Advertisment

ହିସାବ ମାଗିଲେ ଯୁବଗୋଷ୍ଠୀ, ହଟହଟା ହେଲେ ଡାବୁଗାଁ ବିଧାୟକ

ପ୍ରଶ୍ନ କରିଥିବା ଯୁବକମାନେ ବିଜେପି ଓ କଂଗ୍ରେସର କର୍ମୀ ବୋଲି କହିଛନ୍ତି ବିଧାୟକ ମନୋହର ରନ୍ଧାରୀ।

author-image
Jitendra Garnayak
MLA Manohar Randhari

MLA Manohar Randhari

ନିଜ ନିର୍ବାଚନ ମଣ୍ଡଳୀରେ କରିଥିବା ଉନ୍ନୟନମୂଳକ କାର୍ଯ୍ୟର ହିସାବ ଦେଇ ନପାରି ହଟହଟା ହୋଇଛନ୍ତି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। ତାହା ପୁଣି ସର୍ବସାଧାରଣରେ। ଆଉ ଏହାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।

Advertisment

ସୂଚନା ଅନୁଯାୟୀ, ଗତ ୨୩ ତାରିଖରେ କୋଷାଗୁମୁଡା ବସଷ୍ଟାଣ୍ଡ ଉଦଘାଟନ ଉତ୍ସବକୁ ଯାଇଥିଲେ ବିଧାୟକ ମନୋହର ରନ୍ଧାରୀ। ଏହି ସମୟରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ବିଭିନ୍ନ ଅଭିଯୋଗ ଆଣିବା ସହ ଗତ ୫ବର୍ଷ ମଧ୍ୟରେ ସେମାନଙ୍କ ଅଞ୍ଚଳରେ MLA ଓ MP LADରେ କ’ଣ ସବୁ ଉନ୍ନତିମୂଳକ କାମ ହୋଇଛି ବୋଲି ବିଧାୟକଙ୍କୁ ପଚାରିଥିଲେ। 

ବିଧାୟକ କହିଥିଲେ ଯେ କାମ ହୋଇଛି। ଫଳକ ମରାଯାଇ ନଥିବାରୁ ଲୋକେ ସେ ବିଷୟରେ ଜାଣିପାରୁ ନାହାନ୍ତି। ଅନ୍ୟମାନେ ଫଳକ ମାରନ୍ତି। କିନ୍ତୁ ସେ ଫଳକ ମାରନ୍ତି ନାହିଁ। ସେ ଏତେ କାମ କରିଛନ୍ତି ଯେ ଉଦ୍‌ଘାଟନ କରିବାକୁ ବି ସମୟ ପାଉ ନାହାନ୍ତି।

Advertisment

ବିଧାୟକଙ୍କ ଏଭଳି ଯୁକ୍ତି ଯୁବକମାନଙ୍କୁ ସନ୍ତୁଷ୍ଟ କରିପାରି ନଥିଲା। ସେମାନେ ଓଲଟି ବିଧାୟକଙ୍କୁ କହିଥିଲେ ଯେ ବିନା ଫଳକରେ କାମ ହୋଇପାରିବ ନାହିଁ। ତା’ପରେ ବିଧାୟକ ହଡ଼ବଡ଼େଇ ଯାଇଥିଲେ ଓ ପରେ ସେଠାରୁ ଚାଲି ଯାଇଥିଲେ।

ଏହି ଭିଡିଓ ଭାଇରାଲ ହେବା ପରେ ବିଧାୟକ ମନୋହର ରନ୍ଧାରୀ କହିଛନ୍ତି, ଯେଉଁମାନେ ସେଦିନ ପ୍ରଶ୍ନ କରୁଥିଲେ ସେମାନେ କଂଗ୍ରେସ ଓ ବିଜେପିର କର୍ମୀ। ବସ୍‌ଷ୍ଟାଣ୍ଡ ହୋଇଥିବାରୁ ସେମାନେ ଖୁସି ବ୍ୟକ୍ତ କରିଥିଲେ। ତେବେ ଆଲୋଚନା ସମୟରେ ସେମାନେ ଅନେକ ପ୍ରଶ୍ନ ଉଠାଇଥିଲେ। ସେମିତି କିଛି ଅପ୍ରୀତିକର ସ୍ଥିତି ସେଠାରେ ଉପୁଜି ନଥିଲା।

ଅନ୍ୟପକ୍ଷରେ ଡାବୁଗାଁର ପୂର୍ବତନ ବିଧାୟକ ଭୁଜବାଳ ମାଝୀ କହିଛନ୍ତି ଯେ MLA ଓ MP LADରେ ଦୁର୍ନୀତି ହୋଇଛି। ସେ (ବିଧାୟକ ମନୋହର ରନ୍ଧାରୀ) ନିଜେ ଏହାକୁ ସ୍ୱୀକାର କରିଛନ୍ତି। ନିୟମ ଅନୁଯାୟୀ, ପ୍ରଥମେ ଫଳକ ଲାଗେ, ତା’ପରେ କାମ ହୁଏ। କିନ୍ତୁ ବିଧାୟକ କହୁଛନ୍ତି ଫଳକ ଲଗାଯିବ ନାହିଁ।

BjD Bjd Mla