Advertisment

ସୌମ୍ୟଙ୍କ ସପକ୍ଷରେ ବାହାରିଲେ ଦାମ, କହିଲେ- ଅନୁଭବ ଆତ୍ମସମୀକ୍ଷା କରନ୍ତୁ

ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଚ୍ୟାଲେଞ୍ଜକୁ ନେଇ ଦାମ ରାଉତ କହିଛନ୍ତି, ସେ(ଅନୁଭବ) ଆଗେ ନିଜେ ଆତ୍ମସମୀକ୍ଷା କରନ୍ତୁ। ସେ ଜନ୍ମ ହୋଇଛନ୍ତି ସେଠାରେ।

author-image
Manoranjan Sial
ଅଦ୍ୟତନ ହୋଇଛି
Damodar Rout

Damodar Rout

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ବାହାରିଛନ୍ତି ବରିଷ୍ଠ ରାଜନେତା ଦାମୋଦର ରାଉତ। ଆଉ କହିଛନ୍ତି, ସୌମ୍ୟରଞ୍ଜନ ଯାହା ଲେଖିଛନ୍ତି, ବିଜେଡି ବିଧାୟକ ଭାବରେ ଲେଖିନାହାନ୍ତି। ଜଣେ ସମ୍ପାଦକ ହିସାବରେ ସମ୍ପାଦକୀୟ ଲେଖିଛନ୍ତି। ତେଣୁ ଏହାକୁ ନେଇ ରାଜନୀତି କରିବା ଦରକାର ନାହିଁ। ସେପଟେ ଶ୍ରୀ ରାଉତ, ଅନୁଭବ ପଟ୍ଟନାୟକଙ୍କୁ ଆଇନା ଦେଖାଇଛନ୍ତି। ଅନୁଭବ ନିଜେ ଆତ୍ମସମୀକ୍ଷା କରନ୍ତୁ ବୋଲି ସେ କହିଛନ୍ତି।

Advertisment

ଗଣମାଧ୍ୟକୁ ସୂଚନା ଦେଇ ଦାମୋଦର ରାଉତ କହିଛନ୍ତି, ବିଜେଡିର ଖଣ୍ଡପଡ଼ା ବିଧାୟକ ହେଉଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। କିନ୍ତୁ ସେ ଯେଉଁ ସମ୍ପାଦକୀୟ ଲେଖିଛନ୍ତି, ତାହା ହେଉଛି ସମ୍ୱାଦପତ୍ରର ସମ୍ପାଦକ ହିସାବରେ। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଉଛି ଗଣମାଧ୍ୟମ। ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ହେଉଛି ଗଣମାଧ୍ୟମ। ତେଣୁ ସେ ଗଣମାଧ୍ୟମର ପ୍ରତିନିଧି ହିସାବରେ ସମ୍ପାଦକୀୟ ଲେଖିଛନ୍ତି। ଖଣ୍ଡପଡ଼ା ବିଧାୟକ ଭାବେ ସେ କିଛି ଲେଖିନାହାନ୍ତି ବୋଲି ଶ୍ରୀ ରାଉତ କହିଛନ୍ତି।

ଶ୍ରୀ ରାଉତ କହିଛନ୍ତି, ମନେଥିବ ସ୍ୱର୍ଗତ ରାଧାନାଥ ରଥ ‘ସମାଜ’ ସମ୍ପାଦକ ଓ ଲୋକସେବକ ମଣ୍ଡର ସଭାପତି ରହିଥିଲେ। ତା’ସହ ସେ ଆଠଗଡ଼ର ବିଧାୟକ ଓ ମନ୍ତ୍ରିମଣ୍ଡଳର ସଦସ୍ୟ ମଧ୍ୟ ରହିଥିଲେ। ପ୍ରତି ଶନିବାର ‘ସମାଜ’ରେ ସେ ଲେଖୁଥିଲେ ‘ଝିଟିପିଟି କହେ’। ଶାସନରେ ଚାଲିଥିବା ଦୁର୍ନୀତି, ଭ୍ରଷ୍ଟାଚାର, ପ୍ରାକୃତିକ ବିପର୍ଯ୍ୟୟ ପରେ ଲୋକଙ୍କ ସମସ୍ୟା ସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧି ଭାବେ ସେ ଲେଖୁଥିଲେ। ସେହିପରି ଡକ୍ଟର ହରେକୃଷ୍ଣ ମହତାବ ମଧ୍ୟ ସାଂସଦ ଓ ମୁଖ୍ୟମନ୍ତ୍ରୀ ରହିଥିଲେ। ଆଉ ପ୍ରତି ଗୁରୁବାର ସେ ଲେଖୁଥିଲେ ଗାଁ ‘ମଜଲିସ୍‌’। ଛୋଟ ଛୋଟ ବାକ୍ୟରେ ଲୋକଙ୍କ ସମସ୍ୟା, ଶାସନରେ ଥିବା ଦୁର୍ନୀତି ଭ୍ରଷ୍ଟାଚାର, ଅମଲାତନ୍ତ୍ରର କାରସାଦି ସମ୍ପର୍କରେ ଏମିତି ଢଙ୍ଗରେ ଲେଖୁଥିଲେ ଯେ, ପାଠକଙ୍କ ମନରେ ନିଆଁ ଲାଗି ଯାଉଥିଲା। ଠିକ୍‌ ସେହିପରି ‘ସମ୍ୱାଦ’ର ସମ୍ପାଦକ ଭାବେ ସୌମ୍ୟ ପଟ୍ଟନାୟକ ଯାହା ଲେଖିଛନ୍ତି, ତାକୁ ଯେଉଁ ପାଠକମାନେ ପଢ଼ିବେ, ତାଙ୍କ ମନ ଭିତରକୁ ନେବେ। ତେଣୁ ତାକୁ ରାଜନୈତିକ ଚିତ୍ର ଦେବାର କୌଣସି କାରଣ ନାହିଁ ବୋଲି ଶ୍ରୀ ରାଉତ କହିଛନ୍ତି।

