Advertisment

BJD in Crisis: କାହିଁକି ଆକ୍ସନ୍ ନେଇପାରୁନି ବିଜେଡି? ନେତାଙ୍କ ଖୋଲା ବିଦ୍ରୋହ ପରେ ବି ନିରବତା, ଅସହାୟତା ଜଳଜଳ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବୟସାଧିକ୍ୟ ଶାରୀରିକ ନିଷ୍କ୍ରିୟତା ଯୋଗୁ ସଂଗଠନର ନେତୃତ୍ୱ ନେବାପାଇଁ ଦଳ କ’ଣ ସତରେ ‘ନମ୍ବର-ଟୁ’ ନେତା ନିମନ୍ତେ ଏବେ ସଂଘର୍ଷ କରୁଛି? ବିଜେଡିର ରାଜନୀତିକ ଅଳିନ୍ଦରେ ଏଭଳି ନାନାଦି ପ୍ରଶ୍ନ ଓ ଚର୍ଚ୍ଚା  ଜୋର ଧରିଛି ।

author-image
Prakash Sethi
BJJJDDD

କୁଆଡ଼େ ଗଲା ସେ ଦମ୍ଭପଣ? କାହିଁକି ଏଭଳି ଅସହାୟତା? ଦଳରେ ଅରାଜକତା ଓ ବିଶୃଙ୍ଖଳା ଜଳଜଳ ହୋଇ ଦିଶୁଥିଲେ ମଧ୍ୟ ନେତାମାନଙ୍କ ଉପରେ ଲଗାମ ଦେବାରେ ବିଜେଡି ନେତୃତ୍ୱ କାହିଁକିି ବ୍ୟାକଫୁଟରେ ଅଛନ୍ତି । ମାତ୍ର ୨-୩ମାସ ପୂର୍ବରୁ ବିଜେଡି ନେତୃତ୍ୱ ଯେଉଁ ଦମ୍ଭ ଓ ନାଲିଆଖି ଦେଖାଇ ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ, ଶ୍ରୀମୟୀ ମିଶ୍ର ଓ ଏନ ଭାସ୍କର ରାଓଙ୍କୁ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ଆକ୍ସନ ନେଇଥଲେ, ଏବେ ଦଳରେ ଏକାଧିକ ନେତା ଖୁଲମଖୁଲା ସ୍ୱର ଉଠାଇ ବିଦ୍ରୋହର ବହ୍ନି ଜଳାଉଥିଲେ ମଧ୍ୟ ସେମାନଙ୍କୁ ଛୁଇଁବାକୁ ମଧ୍ୟ ସାହାସ କରିପାରୁନାହିଁ । ନୂଆପଡ଼ା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଜେଡି ନେତୃତ୍ୱ କ’ଣ ସତରେ ଅସହାୟ ହୋଇପଡ଼ିଛନ୍ତି? ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବୟସାଧିକ୍ୟ ଶାରୀରିକ ନିଷ୍କ୍ରିୟତା ଯୋଗୁ ସଂଗଠନର ନେତୃତ୍ୱ ନେବାପାଇଁ ଦଳ କ’ଣ ସତରେ ‘ନମ୍ବର-ଟୁ’ ନେତା ନିମନ୍ତେ ଏବେ ସଂଘର୍ଷ କରୁଛି? ବିଜେଡିର ରାଜନୀତିକ ଅଳିନ୍ଦରେ ଏଭଳି ନାନାଦି ପ୍ରଶ୍ନ ଓ ଚର୍ଚ୍ଚା  ଜୋର ଧରିଛି ।

Advertisment


ନେତୃତ୍ୱ ପ୍ରତି ଖୋଲା ଚ୍ୟାଲେଞ୍ଜ: ଆକ୍ସନ ପାଇଁ ସାହାସ ପାଉନି


ବିଜେଡି ସାଂସଦ ଦେବାଶୀଷ ସାମନ୍ତରାୟ ସିଧାସଳଖ ବିଜେଡିର ସାଂଗଠନିକ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇବା ସହ ୬ମାସ ତଳେ ଦଳ ଦ୍ୱାରା ନିଯୁକ୍ତ ‘ବରିଷ୍ଠ ନାଗରିକ ସେଲ’ ଉପସଭାପତି ପଦବୀକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ନବୀନଙ୍କ ଦସ୍ତଖତରେ ମିଳିଥିବା ଏହି ପଦବୀକୁ ପ୍ରତ୍ୟାଖ୍ୟାନ କରି ଦେବାଶୀଷ ସିଧାସଳଖ ନବୀନଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରିଛନ୍ତି । ଦଳୀୟ ଫୋରମ୍ ଛାଡ଼ି ଗଣମାଧ୍ୟମରେ ଦଳ ଓ ନେତାଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି । ତଥାପି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ସମାନ୍ୟତମ ନୋଟିସ୍ ଜାରି କରିବା ଅବା ତାଙ୍କୁ ଆକଟ କରିବାକୁ ବିଜେଡି ନେତୃତ୍ୱ ସାହାସ ଜୁଟାଇ ପାରୁନାହାନ୍ତି ।

