Advertisment

Crisis in BJD: ପଦବୀକୁ ପ୍ରତ୍ୟାଖ୍ୟାନ କଲେ ଦେବାଶୀଷ, ସମର୍ଥନ କଲେ ଭୂପିନ୍ଦର, ନବୀନଙ୍କୁ ଭେଟିବାର ମିଳୁନି ସୁଯୋଗ

ଦଳୀୟ ସଂଗଠନ ପୁନର୍ଗଠନବେଳେ ତାଙ୍କୁ ଦିଆଯାଇଥିବା ‘ବରିଷ୍ଠ ନାଗରିକ ପ୍ରକୋଷ୍ଠର ଉପସଭାପତି ପାହ୍ୟା’ ପଦବୀକୁ ପ୍ରାୟ ୬ମାସ ପରେ ପ୍ରତ୍ୟାଖ୍ୟାନ କଲେ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ନେତା ଦେବାଶୀଷ ସାମନ୍ତରାୟ ।

author-image
Prakash Sethi
BJD-1234

ନୂଆପଡ଼ା ଉପନିର୍ବାଚନରେ ଦଳର ନିର୍ବାଚନୀ ବିପର୍ଯ୍ୟୟ ଓ ତୃତୀୟ ସ୍ଥାନରେ ରହିବା ପରେ ବିଜେଡିରେ ଆଭ୍ୟନ୍ତରୀଣ ସଙ୍କଟ ତୀବ୍ର ହେବାରେ ଲାଗିଛି । ଦଳୀୟ ସଂଗଠନ ପୁନର୍ଗଠନବେଳେ ତାଙ୍କୁ ଦିଆଯାଇଥିବା ‘ବରିଷ୍ଠ ନାଗରିକ ପ୍ରକୋଷ୍ଠର ଉପସଭାପତି ପାହ୍ୟା’ ପଦବୀକୁ ପ୍ରାୟ ୬ମାସ ପରେ ପ୍ରତ୍ୟାଖ୍ୟାନ କଲେ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ନେତା ଦେବାଶୀଷ ସାମନ୍ତରାୟ । ଏହି ପଦବୀ ବା ନିଯୁକ୍ତି ତାଙ୍କ ପାଇଁ ‘ଅପମାନଜନକ ଓ ଲଜ୍ଜାଜନକ’ ବୋଲି କହି ଦେବାଶୀଷ ଏହାକୁ ଗ୍ରହଣ କରିନଥିବାବେଳେ ଗତକାଲି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ବିଜୁ-ନବୀନ ଆଦର୍ଶରୁ ବିଜେଡି ଓହରି ଯାଇଥିବା କହି ଦଳୀୟ ପରିଚାଳନା ଶୈଳୀକୁ ତୀବ୍ର ସମାଲୋଚନା କରିଛନ୍ତି । 

Advertisment

ଭୈରବ(ଭିକେ ପାଣ୍ଡିଆନଙ୍କୁ ଇଙ୍ଗିତ କରି) ନିଜର ଜଣେ ପାଲତୁ ‘ଆଦିତ୍ୟ ମହାପାତ୍ର’ଙ୍କୁ ସେଠାରେ ଛାଡ଼ିଛନ୍ତି ବୋଲି ଦେବାଶୀଷ ସଙ୍ଗୀନ ଅଭିଯୋଗ କରିବା ସହ ଦୀର୍ଘଦିନ ଧରି ପ୍ରୟାସ କରିବାପରେ ନବୀନବାବୁଙ୍କ ସହ ଭେଟିବାର ସୁଯୋଗ ତାଙ୍କୁ ଦିଆଯାଉନଥିବା କହି ନିଜର କ୍ଷୋଭ ବ୍ୟକ୍ତ କରିଛନ୍ତି । ଦେବାଶୀଷଙ୍କ କଥାକୁ ମଧ୍ୟ ଆଜି ବରିଷ୍ଠ ନେତା ଭୂପିନ୍ଦର ସିଂ ସମର୍ଥନ କରିଛନ୍ତି । ପୂର୍ବରୁ ଦଳର ନେତ୍ରୀ ଶ୍ରୀମୟୀ ମିଶ୍ର ମଧ୍ୟ ଓଏଏସ୍ ଅଫିସର ଆଦିତ୍ୟ ମହାପାତ୍ର ବିଜେଡିର ଆଭ୍ୟନ୍ତରୀଣ ରାଜନୀତିରେ ହସ୍ତକ୍ଷେପ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ ।

