ବିଜେଡି ନେତା ଦୈତାରିକୁ ଫାଶି ଦିଆଯାଉ, ନହେଲେ ମୁଁ ତାକୁ ହାଣିବି...

ଦିଲ୍ଲୀପ ଓ ତାଙ୍କ ବାପା ପୂର୍ବରୁ ବିଜେଡିରେ ଥିଲେ। ବିଧାୟକ ସୂର୍ଯ୍ୟମଣି ବୈଦ୍ୟଙ୍କ ପାଖ ଲୋକ ଥିଲେ। ଗତ ପଞ୍ଚାୟତ ନିର୍ବାଚନରେ ଦିଲ୍ଲୀପ ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହୋଇଥିଲେ। ତାଙ୍କ ପରାଜୟରେ ବିଧାୟକ ସୂର୍ଯ୍ୟମଣିଙ୍କ ସ୍ୱାମୀ ଦୈତାରିଙ୍କ ହାତ ଥିବା ଅଭିଯୋଗ ହୋଇଥିଲା।

ମୃତ ଦିଲ୍ଲୀପ ଓ ତାଙ୍କ ପତ୍ନୀ

  • Published: Friday, 17 May 2024
  • , Updated: 17 May 2024, 09:20 PM IST

ବିଜେଡି ନେତା ଦୈତାରି ବେହେରାକୁ ଫାଶି ଦିଆଯାଉ। ନହେଲେ ମୁଁ ତାକୁ ମାରିଦେବି...। ସ୍ୱାମୀ ହତ୍ୟାକାଣ୍ଡର ଦୁଇ ଦିନ ପରେ ଛଳ ଛଳ ଆଖିରେ ଆଜି ଏମିତି କହିଛନ୍ତି ମୃତ ଦିଲ୍ଲୀପ ପାହାଣଙ୍କ ପତ୍ନୀ ସାବିତ୍ରୀ। ଦୈତାରି ହେଉଛନ୍ତି ଖଲ୍ଲିକୋଟ ବିଧାୟକ ସୂର୍ଯ୍ୟମଣୀ ବୈଦ୍ୟଙ୍କ ସ୍ୱାମୀ।

ଦିଲ୍ଲୀପ ଓ ତାଙ୍କ ବାପା ପୂର୍ବରୁ ବିଜେଡିରେ ଥିଲେ। ବିଧାୟକ ସୂର୍ଯ୍ୟମଣି ବୈଦ୍ୟଙ୍କ ପାଖ ଲୋକ ଥିଲେ। ଗତ ପଞ୍ଚାୟତ ନିର୍ବାଚନରେ ଦିଲ୍ଲୀପ ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହୋଇଥିଲେ। ତାଙ୍କ ପରାଜୟରେ ବିଧାୟକ ସୂର୍ଯ୍ୟମଣିଙ୍କ ସ୍ୱାମୀ ଦୈତାରିଙ୍କ ହାତ ଥିବା ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ ଦିଲ୍ଲୀପ ଓ ବିଧାୟକଙ୍କ ସ୍ୱାମୀଙ୍କ ମଧ୍ୟରେ ଶିତଳ ଯୁଦ୍ଧ ଚାଲିଥିଲା। ସୂର୍ଯ୍ୟମଣି ପୁଣି ଥରେ ବିଜେଡି ପ୍ରାର୍ଥୀ ହେବା ପରେ ଦିଲ୍ଲୀପ ବିଜେପି ମିଶିଥିଲେ। ସେହି ରାଗରେ ତାଙ୍କୁ ହତ୍ୟା କରାଯାଇଥିବା ଚର୍ଚ୍ଚା ହେଉଛି।

ସ୍ୱାମୀଙ୍କ ହତ୍ୟା ନେଇ ସାବିତ୍ରୀ କହିଛନ୍ତି, ଆଜକୁ ୧୦ରୁ ୧୫ ଦିନ ତଳେ ବିଧାୟକ ପ୍ରାର୍ଥୀ ସୂର୍ଯ୍ୟମଣି ବୈଦ୍ୟ, ତାଙ୍କ ସ୍ୱାମୀ ଦୈତାରୀ ବେହେରା ଓ ସମର୍ଥକ ଆମ ଘରକୁ ଆସିଥିଲେ। ବିଜେଡିକୁ ଫେରି ଆସିବାକୁ ସେମାନେ କହିଥିଲେ। ମାତ୍ର ମୋ ସ୍ୱାମୀ ଓ ଶ୍ୱଶୁର ବିଜେଡିକୁ ଆସିବେ ନାହିଁ ବୋଲି କହିଥିଲେ। ନିର୍ବାଚନରେ ହାରିଯିବା ଭୟରେ ତାଙ୍କୁ ମାରିଦେଲେ। ସେ ବିଜେଡି ଛାଡ଼ି ବିଜେପିକୁ ଆସିବାରୁ ତାଙ୍କୁ ମାରିଦେଲେ ବୋଲି ସାବିତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି, ମୁଁ ଚାହୁଁଛି ଦୈଦାରି ବେହେରାଙ୍କୁ ଫାଶି ଦିଆଯାଉ। ନହେଲେ ଉଚିତ ଦଣ୍ଡ ଦିଆଯାଉ। ତାକୁ ଦଣ୍ଡ ନମିଳିଲେ, ମୁଁ ତାକୁ ହାଣିବି। ମୋର ଆଉ କିଛି ନାହିଁ। ମୋର ସବୁ ସରିଗଲା... ବୋଲି ସାବିତ୍ରୀ କହିଛନ୍ତି।

ସାବିତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦୈତାରି। ସେ କହିଛନ୍ତି, ନିର୍ବାଚନ ସମୟରେ ମୋ ନାଁ ମିଛ ପ୍ରଚାର କରୁଛନ୍ତି। ଯାହାଙ୍କ ମୃତ୍ୟୁ ଘଟିଛି, ସିଏ ଦୀର୍ଘ ଦିନ ଧରି ବିଜେଡିରେ ଥିଲେ। ତାଙ୍କ ମୃତ୍ୟୁରେ ମୁଁ ଦୁଃଖିତ ବୋଲି ଦୈତାରି କହିଛନ୍ତି।

ସୂଚନାରୁ ପ୍ରକାଶ, ବୁଧବାର ରାତିରେ ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁର ଗାଁରେ ବିଜେପି ପୋଷ୍ଟର ମରାକୁ ନେଇ ହୋଇଥିଲା ଗଣ୍ଡଗୋଳ। ବିଜେପି କର୍ମୀ ଦିଲ୍ଲୀପ ପାହାଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ବିଜେଡି କର୍ମୀମାନେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ବୁଧବାର ରାତିରୁ ଗୁରୁବାର ଅପରାହ୍ନ ପର୍ଯ୍ୟନ୍ତ ଅଶାନ୍ତ ହୋଇଥିଲା ଖଲ୍ଲିକୋଟ୍‌। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ପୁଲିସ ୯ ଜଣଙ୍କୁ ଗିରଫ କରିଥିଲା। ହେଲେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି। ତାଙ୍କର ପର୍ତ୍ତା ପାଉନି। ଏହି ଘଟଣାର ଏସ୍‌ଆଇଟି ତଦନ୍ତ ଚାଲିଛି।

ରିପୋର୍ଟ-ଖଲ୍ଲିକୋଟରୁ ଶିଲୁ ବିଶ୍ୱାଳ

Related story