Advertisment

ଆରପାରିରେ ଓଡ଼ିଶା ରାଜନୀତିର ମହାଦ୍ରୁମ ଦାମୋଦର ରାଉତ

ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋରରୁ ବରିଷ୍ଠ ବିଜେଡି ନେତା ଦାମ ରାଉତଙ୍କ ପରଲୋକ  ହୋଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Dama Rout

Dama Rout

ଆରପାରିରେ ଓଡ଼ିଶା ରାଜନୀତିର ମହାଦ୍ରୁମ ତଥା ବାକ୍ୟ ବାଣ ଭାବେ ପରିଚିତ ଡାକ୍ତର ଦାମୋଦର ରାଉତ। ୮୩ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଛି। ଆଜି ଭୋର ୫ଟା ୨୩ ମିନିଟରେ ଏହି ବର୍ଷୀୟାନ ନେତାଙ୍କ ପରଲୋକ ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଦୀର୍ଘ ଦିନ ଧରି କିଡନୀଜନିତ ସମସ୍ୟା ସହ ଜୁଝୁଥିବା ଦାମୋଦର ରାଉତ ଗତ ୧୮ ତାରିଖ ବିଳମ୍ବିତ ରାତିରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । ଅକ୍ସିଜେନ୍ ସାଚୁରେସନ କମିବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ଏବଂ ସେଠାରେ ସେ ହୃଦଘାତର ଶିକାର ହୋଇଥିଲେ। ଏହାପରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା ।

ଘରୋଇ ହସ୍ପିଟାଲକୁ ନେବା ଭିତରେ ବ୍ରେନକୁ ବ୍ଲଡ ଓ ଅକ୍ସିଜେନ୍ ସପ୍ଲାଇ କମିଯାଇଥିଲା ବୋଲି କହିଛନ୍ତି ଦାମ ରାଉତଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ। ଘରୋଇ ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କୁ ସିପିଆର୍ ଦିଆଯାଇଥିଲା ଏବଂ ହାର୍ଟ କାର୍ଯ୍ୟକ୍ଷମ ହୋଇଥିଲା। ତେବେ ମସ୍ତିଷ୍କରେ ଗୁରୁତର କ୍ଷତି ହୋଇଥିବାରୁ ସେ ପ୍ରାୟତଃ ବ୍ରେନଡେଡ୍ ସ୍ଥିତିରେ ବୋଲି କହିଥିଲେ ପୁଅ ସମ୍ବିତ ।

Advertisment

ଦାମଙ୍କ ଚିକିତ୍ସା ନିମନ୍ତେ ଡାକ୍ତରୀ ଟିମ୍‌ ନିୟୋଜିତ ହୋଇଥିଲେ। ମାତ୍ର ଶତଚେଷ୍ଟା ସତ୍ତ୍ୱେ ସେ ଆଜି ଭୋରରୁ ଆଖି ବୁଜିଥିବା ଜଣାଯାଇଛି।

ଦାମଙ୍କମ ମରଶରୀରକୁ ଆଜି ପ୍ରଥମେ ୟୁନିଟ ୬ସ୍ଥିତ ସରକାରୀ ବାସଭବନକୁ ଯିବ । ଏହାପରେ ତାଙ୍କୁ ବିଜେଡି କାର୍ଯ୍ୟାଳୟକୁ ନିଆଯିବ । ସେଠାରେ ପାର୍ଟି କାର୍ଯ୍ୟକର୍ତ୍ତା ଦାମଙ୍କ ଶେଷ ଦର୍ଶନ କରିବେ। ଏହାପରେ ମରଶରୀରକୁ ବିଧାନସଭାକୁ ନିଆଯିବ ।  ସେଠାରେ ବିଧାୟକମାନେ ତାଙ୍କ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିବେ।  

ସେଠାରୁ ଦାମଙ୍କ ମରଶରୀରକୁ ପାରାଦୀପ ନିର୍ବାଚନ ମଣ୍ଡଳୀକୁ ନିଆଯିବ । ଏହାପରେ  ରାତିରେ ପୁରୀରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।

 ଦାମ ରାଉତଙ୍କ ରାଜନୈତିକ କ୍ୟାରିଅର

୭ ଥରର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଦାମ ରାଉତ ୧୯୭୭ ମସିହାରେ ପ୍ରଥମ ଥର ପାଇଁ ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୮୦ ମସିହାରେ ଜନତା ଦଳ ସେକୁଲାରରୁ ସେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଥିଲେ ।

 ଏହାପରେ ୧୯୯୫ ମସିହାରେ ପରାଜିତ ହୋଇଥିବା ଦାମ  ୨୦୦୦ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ବିଜୁ ଜନତା ଦଳରୁ ନିର୍ବାଚିତ ହୋଇଥିଲେ । ୫ ଥର ଏରସମା ଓ ୨ ଥର ପାରାଦ୍ୱୀପରୁ ନିର୍ବାଚିତ ହୋଇଥିଲେ ଦାମ । ବିଜୁ ଓ ନବୀନ ସରକାରରେ ୭ରୁ ଅଧିକ ବିଭାଗର ମନ୍ତ୍ରୀ ପଦ ସମ୍ଭାଳି ଥିଲେ ଦାମ ।

୨୦୧୭ ମସିହାରେ ବିଜୁ ଜନତା ଦଳରୁ ବହିଷ୍କାର ହୋଇଥିବା ଦାମ ଏହାପରେ ବିଜେପରେ ଯୋଗଦେଇଥିଲେ । ୨୦୧୯ ମସିହାରେ ବାଲିକୁଦାରୁ ବିଜେପି ଟିକେଟରୁ ଲଢ଼ି ପରାଜୟ ବରଣ କରିଥିଲେ ଦାମ । ଗତ ଜାନୁଆରୀରେ ବିଜେଡି ପକ୍ଷରୁ ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଥିଲା।  

ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତରାଜକୁ ସୁଦୃଢ କରିବାରେ ଦାମ ରାଉତରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ସେ ପଞ୍ଚାୟତିରାଜ ତଥା କୃଷି ବିଭାଗ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ। 

ଦାମ ରାଉତଙ୍କ ବିୟୋଗ ଖବର ପ୍ରଚାରିତ ହେବା କ୍ଷଣି ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ଦାମଙ୍କ ବିୟୋଗରେ ରାଜ୍ୟ ଜଣେ ଦକ୍ଷ ରାଜନେତାଙ୍କୁ ହରାଇଲା ବୋଲି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ସୂଚନା ଦେଇଛନ୍ତି। 

Dama Raout