Advertisment

ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଚ୍ୟାଲେଞ୍ଜକୁ ନେଇ ଦାମ ରାଉତ କହିଛନ୍ତି, ସେ (ଅନୁଭବ) ଆଗେ ନିଜେ ଆତ୍ମସମୀକ୍ଷା କରନ୍ତୁ। ସେ ଜନ୍ମ ହୋଇଛନ୍ତି ସେଠାରେ। ସୌମ୍ୟ ପଟ୍ଟନାୟକ କେନ୍ଦୁଝରରେ ଜନ୍ମ ହୋଇ ଖଣ୍ଡପଡ଼ାରେ କାହିଁକି ବିଧାୟକ ହେଲେ? ତେଣୁ ରାଜନୀତି ଓ ସାମ୍ୱାଦିକତା ହେଉଛି ଅଲଗା ଅଲଗା କଥା ବୋଲି ଦାମ ରାଉତ କହିଛନ୍ତି।

ଗୋପାଳପୁର ବିଧାୟକଙ୍କ ସମ୍ପର୍କରେ ପଚାରିବାରୁ ତାତିଗଲେ ଦାମ ରାଉତ। ଆଉ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଶ୍ନବାଣରେ ଘାଇଲା କରିଥିଲେ। କହିଥିଲେ, ଆପଣମାନେ(ସାମ୍ୱାଦିକ) ଗଣମାଧ୍ୟମର ପ୍ରତିନିଧିତ୍ୱ କରୁଛନ୍ତି। ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ। ହେଲେ ସେ ସମ୍ପର୍କରେ ଆପଣମାନେ ନକହି ମୋତେ କାହିଁକି ପଚାରୁଛନ୍ତି? ଆପଣମାନେ ତୁଷ୍ଟିକରଣରେ କାହିଁକି ବ୍ୟସ୍ତ ଅଛନ୍ତି? ଆପଣମାନେ ଯେତେବେଳେ ତୁଷ୍ଟିକରଣରେ ବ୍ୟସ୍ତ ଅଛନ୍ତି, ସେତେବେଳେ ଜଣେ ସାମ୍ୱାଦିକ ସୌମ୍ୟରଞ୍ଜନ ପଟ୍ଟନାୟକ ସାହସ କରି କିଛି କଥା ଲେଖିଛନ୍ତି। ତେଣୁ ଆପଣମାନେ ଆତ୍ମସମୀକ୍ଷା କରନ୍ତୁ, କ’ଣ କରିବା ଉଚିତ ଓ କ’ଣ କରିବା ଅନୁଚିତ ବୋଲି ଶ୍ରୀ ରାଉତ କହିଛନ୍ତି।

ସୂଚନାରୁ ପ୍ରକାଶ, ବିଜେଡିର ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ବ୍ୟାକ୍‌ ଟୁ ବ୍ୟାକ୍‌ ସମ୍ପାଦକୀୟ ଲେଖି ୫-ଟି ସଚିବ ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ବିରୋଧୀ କଂଗ୍ରେସ ଓ ବିଜେପି ସୌମ୍ୟଙ୍କ ଲେଖାକୁ ସମର୍ଥନ କରିଥିବା ବେଳେ ବିଜେଡି ସରକାର ଉପରେ ବର୍ଷିଛନ୍ତି।

BjD Bjd Leader Soumya Ranjan Patnaik Vk Pandian