ରାଜ୍ୟସଭା ନିର୍ବାଚନରେ ଚତୁର୍ଥ ଆସନ ପାଇଁ ଲଢ଼େଇ ଏବେ ରୋଚକ ମୋଡ଼ରେ ପହଂଚିଛି। ବିଜେଡି-କଂଗ୍ରେସ-ସିପିଆଇଏମ୍ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା ଓ ବିଜେପି ସମର୍ଥିତ ହେଭିୱେଟ୍ ନେତା ଦିଲ୍ଲୀପ ରାୟଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ରାଜ୍ୟ ରାଜନୀତିକୁ ସରଗରମ କରିଛି।
ବିଧାନସଭାର ସଂଖ୍ୟାଗଣିତ ଦତ୍ତେଶ୍ୱରଙ୍କ ସପକ୍ଷରେ ଥିବା ଉପରକୁ ଦିଶୁଥିଲେ ମଧ୍ୟ ବିଜେଡି-କଂଗ୍ରେସରେ ଥିବା ତୀବ୍ର ଅନ୍ତଃକନ୍ଦଳ ଓ ବିଜେପିର ଗ୍ରାଉଣ୍ଡଜିରୋ ରଣନୀତି ଏବେ ବିଜେଡି ଓ କଂଗ୍ରେସରେ କ୍ରସଭୋଟିଂର ଆଶଙ୍କା ବୃଦ୍ଧି ପାଇଛି। ବିଜେଡି ନିଜର ମୁଖପାତ୍ର ଶାରଦା ଜେନାଙ୍କ ମୁହଁରେ ଭୟ-ଆଶଙ୍କାର ମାହୋଲ ପ୍ରସ୍ତୁତ କରୁଥିବାବେଳେ ଦଳର ବରିଷ୍ଠ ନେତା ଅରୁଣ ସାହୁଙ୍କ ମୁହଁରେ ନୀତି ନୈତିକତାର ପାଠ ପଢ଼ାଇଛି। ଅବଶ୍ୟ ବିଜେପି ଏହାକୁ କଡ଼ା ଭାଷାରେ ଜବାବ ଦେଇଛି।
ଏପଟେ କଂଗ୍ରେସର ୧୪ ବିଧାୟକଙ୍କୁ ଏକଜୁଟ୍ ରଖିବା ପାଇଁ ଏଆଇସିସି ମାଧ୍ୟମରେ ଚାପ ପକାଇବାକୁ ସ୍ୱାଧୀନ ପ୍ରାର୍ଥୀ ଡାକ୍ତର ହୋତା ଆଜି ନୂଆଦିଲ୍ଲୀରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଥିବାବେଳେ ବିଜେପିର ଚାଣକ୍ୟ ଅମିତ୍ ଶାହା ଗତକାଲି ଓଡ଼ିଶା ଆସି ଦେଇଥିବା ‘ଗୁରୁମନ୍ତ୍ର’ ଏବେ ଦିଲ୍ଲୀପଙ୍କ ଜିତିବା ସପକ୍ଷରେ ମାର୍ଗ ପ୍ରଶସ୍ତ କରୁଛି ବୋଲି ଦଳୀୟ ମହଲରେ ଚର୍ଚ୍ଚା ଜୋର ଧରିଛି।
ବିଜେଡିର ୬ରୁ ୭ ବିଧାୟକ ଓ କଂଗ୍ରେସର ୩-୪ ବିଧାୟକ ଏବେ ‘ବିଜେପି’ ଓ ଦିଲ୍ଲୀପଙ୍କ ଥିଙ୍କଟ୍ୟାଙ୍କଙ୍କ ସହ ଯୋଗସୂତ୍ରରେ ରହିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।
ସଂଖ୍ୟାଗଣିତ ବନାମ ରାଜନୀତିକ ଗୋଟିଚାଳନା
