Advertisment

ସୋମବାର ଧାର୍ଯ୍ୟ ହେବ ଅନାସ୍ଥା ପ୍ରସ୍ତାବ ତାରିଖ, ଉପସ୍ଥିତ ରହିବେ ମୋଦି

ଅଗଷ୍ଟ ୧ ତାରିଖ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ମହରାଷ୍ଟ୍ର ଯିବାର ଅଛି। ତେଣୁ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଓ ଏହାର ଉତ୍ତର ସହ ଭୋଟ ବୁଧବାର ଓ ଗୁରୁବାର ହୋଇପାରେ।

author-image
Hemant Lenka
ଅଦ୍ୟତନ ହୋଇଛି
Lok Sabha

Lok Sabha

କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ବିରୋଧରେ କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବ ଆସନ୍ତା ସପ୍ତାହରେ ଗୃହରେ ଆଗତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଏହି ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରାଯିବ। ସେହିପରି ଏହା ଉପରେ କେଉଁ ଦିନ ଆଲୋଚନା ହେବ, ତା’ର ତାରିଖ ମଧ୍ୟ ସୋମବାର ଧାର୍ଯ୍ୟ କରାଯିବ ବୋଲି ଜଣାପଡ଼ିଛି।

Advertisment

ଅଗଷ୍ଟ ୧ ତାରିଖ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ମହରାଷ୍ଟ୍ର ଯିବାର ଅଛି। ତେଣୁ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଓ ଏହାର ଉତ୍ତର ସହ ଭୋଟ ବୁଧବାର ଓ ଗୁରୁବାର ହୋଇପାରେ। କାରଣ ପ୍ରଧାନମନ୍ତ୍ରୀ ମୋଦି ହିଁ ଆଲୋଚନା ଶେଷରେ ସବୁ ସଦସ୍ୟ ଉଠାଇଥିବା ପ୍ରଶ୍ନର ଉତ୍ତର ଦେବେ। ତେଣୁ ସେ ଗୃହରେ ଉପସ୍ଥିତ ରହିବା ଜରୁରୀ।

ଗୋଟିଏ ରିପୋର୍ଟରେ କୁହାଯାଇଛି ଯେ ବୁଧବାର ଦିନ ୧୨ଟାରୁ ହିଁ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ। ବାଚସ୍ପତି ସବୁ ଦଳର ସଦସ୍ୟଙ୍କୁ ନିଜର ମତ ରଖିବା ପାଇଁ ଉପଯୁକ୍ତ ସମୟ ଦେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। 

Advertisment

ଜୁଲାଇ ୨୦ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ ୧୧ ଯାଏ ଚାଲିବ। ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ବିଲ ଗୃହରେ ଉପସ୍ଥାପନ କରିବାକୁ ନଜର ରଖିଛନ୍ତି। ହେଲେ ମଣିପୁର ହିଂସାକୁ ନେଇ ଗୃହ ଠିକ ଭାବେ ଚାଲି ପାରୁନି। ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ବିବୃତି ରଖୁ ନଥିବାରୁ ବିରୋଧୀ ତାଙ୍କ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି।

ଏହାକୁ ମାତ ଦେବା ପାଇଁ ସରକାରଙ୍କ ପାଖରେ ଆବଶ୍ୟକ ସଂଖ୍ୟା ରହିଛି। ଏକଥା ବିରୋଧୀ ଭଲ ଭାବେ ଜାଣିଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ବିବୃତି ପାଇଁ ବିରୋଧୀ ବାଧ୍ୟ ହୋଇ ଅନାସ୍ଥା ପ୍ରସ୍ତାବ ଆଣିଥିବା କହିଛନ୍ତି।

୫୪୩ ଆସନ ବିଶିଷ୍ଟ ଲୋକସଭାରେ ଏବେ ୫ଟି ଆସନ ଖାଲି ପଡ଼ିଛି। ଫଳରେ ଏଠାରେ ମ୍ୟାଜିକ ନମ୍ବର ହେଉଛି ୨୭୦। ବିଜେପି ପାଖରେ ଏକାକୀ ୩୦୧ ସାଂସଦ ରହିଥିବା ବେଳେ ଏନଡିଏ କଥା ବିଚାରକୁ ନେଲେ ଏହା ୩୩୧ ରହିଛି।

PM Modi Parliament