Advertisment

ନବୀନଙ୍କ ଉପରେ ବର୍ଷିଲେ ଶାହ: ୨୦ବର୍ଷରେ ବିକାଶ ଶୂନ, ଖଣି ଲୁଟ୍ ଚାଲିଛି, ଅଫିସରମାନେ ଭୟଙ୍କର ଭ୍ରଷ୍ଟାଚାରରେ ଲିପ୍ତ

ପୁରୀ ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ବାହାବା ସାଉଁଟିବାକୁ ପ୍ରୟାସ କରୁଥିବା ବିଜେଡିକୁ କଟାକ୍ଷ କରି ଶ୍ରୀ ଶାହ କହିଛନ୍ତି ଯେ, ପର୍ଯ୍ୟଟନର ବିକାଶ ନାଁରେ ପୁରୀ ଶ୍ରୀଜଗନ୍ନାଥ ପୀଠର ଗୌରବକୁ ନଷ୍ଟ କରାଯାଇଛି ।

Amit Shah

Amit Shah

Advertisment

ରାଜ୍ୟରେ ଆଜି ନିର୍ବାଚନୀ ପ୍ରଚାରର ବିଗୁଲ୍ ଫୁଙ୍କିଛନ୍ତି ବିଜେପି ଚାଣକ୍ୟ ତଥା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ । ଆଉ ସିଧାସଳଖ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରି ଏ ସରକାର ଅଫିସରମାନଙ୍କ ମାଧ୍ୟମରେ ଭୟଙ୍କର ଦୁର୍ନୀତିରେ ଲିପ୍ତ ବୋଲି କହିଛନ୍ତି । ଖୋଲାଖୋଲି ଖଣି ଲୁଟ୍ ଚାଲିଛି ।  ଦେଶର ସବୁଠୁ ଅଧିକ ଖଣିଜ ସମ୍ପଦ ଓଡ଼ିଶାରେ, ମାତ୍ର ସବୁଠୁ ବେଶୀ ଦାରିଦ୍ର‌୍ୟ ବି ଓଡ଼ିଶାରେ । ୨୦ବର୍ଷ ତଳେ ଓଡ଼ିଶାର ବିକାଶ ଯାହା ଥିଲା,ଏବେବି ସେୟା ରହିଛି । ପର୍ଯ୍ୟଟନର ବିକାଶ ନାଁରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ପୁରୀର ଗୌରବ ହାନି କରାଯାଇଛି । ଯିଏ ଓଡ଼ିଶାର ଭାଷା, ସଂସ୍କୃତି ଓ ଗୌରବରୁ ଦୂରେଇ ରହିଛି ସିଏ କଦାପି ପ୍ରଦେଶକୁ ଆଗେଇ ନେଇପାରିବ ନାହିଁ । ଏଭଳି କିଛି ଢଙ୍ଗରେ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି ଶ୍ରୀ ଶାହ ବିଜେପିକୁ ଏଠାରେ ମାତ୍ର ୫ବର୍ଷ ଶାସନ ପାଇଁ ସୁଯୋଗ ଦେବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ କରିବା ସହ ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Advertisment

ଆଜି ସୋନପୁରର ରାମେଶ୍ୱର ଷ୍ଟାଡ଼ିୟମଠାରେ ବିଜେପିର ‘ବିଜୟ ସଂକଳ୍ପ ସମାବେଶ’କୁ ସମ୍ବୋଧିତ କରିଛନ୍ତି ବିଜେପିର ଚାଣକ୍ୟ ଶ୍ରୀ ଶାହ । ଓଡ଼ିଶାରେ ଚାରିଟି ପର୍ଯ୍ୟାୟ ନିର୍ବାଚନର ପ୍ରଚାର ପାଇଁ ଆଜି ବିଗୁଲ୍ ଫୁଙ୍କି ନିଜ କର୍ମୀ ଓ କ୍ୟାଡ଼ରଙ୍କ ମନୋବଳ ବଢ଼ାଇବା ସହ ଏଠାରେ ବିଜେଡି ଓ ନବୀନ ପଟ୍ଟନାୟକକୁ ବିଜେପି ସିଧାସଳଖ ଟାର୍ଗେଟ୍ କରିବ ବୋଲି ସନ୍ଦେଶ ଦେଇଛନ୍ତି । ଓଡ଼ିଶାରେ ନିର୍ବାଚନୀ ପ୍ରଚାର ମଇଦାନରେ ବିଜେପିର ପ୍ରଥମ ଷ୍ଟାର ପ୍ରଚାରକ ଭାବେ ଶ୍ରୀ ଶାହ ବିଜେଡି ସରକାର ଓ ନବୀନ ପଟ୍ଟନାୟକଙ୍କୁ ଶାଣିତ ସମାଲୋଚନା କରିବାକୁ ପଛାଇନାହାନ୍ତି ।