‘ଉପସଭାପତି ପାହ୍ୟା' ପଦବୀ ଆମଲାତାନ୍ତ୍ରିକ ଓ ଅପମାନଜନକ

ନବୀନ ପଟ୍ଟନାୟକଙ୍କୁ ଲେଖିଥିବା ଚିଠିରେ ଶ୍ରୀ ସାମନ୍ତରାୟ ଗତ ମେ’ମାସରେ ତାଙ୍କୁ ମିଳିଥିବା ‘ବରିଷ୍ଠ ନାଗରିକ ପ୍ରକୋଷ୍ଠର ଉପସଭାପତି ପାହ୍ୟା’ ପଦବୀକୁ ଗ୍ରହଣ କରିବାକୁ ନିଜର ଅସମର୍ଥତା ବ୍ୟକ୍ତ କରିଛନ୍ତି । ଏପରି ପଦବୀଗୁଡ଼ିକ ଅମଲାତାନ୍ତ୍ରିକ ଭଳି ଶୁଣାଯାଉଛି ଓ ଦୀର୍ଘବର୍ଷ ଧରି ଦଳ ପାଇଁ କାମ କରିଥିବା ବରିଷ୍ଠ ବିଜୁପ୍ରେମୀ ତଥା ବିଜୁ ବାବୁଙ୍କ ପ୍ରତି ଅନୁରକ୍ତ ନେତାମାନଙ୍କୁ ଏହିପରି ‘ପାହ୍ୟାରେ' (ଉପସଭାପତି ପାହ୍ୟା) ପଦବୀ ଦେବା ଅପମାନଜନକ ।

Advertisment

ଏହା କେବଳ ତାଙ୍କ କ୍ଷେତ୍ରରେ ନୁହେଁ, ଅନେକ ବରିଷ୍ଠ ନେତାଙ୍କୁ ମଧ୍ୟ ଏହି ପ୍ରକାର ଅମଲାତାନ୍ତ୍ରିକ ନିଯୁକ୍ତି ଦିଆଯାଇଛି । କୌଣସି ବ୍ୟୁରୋକ୍ରାଟିକ୍ ପଦବୀ କିମ୍ବା ‘ପାହ୍ୟାରେ' ଥିବା ପଦବୀ ତାଙ୍କ ପାଇଁ ଗ୍ରହଣୀୟ ନୁହେଁ, ସେ ବିଜେଡିର ଜଣେ ସାଧାରଣ କର୍ମୀ ଭାବେ କାର୍ଯ୍ୟ କରିବେ ଏବଂ ବିଜୁ-ନବୀନଙ୍କ ଚିନ୍ତାଧାରା ଓ କାର୍ଯ୍ୟଧାରା ପ୍ରତି ସବୁବେଳେ ପ୍ରତିବଦ୍ଧ ରହିବେ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ନେଉଥିବା ପର୍ଯ୍ୟନ୍ତ ସେ ବିନା ଦ୍ୱିଧାରେ ଦଳ(Biju Janata Dal)ରେ ରହି କାର୍ଯ୍ୟ କରିବେ ବୋଲି ସ୍ପଷ୍ଟ କରିଛନ୍ତି ।

ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ,ଏୟୁ ସିଂହଦେଓ,ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବଦ୍ରିନାରାୟଣ ପାତ୍ର, ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ମଙ୍ଗଳା କିଷାନ, ଦେବାଶୀଷ ସାମନ୍ତରାୟ ଓ ଅରୁଣ ସାହୁଙ୍କ ଭଳି ନେତାମାନଙ୍କୁ ବିଭିନ୍ନ ଦଳୀୟ ପ୍ରକୋଷ୍ଠର ଉପସଭାପତି ପାହ୍ୟାରେ ଅବସ୍ଥାପିତ କରାଯାଇଥିଲା । ଅବଶ୍ୟ ଗତ ମେ’ ୫ତାରିଖରେ ଏହି ଦଳୀୟ ନିଯୁକ୍ତି ମିଳିଥିଲେ ମଧ୍ୟ ଏମାନଙ୍କ ମଧ୍ୟରୁ କେହି ଜଣେ ବି ନେତା ଏସବୁ ପଦବୀକୁ ସ୍ୱୀକାର କରିନାହାନ୍ତି ଅବା ସେଦିଗରେ କାର୍ଯ୍ୟ କରିନଥିବା ଜଣାପଡ଼ିଛି ।

ଦଳ ପରିଚାଳନାରେ ଅସନ୍ତୋଷ: ଭୈରବଙ୍କ ପାଲତୁ ‘ଆଦିତ୍ୟ ମହାପାତ୍ର’

ଏକଦା ନବୀନଙ୍କ ଘନିଷ୍ଠ ଭାବେ ପରିଚିତ ଥିବା ସାଂସଦ ଶ୍ରୀ ସାମନ୍ତରାୟଙ୍କ ଅସନ୍ତୋଷ କେବଳ ପଦବୀରେ ସୀମିତ ନାହିଁ, ବରଂ ଦଳର ଆଭ୍ୟନ୍ତରୀଣ ପରିଚାଳନା ଶୈଳୀ ଉପରେ ମଧ୍ୟ ସେ ଅଙ୍ଗୁଳି ଉଠାଇଛନ୍ତି । ସେ ୪ମାସ ଧରି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ ପାଇଁ ପ୍ରୟାସ କରୁଥିଲେ ମଧ୍ୟ ତାଙ୍କୁ ଏହି ସୁଯୋଗ ମିଳିନାହିଁ । ଦଳକୁ ପରିଚାଳନା କରୁଥିବା ଅବାଞ୍ଛିତ ବ୍ୟକ୍ତିବିଶେଷ ଓ ହାରୁ ନେତା(ପରାଜିତ ନେତା)ଙ୍କ ଉପରେ ସେ ବର୍ଷିଛନ୍ତି । 

ନିର୍ଦ୍ଦିଷ୍ଟ ଭାବେ ନବୀନଙ୍କ ବ୍ୟକ୍ତିଗତ ସଚିବ ବରିଷ୍ଠ ଓଏଏସ୍ ଅଫିସର ଆଦିତ୍ୟ ମହାପାତ୍ରଙ୍କ ନାଁ ନେଇ ଶ୍ରୀ ସାମନ୍ତରାୟ କହିଛନ୍ତି ଯେ, ଭୈରବ ଏବେ ସେଠାରେ ତାଙ୍କର ଜଣେ ‘ପାଲତୁ’ ଆଦିତ୍ୟ ମହାପାତ୍ରଙ୍କୁ ଛାଡ଼ିଛନ୍ତି । ଯିଏ ସେଠାରେ ଦଳୀୟ କଥାରେ ହସ୍ତକ୍ଷେପ କରୁଛନ୍ତି । ଦଳ ଏବେ ବିଜୁବାବୁ ଓ ନବୀନଙ୍କ ଆଦର୍ଶରୁ ବିଚ୍ୟୁତ ହୋଇ ଆଉଏକ ‘ନୂଆ ଚିନ୍ତାଧାରା, ନୀତି ଓ କାର୍ଯ୍ୟଧାରା\'କୁ ଆପଣାଇଛି । ବିଜୁ ଓ ନବୀନବାବୁଙ୍କ ପ୍ରତି ନିଷ୍ଠା ଓ ତାଙ୍କୁ ଆଦର୍ଶ ମାନୁଥିବା ଥିବା ଲୋକଙ୍କ ପାଇଁ ଦଳରେ କୌଣସି ସ୍ଥାନ ନାହିଁ ବୋଲି ସେ ସନ୍ଦେହ ବ୍ୟକ୍ତ କରିଛନ୍ତି ।

ଅବଶ୍ୟ ଓଏଏସ୍ ଆଦିତ୍ୟ ମହାପାତ୍ର ବିଜେଡିର ରାଜନୀତିକ ବ୍ୟାପାରରେ ହସ୍ତକ୍ଷେପ କରୁଛନ୍ତି ବୋଲି ଗତମାସରେ ବିଜେଡିରୁ ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ର ସର୍ବପ୍ରଥମେ ଅଭିଯୋଗ ଆଣିଥିଲେ । ଚାକିରି ସର୍ତ୍ତାବଳୀକୁ ଉଲ୍ଲଘଂନ କରି ଆଦିତ୍ୟ ମହାପାତ୍ର ବିଜେଡିର ରାଜନୀତିକ କାର୍ଯ୍ୟ କରୁଥିବାର ପ୍ରମାଣ ତାଙ୍କ ପାଖରେ ରହିଛି ବୋଲି କହିବା ସହ ନବୀନଙ୍କୁ ଭେଟିବା ପାଇଁ ସେ ବାରମ୍ବାର ସମୟ ମାଗିଥିଲେ ମଧ୍ୟ ତାଙ୍କୁ ଏହି ସୁଯୋଗ ଦିଆଯାଇନଥିବାର ଅଭିଯୋଗ ଆଣିଥିଲେ ଶ୍ରୀମୟୀ । ପ୍ରାୟ ଦେଢ଼ମାସ ପରେ ସମାନ ଅଭିଯୋଗକୁ ଦୋହରାଇଛନ୍ତି ଦଳର ରାଜ୍ୟସଭା ସାଂସଦ ଶ୍ରୀ ସାମନ୍ତରାୟ । ତେବେ ଜଣେ ସରକାରୀ ଅଫିସର କିଭଳି ଓ କେଉଁ ସାହାସରେ ଦଳୀୟ କାର୍ଯ୍ୟ କରୁଛନ୍ତି ତଥା ରାଜ୍ୟ ସରକାର କାହିଁକି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ତାହା ଏବେ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି ।


ଭୂପିନ୍ଦରଙ୍କ ସମର୍ଥନ, ବିପର୍ଯ୍ୟୟର ଆତ୍ମସମୀକ୍ଷା କାହିଁକି କରୁନି ବିଜେଡି

ଦେବାଶୀଷ କହିଛନ୍ତି ଯେ, ଗତ ନିର୍ବାଚନରେ ଦଳ ପରାଜୟ ପଛର କାରଣ ଖୋଜିବା ପାଇଁ ଏପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆଯାଇନାହିଁ । ନିର୍ବାଚନୀ ବିପର୍ଯ୍ୟୟ ପରେ ଦଳ ଆତ୍ମସମୀକ୍ଷା ମଧ୍ୟ କରୁନାହିଁ କି ବାସ୍ତବତାକୁ ସ୍ୱୀକାର କରୁନାହିଁ ବୋଲି ସେ କହିଛନ୍ତି । 

ତାଙ୍କ ମତକୁ ସମର୍ଥନ କରିଛନ୍ତି ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂହ । ସେ ଦଳର ନୂଆ କାର୍ଯ୍ୟଶୈଳୀକୁ ନେଇ ଉଦବେଗ ବ୍ୟକ୍ତ କରି  କହିଛନ୍ତି ଯେ, ଯେଉଁମାନେ ଏବେ ଦଳ ପରିଚାଳନା କରୁଛନ୍ତି, ସେମାନେ ବିଜୁବାବୁ ଓ ନବୀନବାବୁଙ୍କ ନାଁକୁ ଲିଭାଇ ଦେବାକୁ ଚେଷ୍ଟା କରୁଛନ୍ତି । ଦଳ ବିଜୁବାବୁଙ୍କ ଆଦର୍ଶରୁ ଦୂରେଇଗଲେ ଲୋକେ ଆଉ ବିଜେଡିକୁ ଗ୍ରହଣ କରିବେ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି । ତେଣୁ ଦଳର ଭବିଷ୍ୟତ ପାଇଁ ଓ ବର୍ତ୍ତମାନ ପରିସ୍ଥିତିକୁ ସୁଧାରିବା ଲାଗି ଦଳର ସଭାପତି ନବୀନବାବୁ ନିଜେ ହସ୍ତକ୍ଷେପ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ସିଂ କହିଛନ୍ତି । 

ନବୀନ ପଟ୍ଟନାୟକଙ୍କ ନିରବତା ମଧ୍ୟରେ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ପରଦା ପଛରେ ରହି ଦଳକୁ ନିୟନ୍ତ୍ରଣ କରୁଥିବାରୁ ବିଜେଡିରେ କନ୍ଦଳ ତୀବ୍ର ହେବାରେ ଲାଗିଛି । ଯାହା ଏବେ ଦଳର ଭବିଷ୍ୟତକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି ବୋଲି ଚର୍ଚ୍ଚା ହେଉଛି ।

Biju Janata Dal