Advertisment

ନଗଦ ଟଙ୍କା ଜବତ ସତ୍ତ୍ୱେ ବିଜେଡି ନେତ୍ରୀଙ୍କୁ କ୍ଲିନଚିଟ୍ ଦେଲା ପୁଲିସ, ଆପତ୍ତି ଉଠାଇ ଫେରାଦ ହେଲା ବିଜେପି

ବିଜେପି ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏବେ ନିର୍ବାଚନରେ ପୁଲିସ ବିଜେଡିର ହାତବାରିସି ହୋଇ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି

BJP

BJP

Advertisment

ବିଜେଡି ପ୍ୟାନେଲିଷ୍ଟ ଅପୂର୍ବା ଅପରୂପାଙ୍କଠୁ ପୁଳାପୁଳା ନଗଦ ଟଙ୍କା ଜବତ ହେବା ସତ୍ତ୍ୱେ ପୁଲିସ ତାଙ୍କ ନାଁରେ ମାମଲା ରୁଜୁ କରିନି । ଏପରିକି ଶାସକ ବିଜେଡି ଚାପରେ ଅନ୍ୟ ଲୋକଙ୍କଠୁ ଟଙ୍କା ଜବତ ହୋଇ ଦର୍ଶାଇ ପୁଲିସ ତାଙ୍କୁ କ୍ଲିନଚିଟ୍ ଦେଇ ଛାଡ଼ି ଦେଇଛି । ଏଭଳି ଅଭିଯୋଗ ଆଣି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେପି । ପୁଲିସକୁ ସ୍ପଷ୍ଟୀକରଣ ମାଗିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆନଗଲେ ବିଜେପି ବାଧ୍ୟ ହୋଇ ନିର୍ବାଚନ ଆୟୋଗଙ୍କୁ ଫେରାଦ ହେବ ବୋଲି ଚେତାବନୀ ଦେଇଛି ।

Advertisment

ସୂଚନା ଅନୁସାରେ, ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ବ୍ୟକ୍ତିଗତ କର୍ମଚାରୀ ପ୍ରକାଶ ମହାନ୍ତିଙ୍କ ଖାସ୍ ଭାବେ ପରିଚିତ ଛାତ୍ର ବିଜେଡି ନେତ୍ରୀ ଅପୂର୍ବା ଅପରୂପାଙ୍କୁ ବୌଦ୍ଧ ଜିଲ୍ଲାର ଛାରିଛକ ନିକଟରେ ପୁଳାପୁଳା ନଗଦ ଟଙ୍କା ସହ ଫ୍ଲାଇଂ ସ୍କ୍ୱାର୍ଡ ଟିମ୍ ଧରିଥିଲା । ତାଙ୍କୁ ପୁରୁଣାକଟକ ଥାନାରେ ପ୍ରାୟ ୮ଘଣ୍ଟା ଧରି ଅଟକ ରଖିବା ପରେ ପୁଲିସ ଛାଡ଼ି ଦେଇଥିଲା । ପ୍ରାୟ ନଗଦ ୧୩ଲକ୍ଷ ଟଙ୍କା ତାଙ୍କଠୁ ଜବତ ହୋଇଥିଲା ଓ ସେ ଏହି ଟଙ୍କାକୁ ନେଇ ସନ୍ତୋଷଜନକ ଉତ୍ତର ଦେଇପାରିନଥିବା ସୂଚନା ମିଳିଛି । ତେବେ ଶାସକ ବିଜେଡି ଚାପରେ ପୁଲିସ ଏହି ଟଙ୍କା ଜବତ ମାମଲାରୁ ଅପୂର୍ବାଙ୍କୁ କ୍ଲିନଚିଟ୍ ଦେଇ ଅନ୍ୟଜଣଙ୍କ ନାଁରେ ମାମଲା ରୁଜୁ କରିଥିବା ବିଜେପି ଅଭିଯୋଗ କରିଛି ।  ଅପୂର୍ବାଙ୍କଠୁ ଟଙ୍କା ଜବତ ହୋଇଥିବା ଓ ଥାନାରେ ଟଙ୍କା ବ୍ୟାଗ୍ ସହ ତାଙ୍କୁ କିଛି ଘଣ୍ଟା ଅଟକ ରଖାଯିବା ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିବା ସତ୍ତ୍ୱେ ପୁଲିସ କିଭଳି ଓ କାହା ଚାପରେ ତାଙ୍କ ନାଁରେ ମାମଲା ରୁଜୁ କଲାନି କିମ୍ବା ଗିରଫ କଲାନି ବୋଲି ବିଜେପି ପ୍ରଶ୍ନ କରିଛି ।

ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏବେ ନିର୍ବାଚନରେ ପୁଲିସ ବିଜେଡିର ହାତବାରିସି ହୋଇ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ଯେ ବିଜେଡି ପ୍ୟାନେଲିଷ୍ଟ ଅପୂର୍ବା ଅପରୂପା ଦାସଙ୍କ ପାଖରୁ ପୁଲିସ ନଗଦ ଲକ୍ଷାଧିକ ଟଙ୍କା ଜବତ କଲା ଓ ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । କିନ୍ତୁ କିଛି ସମୟ ପରେ ପୋଲିସ ସଲାସୁତୁରା କରି ବିଜୁ ଜନତା ଦଳର ପ୍ରବକ୍ତା ଅପୂର୍ବା ଅପରୂପା ଦାସଙ୍କୁ ଖସାଇ ଦେଇ ଅଲଗା ଲୋକଙ୍କ ପାଖରୁ ଟଙ୍କା ଜବତ ହୋଇଛି ବୋଲି ପୁଲିସ କହିଲା । ବିପୁଳ ପରିମାଣର ନଗଦ ଟଙ୍କା ଜବତ ମାମଲାରେ ବିଜେଡି ନେତ୍ରୀ ଅପୂର୍ବାଙ୍କୁ ପୁଲିସ କେଉଁ ପରିସ୍ଥିତିରେ ଛାଡ଼ିଦେଲା ଓ ଅନ୍ୟ ଲୋକର ନାଁ ଦେଖାଇଲା ସେ ସମ୍ପର୍କରେ ପୁଲିସ ଡିଜିପିଙ୍କୁ ସ୍ପଷ୍ଟୀକରଣ ମାଗିବାକୁ ବିଜେପି ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାବି କରିଛି । ଏହାସହିତ ଯାହାଙ୍କ ପାଖରୁ ଏତେ ପରିମାଣର ନଗଦ ଟଙ୍କା ଜବତ ହୋଇଛି ତାଙ୍କୁ ତୁରନ୍ତ ଗିରଫ କରାଯାଉ । ଯଦି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ଘଟଣାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନନେବେ ତା’ହେଲେ ବିଜେପି ଏହାକୁ ନିର୍ବାଚନ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବାଧ୍ୟ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Advertisment

ସେହିପରି ମତଦାନ ଚାଲିଥିବାବେଳେ ଚିକିଟି ଓ ବ୍ରହ୍ମପୁରରେ ବିଜେଡି କର୍ମୀମାନେ ମାରଣାସ୍ତ୍ର ଧରି ରାସ୍ତାରେ ବୁଲିଲେ କିନ୍ତୁ ପୁଲିସ ନଦେଖିଲା ଭଳି ଆଚରଣ କଲା । ବିଜେଡିର ଗୁଣ୍ଡା କର୍ମୀମାନେ ଠେଙ୍ଗା, ବାଡି, ଖଣ୍ଡା ଓ ମାରଣାସ୍ତ୍ରରେ ବିଜେପିର ନେତା ଓ ପ୍ରାର୍ଥୀଙ୍କୁ ମରଣାନ୍ତ୍ରକ ଆକ୍ରମଣ କରିଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଇ ନାହିଁ । ୨ଟି ସ୍ଥାନରେ ବିଧାୟକ ପ୍ରାର୍ଥୀଙ୍କ ଉପରେ ଆକ୍ରମଣ ହେଲା କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ ।

ସେହିପରି ସ୍ୱାସ୍ଥ୍ୟ ଭିଜିଟର ଦମୟନ୍ତୀ ଦାସ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବାଳିକା ସ୍କୁଲର ହିନ୍ଦୀ ଶିକ୍ଷକ ଲୋପାମୁଦ୍ରା ମଲ୍ଲିକ ଓ କେନ୍ଦୁଝର ଜିଲ୍ଲା ନରଣପୁରର ସିଆରପି ସସ୍ମିତା ନାୟକ ସରକାରୀ କର୍ମଚାରୀ ହୋଇ ମଧ୍ୟ ବିଜେଡି ଦଳ ପାଇଁ ପ୍ରଚାର କରୁଛନ୍ତି । ତେଣୁ ସେମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହ ଚାକିରିରୁ ବହିଷ୍କାର ପାଇଁ ବିଜେପି ଦାବି କରିଛି ।

ବିଜେପି କହିଛି ଯେ, ରାଜ୍ୟରେ ଶାସକ ବିଜେଡି ଖୋଲାଖୋଲି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଚାଲିଛି । ଏନେଇ ତଥ୍ୟ ପ୍ରମାଣ ଦେବା ସତ୍ତ୍ୱେ ନିର୍ବାଚନ ଅଧିକାରୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ନିର୍ବାଚନକୁ ଅବାଧ, ନିରପେକ୍ଷ କରିବା ପାଇଁ ଏସବୁ ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ବିଜେପି ଦାବି କରିଛି ।

ଏହି ପ୍ରତିନିଧିମଣ୍ଡଳୀରେ ବିଜେପି ନେତ୍ରୀ କସ୍ତୁରୀ ମିଶ୍ର, ଦିଲୀପ ମଲ୍ଲିକ, ସଙ୍ଗୀତା ଦାସ ଓ ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ ।

BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe