Advertisment

ବିଭାଗ ବଣ୍ଟନକୁ ନେଇ ମହାୟୁତି ମେଣ୍ଟରେ ଅସନ୍ତୋଷ, ସ୍ୱୀକାର କଲେ ଅଜିତ ପାୱାର

ଶନିବାର ରାତିରେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀମଣ୍ଡଳ ବିଭାଗ ବଣ୍ଟନ ହୋଇଛି। ମନ୍ତ୍ରୀଙ୍କ ସଂଖ୍ୟା ଅଧିକ ଥିବାରୁ ସମସ୍ତଙ୍କୁ ଗୋଟିଏ ଲେଖାଏଁ ବିଭାଗ ଦେବାକୁ ପଡ଼ିଲା ବୋଲି କହିଲେ ଅଜିତ ପାୱାର।

author-image
Debadatta Aryashrestha
Ajit Pawar (File Photo)

Ajit Pawar (File Photo)

ମହାରାଷ୍ଟ୍ରରେ ସରକାର ଗଠନ କରିଥିବା ମହାୟୁତି ମେଣ୍ଟରେ ଏବେ ବି ରହିଛି ଅସନ୍ତୋଷ। ପ୍ରଥମେ ମୁଖ୍ୟମନ୍ତ୍ରୀ ପଦ ଓ ପରେ ମନ୍ତ୍ରୀମଣ୍ଡଳକୁ ନେଇ ଟଣାଓଟରା ହେବା ପରେ ଏବେ ବିଭାଗ ବଣ୍ଟନକୁ ନେଇ ମେଣ୍ଟରେ ଆରମ୍ଭ ହୋଇଛି ଆଭ୍ୟନ୍ତରୀଣ କନ୍ଦଳ। ଏହି କଥାକୁ ଖୋଦ ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ମୁଖ୍ୟ ଅଜିତ ପାୱାର ମଧ୍ୟ ସ୍ୱୀକାର କରିଛନ୍ତି। ଶନିବାର ରାତିରେ ଦେବେନ୍ଦ୍ର ଫଡନାବିସଙ୍କ ସରକାରରେ ମନ୍ତ୍ରୀମଣ୍ଡଳ ବିଭାଗ ବଣ୍ଟନ ହୋଇଥିବାବେଳେ ଏଥିରେ ମେଣ୍ଟର କିଛି ନେତା ଅସନ୍ତୁଷ୍ଟ ଥିବା କହିଛନ୍ତି ଅଜିତ ପାୱାର।

Advertisment

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଜିତ କହିଛନ୍ତି ଯେହେତୁ କ୍ୟାବିନେଟରେ ମନ୍ତ୍ରୀମାନଙ୍କ ସଂଖ୍ୟା ଯଥେଷ୍ଟ ଅଧିକ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ସମସ୍ତଙ୍କୁ ଗୋଟିଏ ଲେଖାଏଁ ବିଭାଗ ଦେଲେ। ତେଣୁ ନିଶ୍ଚିତ ଭାବରେ କିଛି ଏଥିରେ ଖୁସି ଥିବାବେଳେ କିଛି ଖୁସି ନାହାନ୍ତି। ଆଜି ନିଜ ନିର୍ବାଚନ ମଣ୍ଡଳୀ ବାରାମତିରେ ରୋଡ ଶୋ’ କରିବା ସହ ବିଭିନ୍ନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର। ଅର୍ଥ ବିଭାଗ ହାତେଇଥିବା ଜୁନିୟର ପାୱାର ସୋମବାର ଦାୟିତ୍ୱ ଗ୍ରହଣ କରିବେ ବୋଲି ଯୋଜନା ଥିବା କହିଛନ୍ତି। ଏହାପରେ ପ୍ରାଥମିକତା ଭିତ୍ତିରେ ବାକି ରହିଥିବା କାର୍ଯ୍ୟ ଗୁଡ଼ିକୁ ସାରିବାକୁ ସେ କହିଥିଲେ।

ଅଜିତ ପାୱାର କହିଥିଲେ ଯେ ମନ୍ତ୍ରୀମାନେ ସେମାନଙ୍କୁ ମିଳିଥିବା ବିଭାଗର ଦାୟିତ୍ୱ ନେବା ପୂର୍ବରୁ ସେମାନଙ୍କ ସ୍ଥାନୀୟ ଅଞ୍ଚଳର ସମସ୍ୟା ବିଷୟରେ ଜାଣିବା ପାଇଁ ନିଜ ନିଜ ନିର୍ବାଚନ ମଣ୍ଡଳୀ ବୁଲୁଛନ୍ତି। ମହାରାଷ୍ଟ୍ର ବିଧାନସଭାର ବଜେଟ ଅଧିବେଶନ ଆସନ୍ତା ବର୍ଷ ମାର୍ଚ୍ଚ ୩ରୁ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଏଥିପାଇଁ ବଜେଟ ପ୍ରସ୍ତୁତି ସମୟରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଓ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପରାମର୍ଶ ନେବେ ବୋଲି କହିଛନ୍ତି ଅଜିତ ପାୱାର।

Advertisment

ଉଲ୍ଲେଖ ଥାଉ, ମହାରାଷ୍ଟ୍ରର ନବଗଠିତ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ନିଜ ପାଖରେ ଗୃହ, ଆଇନ, ଶକ୍ତି, ସାଧାରଣ ପ୍ରଶାସନ ଏବଂ ସୂଚନା ଓ ଲୋକ ସମ୍ପର୍କ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି। ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଭଳି ବିଭାଗରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେପଟେ ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଅର୍ଥ, ଯୋଜନା, ଓ ଅବକାରୀ ଭଳି ବିଭାଗ ମିଳିଛି। ଶନିବାର ରାତିରେ ଏହି ବିଭାଗ ବଣ୍ଟନ କରିଥିଲେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡାବିସ୍।

NCP Bjp Shiv Sena Ajit Pawar Maharashtra Politics Devendra Fadnavis