Advertisment

ସିନ୍ଦେ ସେନା ବିଧାୟକ ନିଖୋଜ, ଟିକେଟ୍ ନ ମିଳିବା ପରଠୁ ପତ୍ତା ମିଳୁନି

ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀର ଜଣେ ବିଧାୟକ ନିଖୋଜ।

author-image
Debibandita Barick
 MLA Shrinivas Vanga

MLA Shrinivas Vanga

ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ମହାୟୁତି ମେଣ୍ଟ ଅର୍ଥାତ୍ ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଅଜିତ ପାୱାରଙ୍କ ଏନସିପିରେ ମନୋମାଳୀନ ଜାରିରହିଛି। ଟିକେଟ୍ ନ ମିଳିବାରୁ ବିଜେପିର ବରିଷ୍ଠ ନେତା ଗୋପାଳ ସେଟ୍ଟୀ ସ୍ୱାଧୀନ ଭାବେ ନିର୍ବାଚନ ଲଢୁ ଥିବାବେଳେ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀର ଜଣେ ବିଧାୟକ ନିଖୋଜ ହୋଇଗଲେଣି।

Advertisment

ନିଖୋଜ ଥିବା ବିଧାୟକ ହେଉଛନ୍ତି ଶ୍ରୀନିବାସ ଭଙ୍ଗା। ସେ ପାଲଘର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଟିକେଟ୍ ପାଇଁ ଦାବିଦାର ଥିଲେ। ମାତ୍ର ଦଳ ତାଙ୍କୁ ଟିକେଟ୍ ନ ଦେବାରୁ କେଉଁଆଡ଼େ ଚାଲି ଯାଇଛନ୍ତି। ଦୁଇ ଦିନ ହେବ ତାଙ୍କ ଫୋନ୍ ସୁଇଚ୍-ଅଫ୍ ରହିଛି। ଗତ ୧୫ ଘଣ୍ଟା ହେବ ଭଙ୍ଗାଙ୍କର କୌଣସି ଖୋଜ ଖବର ବି ନାହିଁ। ଏନେଇ ପରିବାର ଲୋକେ ନିଖୋଜ ଅଭିଯୋଗ କରିବା ପରେ ପୁଲିସ ତାଙ୍କୁ ଖୋଜାଖୋଜି କରୁଛି। 

ବିଧାନସଭା ନିର୍ବାଚନରେ ଭଙ୍ଗା ପାଲଘର ଆସନ ପାଇଁ ଦାବିଦାର ଥିଲେ। ମାତ୍ର ତାଙ୍କ ବଦଳରେ ଏକନାଥ ସିନ୍ଦେଙ୍କ ଶିବସେନା ପୂର୍ବତନ ସାଂସଦ ରାଜେନ୍ଦ୍ର ଗାବିତଙ୍କୁ ପ୍ରାର୍ଥୀ କରିଛି। ରାଜେନ୍ଦ୍ର ଗାବିତ କିଛି ଦିନ ତଳେ ବିଜେପି ଛାଡ଼ି ଦେଇଥିଲେ। ଏହାପରେ ପୁଣି ବିଜେପିରେ ଯୋଗ ଦେଇଥିଲେ। ବିଜେପି ସହ ଆଲୋଚନା ପରେ ଶିବସେନା ତାଙ୍କୁ ପାଲଘର ଆସନରୁ ଟିକେଟ୍ ଦେଇଛି। 

Advertisment

ଏହାକୁ ନେଇ ଶ୍ରୀନିବାସ ଅସନ୍ତୁଷ୍ଟ ରହିବା ସହ ପଶ୍ଚାତାପ ବି କରିଥଇଲେ। ସେ ଉଦ୍ଧେବ ଠାକରେଙ୍କ ଶିବସେନା କାହିଁକି ଛାଡିଲେ ସେଥିପାଇଁ ସନ୍ତାପିତ ହୋଇଥିଲେ। ଏପରିକି ଦଳ ବିଶ୍ୱସ୍ତ ନେତାଙ୍କୁ ସମର୍ଥନ କରୁନଥିବା ଅଭିଯୋଗ କରିଥିଲେ। ଏବେ ତାଙ୍କର କୌଣସି ପତ୍ତା ମିଳୁନି।  

ମହାରାଷ୍ଟ୍ରର ସମସ୍ତ ୨୮୮ ଆସନରେ ଆସନ୍ତା ୨୦ ତାରିଖରେ ଭୋଟ ହେବ। ୨୩ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Assembly Polls Shinde Sena Shrinivas Vanga