ବିଜେଡିର ୨୪ବର୍ଷର ନିରଙ୍କୁଶ ଶାସନର ପତନ ହେଲା ତଥାପି ଦଳ ଚେତିବାର ନାଁ ଧରୁନି । ଦଳର ବିପର୍ଯ୍ୟୟ ପରେ କର୍ମୀ ଓ ନେତାମାନଙ୍କ ମଧ୍ୟରେ ବଢ଼ୁଥିବା ଆକ୍ରୋଶ ଓ ଅସନ୍ତୋଷକୁ ଏଡ଼ାଇବା ତଥା ସାଂଗଠନିକ କାର୍ଯ୍ୟ ବୁଝିବା ପାଇଁ ବିଜେଡି ଗତ ଅଗଷ୍ଟ ୫ରେ ଯେଉଁ ସମନ୍ୱୟ କମିଟି ଗଢ଼ିଥିଲା ତାହା ଏବେ ସମ୍ପୂର୍ଣ୍ଣ ପଙ୍ଗୁ ପାଲଟିଯାଇଛି । ନିଜର ରାଜନୀତିକ ଅସ୍ତିିତ୍ୱ ବଂଚାଇବା ଓ ତୁଷ୍ଟୀକରଣ ନୀତି ଯୋଗୁ ବରିଷ୍ଠ ନେତା ଦେବୀ ମିଶ୍ର ଏହି କମିଟିକୁ ଉଦ୍ଦେଶ୍ୟମୂଳକ ଭାବେ ପଙ୍ଗୁ କରିଦେଇଥିବା ଚର୍ଚ୍ଚା ହେଉଛି । ବିଗତ ୨ମାସ ମଧ୍ୟରେ ଏହି କମିଟିର ବୈଠକ ମାତ୍ର ଥରେ(ଅଗଷ୍ଟ ୮ରେ) ବସିବା ସମ୍ଭବପର ହୋଇଛି । କେବଳ ସେତିକି ନୁହେଁ ଦଳର ଜିଲ୍ଲାସ୍ତରର ନେତାମାନଙ୍କୁ ଶଙ୍ଖଭବନକୁ ଡାକି ଯେଉଁ ସମୀକ୍ଷା ବୈଠକ କରାଯାଉଛି ସେଥିରେ କର୍ମୀ-ନେତାମାନେ ଯଦି ମୁହାଁମୁହିଁ ହେଉଛନ୍ତି ସେଠାରେ ଉପସ୍ଥିତ ଥିବା ଦେବୀ ସେମାନଙ୍କୁ ବୁଝାସୁଝା କରିବା ପରିବର୍ତ୍ତେ ‘ଇଚ୍ଛା ହେଲେ ଦଳରେ ରୁହ ନଚେତ୍ ଛାଡ଼ି ପଳାଅ’ ବୋଲି କହି ଅଧିକ ଉସକାଉଥିବା ଜଣାପଡ଼ିଛି । ନିର୍ବାଚନ ବିପର୍ଯ୍ୟୟ ପାଇଁ ଦଳର ବ୍ଲକଠୁ ରାଜ୍ୟସ୍ତର ପର୍ଯ୍ୟନ୍ତ ନେତାମାନେ ଭିକେ ପାଣ୍ଡିଆନ ଓ ତାଙ୍କ ଖାସ୍ ଅନୁଗତ ପ୍ରଣବପ୍ରକାଶ ଦାସ(ବବି)ଙ୍କୁ ଦାୟୀ କରୁଥିବାବେଳେ ଦେବୀ କିନ୍ତୁ ଏହି ଦୁଇଜଣଙ୍କୁ ସନ୍ତୁଷ୍ଟ କରିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରୁନଥିବା ଚର୍ଚ୍ଚା ହେଉଛି ।
ସୂଚନା ଅନୁସାରେ, ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୫ମାସ ବିତିଯିବା ପରେ ମଧ୍ୟ ବିପର୍ଯ୍ୟୟର ସମୀକ୍ଷା ପାଇଁ କମିଟି ଗଢ଼ିବାରେ ବିଫଳ ହୋଇଥିବା ବିଜେଡି ଏବେ ତୀବ୍ର ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ ମଧ୍ୟ ଦେଇ ଗତି କରୁଛି । ଦଳକୁ ସଜାଡ଼ିବା ପାଇଁ ପ୍ରୟାସ ହେବା ପରିବର୍ତ୍ତେ ଦଳ ଏବେ ବିଭାଜନ ଆଡ଼କୁ ମୁହାଁଇବାରେ ଲାଗିଛି । ବିଶେଷକରି ଦେବୀ ମିଶ୍ରଙ୍କ ଭଳି ବରିଷ୍ଠ ନେତାମାନଙ୍କୁ ନେଇ ଗଠିତ ୧୫ଜଣିଆ ସମନ୍ୱୟ କମିଟିକୁ ଜାଣିଶୁଣି ପଙ୍ଗୁ କରିଦିଆଯାଇଥିବାରୁ ଦଳର ନେତାମାନେ ନିଜର ମତ ରଖିବା ଓ ସଂଗଠନକୁ ଅଧିକ ସକ୍ରିୟ କରିବା ପାଇଁ କାର୍ଯ୍ୟକ୍ରମ ହାତକୁ ନେବାରେ ବିଫଳ ହେଉଛନ୍ତି । ଏପରିକି ସଦସ୍ୟ ଥିବା ନେତାମାନେ ସମନ୍ୱୟ କମିଟି ବୈଠକ ଡାକିବାକୁ ବାରମ୍ବାର ଅନୁରୋଧ କରଉଥିଲେ ମଧ୍ୟ ଦେବୀ କାହିଁକି ଏହି ‘ସମନ୍ୱୟ କମିଟି’ର ବୈଠକ ଡାକୁନାହାନ୍ତି ଓ ସାଂଗଠନିକ ପ୍ରସଙ୍ଗରେ ଅନ୍ୟ ସଦସ୍ୟମାନଙ୍କ ସହ ବିଚାରବିମର୍ଶ କରୁନାହାନ୍ତି ତାକୁ ନେଇ ଏବେ ଦଳୀୟ ମହଲରେ ଚାଂଚଲ୍ୟକର ତଥ୍ୟ ପଦାକୁ ଆସିଛି ।
ଚର୍ଚ୍ଚା ହେଉଛି, ଦେବୀ ମିଶ୍ର ଏବେ ଅସ୍ଥାୟୀ ମୁଖିଆ ହୋଇ ବିଜେଡିକୁ ଭିକେ ପାଣ୍ଡିଆନ ଓ ତାଙ୍କ ଖାସ୍ ପ୍ରଣବପ୍ରକାଶ ଦାସ(ବବି)ଙ୍କ ହାତରେ ପୁଣିଥରେ ଟେକି ଦେବାକୁ ମସୁଧା କରୁଛନ୍ତି । ଦେବୀ ନିଜେ ପ୍ରାୟ ୨୩ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାଜିତ ହୋଇଥିବାରୁ ରାଜନୀତିକ ଅସ୍ତିତ୍ୱ ସଙ୍କଟ ମଧ୍ୟ ଦେଇ ଗତିକରୁଛନ୍ତି । ଆଉ ଦଳରେ ମିଳିଥିବା ଦାୟିତ୍ୱକୁ ତୁଲାଇବା ପାଇଁ ସେ ପାଣ୍ଡିଆନ-ବବିଙ୍କ ତୁଷ୍ଟୀକରଣରେ ଲିପ୍ତ ରହିବାକୁ ଏକରକମ ବାଧ୍ୟ ହେଉଥିବା ଜଣାପଡ଼ିଛି । ତେବେ ଦଳର ଅଧିକାଂଶ ବରିଷ୍ଠ ନେତା ପୁଣିଥରେ ପାଣ୍ଡିଆନ-ବବିଙ୍କ ହାକିମାତିକୁ ହଜମ କରିବା ମୁଡରେ ନଥିବାରୁ ଦେବୀ ଜାଣିଶୁଣି ଏହି ସମନ୍ୱୟ କମିଟି ବୈଠକ ଡାକୁନଥିବା ଚର୍ଚ୍ଚା ହେଉଛି ।
କେବଳ ସେତିକି ନୁହେଁ, ଶଙ୍ଖଭବନରେ ଜିଲ୍ଲାସ୍ତରର ଯେଉଁସବୁ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି ସେଥିରେ ଦେବୀ ଅଧ୍ୟକ୍ଷତା କରୁଛନ୍ତି । ଦଳୀୟ ସାଂଗଠନିକ ସ୍ଥିତି ଓ ନିର୍ବାଚନ ପରାଜୟ ଆଦି କାରଣ ପାଇଁ ଏହି ସମୀକ୍ଷା ବୈଠକରେ ଦଳର ନେତାମାନେ ପରସ୍ପରକୁ ଦୋଷାରୋପ କରିବା ସହ ଉଚ୍ଚବାଚ ମଧ୍ୟ ହେଉଛନ୍ତି । ଯାହାକୁ ସେଠାରେ ଉପସ୍ଥିତ ବରିଷ୍ଠ ନେତା ଦେବୀ ମିଶ୍ର ସମାଧାନ ପାଇଁ ପ୍ରୟାସ କରିବା ପରିବର୍ତ୍ତେ ସେମାନଙ୍କୁ ଦଳ ଛାଡ଼ି ପଳାଇବାକୁ ଉସକାଉଛନ୍ତି । ‘ଚୁପଚାପ ବସ ନଚେତ୍ ଇସ୍ତଫା ଦେଇ ଦଳ ଛାଡ଼ି ପଳାଅ’ ବୋଲି ପୁରୁଣା ନେତା-କର୍ମୀମାନଙ୍କୁ କହିବାକୁ ଦେବୀ ପଛାଉନାହାନ୍ତି । ଯାହାକି ନେତା-କର୍ମୀମାନଙ୍କ ମଧ୍ୟରେ ଥିବା ଅସନ୍ତୋଷ ଓ ଆକ୍ରୋଶକୁ ଅଧିକ ବଢ଼ାଇବାରେ ଲାଗିଛି । ଜିଲ୍ଲାଗୁଡ଼ିକର ସମୀକ୍ଷା ବୈଠକରେ ଦେବୀ ଏଭଳି ବଡ଼ ପାଟିରେ କହିଥିବାର ଦଳୀୟ ସୂତ୍ରରୁ ସୂଚନା ମିଳିଛି ।
ଅନ୍ୟପକ୍ଷରେ ଦେବୀଙ୍କ ଅଧ୍ୟକ୍ଷତାରେ ଗଠିତ ୧୫ଜଣିଆ ସମନ୍ୱୟ କମିଟିକୁ ସହଯୋଗ କରିବା ପାଇଁ ସେପ୍ଟେମ୍ବର ୨୭ରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଉପଦେଷ୍ଟା କମିଟି, ଅତନୁ ସବ୍ୟସାଚୀଙ୍କ ନେତୃତ୍ୱାଧୀନ ସଦସ୍ୟତା ଅଭିଯାନ କମିଟି ଓ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱାଧୀନ କାର୍ଯ୍ୟକ୍ରମ କାର୍ଯ୍ୟକାରିତା କମିଟି ଗଢ଼ାଯାଇଛି ତାହା ବି କୋମାକୁ ଯିବାରେ ଲାଗିଛି । ଏସମସ୍ତ କମିଟିକୁ ସକ୍ରିୟ କରିବା ଦିଗରେ ଦେବୀ ଆନ୍ତରିକତା ଦେଖାଉନଥିବା ତଥା ନିଜର ତୁଷ୍ଟୀକରଣ ଆଭିମୁଖ୍ୟ ପାଇଁ ଦଳୀୟ ନେତାମାନଙ୍କ ମଧ୍ୟରେ ବି ତାଙ୍କର ଗ୍ରହଣୀୟତା କମିବାରେ ଲାଗିଥିବା ଜଣାପଡ଼ିଛି ।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅପାରଗତା ଓ ପାଣ୍ଡିଆନ ପ୍ରୀତି ଯୋଗୁ ଦଳ ତୃଣମୂଳସ୍ତରରେ ଦ୍ରୁତଗତିରେ ଭୁଶୁଡ଼ିବାରେ ଲାଗିଥିବାବେଳେ ଦେବୀ ମିଶ୍ରଙ୍କ ଏଭଳି ତୁଷ୍ଟୀକରଣ ନୀତି ଦଳକୁ ତଳିତଳାନ୍ତ କରୁଥିବା ଚର୍ଚ୍ଚା ହେଉଛି । ନବୀନଙ୍କ ଅପାରଗତା ଆଉ ଦେବୀଙ୍କୁ ମୋହରା କରି ପାଣ୍ଡିଆନ-ବବି ଯୋଡ଼ି ଏବେ ପୁଣିଥରେ ଦଳ ଉପରେ ନିଜର ଆଧିପତ୍ୟ ଜାହିର କରିବାରେ ଲାଗିଛନ୍ତି । ଆଉ ବିଜେଡି ନିଜର ପୁରୁଣା ଫର୍ମାଟକୁ ଫେରୁଥିବାରୁ ଦଳରେ କନ୍ଦଳ ଦିନକୁ ଦିନ ଅଧିକ ଉଗ୍ର ହେବାରେ ଲାଗିଥିବା ଜଣାପଡ଼ିଛି ।