ରାଜ୍ୟସଭା ନିର୍ବାଚନ ଜିତିବା ପାଇଁ ଜଣେ ପ୍ରାର୍ଥୀଙ୍କୁ ପ୍ରଥମ ପସନ୍ଦ ଭୋଟ୍ ଭାବେ ୩୦ଜଣ ବିଧାୟକଙ୍କ ସମର୍ଥନ ଜରୁରୀ। ଡାକ୍ତର ହୋତାଙ୍କ ପାଖରେ ବିଜେଡିର ବଳକା ୧୮, କଂଗ୍ରେସର ୧୪ ଓ ସିପିଆଇଏମର ଜଣେ ବିଧାୟକଙ୍କୁ ମିଶାଇ ମୋଟ ୩୩ଜଣଙ୍କ ସମର୍ଥନ ଥିବା ଦାବି କରାଯାଉଛି। ଅନ୍ୟପଟେ ଦିଲ୍ଲୀପଙ୍କ ପାଖରେ ବିଜେପିର ବଳକା ୨୨ଜଣ ବିଧାୟକଙ୍କ ସମେତ ବିଜେଡିରୁ ନିଲମ୍ବିତ ୨ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କର ସମର୍ଥନ ମିଳିବାର ସମ୍ଭାବନା ରହିଛି।
ସଂଖ୍ୟା ଦୃଷ୍ଟିରୁ ଦିଲ୍ଲୀପ ପଛରେ ଥିଲେ ମଧ୍ୟ ତାଙ୍କର ଦୀର୍ଘବର୍ଷର ଅଭିଜ୍ଞତା, ବିଜେଡି-କଂଗ୍ରେସରେ ଥିବା ଅନ୍ତଃକନ୍ଦଳ,ଶାସକ ବିଜେପିର ପ୍ରଭାବ ଓ ବିଶେଷକରି ଅମିତ୍ ଶାହାଙ୍କ ଗୁରୁମନ୍ତ୍ର ହିଁ ତାଙ୍କ ବିଜୟର ମାର୍ଗ ପ୍ରଶସ୍ତ କରାଇବ ବୋଲି ଚର୍ଚ୍ଚା। ରାଜ୍ୟରେ ଏବେ ବିଜେପି ସରକାର ଥିବାରୁ ଦଳ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବା ମଧ୍ୟ ଦଳ ପାଇଁ ଏକପ୍ରକାର ଚ୍ୟାଲେଞ୍ଜ ପାଲଟିଛି।
କ୍ରସ୍ ଭୋଟିଂ ଓ ଶାରଦାଙ୍କ ବିଭ୍ରାନ୍ତିକର ବୟାନ
ବିଜେଡି ବିଧାୟକ ତଥା ମୁଖପାତ୍ର ଶାରଦା ଜେନା ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ଯେ, ଚଳିତ ନିର୍ବାଚନରେ କ୍ରସଭୋଟିଂର ସମ୍ଭାବନା ଆଦୌ ନାହିଁ। ରାଜ୍ୟସଭା ନିର୍ବାଚନ ଶୈଳୀ ବଦଳିଯାଇଛି। ଏବେ ଦଳ ନିଷ୍ପତ୍ତି ବିରୁଦ୍ଧରେ ଯାଇ ଯିଏ ଭୋଟ୍ ଦେବ ଦରକାର ପଡ଼ିଲେ ତା’ର ସଭ୍ୟ ପଦ ରଦ୍ଦ ହୋଇଯିବ। କ୍ରସ ଭୋଟିଂ କଲେ ବିଧାୟକ ପଦ ଚାଲିଯିବ ବୋଲି ସେ ଚେତାବନୀ ଦେବା ସହ ଏସବୁ ଦୃଷ୍ଟିରୁ କ୍ରସ ଭୋଟିଂ ସମ୍ଭାବନା ନାହିଁ ବୋଲି ଶ୍ରୀ ଜେନା କହିଛନ୍ତି।
ତେବେ ପ୍ରଶ୍ନ ଉଠୁଛି, ଶ୍ରୀ ଜେନା ଏଭଳି ବିଭ୍ରାନ୍ତିକର ମନ୍ତବ୍ୟ ଜାଣିଶୁଣି ଦେଇଛନ୍ତି ନା ନିଜର ଅଜ୍ଞାନତାବଶତଃ ଦେଇଛନ୍ତି। କାରଣ ୨୦୧୭ ମସିହାରେ ‘ନିର୍ବାଚନ କମିଶନ’ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟସଭା ନିର୍ବାଚନରେ ସମ୍ବିଧାନର ଦଶମ ଅନୁସୂଚୀ ବା ଦଳବଦଳ ବିରୋଧୀ ଆଇନ ଲାଗୁ ହେବନାହିଁ।
