Advertisment

ପାଣ୍ଡିଆନ ଓ ବବିଙ୍କ ସପକ୍ଷରେ ବାହାରିଲେ ଦେବାଶିଷ, ପ୍ରଭାତଙ୍କୁ ନେଇ କହିଲେ ଏମିତି କଥା

‘ପ୍ରଭାତ ବିଶ୍ୱାଳଙ୍କ ପୁଅ ବିଜେଡି ଟିକେଟରେ ନିର୍ବାଚନ ଜିତିଛନ୍ତି। ତଥାପି ସେ ଦଳର ଏପରି ସ୍ଥିତିରେ ସମାଲୋଚନା କରିବା ଏକ ଦୁଃଖଦାୟକ କଥା।’

author-image
Jitendra Garnayak
ଅଦ୍ୟତନ ହୋଇଛି
Debashis and Prabhat

Debashis and Prabhat

ବବି ଓ ପାଣ୍ଡିଆନଙ୍କ ପାଇଁ ତେଜିଲା ଦେବାଶିଷ-ପ୍ରଭାତ କଳି। ବିଜେଡି ହାରିବା ଓ ଦଳର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଥିବା ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସମାଲୋଚନା କରିବା ବାହାନାରେ ପାଣ୍ଡିଆନଙ୍କ ସମର୍ଥନରେ ବାହାରିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ।

Advertisment

ସେ କହିଛନ୍ତି, ପ୍ରଭାତ ବିଶ୍ୱାଳଙ୍କ ପୁଅ ବିଜେଡି ଟିକେଟରେ ନିର୍ବାଚନ ଜିତିଛନ୍ତି। ତଥାପି ସେ ଦଳର ଏପରି ସ୍ଥିତିରେ ସମାଲୋଚନା କରିବା ଏକ ଦୁଃଖଦାୟକ କଥା। ସେ ଟିପ୍ପଣୀ ରଖିଲେ, ପ୍ୟାରୀ ବାବୁଙ୍କୁ ମନେ ପକାଇଲେ। ଅନେକ କଥା କହିଲେ। ପରେ ମିଡିଆରେ ତାଙ୍କ କଥାକୁ ବୁଲେଇ ବଙ୍କେଇ ମୁଁ ଏମିତି କହିନି ସେମିତି କହିନି ବୋଲି କହିଲେ। ପ୍ରଭାତ ବିଶ୍ୱାଳ କିଏ? ସେ ଯଦି ନିଜକୁ ବିଜୁ ଜନତା ଦଳର ନେତା ବୋଲି ଭାବୁଛନ୍ତି ଓ ତାଙ୍କ ପୁଅ ଯଦି ବିଧାୟକ, କାହା ଉପରେ ଟିପ୍ପଣୀ ରଖିବାକୁ ତାଙ୍କୁ କିଏ ଅଧିକାର ଦେଲା? ଯେତେବେଳେ ଦରକାର ପଡ଼ୁଥିଲା ଭି.କେ ପାଣ୍ଡିଆନଙ୍କ ନିକଟକୁ ଦୌଡ଼ୁଥିଲେ। ପ୍ରଣବ ପ୍ରକାଶ ଦାଶଙ୍କ ପାଖକୁ ମଧ୍ୟ ଦୌଡ଼ୁଥିଲେ। ଏବେ କ’ଣ କହୁଛନ୍ତି ପ୍ୟାରୀ ବାବୁଙ୍କ ଲୁହ ପଡ଼ିବ। ଏଥିରୁ ସ୍ପଷ୍ଟ ହେଉଛି, ପ୍ୟାରୀ ବାବୁଙ୍କ ସେହି କାଣ୍ଡ (ମିଡ୍‌ ନାଇଟ୍ ଅପରେସନ)ରେ ଏଇ ବାବୁ ମଧ୍ୟ ନବୀନ ବାବୁଙ୍କ ବିରୋଧରେ ପ୍ରମୁଖ ଭୂମିକା ନେଇଥିଲେ। ଏବେ ଦଳ ନିର୍ବାଚନ ହାରିବା ପରେ ଏମିତି କଥା ସବୁ କହିବା ପଛରେ କାରଣ କ’ଣ ହୋଇପାରେ? ମୋତେ ଲାଗୁଛି, କେଉଁ ବାଟରେ ନା କେଉଁ ବାଟରେ ସେ ସିବିଆଇ କେସ୍‌ରୁ ବଞ୍ଚିବା ପାଇଁ ବିଜେପି ଆଡ଼କୁ ଢଳୁଛନ୍ତି। ଏଇଟା ମୋ ବ୍ୟକ୍ତିଗତ ମତ।