ନବୀନ ଓ ବିଜେଡିର ଅସହାୟତା କେବଳ ଦେବାଶୀଷଙ୍କ ପାଖରେ ସୀମିତ ହୋଇ ରହିନାହିଁ । ଦଳର ସାଂଗଠନିକ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଉଥିବା ସମ୍ବଲପୁରର ପୂବର୍ତନ ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ, କଂଟାବାଞ୍ଜିର ବିଧାୟକ ପ୍ରାର୍ଥୀ ଅଜୟ ଦାସ, ନେତ୍ରୀ ଏଲିନା ଦାଶ ଓ ଅଜିତ୍ ବେହେରା ନିୟମିତ ବ୍ୟବଧାନରେ ଦଳୀୟ ନେତାଙ୍କୁ ଗଣମାଧ୍ୟମରେ କଟାକ୍ଷ କରିବାକୁ ପଛାଉନଥିଲେ ମଧ୍ୟ ସେମାନଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳୀୟ ନେତୃତ୍ୱ ସକ୍ଷମ ହୋଇପାରିନାହାନ୍ତି । ଏହି ନିରବତା ଦଳର ଆଭ୍ୟନ୍ତରୀଣ ସ୍ଥିତି ଓ ନେତୃତ୍ୱର ଦୁର୍ବଳତାକୁ ସ୍ପଷ୍ଟ ସୂଚାଉଛି ।

Advertisment


ପାଣ୍ଡିଆନ-ବବି ରାଜନୈତିକ ଛକାପଞ୍ଝା: ନୂଆ ସମୀକରଣ


ବିଜେଡି ସୂତ୍ର ଅନୁସାରେ, ସାଧାରଣ ନିର୍ବାଚନ ଓ ନୂଆପଡ଼ା ଉପନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ଦଳରେ ପାଣ୍ଡିଆନଙ୍କ ଖୁଲମଖୁଲା ହାକିମାତି ଉପରେ ଅଙ୍କୁଶ ଲାଗିଛି । ପାଣ୍ଡିଆନ ବି ଦଳର ନେତାମାନଙ୍କୁ ଭରସା କରି ଆଗକୁ ଆସିବାକୁ ସାହାସ କରିପାରୁନାହାନ୍ତି । ପରଦା ପଛରେ ରହି ତେବେ ଦଳରେ ‘ନମ୍ବର-ଟୁ’ ପଦରେ କାହାକୁ ଅବସ୍ଥାପିତ କରିବେ ସେନେଇ ଅଙ୍କ କଷୁଥିବା ଜଣାପଡ଼ିଛି ।

ଯଦିଓ ନବୀନ ନିବାସକୁ ତାଙ୍କର ଯାତାୟାତ ପୂର୍ବତୁଳନାରେ ବେଶ୍ କମିଛି କିନ୍ତୁ ତାଙ୍କ ଅଜାଣତରେ ଓ ବିନା ଅନୁମତିରେ ନବୀନ ନିବାସରେ ପତ୍ରଟିଏ ହଲିବା ବି ସମ୍ଭବପର ନୁହେଁ ବୋଲି ବିଜେଡି ସୂତ୍ରରୁ ଜଣାପଡ଼ିଛି । ପାଣ୍ଡିଆନ ଦଳରେ ନିଜପ୍ରତି ବଢ଼ୁଥିବା ବିରୋଧାଭାସକୁ ଆକଳନ କରି ପତ୍ନୀ ସୁଜାତାଙ୍କ ଏଂଟ୍ରି ଓ ଖାସ୍ ଅନୁଗତ ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥଇଥାନ ନିମନ୍ତେ ମାର୍ଗ ପ୍ରଶସ୍ତ କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି । ସୁଚିନ୍ତିତ ରଣନୀତିରେ ସୁଜାତାଙ୍କ ରାଜନୀତିରେ ପ୍ରବେଶ କରାଇବା ପାଇଁ ସୋସିଆଲ ମିଡିଆରେ ଏବେ ଜୋରଦାର ଅଭିଯାନ ହୋଇଛି । ପାଣ୍ଡିଆନଙ୍କ ସହ ମତାନ୍ତରର ପ୍ରଚାର କରି ବବି ଏବେ ଦଳୀୟ ନେତାମାନଙ୍କ ଆସ୍ଥାଭାଜନ ହେବାକୁ ପ୍ରୟାସ କରୁଛନ୍ତି ।  

