/odisha-reporter/media/media_files/2025/11/14/rjd-2025-11-14-15-21-02.jpg)
ତେଜସ୍ୱୀ ଯାଦବ
ବିହାରରେ କ୍ଷମତା ବଜାୟୀ ରଖିବାକୁ ଯାଉଛି ବିଜେପି ନେତୃତ୍ୱାଧୀନ ଏନଡିଏ। ମୁଖ୍ୟ ବିରୋଧୀ ଦଳ ଆରଜେଡି ୨୦୧୦ ପରେ ସବୁଠାରୁ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ଯାଉଥିବା ୬ ଘଣ୍ଟାର ଭୋଟ ଗଣତି(Bihar election 2025) ପରେ ଏକପ୍ରକାରର ସ୍ପଷ୍ଟ ହୋଇ ଯାଇଛି। ୬ ଘଣ୍ଟାର ଭୋଟ ଗଣତି ପରେ ଏନଡିଏ ୨୦୭ଟି ଆସନରେ ଲିଡ କରୁଥିବା ବେଳେ ମହାଗଠବନ୍ଧନ କେବଳ ୨୯ଟି ଆସନରେ ଆଗରେ ରହିଛି। ଅନ୍ୟାନ୍ୟ ଦଳ ୪ଟି ଆସନରେ ଜିତିବାର ସମ୍ଭାବନା ରହିଛି।
ବଡ଼ ବିପର୍ଯ୍ୟୟ ଆଡ଼କୁ ଆରଜେଡି ଓ ମହାଗଠବନ୍ଧନ ଯାଉଥିଲେ ହେଁ ବିରୋଧୀଙ୍କ ପାଇଁ ଗୋଟିଏ ଭଲ ଖବର ଆସିଛି। ୬ ଘଣ୍ଟାର ଭୋଟ ଗଣତି ସୁଦ୍ଧା ତେଜସ୍ୱୀ ଯାଦବଙ୍କ ଆରଜେଡି ଦୁଇ ପ୍ରମୁଖ ଦଳ ବିଜେପି ଓ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁ ଠାରୁ ଅଧିକ ଭୋଟ ପାଇଛି।
ବିହାରର ୨୪୩ଟି ବିଧାନସଭା ଆସନରୁ ଆରଜେଡି ୧୪୩ଟି ସ୍ଥାନରେ ପ୍ରାର୍ଥୀ ଦେଇଥିଲା। ଏଯାଏ ଦଳ ୨୨.୮୪% ଭୋଟ ପାଇଛି। ଏହା ବିଜେପିର ଭୋଟ ଭାଗ ଠାରୁ ୧.୮୬% ଓ ଜେଡିୟୁ ଠାରୁ ୩.୯୭% ଅଧିକ।
୨୦୨୦ରେ ଆରଜେଡି ରାଜ୍ୟର ଏକକ ସର୍ବବୃହତ ଦଳ ପାଲଟିଥିଲା। ଅର୍ଥାତ ଦଳ ସର୍ବାଧିକ ଆସନ ଜିତିଥିଲା। କିନ୍ତୁ ଏବେ ଦଳ କେବଳ ୨୭ଟି ଆସନରେ ଲିଡ କରୁଛି। ୨୦୧୦ ପରେ ଏହା ଦଳର ସବୁଠାରୁ ନୈରାଶ୍ୟଜନକ ପ୍ରଦର୍ଶନ। କାରଣ ୨୦୧୦ରେ ଆରଜେଡି କେବଳ ୨୨ଟି ଆସନ ଜିତିଥିଲା।
ବିରୋଧୀ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ନିଜେ ନିଜର ପାରମ୍ପରିକ ଆସନ ରାଘୋପୁରରେ ପଛରେ ପଡ଼ିଛନ୍ତି। ୧୨ ରାଉଣ୍ଡର ଭୋଟ ଗଣତି ପରେ ତେଜସ୍ୱୀ ୪୩୮୮୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ସତୀଶ କୁମାର ୪୮୪୫୩ ଖଣ୍ଡ ଭୋଟ ପାଇଛନ୍ତି। ଅର୍ଥାତ ସତୀଶଙ୍କ ଠାରୁ ତେଜସ୍ୱୀ ୪୫୭୦ ଖଣ୍ଡ ଭୋଟ ପଛରେ ରହିଛନ୍ତି।
ଭୋଟ ଗଣତି ଆରମ୍ଭରୁ ତେଜସ୍ୱୀ ଆଗରେ ରହିଥିଲେ। ହେଲେ ଏବେ ଟ୍ରେଣ୍ତ ବଦଳି ଯାଇଛି। ଭୋଟ ଗଣତି ଆଗକୁ ବଢ଼ୁଥିବା ବେଳେ ତେଜସ୍ୱୀ ପଛେଇ ଚାଲିଛନ୍ତି। ତେଜସ୍ୱୀ ପଛରେ ପଡ଼ିଥିବାରୁ ବିଜେପି ପକ୍ଷରୁ ତାଙ୍କୁ କଟାକ୍ଷ ମଧ୍ୟ କରାଯାଇଛି। ତେଜସ୍ୱୀ ମୁଖ୍ୟମନ୍ତ୍ରୀ ହେବାକୁ ଗୋଡ଼ ଟେକି ବସିଥିବା ବେଳେ ନିଜେ ହାରିବା ସ୍ଥିତିରେ ଥିବାରୁ ବିଜେପି ଏହାକୁ ତାଚ୍ଛଲ୍ୟ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