ଅର୍ଥାତ ଯଦି ଜଣେ ବିଧାୟକ ନିଜ ଦଳର ନିଷ୍ପତ୍ତି ବିରୋଧରେ ଭୋଟ ଦିଅନ୍ତି, ତେବେ ତାଙ୍କର ସଭ୍ୟପଦ ରଦ୍ଦ ହେବାର ସିଧାସଳଖ ବ୍ୟବସ୍ଥା ନାହିଁ। ତା’ଛଡ଼ା କୁଲଦୀପ ନାୟାର ବନାମ ଭାରତ ସରକାର ମାମଲାରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଓପନ୍ ବାଲାଟ୍ ବ୍ୟବସ୍ଥା ଦୁର୍ନୀତି ରୋକିବା ପାଇଁ ଅଣାଯାଇଛି, କିନ୍ତୁ ଦଳ ବିରୋଧରେ ଭୋଟ ଦେଲେ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯାଇପାରିବ ନାହିଁ। ଦଳ କେବଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଭାବେ ନିଲମ୍ବନ କି ବହିଷ୍କାର କରିପାରିବ।
ତେବେ ହିମାଚଳ ପ୍ରଦେଶର ଘଟଣାକୁ ନେଇ ଓଡ଼ିଶାରେ ଦ୍ୱନ୍ଦ୍ୱ ସୃଷ୍ଟି କରାଯାଉଛି। ୬ଜଣ କଂଗ୍ରେସ ବିଧାୟକ ରାଜ୍ୟସଭାରେ କ୍ରସଭୋଟିଂ କରିଥିଲେ। କିନ୍ତୁ ସେମାନେ ବଜେଟ୍ ଅଧିବେଶନ ସମୟରେ ବଜେଟ୍ ସପକ୍ଷରେ ଭୋଟ୍ ଦେବା ପାଇଁ ଜାରି ହ୍ୱିପ୍ ଉଲ୍ଲଘଂନ କରିଥିବାରୁ ସେମାନଙ୍କୁ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଅବଶ୍ୟ ସୁପ୍ରିମକୋର୍ଟ ଏହି କାର୍ଯ୍ୟାନୁଷ୍ଠାନ ଉପରେ ରହିତାଦେଶ ଜାରି କରିଥିଲେ।
ତେଣୁ ଶାରଦାଙ୍କ ମୁହଁରେ ଏଭଳି ମନ୍ତବ୍ୟ ରଖି ବିଜେଡି ପରୋକ୍ଷରେ ନିଜ ବିଧାୟକମାନଙ୍କ ଉପରେ ଭରସା କରିପାରୁନଥିବା ଓ ବିଭ୍ରାନ୍ତିକର ଭୟର ମାହୋଲ ସୃଷ୍ଟି ପାଇଁ ପ୍ରୟାସ କରୁଥିବା ଚର୍ଚ୍ଚା ହେଉଛି।
ଅରୁଣଙ୍କ ନୈତିକତା ପାଠ ଓ ବାବୁ ସିଂଙ୍କ ପାଲଟା ଜବାବ
ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ ରାଜ୍ୟସଭାକୁ ନେଇ ବିଜେପିର ରଣନୀତିକୁ ସମାଲୋଚନା କରି ଦଳର ନୈତିକତା ଉପରେ ପ୍ରଶ୍ନ ଉଠାଇଛନ୍ତି। ବିଜେପି ପାଖରେ ୩ ଜଣ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟା ନଥାଇ ମଧ୍ୟ ବିଜେପି କିପରି ଜିତିବାକୁ ଦାବି କରୁଛି, ସେଥିରେ କ’ଣ ନୀତି ଓ ନୈତିକତା ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଯଦି ସଂଖ୍ୟା ନଥାଇ କେହି ଜିତୁଛନ୍ତି, ତେବେ ତାହା ଗଣତନ୍ତ୍ର ପ୍ରତି ଏକ ‘କୁଠାରଘାତ'। ଭାରତର ସମ୍ବିଧାନିକ ପ୍ରକ୍ରିୟାରେ ଏଭଳି କାର୍ଯ୍ୟକୁ ଏକ ସୁସ୍ଥ ଗଣତନ୍ତ୍ର କୁହାଯାଇପାରିବ କି ନାହିଁ, ସେ ନେଇ ମଧ୍ୟ ଶ୍ରୀ ସାହୁ ସନ୍ଦେହ ପ୍ରକଟ କରିଛନ୍ତ।
ତାଙ୍କୁ ପାଲଟା ଜବାବ ଦେଇ ବିଜେପି ବିଧାୟକ ବାବୁ ସିଂ କହିଛନ୍ତି ଯେ, ବୈଷ୍ଣବ ପରିଡ଼ା ରାଜ୍ୟସଭାକୁ ଯିବାବେଳେ ବିଜେଡିର ସଂଖ୍ୟା ଗଣିତ କ’ଣ ଥିଲା? ବିଜେଡି ଏବେ ଯେଉଁ ‘ଗୁରୁ ଜ୍ଞାନ' ଦେଉଛି, ସେତେବେଳେ ସେହି ନୈତିକତା କୁଆଡ଼େ଼ ଯାଇଥିଲା? ଏଠି ବିଜେପିର ସରକାର ଅଛି ଓ ନିଜସ୍ୱ ରଣନୀତି ରହିଛି।ବିଜେଡି ଯେଉଁ ଗଣତନ୍ତ୍ରର ଦ୍ୱାହି ଦେଉଛି, ତାହା କେବଳ ସେମାନଙ୍କର ଏକ ବାହାନା ବୋଲି ସେ କହିଛନ୍ତି।
ଭୟ ଓ ପ୍ରହେଳିକା କରୁଛି ବିଜେଡି: ଅମର ଶତପଥୀ
ଚଳିତ ରାଜ୍ୟସଭା ନିର୍ବାଚନ(Odisha Rajya Sabha election)ରେ କ୍ରସଭୋଟିଂ ଓ ଘୋଡ଼ାବେପାର ଆଦି ଭଳି ଶବ୍ଦ ଏବଂ ବୟାନବାଜିକୁ ନାପସନ୍ଦ କରିଛନ୍ତି ସମ୍ବିଧାନିକ ବିଧିବ୍ୟବସ୍ଥାରେ ଦୀର୍ଘ ଅଭିଜ୍ଞତା ଥିବା ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ। ସେ କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନରେ ଜଣେ ବିଧାୟକ ନିଜର ସ୍ୱାଧୀନ ମତ ରଖିପାରିବେ। ତାଙ୍କ ଉପରେ କୌଣସି ଦଳୀୟ ଅଙ୍କୁଶ ନାହିଁ ତାହା ବିଧିବ୍ୟବସ୍ଥାରେ ସ୍ପଷ୍ଟ ଉଲ୍ଲେଖ ରହିଛି।
ଅତୀତରେ ସଂଖ୍ୟା ନଥାଇ ମଧ୍ୟ ବିଜେଡି ନିର୍ବାଚନ ଜିତିଛି। ଦଳ ନିଷ୍ପତ୍ତି ବିରୁଦ୍ଧରେ ଯାଇ ବିଧାୟକ ମଧ୍ୟ ଭୋଟ୍ ଦେଇପାରିବେ। ବିଧାୟକଙ୍କ ଭୋଟ୍ ଦାନ ଅଧିକାର ବିଧାନସଭାରେ ରଦ୍ଦ ହେବାର କୌଣସି ପ୍ରାବଧାନ ନାହିଁ। ଦଳ ହୁଇପ୍ ଜାରି କରିପାରିବ ନାହିଁ। ଯଦି ବି ଜାରି କରେ ତାହା ହୁଇପ୍ ନୁହେଁ ଆଭ୍ୟନ୍ତରୀଣ ନିର୍ଦ୍ଦେଶନାମା ହେବ। ବିଜେଡି ନେତାମାନେ ସଭ୍ୟପଦ ରଦ୍ଦ ହୋଇଯିବ ବୋଲି ଯାହା କହୁଛନ୍ତି ତାହା କେବଳ ପ୍ରହେଳିକା ସୃଷ୍ଟି ଓ ସେମାନଙ୍କର ଭ୍ରାନ୍ତଧାରଣା। ଏଭଳି କରି ସେମାନେ ନିଜେ ଭୟଭୀତ ଥିବାର ସନ୍ଦେଶ ଦେଉଛନ୍ତି ବୋଲି ଶ୍ରୀ ଶତପଥୀ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us