କିଟ୍ ବିଶ୍ୱବିଦ୍ୟାଳୟ ନେପାଳୀ ଛାତ୍ରୀମୃତ୍ୟୁଜନିତ ଘଟଣାରେ କ୍ରମାଗତ ଭାବେ ଓଡ଼ିଶା ନିନ୍ଦିତ ହେବାରେ ଲାଗିଛି । ନିରପେକ୍ଷ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନରେ ବିଳମ୍ବକୁ ନେଇ ନେପାଳରେ ବିଭିନ୍ନ ସଂଗଠନ ଓ ରାଜନୀତିକ ଦଳଗୁଡ଼ିକ ତୀବ୍ର ବିରୋଧ କରିବାରେ ଲାଗିଛନ୍ତି। ଏପରିକି ନେପାଳ ବିଦେଶ ମନ୍ତ୍ରୀ ଡଃ ଆରଜୁ ରାଣା ଦେଉବା ସିଧାସଳଖ ନେପାଳୀ ଛାତ୍ରଛାତ୍ରୀଙ୍କ ପ୍ରତି ଦୁର୍ବ୍ୟବହାର କରିଥିବା କିଟ୍ ପଦାଧିକାରୀ ଓ କର୍ମଚାରୀଙ୍କୁ ସ୍ଥାୟୀ ଭାବେ ଚାକିରିରୁ ବରଖାସ୍ତ ପାଇଁ ଦାବି କରିସାରିଛନ୍ତି । ମାତ୍ର ଏସବୁ ଦାବିକୁ କିଟ୍ କର୍ତ୍ତୃପକ୍ଷ ବାଏଁବାଏଁ ଉଡ଼େଇ ଦେଇଛନ୍ତି । ଆଉ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ଯାଂଚ କମିଟି ମଧ୍ୟ ତଦନ୍ତ ଆଳରେ ଦିନ ଗଡ଼ାଇବାରେ ଲାଗିଛି, ଯାହା କିଟକୁ ମଧ୍ୟ ସୁହାଇଛି । କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରଛାତ୍ରୀଙ୍କ ସହ ଅତ୍ୟାଚାର ଓ ମାରପିଟ୍ ଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ନେଇ ୟୁଜିସି୍ କର୍ତ୍ତୃପକ୍ଷ ରିପୋର୍ଟ ତଲବ କରିଛନ୍ତି । ଆଉ ଏପଟେ କଂଗ୍ରେସ ଆଜି ସିଧାସଳଖ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ଓଡ଼ିଶାର ଅସ୍ମିତା ରକ୍ଷା କରିବାରେ ସରକାର ବିଫଳ ହୋଇଥିବା କହିଛନ୍ତି । କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କ ଯାଂଚ କମିଟିର ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ବ୍ୟକ୍ତ କରିଥିଲା । ରାଜ୍ୟ ସରକାରଙ୍କ ଯାଂଚ କମିଟି ୨୧ତାରିଖରେ କିଟ୍ ପଦାଧିକାରୀଙ୍କୁ ହାଜର ହେବାକୁ ଡାକିଥିବାବେଳେ ପୁଣି ଆଉ ୬ଜଣଙ୍କୁ ୨୭ତାରିଖରେ ହାଜର ପାଇଁ ସମୟ ନେଇଛି । କିନ୍ତୁ ତଦନ୍ତ ଆଳରେ ଯାଂଚ କମିଟି ଯେତିକି ଦିନ ଗଡ଼ାଉଛି ମେଧାବୀ ନେପାଳୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସେତେ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ସେମାନଙ୍କ ମନରେ ବିଶ୍ୱାସ ଜନ୍ମ କଲା ଭଳି ମାହୋଲ ପ୍ରସ୍ତୁତ ଦିଗରେ ଯାଂଚ କମିଟି ଫେଲ୍ ମାରିଛି ଓ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ମଧ୍ୟ ବିରୋଧୀ ଦଳ କଡ଼ା ସମାଲୋଚନା କରିବା ଆରମ୍ଭ କରିଦେଇଛି । ନେପାଳର ମୋଟ ୧୧୬୯ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୧୮୨ଜଣ ଏପର୍ଯ୍ୟନ୍ତ କିଟ୍ କ୍ୟାମ୍ପସକୁ ଫେରିଛନ୍ତି ଓ ବାକି ୯୮୭ଜଣଙ୍କ ଫେରିବାକୁ ନେଇ ଆଶଙ୍କା ଲାଗି ରହିଛି ।