ପୁରୀ ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ବାହାବା ସାଉଁଟିବାକୁ ପ୍ରୟାସ କରୁଥିବା ବିଜେଡିକୁ କଟାକ୍ଷ କରି ଶ୍ରୀ ଶାହ କହିଛନ୍ତି ଯେ, ପର୍ଯ୍ୟଟନର ବିକାଶ ନାଁରେ ପୁରୀ ଶ୍ରୀଜଗନ୍ନାଥ ପୀଠର ଗୌରବକୁ ନଷ୍ଟ କରାଯାଇଛି । ବିଜେପି ଏଠାରେ ସରକାରକୁ ଆସିଲେ କାଶୀବିଶ୍ୱନାଥ ଭଳି ପୁରୀର ବିକାଶ କରି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରାଯିବ । ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ସ୍ଥାପନ କାର୍ଯ୍ୟକ୍ରମରୁ ଲୋକଙ୍କ ଦୃଷ୍ଟି ଏଡ଼ାଇବା ପାଇଁ ନବୀନ ପଟ୍ଟନାୟକ ସରକାର ଉଦ୍ୟମ କରିଥିଲେ । କିନ୍ତୁ ଓଡ଼ିଶାବାସୀ ରାମମନ୍ଦିର ଉତ୍ସବକୁ ପାଳନ କରିଥିଲେ ବୋଲି ଶ୍ରୀ ଶାହା କହିଛନ୍ତି ।

Advertisment

ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ୍ କରି କହିଛନ୍ତି ଯେ, ଯିଏ ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତିଠୁ ଦୂରେଇ ରହୁଛନ୍ତି, ସେ କଦାପି ପ୍ରଦେଶକୁ ଆଗେଇ ନେଇପାରିବେ ନାହିଁ । ଏ ସରକାର ଓଡ଼ିଶାକୁ ବିକାଶରୁ ବଂଚିତ କରିଛି ଓ ଅଫିସରମାନଙ୍କ ମାଧ୍ୟମରେ ଭୟଙ୍କର ଭ୍ରଷ୍ଟାଚାର କରିଛି । ବିକାଶର ପ୍ରଚୁର ସମ୍ଭାବନା ଓଡ଼ିଶାରେ ରହିଛି । ଓଡ଼ିଶାରେ ଖଣିଜ ସମ୍ପଦ ସବୁଠୁ ବେଶୀ ଅଛି, କିନ୍ତୁ ଦାରିଦ୍ର‌୍ୟ ବି ଓଡ଼ିଶାରେ ସବୁଠୁ ଅଧିକ । ଏଠାରେ ଖଣିଜ ସମ୍ପଦ ଲୁଟ୍ ଚାଲିଛି । ବିଜେପି ସରକାର ଗଢ଼ିଲେ ସେହି ଖଣିଜ ସମ୍ପଦର ସୁବିନିଯୋଗ କରି ଆଦିବାସୀମାନଙ୍କ କଲ୍ୟାଣ କରିବ । ଓଡ଼ିଶାରେ ସର୍ବାଧିକ ଖଣିଜ ସମ୍ପଦ ରହିଛି କିନ୍ତୁ ଏଠାରେ ସମୃଦ୍ଧି ଆସିପାରିନି ବୋଲି ସେ କହିଛନ୍ତି । ଓଡ଼ିଶାର ଯୁବକମାନେ ରୋଜଗାର ପାଇଁ ଗୁଜୁରାଟ, ମୁମ୍ବାଇ, ପଞ୍ଜାବ, ଦିଲ୍ଲୀ ଆଦି ରାଜ୍ୟକୁ ଯାଉଛନ୍ତି । ବିଜେପି ସରକାର ଗଢ଼ିଲେ କାହାରିକୁ ଆଉ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ ।

ଯେଉଁ ରାଜ୍ୟରେ ବିଜେପିର ସରକାର ଅଛି, ସେଠାରେ ଡବଲ ଇଞ୍ଜିନ ସରକାର ମିଳିତ ଭାବେ ବିକାଶକୁ ଗତିଶୀଳ କରାଇପାରିଛି । ଓଡ଼ିଶାର ଯୁବବର୍ଗଙ୍କ ବିଶ୍ୱସ୍ତରୀୟ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତ କରିବା, ପ୍ରମୁଖ କମ୍ପାନୀକୁ ଶିଳ୍ପ ସ୍ଥାପନ ପାଇଁ ଓଡ଼ିଶାକୁ ଆଣିବା, ସବୁ ଘରକୁ ପାଇପ ଯୋଗେ ପାନୀୟ ଜଳ, ସବୁ ଜମିକୁ ଜଳସେଚନ ସୁବିଧା ଆଦି କରିବା ଉପରେ ବିଜେପି ସରକାର ଗୁରୁତ୍ୱ ଦେବ ।

