ଝାରସୁଗୁଡ଼ାରେ ଦୀପାଳି ମାରିଲେ ବାଜି

୪୮ ହଜାରରୁ ଅଧିକ ଭୋଟରେ ଜିତିଲେ ଦୀପାଳି।

ଦୀପାଳି ଦାସ

  • Published: Saturday, 13 May 2023
  • , Updated: 13 May 2023, 01:20 PM IST

ଆସିଲା ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ। ବାଜି ମାରିଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଟଙ୍କଧର ତ୍ରିପାଠୀଙ୍କୁ ୪୮, ୭୨୧ ଖଣ୍ତ ଭୋଟରେ ପରାସ୍ତ କରିଛନ୍ତି।   

ଦୀପାଳିଙ୍କୁ ୧ ଲକ୍ଷ ୭ହଜାର ୧୯୮ ଖଣ୍ଡ ଭୋଟ ମିଳିଥିବା ବେଳେ ଟଙ୍କଧରଙ୍କୁ ୫୮ ହଜାର ୪୭୭ ଖଣ୍ଡ ଭୋଟ ମିଳିଛି। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମାତ୍ର ୪୪୯୬ଖଣ୍ଡ ଭୋଟ ମିଳିଛି।

ଆଜି ମୋଟ ୧୯ ରାଉଣ୍ଡ ଗଣତି ହୋଇଥିବା ବେଳେ ପ୍ରଥମ ରାଉଣ୍ଡରୁ ହିଁ ଦୀପାଳି ଆଗରେ ରହିଥିଲେ। ରାଉଣ୍ଡ ପରେ ରାଉଣ୍ଡ ଗଣତି ହେବା ସହିତ ପ୍ରତିଦ୍ୱନ୍ଦ୍ୱିଙ୍କ ଠାରୁ ଦୀପାଳିଙ୍କ ଭୋଟ ବ୍ୟବଧାନ ସଂଖ୍ୟା ବଢ଼ି ଚାଲିଥିଲା। ଆଉ ଶେଷରେ ସେ ୪୮ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ।

ସେହିପରି ଏହି ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଓଡ଼ିଶା ପ୍ରଗତି ଦଳର ପ୍ରାର୍ଥୀ ଜନ୍ମ ରୋହିଦାସ ୭୧୭ ଖଣ୍ଡ ଭୋଟ ପାଇଥିବା ବେଳେ ଓଡ଼ିଶା ଜନତା ପାର୍ଟିର ମନୀଷ ଶର୍ମା ୨୮୬, କଳିଙ୍ଗ ସେନାର ମହେନ୍ଦ୍ର ପଟ୍ଟନାୟକ ୪୨୮, ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ଜଲାନ ୪୫୪, ମହେନ୍ଦ୍ର ଲୁହା ୮୩୦ ଓ ଜ୍ଞାନେନ୍ଦ୍ର ବେହେରା ୯୭୨ ଖଣ୍ଡ ଭୋଟ୍ ପାଇଛନ୍ତି। ନୋଟାରେ ୨୦୭୪ ଖଣ୍ଡ ଭୋଟ ପଡ଼ିଛି।

ଦୀପାଳିଙ୍କ ବାପା ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗତ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗରରେ ଗୁଳି କରି ହତ୍ୟା କରାଯିବା ପରଠୁ ଝାରସୁଗୁଡ଼ା ବିଧାନସଭା ଆସନ ଖାଲି ପଡ଼ିଥିଲା।

୨୦୧୯ ନିବାଚନରେ ଦୀପାଳିଙ୍କ ବାପା ନବ କିଶୋର ଦାସ ଏହି ଆସନରେ ୪୫ ହଜାରରୁ ଅଧିକ ଭୋଟରେ ବିଜେପି ପ୍ରାର୍ଥୀ ଦୀନେଶ କୁମାର ଜୈନଙ୍କୁ ପରାସ୍ତ କରିଥିଲେ। ସ୍ୱର୍ଗତ ନବ କିଶୋର ଦାସ ୯୮,୬୨୦ ଖଣ୍ଡ ଭୋଟ୍ ପାଇଥିବା ବେଳେ ଦୀନେଶ ଜୈନ ୫୨,୯୨୧ ଖଣ୍ଡ ଭୋଟ ପାଇଥିଲେ। ସେତେବେଳେ କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାଏକ ୧୮,୮୨୩ ଖଣ୍ଡ ଭୋଟ ପାଇଥିଲେ। କିନ୍ତୁ ଏଥର କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ୫ ହଜାର ଭୋଟ୍ ମଧ୍ୟ ପାଇଲେ ନାହିଁ। ଗତ ଥର ଠାରୁ କଂଗ୍ରେସ ଖାତାରେ ଏଥର ୧୪,୩୨୭ ଖଣ୍ଡ ଭୋଟ ପଡ଼ିବ। 

Related story