ଗୋଟିଏ ଗୁଳିରେ ଦୁଇଟି ଶିକାର ଭଳି ଦଳରେ ପାଣ୍ଡିଆନବିରୋଧୀ ଗୋଷ୍ଠୀକୁ ଚିହ୍ନଟ କରିବା ଓ ଦଳରେ ବବି ଚାପ ସୃଷ୍ଟି କରୁଥିବାରୁ ତାଙ୍କୁ ଦାବି ମୁତାବକ ‘କାର୍ଯ୍ୟକାରୀ ସଭାପତି କିମ୍ବା ସାଂଗଠନିକ ସମ୍ପାଦକ’ ପଦବୀରେ ଅବସ୍ଥାପିତ କରାଯାଇପାରେ ବୋଲି ଦଳୀୟ ମହଲରେ ଚର୍ଚ୍ଚା । ସୁଜାତାଙ୍କୁ ରାଜ୍ୟସଭା(ଦିଲ୍ଲୀ) ପଠାଇ ଓଡ଼ିଶାରେ ସଂଗଠନକୁ ନିଜ ନିୟନ୍ତ୍ରଣରେ ରଖିବାକୁ ବବି ଚାହୁଁଥିବା ମଧ୍ୟ ବିଜେଡି ମହଲରୁ ସୂଚନା ମିଳିଛି ।


‘ନମ୍ବର-ଟୁ ’ଚୟନରେ ସଂକଟ: ବୁମେରାଂର ଆଶଙ୍କା


ବିଜେଡିର ଅଘୋଷିତ ସର୍ବେସର୍ବା ଭାବେ ଭିକେ ପାଣ୍ଡିଆନ ଏବେ ପରଦା ପଛରେ ରହି କାର୍ଯ୍ୟ କରୁଥିଲେ ମଧ୍ୟ ଦଳରେ ବଢ଼ୁଥିବା ଗୋଷ୍ଠୀକନ୍ଦଳ ଓ ଅଶାନ୍ତି ଯୋଗୁ ତାହା ଦୀର୍ଘଦିନ ପର୍ଯ୍ୟନ୍ତ ସମ୍ଭବପର ନୁହେଁ । ଏଭଳି ସ୍ଥିତିରେ ଦଳରେ ‘ନମ୍ବର-ଟୁ’ ନେତା କିଏ ହେବ ସେନେଇ ଅଙ୍କକଷା ଆରମ୍ଭ ହୋଇଛି । ନବୀନଙ୍କ ନିରବ ସମର୍ଥନ ମଧ୍ୟରେ ପାଣ୍ଡିଆନ ନିଜର ଖାସ୍ ଅନୁଗତ ବବି କିମ୍ବା ପତ୍ନୀ ସୁଜାତାଙ୍କୁ ଦଳର ଆନୁଷ୍ଠାନିକ ‘ନମ୍ବର-ଟୁ’ କରିବା ପାଇଁ ପରଦା ପଛରେ ରହି ସଂଗଠନକୁ ନିୟନ୍ତ୍ରଣ କରିବାର ମାର୍ଗ ପ୍ରଶସ୍ତ କରୁଥିବା ଚର୍ଚ୍ଚା ହେଉଛି । 

 ଦଳ ଏବେ ଯେଉଁସ୍ଥିତିରେ ରହି କାହାରିକୁ ନମ୍ବର-ଟୁ ଭାବେ ଲଦି ଦେବାକୁ ଦଳୀୟ କର୍ମୀ ଓ ନେତାମାନେ ଗ୍ରହଣ କରିବାର ସମ୍ଭାବନା ବି କ୍ଷୀଣ । ଆଉ ବର୍ଷକ ପରେ ପଂଚାୟତ ଓ ପୌର ନିର୍ବାଚନ । ସମ୍ପୃକ୍ତ ‘ନମ୍ବର-ଟୁ’ଙ୍କୁ ନିଜର ରାଜନୀତିକ ଦକ୍ଷତା ଓ ନେତୃତ୍ୱ ପ୍ରମାଣିତ କରିବାକୁ ପଡ଼ିବ । ଦଳର ‘ନମ୍ବର-ଟୁ’ ନେତା ଯିଏ ହେବେ, ତାଙ୍କୁ ଏବେଠୁ ଦଳୀୟ ନେତା, କର୍ମୀ ଓ ସାଧାରଣ ଲୋକଙ୍କ ସହ ସିଧାସଳଖ ମିଶିବାକୁ ପଡ଼ିବ । ଯଦିଓ ରାଜ୍ୟସଭା ଯିବା ଆଶାରେ ଦଳର ଆଗଧାଡ଼ିର କୋରଟିମ୍ ନେତାମାନେ ଚୁପ୍ ରହିଛନ୍ତି ମାତ୍ର ୩ମାସ ପରେ ଏହି ନିର୍ବାଚନ ସରିଲେ ସେମାନେ ବି ମୁହଁ ଖୋଲିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ।


ତେଣୁ ଦଳରେ ମୁହଁ ଖୋଲୁଥିବା ନେତାମାନଙ୍କ ଉପରେ ଆକ୍ସନ ନେବା ଓ ‘ନମ୍ବର-ଟୁ’ ଚୟନ କାଳେ ଦଳ ପାଇଁ ବୁମେରାଂ ହେବ, ତାକୁ ଦୃଷ୍ଟିରେ ବିଜେଡି ନେତୃତ୍ୱ ବେଶ୍ ମାପିଚୁପି ନିଷ୍ପତ୍ତି ନେଉଥିବା ଦଳୀୟ ମହଲରେ ଚର୍ଚ୍ଚା ।