ଦେବାଶିଷ କହିଛନ୍ତି, ପ୍ୟାରୀ ବାବୁ ତାଙ୍କୁ (ପ୍ରଭାତ ବିଶ୍ୱାଳ) ଦଳକୁ ଆଣିଥିଲେ। ସେ ଦଳର ପ୍ରତିଷ୍ଠାତା ସଦସ୍ୟ ନଥିଲେ। ସେ ସ୍ୱାଧୀନ ଭାବେ ବିଜେଡି ବିପକ୍ଷରେ ନିର୍ବାଚନ ଲଢ଼ି ହାରିଥିଲେ। ପରବର୍ତ୍ତୀ ସମୟରେ ଜିତିଥିଲେ। ତା’ପରେ ସେ ଦଳକୁ ଆସିଥିଲେ। ଯଦି ସେ କହୁଛନ୍ତି ଯେ ସେ ପ୍ରତିଷ୍ଠାତା ସଦସ୍ୟ, ତା’ହେଲେ ଭୁଲ କହୁଛନ୍ତି।

Advertisment

ବିଜେଡି ସଂପୂର୍ଣ୍ଣ ଭାବେ ପୋଛି ହୋଇଯାଇନି। ବିଧାନସଭାରେ ଆମର ୫୧ ଜଣ ବିଧାୟକ ଅଛନ୍ତି। ଦଳ ଭିତରେ ଆଲୋଚନା ମଧ୍ୟରେ ପରାଜୟର କାରଣ ସଂପର୍କରେ ନବୀନ ବାବୁ ଜାଣି ସାରିଛନ୍ତି। ଦଳକୁ ପୁଣି କେମିତି ମଜବୁତ କରାଯିବ, ତାହା ତାଙ୍କ ଉପରେ ଛଡ଼ାଯାଇଛି। ପାଣ୍ଡିଆନ ବାବୁ ଯେତେବେଳେ କାମ କରୁଥିଲେ, ସେତେବେଳେ ତାଙ୍କୁ କେହି ନିନ୍ଦା କରି ନଥିଲେ। ଯେଉଁ ରୂପାନ୍ତରୀକରଣ ସେ କଲେ, ରାତି ୩/୪ଟାରୁ ଆସି କଟକ ବଡ଼ ମେଡିକାଲ, ତାଳଦଣ୍ଡା କେନାଲ କାମର ସମୀକ୍ଷା କରୁଥିଲେ, ସେତେବେଳେ ତ ପ୍ରଭାତ ବିଶ୍ୱାଳ କିଛି କହି ନଥିଲେ। ପରାଜୟ ପାଇଁ ବିଜୁ ଜନତା ଦଳର ସଦସ୍ୟଭାବେ ଆମେ ସମସ୍ତେ ଦାୟୀ ବୋଲି ଭାବିବା ଉଚିତ୍। କାହାକୁ ଦୋଷ ଦେଲେ ବିଜୁ ଜନତା ଦଳ ପୁଣି ଫେରିବନି। ଭିକେ ପାଣ୍ଡିଆନ ବୁଲି ବୁଲି ଯେଉଁ ଅଭିଯୋଗ ନେଉଥିଲେ, ୨୪ ଘଣ୍ଟାରେ ସେଗୁଡ଼ିକର ସମାଧାନ ହେଉଥିଲା। ନବୀନ ବାବୁ ସବୁ କାମ କଲେ। କିନ୍ତୁ ତାଙ୍କର (ଭିକେ ପାଣ୍ଡିଆନ) ବହୁତ ସହଯୋଗ ଥିଲା। ପରାଜୟ ପାଇଁ ଭିକେ ପାଣ୍ଡିଆନ ଏକ କାରଣ ନୁହନ୍ତି ବୋଲି କହିଛନ୍ତି ଦେବାଶିଷ। ସେହିଭଳି ଦଳର ପରାଜୟ ପାଇଁ ପ୍ରଣବ ପ୍ରକାଶ ଦାସ ମଧ୍ୟ ଆଦୌ ଦାୟୀ ନୁହନ୍ତି ବୋଲି କହିଛନ୍ତି ସେ। ଭିକେ ପାଣ୍ଡିଆନ ନିର୍ବାଚନର ସମସ୍ତ ନିଷ୍ପତ୍ତି ନେଇଥିଲେ ଓ ଟିକେଟ ବାଣ୍ଟିଥିବା କଥାକୁ ମଧ୍ୟ ଦେବାଶିଷ ଖଣ୍ଡନ କରିଛନ୍ତି।