କିଟ୍ କ୍ୟାମ୍ପସକୁ ଫେରିଛନ୍ତି ମାତ୍ର ୧୮୨ଜଣ ନେପାଳୀ ଛାତ୍ରଛାତ୍ରୀ
କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଏଭଳି ବର୍ବୋରୋଚିତ କାଣ୍ଡ ଭିଆଇଥିବା କିଟ୍ କର୍ତ୍ତୃପକ୍ଷ ଏବେବି ନେପାଳୀ ଛାତ୍ରଛାତ୍ରୀମାନଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି । ନେପାଳରେ ଓଡ଼ିଶା ନିନ୍ଦିତ ହେଉଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପ୍ରୋ-ଆକ୍ଟିଭ ଆକ୍ସନ ନେବାରେ ମଧ୍ୟ ଫେଲ୍ ମାରିଛନ୍ତି । ଯେଉଁଥିପାଇଁ କିଟ୍ କର୍ତ୍ତୃପକ୍ଷଙ୍କ ସବୁ ଦାବି ସତ୍ତ୍ୱେ ମାତ୍ର ୧୮୨ଜଣ ନେପାଳୀ ଛାତ୍ରଛାତ୍ରୀ କ୍ୟାମ୍ପସକୁ ଫେରିଛନ୍ତି । ନୂଆଦିଲ୍ଲୀରେ ଥିବା ନେପାଳୀ ଦୂତାବାସର ତଥ୍ୟ ଅନୁସାରେ କିଟରେ ମୋଟ ୧୧୬୯ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି ଓ ସେମାନଙ୍କ ମଧ୍ୟରୁ ଏବେସୁଦ୍ଧା ୧୮୨ଜଣ ଫେରିଛନ୍ତି । କିଟ୍ କର୍ତ୍ତୃପକ୍ଷ ନିଜର କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ ନେପାଳୀ ଛାତ୍ରଛାତ୍ରୀମାନେ ନିଜର ନିରାପତ୍ତାକୁ ନେଇ ଆଶଙ୍କାରେ ରହିଛନ୍ତି । ନେପାଳୀ ଛାତ୍ରଛାତ୍ରୀମାନେ କାଠମାଣ୍ଡୁରେ ସାମ୍ବାଦିକ ସମ୍ମିଳନୀ କରି ସେମାନଙ୍କ ସହ ଯେଭଳି ଅମାନବୀୟ ଆଚରଣ କିଟ୍ କର୍ତ୍ତୃପକ୍ଷ ଓ ତାଙ୍କ ଭଡ଼ାଟିଆ ଗୁଣ୍ଡାମାନେ କରିଛନ୍ତି ତାହା ନେପାଳର ରାଜନୀତିକ ବାତାବରଣକୁ ଉଷ୍ମ କରିଦେଇଛି । ନେପାଳୀ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ଏଭଳି ବ୍ୟାହତକୁ ଦୃଷ୍ଟିରେ ରଖି ନେପାଳର ପୂର୍ବାଂଚଳ ବିଶ୍ୱବିଦ୍ୟାଳୟ ଓ ତ୍ରିଭୁବନ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଏକାଡେମିକ୍ କ୍ରେଡିଟ୍ ଟ୍ରାନ୍ସଫର’ ସୁବିଧା ଦେବାକୁ ଘୋଷଣା କରିଛନ୍ତି । ତେବେ ନେପାଳୀ ଛାତ୍ରଛାତ୍ରୀମାନେ କିଭଳି ଫେରିବେ ସେନେଇ ଉପଯୁକ୍ତ ମାହୋଲ ଓ ବିଶ୍ୱାସ ସୃଷ୍ଟି କରିବା ଦିଗରେ କାହିଁକି ରାଜ୍ୟ ସରକାର ତ୍ୱରିତ୍ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ତାହା ମଧ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
କାହିଁକି ବିଳମ୍ବ କରୁଛି ଗୃହ ସଚିବଙ୍କ ନେତୃତ୍ୱାଧୀନ ଯାଂଚ କମିଟି
କିଟ୍ ବିଶ୍ୱବିଦ୍ୟାଳୟ ଘଟଣା ଭାରତ-ନେପାଳର ସମ୍ପର୍କକୁ ପ୍ରଭାବିତ କରିବା ସହ ଓଡ଼ିଶାକୁ ମଧ୍ୟ ବିଶ୍ୱଦରବାରରେ ନିନ୍ଦିତ କରିଛି । ଫେବୃୟାରୀ ୧୬ରେ ନେପାଳୀ ଛାତ୍ରୀ ମୃତ୍ୟୁ ଓ ହଷ୍ଟେଲରୁ ନେପାଳୀ ଛାତ୍ରଛାତ୍ରୀଙ୍କୁ ମାରପିଟ୍ କରି ବଳପୂର୍ବକ ବିଦା କରିବା ପରେ ରାଜ୍ୟ ସରକାର ବିଭିନ୍ନ ମହଲରୁ ଚାପ ପଡ଼ିବା ପରେ ଫେବୃୟାରୀ ୧୮ରେ ଗୃହ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ୩ଜଣିଆ କମିଟି ଗଢ଼ିଛନ୍ତି । ନେପାଳୀ ଛାତ୍ରଛାତ୍ରୀଙ୍କ ସହ କିଟ୍ କ୍ୟାମ୍ପସରେ ଯେଉଁଭଳି ଅମାନବୀୟ କାଣ୍ଡ ସେଥିପାଇଁ ଦାୟୀ କିଟ୍ ପଦାଧିକାରୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନେପାଳ ସରକାର ଓ ନେପାଳୀ ବିରୋଧୀ ଦଳଙ୍କଠୁ ଆରମ୍ଭ କରି ଓଡ଼ିଶାରେ ମଧ୍ୟ ଦାବି ଜୋର ଧରିଛି । ନେପାଳୀ ଛାତ୍ରଛାତ୍ରୀମାନେ ପୁଣିଥରେ କ୍ୟାମ୍ପସକୁ ଫେରିବା ପାଇଁ ଆବଶ୍ୟକ ମାହୋଲ ସୃଷ୍ଟି କରିବାରେ ରାଜ୍ୟ ସରକାର ଓ କିଟ୍ କର୍ତ୍ତୃପକ୍ଷ ଉଭୟ ଫେଲ୍ ମାରିଛନ୍ତି । ଯଦିଓ ନେପାଳର ଦୁଇଜଣ ଅଧିକାରୀ ଓଡ଼ିଶା ଆସି ଡେରା ପକାଇଥିଲେ । ନେପାଳ ବିଦେଶ ମନ୍ତ୍ରୀ ଡଃ ଆରଜୁ ରାଣା ଦେଉବା ଦୁଇଦୁଇଥର ଏହି ପ୍ରସଙ୍ଗରେ ଆଲୋଚନା କରି ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି । ଏପରିକି ନେପାଳୀ ଛାତ୍ରଛାତ୍ରୀମାନଙ୍କୁ ଦୁର୍ବ୍ୟବହାର ଘଟଣାରେ ଯେଉଁ ଶିକ୍ଷକ ଓ କର୍ମଚାରୀମାନେ ସାମିଲ ଅଛନ୍ତି ସେମାନଙ୍କୁ ସ୍ଥାୟୀ ଭାବେ ଚାକିରିରୁ ବରଖାସ୍ତ କରିବାକୁ ମଧ୍ୟ ଫେବୃୟାରୀ ୨୨ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନାବେଳେ ଦାବି ରଖିଥିଲେ। କିନ୍ତୁ କିଟ୍ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ଯେଉଁ ଦୁଇଜଣ ମହିଳା ମଞ୍ଜୁସା ପାଣ୍ଡେ ଓ ଜୟନ୍ତୀ ନାଥଙ୍କ ବିରୁଦ୍ଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ଏପରିକି ସେମାନେ ଦେଇଥିବା ବୟାନକୁ ନେଇ ନେପାଳରେ ତୀବ୍ର ବିରୋଧ ହେଉଥିଲେ ମଧ୍ୟ ରାଜ୍ୟ ସରକାର ଏହି ଦୁଇ ମହିଳାଙ୍କୁ ଆଇନର କାଠଗଡ଼ା ଭିତରକୁ ଟାଣିବାରେ ମଧ୍ୟ ସକ୍ଷମ ହୋଇନାହାନ୍ତି । ଗୃହ ସଚିବ ଶ୍ରୀ ସାହୁଙ୍କ ଅଧ୍ୟକ୍ଷତା ବିଶିଷ୍ଟ ଯାଂଚ୍ କମିଟି ଫେବୃୟାରୀ ୨୧ତାରିଖରେ ଅଚ୍ୟୁତଙ୍କ ସମେତ କିଟର କିଛି ପଦାଧିକାରୀଙ୍କୁ ଡାକି ଘଟଣା ସମ୍ପର୍କରେ ଅବଗତ ହୋଇଛନ୍ତି । ଯାଂଚ କମିଟି ଘଟଣାର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପରିବର୍ତ୍ତେ ସମୟ ଗଡ଼ାଇବାରେ ଲାଗିଛି । ଏବେ ବିଭିନ୍ନ ମହଲରୁ ଯାଂଚ କମିଟିର ନିରପେକ୍ଷତା ଉପରେ ସନ୍ଦେହ ଉଠିବାରୁ ୬ଦିନ ପରେ ଫେବୃୟାରୀ ୨୭ରେ କିଟ ବିଶ୍ୱବିଦ୍ୟାଳୟର ଆଉ ୬ଜଣ ବରିଷ୍ଠ ଅଧିକାରୀଙ୍କୁ ଜେରା ପାଇଁ ଡାକିଛନ୍ତି । ତେବେ ୨୧ରୁ ୨୭ତାରିଖ ପର୍ଯ୍ୟନ୍ତ ଏତେଦିନ ଧରି ଯାଂଚ କମିଟି କ’ଣ କରୁଥିଲେ ଓ ପିଲାମାନଙ୍କ ଫାଇନାଲ ପରୀକ୍ଷା ମୁଣ୍ଡଉପରେ ଥିବାବେଳେ ଘଟଣାର ଯାଂଚ ପ୍ରକ୍ରିୟାକୁ କ୍ରିୟାଶୀଳ ନକରି ସମୟ ଗଡ଼ାଉଥିବାରୁ ଯାଂଚ କମିଟିର ନିରପେକ୍ଷ ତଦନ୍ତ ଏବେ ସନ୍ଦେହଘେରକୁ ଆସିଛି ।
ୟୁଜିସିର ରିପୋର୍ଟ ତଲବ
କିଟ୍ କ୍ୟାମ୍ପସରେ ନେପାଳୀ ଛାତ୍ରଛାତ୍ରୀଙ୍କ ସହ ମାରପିଟ୍ ଓ ଦୁର୍ବ୍ୟବହାର ଘଟଣାରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ମଧ୍ୟ କିଟ୍ ବିଶ୍ୱବିଦ୍ୟାଳୟଠୁ ରିପୋର୍ଟ ତଲବ କରିଛନ୍ତି । କେଉଁ ପରିସ୍ଥିତିରେ ନେପାଳୀ ଛାତ୍ରଛାତ୍ରୀଙ୍କ ସହ ଏଭଳି ଘଟଣା ହେଲା ଓ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଜଣାଇବାକୁ କହିଛନ୍ତି । ଏହାସହିତ ନେପାଳ ପଳାଇଥିବା ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ସେମାନଙ୍କୁ ଫେରାଇ ଆଣିବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ସେନେଇ ରିପୋର୍ଟ ମାଗିଥିବା ସୂଚନା ମିଳିଛି ।
ଓଡ଼ିଶାର ଗୌରବ ରଖିବାରେ ସରକାର ବିଫଳ: କଂଗ୍ରେସ
ନେପାଳୀ ଛାତ୍ରୀ ମୃତ୍ୟୁ ଓ ନେପାଳୀ ଛାତ୍ରଛାତ୍ରୀମାନଙ୍କୁ ବଳପୂର୍ବକ ହଷ୍ଟେଲରୁ ବିଦା କରିଦେବା ଘଟଣା ଆନ୍ତର୍ଜାତିକସ୍ତରରେ ନେପାଳ ସହ ସମ୍ପର୍କକୁ ପ୍ରଭାବିତ କରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି । କେବଳ କିଟ୍ ବିଶ୍ୱବିଦ୍ୟାଳୟର ଏଭଳି କାର୍ଯ୍ୟ ପାଇଁ ନେପାଳ-ଭାରତର ସମ୍ପର୍କ ପ୍ରଭାବିତ ହେବାକୁ ଯାଉଛି । ନେପାଳବାସୀଙ୍କ ଆଗରେ ଭାରତ ଓ ଓଡ଼ିଶାବାସୀ ନିନ୍ଦିତ ଓ ଅପମାନିତ ହୋଇଛନ୍ତି । ଏହି ସମସ୍ତ ଘଟଣାରେ ରାଜ୍ୟ ସରକାର କାହିଁକି ସମ୍ପୂର୍ଣ୍ଣ ନିଦାବିଷ୍ଣୁ ସାଜିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ ବିଧାୟକ ସି.ରାଜନ ଏକ୍କା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣାର ୧୦ଦିନ ପରେ ମଧ୍ୟ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ମାତ୍ର ୮କିମି ଦୂରରେ ଥିବା କିଟ୍ କ୍ୟାମ୍ପସକୁ ନଯିବା ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅହେତକୁ ନିରବତା ହିଁ ବହୁତକିଛି ଅକୁହା କଥା କହୁଛି ବୋଲି ସେ କହିଛନ୍ତି । ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଅଦ୍ୱିକ୍ ଶ୍ରୀବାସ୍ତବକୁ କାହିଁକି ପୁଲିସ ଏପର୍ଯ୍ୟନ୍ତ ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରୁନି । ଆଇନର ବାଟ ଓଗାଳିଛି କିଏ? ମୁଖ୍ୟମନ୍ତ୍ରୀ କାହିଁକି ଏହି ପ୍ରସଙ୍ଗରେ କାହିଁକି କୌଣସି ବୟାନ ଦେଉନାହାନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଅଦ୍ୱିକଙ୍କ ପିତା ଉତ୍ତରପ୍ରଦେଶର ଜଣେ ବିଜେପି ନେତା ହୋଇଥିବାରୁ ତାଙ୍କୁ ଏଭଳି ସୁରକ୍ଷା ଦିଆଯାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।