ଶ୍ରୀ ଶାହା ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କୁ ୨୫ବର୍ଷ ଶାସନ କରିବାର ସୁଯୋଗ ଦେଇଛନ୍ତି । ବିଜେପିକୁ ମାତ୍ର ୫ବର୍ଷ ସୁଯୋଗ ଦେଲେ ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରାଯିବ। ବିଜେପି ସରକାର ଆସିଲେ ସୋନପୁର ଅଂଚଳରେ କପା ଚାଷୀଙ୍କ ପାଇଁ ଟେକ୍ସଟାଇଲ ମିଲ୍ ସ୍ଥାପନ, ମତ୍ସ୍ୟଜୀବୀଙ୍କ ସୁବିଧା ପାଇଁ ଫିସରିଜ୍ କଲେଜ, ଆଗ୍ରୋ ଉଦ୍ୟୋଗ ଓ ଆୟୁର୍ବେଦିକ ଔଷଧ ନିର୍ମାଣକାରୀ କାରଖାନା ପ୍ରତିଷ୍ଠା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଓଡ଼ିଶାକୁ ବିଗତ ୧୦ବର୍ଷ ମଧ୍ୟରେ ମୋଦି ସରକାର ୪.୮୧ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି । ଭିତ୍ତିଭୂମି ଉନ୍ନୟନ ବାବଦରେ ଦେଢ଼ ଲକ୍ଷ କୋଟି, ରାସ୍ତା ନିର୍ମାଣରେ ୨୩ହଜାର କୋଟି, ରେଳବାଇ ବିକାଶରେ ୬୫ହଜାର କୋଟି ଟଙ୍କା ଦେଇଛନ୍ତି ବୋଲି ଶାହ କହିବା ସହ କେନ୍ଦ୍ର ସରକାର ଯେଉଁ ଅନୁଦାନ ଦେଉଛନ୍ତି ଏଠାରେ ନବୀନ ପଟ୍ଟନାୟକ ତାଙ୍କର ନିଜ ଷ୍ଟାମ୍ପ ମାରି ମିଛ କହୁଛନ୍ତି । ମାତ୍ର ଓଡ଼ିଶାବାସୀ ସବୁ ଜାଣିସାରିଲେଣି ।ଶ୍ରୀ ଶାହ ଓଡ଼ିଶାରେ ୨୦ଟି ଲୋକସଭା ଆସନ ସହ ବିଧାନସଭାରେ ବିଜେପିକୁ ସରକାର ଗଢ଼ିବା ପାଇଁ ସମର୍ଥନ ଦେବାକୁ ଭୋଟରଙ୍କୁ ଅନୁରୋଧ କରିଛନ୍ତି ।

ଶାହଙ୍କ ଆଜିର ଶାଣିତ ସମାଲୋଚନା ପରେ ରାଜ୍ୟରେ ବିଜେପି କର୍ମୀ ଓ ନେତାମାନେ ପୂର୍ବ ତୁଳନାରେ ନିର୍ବାଚନୀ ପ୍ରଚାରବେଳେ ବିଜେଡି ଉପରେ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିବାର ଆଶଙ୍କା ସୃଷ୍ଟି ହୋଇଛି । ବିଜେଡି ଓ କେନ୍ଦ୍ରୀୟ ବିଜେପି ନେତୃତ୍ୱଙ୍କ ସମ୍ପର୍କକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ଉପରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି ।

ତେବେ, ବିଜେଡି ଆଜିପର୍ଯ୍ୟନ୍ତ କେବଳ ‘ରାଜ୍ୟ ବିଜେପି’କୁ ଟାର୍ଗେଟ୍ କରୁଥିବାବେଳେ ବିଜେପି ଚାଣକ୍ୟ ଶ୍ରୀ ଶାହ ଓ ଅନ୍ୟ କେନ୍ଦ୍ରୀୟ ନେତାମାନଙ୍କର ଶାଣିତ ସମାଲୋଚନାର କିଭଳି ଜବାବ ରଖୁଛି ତାହା ଉପରେ ସମସ୍ତଙ୍କ ନଜର ।

ଉଲ୍ଲେଖଯୋଗ୍ୟ, ଏହି ସକଂଳ୍ପ ସମାବେଶରେ ବଲାଙ୍ଗୀର, ସମ୍ବଲପୁର, ବରଗଡ଼ ଓ କନ୍ଧମାଳ ସଂସଦୀୟ କ୍ଷେତ୍ରର ବିଜେପି ପ୍ରାର୍ଥୀଙ୍କ ସମେତ ଦଳର ବିଧାନସଭା ପ୍ରାର୍ଥୀମାନେ ଉପସ୍ଥିତ ଥିଲେ ।

ଶ୍ରୀ ଶାହ ଆଜି ସ୍ୱତନ୍ତ୍ର ଏୟାରକ୍ରାଫ୍ଟରେ ଭୁବନେଶ୍ୱର ଆସି ଏକ ହୋଟେଲ ରାତି ବିତାଇବା ସହ ଦଳୀୟ ନେତାମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

Bjp Amit Shah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe