Advertisment

ଫେବୃଆରୀ ୫ରେ ଦିଲ୍ଲୀ ଭୋଟ୍‌

ଆସନ୍ତା ଫେବୃଆରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସମସ୍ତ ୭୦ଟି ଯାକ ଆସନରେ ଗୋଟିଏ ପର୍ଯ୍ୟାୟରେ ରାଜଧାନୀବାସୀ ଭୋଟ କରିବେ।

author-image
Hemant Lenka
ଅଦ୍ୟତନ ହୋଇଛି
Delhi

Delhi

ଆସନ୍ତା ଫେବୃଆରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସମସ୍ତ ୭୦ଟି ଯାକ ଆସନରେ ଗୋଟିଏ ପର୍ଯ୍ୟାୟରେ ରାଜଧାନୀବାସୀ ଭୋଟ କରିବେ। ଏହାପରେ ଅର୍ଥାତ ଫେବୃଆରୀ ୮ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଆଜି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି।

Advertisment

ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ନିର୍ବାଚନ ଆଚରଣ ବିଧି ମଧ୍ୟ ଲାଗୁ ହୋଇଛି। ଫେବୃଆରୀ ୫ରେ ଭୋଟିଂ ହେବାକୁ ଥିବା ବେଳେ ଏଥିପାଇଁ ୧୦ ଜାନୁଆରୀରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ୧୭ ଜାନୁଆରୀ ରହିଛି। ସେହିପରି ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ୨୦ ଜାନୁଆରୀ ରଖାଯାଇଛି। 

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ୫ ଫେବୃଆରୀରେ ଭୋଟିଂ ଓ ୮ ଫେବୃଆରୀରେ ରେଜଲ୍ଟ ପ୍ରକାଶ ପାଇବ। ପୂରା ନିର୍ବାଚନ ପ୍ରକ୍ରିୟା ୧୦ ଫେବୃଆରୀ ସୁଦ୍ଧା ଶେଷ ହେବ। ୨୦୨୫ ଫେବୃଆରୀ ୨୩ରେ ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି। ତେଣୁ ଏହା ପୂର୍ବରୁ ନୂଆ ସରକାର ଗଠନ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। 

Advertisment

୭୦ଟି ଆସନରେ ଭୋଟିଂ ପାଇଁ ମୋଟ ୧୩୦୦୩ଟି ପୁଲିଂ ଷ୍ଟେସନର ବ୍ୟବସ୍ଥା କରାଯିବ। ଏହା ମଧ୍ୟରେ ୨୧୦ଟି ମଡେଲ ପୁଲିଂ ଷ୍ଟେସନ, ୭୦ଟି ପୁଲିଂ ଷ୍ଟେସନ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ ଓ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ୭୦ଟି ପୁଲିଂ ଷ୍ଟେସନର ବ୍ୟବସ୍ଥା କରାଯାଉଥିବା ସେ ସୂଚନା ଦେଇଛନ୍ତି। 

ଶାସକ ଆପକୁ ଗାଦିଚ୍ୟୁତ କରିବା ପାଇଁ ବିଜେପି ଓ କଂଗ୍ରେସ ଏଥର ଜୋରଦାର ଉଦ୍ୟମ କରିବେ। ୨୦୧୫ରେ ଆପ୍‌ ରେକର୍ଡ ୬୭ଟି ଓ ୨୦୨୦ରେ ୬୨ଟି ଆସନ ଜିତିଥିଲା। ଉଭୟ ନିର୍ବାଚନରେ କଂଗ୍ରେସ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲା। ଏଥର ଦଳ ଭଲ ପ୍ରଦର୍ଶନ କରିବାର ଆଶା ରଖିଛି। 

ସେହିପରି ଦୀର୍ଘ ୨୬ ବର୍ଷ ଧରି ବିଜେପି ଦିଲ୍ଲୀରେ କ୍ଷମତା ଦଖଲ କରିପାରି ନାହିଁ। ୨୦୧୪ ଓ ୨୦୧୯ରେ ସାରା ଦେଶରେ ମୋଦି ଲହରୀ ଦେଖିବାକୁ ମିଳିଥିଲା। କିନ୍ତୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଉପରେ ଏହାର କୌଣସି ପ୍ରକାରର ପ୍ରଭାବ ପଡ଼ି ନଥିଲା। ୨୦୨୪ରେ ମଧ୍ୟ ବିଜେପି ନେତୃତ୍ୱାଧୀନ ଏନଡିଏ କେନ୍ଦ୍ରରେ କ୍ଷମତା ଦଖଲ କରିଛି। ଏଥର ଏହାର ପ୍ରଭାବ ପଡ଼ୁଛି କି ନାହିଁ, ସେକଥା ଫେବୃଆରୀ ୮ରେ ଜଣାପଡ଼ିବ। 

Delhi Election Delhi Assembly Election