ଦେଶର ରାଜଧାନୀ ଦିଲ୍ଲୀ ବିଧାନସଭା ନିର୍ବାଚନର ରେଜଲ୍ଟ ଘୋଷଣାକୁ ଗୋଟିଏ ସପ୍ତାହକୁ ଅଧିକ ଦିନ ବିତି ଗଲାଣି। ଦୀର୍ଘ ୨୭ ବର୍ଷ ପରେ ବିଜେପି ଦିଲ୍ଲୀ ବିଧାନସଭାରେ ବାଜିମାତ କରିଥିବାରୁ ବେଶ ଉତ୍ସାହିତ। ଦଳ ୨୭ ବର୍ଷ ପରେ ଦିଲ୍ଲୀ ଦଖଲ କରିଥିଲେ ହେଁ ଏଯାଏ ଏହାର କମାଣ କିଏ ସମ୍ଭାଳିବେ, ତାଙ୍କ ନାଁ ଘୋଷଣା କରିପାରୁନି।
ଦିଲ୍ଲୀ ବିଧାନସଭାର ୭୦ଟି ଆସନରୁ ବିଜେପି ୪୮ଟି ଜିତିଥିବା ବେଳେ ୨୦୧୫ରୁ କ୍ଷମତାରେ ଥିବା ଆପ୍ ୨୨ଟି ଜିତିଛି। ବିଜେପି ଦୁଇ ତୃତୀୟାଂଶରୁ ଅଧିକ ଆସନ ଜିତି ଦିଲ୍ଲୀରେ ସରକାର ଗଠନ କରିବାକୁ ଜନାଦେଶ ପାଇଛି। ବିନା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀରେ ବିଜେପି ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢ଼ୁଥିଲା। ଐତିହାସିକ ବିଜୟରେ ଦଳ ମୁଖ୍ୟମନ୍ତ୍ରୀ ଚେହେରା ଚୟନ ପାଇଁ ଘନଘନ ବୈଠକ କରୁଛି। ହେଲେ ୯ ଦିନ ପରେ ମଧ୍ୟ ବିଜେପି ଦିଲ୍ଲୀର ମୁଖ୍ୟମନ୍ତ୍ରୀ କିଏ ହେବେ,ସେକଥା ଘୋଷଣା କରିପାରୁ ନାହିଁ। ଏବେ ସବୁ କିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ନିର୍ଭର କରୁଛି। ସେ ହିଁ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଚୟନ କରିବେ ବୋଲି ଜଣାପଡ଼ିଛି।
ନିକଟରେ ବିଜେପି ରାଷ୍ଟ୍ରୀୟ ଜେପି ନଡ୍ଡା ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବାଛିବାକୁ ବୈଠକ ବସିଥିଲା। ଦୀର୍ଘ ଘଣ୍ଟା ଧରି ବିଭିନ୍ନ ନାଁ ଉପରେ ଆଲୋଚନା ହୋଇଥିଲେ ହେଁ କୌଣସି ନିର୍ଦ୍ଦିଷ୍ଟ ନିସ୍କର୍ସ ବାହାରି ପାରିନି। ତେଣୁ ଏବେ ସବୁ କିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଛଡ଼ା ଯାଇଛି। ସେ ମୁଖ୍ୟମନ୍ତ୍ରୀ ଚେହେରା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗୋଟିଏ ପଟେ ବିଜେପି ମୁଖ୍ୟମନ୍ତ୍ରୀ କିଏ ହେବେ, ସେକଥା ଚୂଡ଼ାନ୍ତ କରି ନଥିଲେ ହେଁ ଗୁରୁବାର ଦିଲ୍ଲୀର ନୂଆ ସରକାର ଶପଥ ନେବେ ବୋଲି ଜଣାପଡ଼ିଛି। ଶପଥ ପାଠ ଉତ୍ସବ ଗୁରୁବାର ଅପରାହ୍ନ ୪.୩୦ରେ ହେବାର ଅଛି। ଶପଠ ପାଠର ଭେନ୍ୟୁ ସ୍ଥିର ହୋଇ ନଥିବା ବେଳେ ଏହା ସହରର ଜବାହର ଲାଲ ନେହରୁ ଷ୍ଟାଡିୟମରେ ଆୟୋଜନ ହେବାର ଯଥେଷ୍ଟ ସମ୍ଭାବନା ରହିଛି।