ଅନ୍ୟପକ୍ଷରେ ଦେବାଶିଷଙ୍କ ଏହି ପ୍ରତିକ୍ରିୟା ଆସିବା ପରେ ପ୍ରଭାତ ବିଶ୍ୱାଳ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦେବାଶିଷ କହିଛନ୍ତି ମୁଁ କିଏ। ମୁଁ କିଏ ବୋଲି ପଚାରିବାର କ୍ଷମତା ତାଙ୍କୁ କିଏ ଦେଇଛି। ଦେବାଶିଷ ବାବୁଙ୍କୁ ବହୁତ କଥା ଜଣା ନାହିଁ। ସେ ବହୁତ କଥା ଜାଣି ନାହାନ୍ତି। ମୁଁ ପାଣ୍ଡିଆନ ବାବୁଙ୍କ ବିରୋଧରେ କିଛି କହି ନାହିଁ। ସରକାର ବିରୋଧୀ ହାୱା କଥା କହିବା କ’ଣ ଭୁଲ୍। ବଂର ଏକଥା ଶୁଣି ସାରା ରାଜ୍ୟରେ ଯେତେ ବିଜୁ ଜନତା ଦଳ କର୍ମୀ ଅଛନ୍ତି, ସେମାନେ ଖୁସି ହେଉଥିବେ। ଯେଉଁମାନେ ପ୍ରକୃତରେ ମେ’ ୨୯ରେ (ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ମିଡ୍‌ ନାଇଟ୍ ଅପରେସନରେ) ଥିଲେ, ସେମାନଙ୍କ ଉପରେ ମୋର ଅଭିମାନ ରହିଛି। ସେମାନେ ଏବେ ଦଳ ଭିତରେ ପ୍ରମୁଖ ଭୂମିକା ନେଉଛନ୍ତି। ସେମାନେ ନିଷ୍ପତ୍ତି ବି ନେଉଛନ୍ତି। ସମୟ ଆସିଲେ ସେ ବିଷୟରେ କହିବି। ଏବେ ସମସ୍ତେ ଦଳ ସୁଧାରିବା ଉପରେ ଚିନ୍ତା କରିବା ଉଚିତ୍। ବିଜେପି ଆଡ଼କୁ ଢଳିବା କଥା ମୋ ମନ ଭିତରେ ନାହିଁ। ସେ ରାଜ୍ୟସଭା ସାଂସଦ ହେଲେଣି। ସେ ଜାଣିବା ଦରକାର ମାମଲାଟିଏ ବିଚାରାଧୀନ ଥିଲେ, ସେଥିରେ କ୍ଷମତା ମଧ୍ୟ କାମ ଦେବ ନାହିଁ।

ସୂଚନାଯୋଗ୍ୟ, କିଛି ଦିନ ତଳେ ବିଜେଡି କର୍ମୀଙ୍କୁ ସମ୍ବୋଧନ କଲା ବେଳେ ଦଳ ହାରିବା ନେଇ ‘ଦଳ ବିରୋଧୀ ହାୱା’ ବଡ଼ ଫ୍ୟାକ୍ଟର ବୋଲି କହିଥିଲେ ପ୍ରଭାତ। ବୈଠକରେ ପାଣ୍ଡିଆନ ଓ ବବିଙ୍କୁ ସମାଲୋଚନା କରିଥିବା ବି ଚର୍ଚ୍ଚା ହୋଇଥିଲା।

Debashish Samantaray Pravat Ranjan Biswal