Advertisment

୨୪ ବର୍ଷ ଶାସନରେ ରହିଲା ବିଜେଡି, କରିପାରିଲାନି ଶିଶୁ ଶ୍ରମିକଙ୍କୁ ଚିହ୍ନଟ ପାଇଁ ସର୍ଭେ

ଆଜି ବିଧାନସଭାରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀ ଖୁଂଟିଆ କହିଛନ୍ତି ଯେ, ଶିଶୁ ଶ୍ରମିକମାନଙ୍କୁ ଚିହ୍ନଟ ପାଇଁ ବିଗତ ୧୦ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା କୌଣସି ସର୍ଭେ ହୋଇନାହିଁ ।

author-image
Ordigital Desk
BJD

BJD

ରାଜ୍ୟରୁ ଶିଶୁ ଶ୍ରମିକ ବିଲୋପ ପାଇଁ ବିଜେଡି ସରକାର ପ୍ରସ୍ତୁତ କରିଥିବା ଆକ୍ସନ ପ୍ଲାନ ଏବେ କେବଳ କାଗଜକଲମରେ ରହିଯାଇଛି । ଦୀର୍ଘ ୨୪ବର୍ଷ ଧରି ଶାସନରେ ରହି ମଧ୍ୟ ବିଜେଡି ସରକାର ରାଜ୍ୟରେ ଶିଶୁ ଶ୍ରମିକ ଚିହ୍ନଟ ପାଇଁ ସର୍ଭେ କରିବାକୁ ଉଚିତ୍ ମଣିନାହାନ୍ତି । ରାଜ୍ୟରେ ବେଧଡ଼କ ଭାବେ ସବୁଠି ଶିଶୁମାନେ ବେଆଇନ ଢଙ୍ଗରେ ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ କୋହଳ ନୀତି ଯୋଗୁ ପ୍ରଶାସନ ସବୁ ଜାଣି ମଧ୍ୟ ଅଜଣା ହୋଇ ରହିଛି ।

Advertisment

ଯେଉଁଥିପାଇଁ ରାଜଧାନୀ ଭୁବନେଶ୍ୱରଠୁ ଆରମ୍ଭ କରି ରାଜ୍ୟର ଗଳିକନ୍ଦିରେ ଶିଶୁମାନେ ବିଭିନ୍ନ କାର୍ଯ୍ୟରେ ବେଆଇନ ଶ୍ରମିକ ଭାବେ ନିୟୋଜିତ ହୋଇଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାର ଶେଷଥର ପାଇଁ ୧୯୯୭ ମସିହାରେ ଶିଶୁ ଶ୍ରମିକ ଚିହ୍ନଟ ନିମନ୍ତେ ସର୍ଭେ କରିଥିବା ନେଇ ଆଜି ଶ୍ରମ ଓ ଇଏସଆଇ ମନ୍ତ୍ରୀ ଗଣେଶରାମ ସିଂ ଖୁଂଟିଆ ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସୂଚନା ଦେବାପରେ ପୂର୍ବ ବିଜେଡି ସରକାରର ଶିଶୁଶ୍ରମିକ ପ୍ରଥା ଲୋପ ଦିଗରେ ଆଭିମୁଖ୍ୟକୁ ନେଇ ଏବେ ପ୍ରଶ୍ନ ଉଠିଛି ।

ଆଜି ବିଧାନସଭାରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀ ଖୁଂଟିଆ କହିଛନ୍ତି ଯେ, ଶିଶୁ ଶ୍ରମିକମାନଙ୍କୁ ଚିହ୍ନଟ ପାଇଁ ବିଗତ ୧୦ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା କୌଣସି ସର୍ଭେ ହୋଇନାହିଁ । ଶେଷଥର ପାଇଁ ରାଜ୍ୟ ସରକାର ୧୯୯୭ ମସିହାରେ ଶିଶୁ ଶ୍ରମିକ ଚିହ୍ନଟ ନିମନ୍ତେ ସର୍ଭେ କରିଥିଲେ । ଶିଶୁ ଶ୍ରମ ବିଲୋପ ପାଇଁ ରାଜ୍ୟ ସରକାର ୨୦୧୫ ମସିହାରେ ଏକ ରାଜ୍ୟସ୍ତରୀୟ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିଥିଲେ, ଯାହା କାର୍ଯ୍ୟକାରୀ ହେଉଛି । ୨୦୧୬ ମସିହାରେ ଶିଶୁ ଶ୍ରମ(ନିଷେଧ ଓ ନିୟନ୍ତ୍ରଣ) ଆଇନ, ୧୯୮୬ର ସଂଶୋଧନ ଓ ପରେ ୨୦୧୯-୨୦ରେ ରାଜ୍ୟସ୍ତରୀୟ ଆକ୍ସନ ପ୍ଲାନରେ ସଂଶୋଧନ କରାଯାଇଥିଲା ବୋଲି ଶ୍ରୀ ଖୁଂଟିଆ କହିଛନ୍ତି ।

Advertisment

ଅନ୍ୟପକ୍ଷରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବଢ଼ି ଚାଲିଥିଲେ ମଧ୍ୟ ରାଜ୍ୟ ସରକାର କାହିଁକି ଏହା ଚିହ୍ନଟ ତଥା ବିଲୋପ ଦିଗରେ ଆବଶ୍ୟକ ପଦକ୍ଷେପ ନେଉନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି । ବିଜେଡି ସରକାର ୨୪ବର୍ଷ ଶାସନରେ ରହିଥିଲେ ମଧ୍ୟ ରାଜ୍ୟରୁ ଶିଶୁ ଶ୍ରମିକର ବିଲୋପ ଦିଗରେ ଆଖିଦୃଶିଆ କାର୍ଯ୍ୟ କରିପାରିନାହିଁ । ପୂର୍ବର ବିଜେଡି ସରକାର କେବଳ ନିଜ ଦଳୀୟ ନେତ୍ରୀମାନଙ୍କୁ ‘ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ’ରେ ଥଇଥାନ କରି ଦାୟିତ୍ୱ ଶେଷ କରିଥିଲେ । ରାଜଧାନୀ ଭୁବନେଶ୍ୱରର ରାସ୍ତାଘାଟରେ ଶିଶୁମାନେ ଭିକ୍ଷାବୃତ୍ତି,ଜରି ଗୋଟାଳି, ବାସନମଜା ସହ  ଅସୁରକ୍ଷିତ ପରିବେଶରେ ବିପଦପୂର୍ଣ୍ଣ କାର୍ଯ୍ୟ କରୁଥିଲେ ମଧ୍ୟ ସେଥିପ୍ରତି ପ୍ରଶାସନ କିମ୍ବା ସରକାରଙ୍କ ନଜର ପଡ଼ୁନି । ସବୁଠୁ ପରିତାପର କଥା ହେଲା, ରାଜ୍ୟ ସଚିବାଳୟକୁ ଯିବା ପାଇଁ ଉଦ୍ଦିଷ୍ଟ ମାର୍ଗରେ କୋମଳମତି ଶିଶୁମାନେ ଦୟନୀୟ ସ୍ଥିତିରେ ଦୈନିକ ଭିକ୍ଷାବୃତ୍ତି କରୁଛନ୍ତି । ମାତ୍ର ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଓ ସେଥିପାଇଁ ପରିବେଶ ପ୍ରସ୍ତୁତ କରିବା ଦିଗରେ ରାଜ୍ୟ ସରକାର ସଫଳ ହୋଇପାରିନାହାନ୍ତି । ରାଜ୍ୟରେ ଶିଶୁ ଶ୍ରମିକଙ୍କ ସଂଖ୍ୟା କେତେ ଜାଣିବାରେ ସକ୍ଷମ ହୋଇନଥିବା ରାଜ୍ୟ ସରକାର କିଭଳି ଏହି ଶିଶୁମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବେ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

BjD Bjp Child Labour