଶୀ କହିଥିଲେ। ଏହାକୁ ନେଇ ଆପ୍‌ ଓ ବିଜେପି ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ଏବେ କ୍ରାଇମବ୍ରାଞ୍ଚ ଏପରି ଅଭିଯୋଗର ତଦନ୍ତ ଆରମ୍ଭ କରି ଦେଇଛି।

Advertisment

ଆତିଶୀଙ୍କ ଭଳି କେଜ୍ରିୱାଲ ମଧ୍ୟ ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଥିଲେ ଯେ ବିଜେପି ପକ୍ଷରୁ ୭ ଜଣ ବିଧାୟକଙ୍କୁ ଯୋଗାଯୋଗ କରାଯାଇଥିଲା। ସେମାନଙ୍କୁ ମୁଁ ଗିରଫ ହେବି ବୋଲି କୁହାଯାଇ ଧମକ ଦିଆଯାଇଥିଲା। ସରକାର ଭାଙ୍ଗିବା ପରେ ବିଧାୟକମାନଙ୍କୁ ୨୫ କୋଟି ଟଙ୍କା ସହ ନିର୍ବାଚନ ଲଢ଼ିବାକୁ ବିଜେପି ଟିକେଟ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ୭ ଜଣ ଯାକ ଆପ ବିଧାୟକ ବିଜେପିର ପ୍ରସ୍ତାବ ଗ୍ରହଣ କରି ନଥିବା କେଜ୍ରିୱାଲ ଦାବି କରିଥିଲେ।

ତେବେ ଦିଲ୍ଲୀ ବିଜେପି ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା। ବିଜେପି କହିଥିଲା ଯେ ଆପର ଯଦି ସାହସ ଅଛି ତା’ହେଲେ ବିଧାୟକ ଓ ସେମାନଙ୍କ ସହ ଯୋଗାଯୋଗ କରିଥିବା ଲୋକର ପରିଚୟ ସାର୍ବଜନୀନ କରୁ। ଅବକାରୀ ନୀତି ଦୁର୍ନୀତି ଘଟଣାରେ କେଜ୍ରିୱାଲଙ୍କୁ ସମନ ମିଳିବାରେ ଲାଗିଛି। ଏଥିରୁ ଲୋକଙ୍କ ଧ୍ୟାନଚ୍ୟୁତ କରିବା ପାଇଁ ଆପ ଏପରି ନାଟକ କରୁଥିବା ବିଜେପି କହିଛି।

Bjp Delhi Arvind Kejriwal AAP