Advertisment

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ଆଜି ଇଡିରେ ହାଜର ହେବେନି ଅରବିନ୍ଦ କେଜ୍ରିୱାଲ

ଆଜି କେଜ୍ରିୱାଲଙ୍କୁ ଜେରା ପାଇଁ ଡକାଇଥିଲା ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

author-image
Debibandita Barick
ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

ଆଜି ଇଡିରେ ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ମଦ ନୀତି ମାମଲାରେ ସମନ୍ ପଠାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏ ମାମଲା ଉପରେ ଆଜି ନିଜର ବିବୃତ୍ତି ରଖିଥାନ୍ତେ କେଜ୍ରିୱାଲ୍। ଦିନ 11ଟା ବେଳେ ହାଜର ହେବାକୁ ସମନ ପଠାଇଥିଲା ଇଡି। 

Advertisment

ସୂଚନା ଅନୁସାରେ, କେଜ୍ରିୱାଲ ଆଜି ଇଡି କାର୍ଯ୍ୟାଳୟ ନଯାଇ ଏକ ରୋଡ୍ ଶୋରେ ଯୋଗଦେବେ। ଆଗକୁ ମଧ୍ୟ ପ୍ରଦେଶ ନିର୍ବାଚନ ଥିବାରୁ ସେ ସେଠାକୁ ପ୍ରଚାର ପାଇଁ ଯିବେ। ଏହା ପୂର୍ବରୁ ସେ ଇଡିକୁ ଚିଠି ଲେଖି ତାଙ୍କୁ ନୋଟିସ୍ ପଠାଇବାକୁ ବେଆଇନ ତଥା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଥିଲେ। ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଯଦି କେଜ୍ରିୱାଲ ହାଜିର ହୁଅନ୍ତି ତେବେ ତାଙ୍କୁ ଗିରଫ କରାଯାଇପାରେ ବୋଲି ଆଶଙ୍କା କରୁଥିଲା ଦଳ।

ଅନ୍ୟପଟେ ଏହି ମାମଲାରେ ଆଜି ସକାଳେ ଆପର ଆଉ ଜଣେ ମନ୍ତ୍ରୀଙ୍କ ଘରେ ଚଢାଉ କରାଯାଇଛି। ସାମାଜିକ କଲ୍ୟାଣ ମନ୍ତ୍ରୀ ରାଜ କୁମାର ଆନନ୍ଦଙ୍କ ବାସଭବନ ସମେତ 9ଟି ସ୍ଥାନରେ ଚଢାଉ କରାଯାଇଛି। ଅନ୍ୟପଟେ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏବଂ ସାଂସଦ ସଞ୍ଜୟ ସିଂହଙ୍କୁ ଗିରଫ କରାଯାଇଛି। ସେମାନେ ଏବେ ଜେଲରେ ଅଛନ୍ତି। ନିକଟରେ ସିସୋଦିଆଙ୍କ ଜାମିନ ନାମଞ୍ଜୁର କରିଛନ୍ତି ସୁପ୍ରିମକୋର୍ଟ।

Advertisment

ଇଡିର ଏହି ଚଢାଉକୁ ନେଇ ଆପ୍ ନେତା ସୌରଭ ଭରଦ୍ୱାଜ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଆପକୁ ଧ୍ୱଂସ କରିବା ପାଇଁ କେନ୍ଦ୍ର ସରକାର ଏପରି ଚକ୍ରାନ୍ତ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରି କହିଛନ୍ତି, "ଦଳକୁ ଯେନ-ତେନ-ପ୍ରକାରେଣ ଧ୍ୱଂସ କରିବାକୁ ଲକ୍ଷ୍ୟ ରଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ସେମାନେ କୌଣସି ପଥକୁ ଛାଡୁନାହାନ୍ତି, ଏପରିକି ନକଲି ମାମଲା ମଧ୍ୟ ତିଆରି କରୁଛନ୍ତି। ଏହାର ଗୋଟିଏ ଉଦ୍ଦେଶ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଆପକୁ ଧ୍ୱଂସ କରିବା।"    

Arvind Kejriwal Ed Delhi Liquor Policy Case Liquor Policy