ବିଜେପି ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଦଳର ସମସ୍ତ ନବ ନିର୍ବାଚିତ ୪୮ ଜଣ ବିଧାୟକଙ୍କ ବୈଠକ ବୁଧବାର ବସିବ। ଏହି ସମୟରେ ସର୍ବସମ୍ମତିକ୍ରମେ ବିଧାୟକ ଦଳ ନେତାଙ୍କୁ ଚୟନ କରାଯିବ। ବିଧାୟକ ଦଳର ନେତା ଗୁରୁବାର ଆପ୍ର ଆତିଶୀଙ୍କ ସ୍ଥାନରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।
ଦିଲ୍ଲୀ ବିଧାନସଭା ନିର୍ବାଚନ ରେଜଲ୍ଟ ବାହାରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ଓ ଆମେରିକା ଗସ୍ତରେ ଚାଲି ଯାଇଥିଲେ। ଏଥିଯୋଗୁ ଦିଲ୍ଲୀ ସରକାର ଗଠନ ପ୍ରକ୍ରିୟାକୁ ତାଙ୍କ ଫେରିବା ଯାଏ ସ୍ଥଗିତ କରାଯାଇଥିଲା। ଏବେ ମୋଦି ଭାରତ ଫେରି ସାରିଛନ୍ତି। ସେ ଆଜି କିମ୍ବା ଆସନ୍ତାକାଲି ଦିଲ୍ଲୀରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ କରିବାକୁ ଅମିତ ଶାହ, ଜେପି ନଡ୍ଡା ଓ ଅନ୍ୟ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ। ଏହାପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଥିବା ସସପେନ୍ସ ଉପରୁ ପରଦା ହଟିବ। ବିଜେପି ଶପଥ ପାଠ ଉତ୍ସବକୁ ଐତିହାସିକ ଢଙ୍ଗରେ କରିବାକୁ ଯୋଜନା ରଖିଛି।
ଶପଥ ପାଠ ଉତ୍ସବରେ ୨୦୦ରୁ ଅଧିକ ପୂର୍ବତନ ଓ ବର୍ତ୍ତମାନର ବିଜେପି ସାଂସଦ, ଦଳ ଶାସନ କରୁଥିବା ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଏହାର ସହଯୋଗୀ ଦଳର ନେତା, ରାଜ୍ୟ ସ୍ତରର ପ୍ରମୁଖ ନେତା ଓ କର୍ମୀ ଉପସ୍ଥିତ ରହିବେ।
ଦଳୀୟ ସୂତ୍ର ଅନୁସାରେ, ମୁଖ୍ୟମନ୍ତ୍ରୀ ଓ ତାଙ୍କ କ୍ୟାବିନେଟ ପାଇଁ ମୋଟ ୧୫ ଜଣ ନାଁକୁ ବିଜେପି ପକ୍ଷରୁ ତାଲିକା ଭୁକ୍ତ କରାଯାଇଛି। ଏହି ୧୫ ଜଣିଆ ତାଲିକାରୁ ବାଚସ୍ପତି ମଧ୍ୟ ଚୟନ ହେବେ। ୧୫ ଜଣିଆ ତାଲିକାରୁ ୯ ଜଣଙ୍କୁ ମୁଖ୍ୟମନ୍ତ୍ରୀ, କ୍ୟାବିନେଟ ସଦସ୍ୟ ଓ ବାଚସ୍ପତି ଭାବେ ବଛା ଯିବ। ଦିଲ୍ଲୀରେ ଏବେ ୮ ଜଣ ମନ୍ତ୍ରୀ ରହିବେ।
ମୁଖ୍ୟମନ୍ତ୍ରୀ ହେବା ଦୌଡ଼ରେ ସବୁଠାରୁ ଆଗରେ ଅଛନ୍ତି ୨ ଥରର ପୂର୍ବତନ ସାଂସଦ ପରବେଶ ବର୍ମା। ସେ ନୂଆଦିଲ୍ଲୀ ଆସନରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇ ଇତିହାସ ସୃଷ୍ଟି କରିଛନ୍ତି। ଏହାବାଦ ବିଜେପିର ଦିଲ୍ଲୀ ମୁଖ୍ୟ ବୀରେନ୍ଦ୍ର ସଚ୍ଚଦେବା, ପ୍ରଥମଥର ସାଂସଦ ହୋଇଥିବା ବାଂଶୁରୀ ସ୍ୱରାଜ ଓ ବିଜେପିର ବ୍ରାହ୍ମଣ ଚେହେଲା ସତୀଶ ଉପାଧ୍ୟାୟ ମୁଖ୍ୟମନ୍ତ୍ର ଦୌଡ଼ରେ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।