Advertisment

ଦେବାଶିଷଙ୍କ ଚ୍ୟାଲେଞ୍ଜ, ବ୍ୟାକଫୁଟରେ ଶୃଙ୍ଖଳା କମିଟି: ଶ୍ରୀମୟୀଙ୍କୁ ନିର୍ଯାତନା, ପ୍ରଫୁଲ୍ଲ-ଭାସ୍କରଙ୍କ ସହ ଅନ୍ୟାୟ କରିଛି ଦଳ

‘ପ୍ରଫୁଲ୍ଲ ମଲ୍ଲିକ ଓ ଭାସ୍କର ରାଓଙ୍କ ସହ ଦଳ ଯାହା କରିଛି ତାହା ଠିକ୍ ହୋଇନି । ସେମାନଙ୍କ ପ୍ରତି ଅନ୍ୟାୟ କରାଯାଇଛି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ବିଜେଡି କହିଲେ ଭାସ୍କର ରାଓଙ୍କୁ ବୁଝାଏ । ସେହିପରି ପ୍ରଫୁଲ୍ଲ ମଲ୍ଲିକ ହେଉଛନ୍ତି ସ୍ୱାଧୀନତା ସଂଗ୍ରାମୀ ପରିବାରର ଦାୟାଦ । ପ୍ରଫୁଲ୍ଲ ହାରିଗଲେ କ’ଣ ହେଲା, ନବୀନ ପଟ୍ଟନାୟକ ତ ପୁଣି କଂଟାବାଞ୍ଜିରେ ହାରି ଯାଇଛନ୍ତି । ଉଭୟ ପ୍ରଫୁଲ୍ଲ ଓ ଭାସ୍କରଙ୍କର ଦଳ ପ୍ରତି ବହୁତ ଅବଦାନ ରହିଛି । କିନ୍ତୁ ସେମାନଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ ଆକ୍ସନ ନିଆଗଲା । ପ୍ରଫୁଲ୍ଲଙ୍କୁ ନିନ୍ଦିତ କରି ବୟାନ ଦେଇଥିବା ପ୍ରତାପ ଜେନାଙ୍କର ଜ୍ଞାନ ନାହିଁ । ସେ ପରବର୍ତ୍ତୀ ସମୟରେ ଅନୁତାପ ମଧ୍ୟ କରିଥିବେ ।’

Debasish Samantray

Debasish Samantray

Advertisment

ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ଥମିବାର ନାଁ ଧରୁନି । ଦଳର ବରିଷ୍ଠ ସାଂସଦ ଦେବାଶୀଷ ସାମନ୍ତରାୟ ଆଜି ବିସ୍ଫୋରକ ବୟାନ ଦେବା ସହ ସିଧାସଳଖ ଦଳୀୟ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି । ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ଓ ଏନ୍ ଭାସ୍କର ରାଓଙ୍କ ସମର୍ଥନ ବାହାରି ସେମାନଙ୍କ ପ୍ରତି ଦଳ ଅନ୍ୟାୟ କରିଛି ବୋଲି କହିବାକୁ ପଛାଇ ନଥିବା ଦେବାଶୀଷ ଆଗଧାଡ଼ିର ଦଳୀୟ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଦଳରେ ନିର୍ଯାତନା ଓ ଅପମାନ ଦିଆଯାଇଛି ବୋଲି କହି ବିଜେଡିରେ କମ୍ପନ ସୃଷ୍ଟି କରିଛନ୍ତି । ଆଉ ଦେବାଶୀଷଙ୍କ ଏଭଳି ବୟାନ ପରେ ବ୍ୟାକଫୁଟକୁ ଆସିଛି ଦଳର ଶୃଙ୍ଖଳା କମିଟି ।

Advertisment

କ’ଣ କହିଲେ ଦେବାଶୀଷ, ଦଳୀୟ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ

ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦେବାଶୀଷ ସାମନ୍ତରାୟ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ ପ୍ରଫୁଲ୍ଲ ମଲ୍ଲିକ ଓ ଭାସ୍କର ରାଓଙ୍କ ସହ ଦଳ ଯାହା କରିଛି ତାହା ଠିକ୍ ହୋଇନି । ସେମାନଙ୍କ ପ୍ରତି ଅନ୍ୟାୟ କରାଯାଇଛି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ବିଜେଡି କହିଲେ ଭାସ୍କର ରାଓଙ୍କୁ ବୁଝାଏ । ସେହିପରି ପ୍ରଫୁଲ୍ଲ ମଲ୍ଲିକ ହେଉଛନ୍ତି ସ୍ୱାଧୀନତା ସଂଗ୍ରାମୀ ପରିବାରର ଦାୟାଦ । ପ୍ରଫୁଲ୍ଲ ହାରିଗଲେ କ’ଣ ହେଲା, ନବୀନ ପଟ୍ଟନାୟକ ତ ପୁଣି କଂଟାବାଞ୍ଜିରେ ହାରି ଯାଇଛନ୍ତି । ଉଭୟ ପ୍ରଫୁଲ୍ଲ ଓ ଭାସ୍କରଙ୍କର ଦଳ ପ୍ରତି ବହୁତ ଅବଦାନ ରହିଛି । କିନ୍ତୁ ସେମାନଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ ଆକ୍ସନ ନିଆଗଲା । ପ୍ରଫୁଲ୍ଲଙ୍କୁ ନିନ୍ଦିତ କରି ବୟାନ ଦେଇଥିବା ପ୍ରତାପ ଜେନାଙ୍କର ଜ୍ଞାନ ନାହିଁ । ସେ ପରବର୍ତ୍ତୀ ସମୟରେ ଅନୁତାପ ମଧ୍ୟ କରିଥିବେ ।

ସେହିପରି ଶ୍ରୀମୟୀ ମିଶ୍ରଙ୍କୁ ଖୋଲା ସମର୍ଥନ କରି ଦେବାଶୀଷ କହିଛନ୍ତି ଯେ, “ଶ୍ରୀମୟୀଙ୍କୁ ପ୍ରତି ନିର୍ଯାତନା ଦେଇଛି । ତାଙ୍କୁ ଅପମାନିତ କରିଛି । ଶ୍ରୀମୟୀଙ୍କୁ ସାଂସଦ ପ୍ରାର୍ଥୀ କରିବ କହି ଦଳ ବୁଲାଇଲା । ବିଧାୟକମାନଙ୍କୁ ଡାକି ଶ୍ରୀମୟୀ ସାଂସଦ ପ୍ରାର୍ଥୀ ବୋଲି ପରିଚିତ କରାଇ ପରେ ତାଙ୍କୁ ଟିକେଟ୍ ଦେଲାନି । ତେଣୁ ଶ୍ରୀମୟୀଙ୍କ କ୍ଷୋଭ ରହିବା ସ୍ୱାଭାବିକ । ସେ ଯାହା ଲେଖୁଛନ୍ତି ତାହା ସମ୍ପୂର୍ଣ୍ଣ ଠିକ୍ ବୋଲି ଦେବାଶୀଷ କହିଛନ୍ତି ।”

Advertisment

ତେବେ ଦେବାଶୀଷ ଏଭଳି ପ୍ରତିକ୍ରିୟା ଦେଇ ସିଧାସଳଖ ଦଳୀୟ ନିଷ୍ପତ୍ତି ଉପରେ ଅଙ୍ଗୁଳି ଉଠାଇଛନ୍ତି । କ୍ଷୋଭ ଓ ଅଭିଯୋଗ ନଶୁଣି କାର୍ଯ୍ୟାନୁଷ୍ଠାନ ନେବାକୁ ନାପସନ୍ଦ କରି ଦେବାଶୀଷ ସିଧାସଳଖ ପ୍ରଫୁଲ୍ଲ ମଲ୍ଲିକଙ୍କୁ ନିଲମ୍ବନ ନିଷ୍ପତ୍ତିକୁ ଭୁଲ୍ କହି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛନ୍ତି ।

ବ୍ୟାକଫୁଟରେ ଦଳୀୟ ଶୃଙ୍ଖଳା କମିଟି

ଦଳର ଶୃଙ୍ଖଳା କମିଟି ସଦସ୍ୟ ଶାରଦା ପ୍ରସାଦ ଜେନା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ଦେବାଶୀଷ ସାମନ୍ତରାୟ ଦଳର ଜଣେ ବରିଷ୍ଠ ସଦସ୍ୟ, ତାଙ୍କ ସମ୍ପର୍କରେ ଦଳ ନିଷ୍ପତ୍ତି ନେବ ।” ମାତ୍ର ଶୃଙ୍ଖଳା କମିଟିର ସଦସ୍ୟ ଭାବେ ଶ୍ରୀ ଜେନା ଗତକାଲି ଗଣମାଧ୍ୟମରେ ଲମ୍ବାଚଉଡ଼ା ବୟାନବାଜି କରି କହିଥିଲେ ଯେ, “ଦଳରେ ଯେଉଁମାନେ ବିଶୃଙ୍ଖଳା କରୁଛନ୍ତି ତାହା ଉପରେ ଶୃଙ୍ଖଳା କମିଟି ନଜର ରଖିଛି । ଠିକ୍ ସମୟରେ ଉପଯୁକ୍ତ ପଦକ୍ଷେପ ନିଆଯିବ । ଶ୍ରୀମୟୀ ମିଶ୍ର ଯାହା କରୁଛନ୍ତି ତାହା ଠିକ୍ ନୁହେଁ । ଶ୍ରୀମୟୀ ହୁଅନ୍ତୁ କି ଅନ୍ୟ ଯିଏ ସେମାନଙ୍କର ଗତବିଧି ଉପରେ ଶୃଙ୍ଖଳା କମିଟି ନଜର ରଖାଯାଇଛି ।”

ତେବେ ୨୪ଘଣ୍ଟା ନପୁରୁଣୁ ଶୃଙ୍ଖଳା କମିଟି ସଦସ୍ୟ ଶ୍ରୀ ଜେନାଙ୍କ ଏଭଳି ୟୁଟର୍ଣ୍ଣ ହିଁ ଶୃଙ୍ଖଳା କମିଟିକୁ ବ୍ୟାକଫୁଟକୁ ନେଇଯାଇଛି । ଦଳର ଶୃଙ୍ଖଳା କମିଟି କେବଳ ଗୋଟିଏ ଦନ୍ତହୀନ ଓ ମେରୁଦଣ୍ଡବିହୀନ ବୋଲି ଶ୍ରୀ ଜେନାଙ୍କ କଥାରୁ ଏକରକମ ସ୍ପଷ୍ଟ ହୋଇଯାଇଛି ।  ଶୃଙ୍ଖଳା କମିଟିରେ ପାଣ୍ଡିଆନପନ୍ଥୀ ଓ ଦଳଡ଼ିଆଁ କନିଷ୍ଠ ନେତାମାନଙ୍କୁ ସ୍ଥାନ ମିଳିଥିବାରୁ ସେହି କମିଟିକୁ ଦଳୀୟ ନେତାମାନେ ବିଶେଷ ଗୁରୁତ୍ୱ ଦେଉନଥିବା ଜଣାପଡ଼ିଛି । ତେବେ ଦେବାଶୀଷଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ପ୍ରମିଳା ମଲ୍ଲିକ ତାଙ୍କୁ କ୍ଷମତାଲୋଭୀ ବୋଲି କହିବାକୁ ପଛାଇନାହାନ୍ତି ।

ଶ୍ରୀମୟୀଙ୍କ ସପକ୍ଷରେ ବାହାରିଲେ କର୍ପୋରେଟର

ବିଜେଡିର ଭୁବନେଶ୍ୱର କର୍ପୋରେଟର ଅଜିତ୍ ବେହେରା ଆଜି ଗଣମାଧ୍ୟମରେ ଖୋଲାଖୋଲି ଭାବେ ଶ୍ରୀମୟୀଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ସେ କହିଛନ୍ତି ଯେ, ଦଳର ତତକାଳୀନ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନିର୍ଦ୍ଦେଶରେ ଶ୍ରୀମୟୀ ମିଶ୍ରଙ୍କୁ ଦଳର ସାଂସଦ ପ୍ରାର୍ଥୀ ଭାବେ ଘରକୁ ଘର ବୁଲାଇ ପ୍ରଚାର କରିଥିଲୁ । ଉପରୁ ନିର୍ଦ୍ଦେଶ ଥିବା ଅଶୋକ ପଣ୍ଡା କହିଥିଲେ । ଆମେ ତାଙ୍କ ପାଇଁ କଠିନ ପରିଶ୍ରମ ମଧ୍ୟ କରିଥିଲୁ । କିନ୍ତୁ ପରେ ତାଙ୍କ ବଦଳରେ ଅନ୍ୟଜଣକୁ ଟିକେଟ୍ ଦିଆଗଲା । ଯାହାର ପ୍ରଭାବ ନିର୍ବାଚନ ଫଳାଫଳ ଉପରେ ପଡ଼ିଲା । ଶ୍ରୀମୟୀଙ୍କ ମନରେ ଅସନ୍ତୋଷ ରହିବା ସ୍ୱାଭାବିକ । ପ୍ରମିଳା ମଲ୍ଲିକ, ସ୍ନେହାଙ୍ଗିନୀ ଛୁରିଆଙ୍କ ଭଳି ନେତାମାନେ କହୁଛନ୍ତି ଶ୍ରୀମୟୀ କାହା ନାଁ ନେଇ କିଛି କହିନାହାନ୍ତି ସେ ବିଜେପିକୁ କହୁଛନ୍ତି । କିନ୍ତୁ ଦଳର ଜଣେ କର୍ମୀ(ମନ୍ମଥଙ୍କୁ ଆକ୍ଷେପ କରି) କହୁଛନ୍ତି ଯେ, ତାଙ୍କ ପାଖରେ କ’ଣ ଭିଡିଓ ଅଛି । ଭିଡିଓ କଥା କହି ବ୍ଲାକମେଲ୍ କରୁଛନ୍ତି । ଘରଭଙ୍ଗା କଥା କହୁଛନ୍ତି । ନବୀନ ପଟ୍ଟନାୟକଙ୍କ ଇମେଜକୁ ନଷ୍ଟ କରୁଛନ୍ତି ବୋଲି ଶ୍ରୀ ବେହେରା କହିଛନ୍ତି ।

ଏସବୁ ବୟାନବାଜି ଭିତରେ ବିଜେଡିରେ ସାଂଗଠନିକ ଅରାଜକତା ଏବେ ଦଳକୁ ବିଭାଜନ ଆଡ଼େ ଟାଣି ନେଉଛି ବୋଲି ସାଧାରଣରେ ଚର୍ଚ୍ଚା ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe