Advertisment

'ଦିନେ ତୁମେ ମୁଖ୍ୟମନ୍ତ୍ରୀ ହେବ'; ଅଜିତ ପାୱାରଙ୍କୁ କାହିଁକି କହିଲେ ଫଡନାବିସ୍?

ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ଫଡନାବିସ। କହିଲେ ମହାୟୁତି ସରକାର ରାଜ୍ୟ ପାଇଁ ୨୪ ଘଣ୍ଟା କାମ କରିବ।

author-image
Debadatta Aryashrestha
Devendra Fadnavis and Ajit Pawar

Devendra Fadnavis and Ajit Pawar

ମହାରାଷ୍ଟ୍ରରେ ଫଡନାବିସ୍ ସରକାର ଗଠନ ହେବା ପରେ ଆରମ୍ଭ ହୋଇଛି ପ୍ରଥମ ବିଧାନସଭା ଅଧିବେଶନ। ଶୀତ ଅଧିବେଶନକୁ ସମ୍ବୋଧନ କରି ମହାୟୁତି ସରକାର ରାଜ୍ୟ ପାଇଁ ୨୪ ଘଣ୍ଟା କାମ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍। ନିଜର ଦୁଇ ଡେପୁଟିଙ୍କ ସହ ସମୟ ଭାଗ ବାଣ୍ଟି ସକାଳେ ଅଜିତ ପାୱାର, ଦ୍ଵିପ୍ରହରରୁ ମଧ୍ୟରାତ୍ରି ଯାଏଁ ସେ ନିଜେ ଓ ସାରା ରାତି ଏକନାଥ ସିନ୍ଦେ ରାଜ୍ୟ ପାଇଁ କାମ କରିବେ ବୋଲି ଫଡନାବିସ କହିଛନ୍ତି।

Advertisment

ମହାରାଷ୍ଟ୍ର ବିଧାନସଭାରେ ଆରମ୍ଭ ହୋଇଥିବା ଶୀତ ଅଧିବେଶନକୁ ରାଜ୍ୟପାଳ ସି.ପି ରାଧାକୃଷ୍ଣ ସମ୍ବୋଧନ କରିଥିଲେ। ଏହାପରେ ରାଜ୍ୟପାଳଙ୍କୁ ଧନ୍ୟବାଦ ପ୍ରସ୍ତାବ ଉପରେ ଆରମ୍ଭ ହୋଇଥିବା ଆଲୋଚନାରେ ଭାଗ ନେଇ ଗୃହକୁ ସମ୍ବୋଧନ କରିଥିଲେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ। ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ପ୍ରଶଂସା କରି ସେ କହିଥିଲେ, "ଆପଣଙ୍କୁ ସମସ୍ତେ ସ୍ଥାୟୀ ଉପମୁଖ୍ୟମନ୍ତ୍ରୀ ବୋଲି କହୁଛନ୍ତି। ହେଲେ ମୋ ଶୁଭେଚ୍ଛା ଆପଣଙ୍କ ସହ ଅଛି। ଦିନେ ଆପଣ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ।"

ଉଲ୍ଲେଖ ଯୋଗ୍ୟ, ଡିସେମ୍ବର ୫ରେ ଯେତେବେଳେ ଦେବେନ୍ଦ୍ର ଫଡନାବିସ୍ ତୃତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ, ତାଙ୍କ ସହ ଅଜିତ ପାୱାର ଷଷ୍ଠ ଥର ପାଇଁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହି ପଦ ପାଇଁ ସେ ୨୦୨୩ରେ ନିଜ ଦାଦା ତଥା ଏନସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କ ଦଳକୁ ଭାଙ୍ଗି ବିଜେପି ନେତୃତ୍ଵାଧୀନ ମହାୟୁତି ମେଣ୍ଟ ସରକାରରେ ଯୋଗ ଦେଇଥିଲେ। ଏହାପରେ ଦଳର ନାଁ ଓ 'ଘଡ଼ି' ଚିହ୍ନକୁ ନେଇ ଲାଗିଥିବା ନ୍ୟାୟିକ ଲଢ଼େଇରେ ମଧ୍ୟ ସେ ଜିତି ଯାଇଥିଲେ।

Advertisment

ଚଳିତବର୍ଷ ଅନୁଷ୍ଠିତ ଲୋକସଭା ନିର୍ବାଚନରେ କେବଳ ଗୋଟିଏ ଆସନ ଜିତିଥିବା ଏନସିପି ବିଧାନସଭା ନିର୍ବାଚନରେ ଦମଦାର କମବ୍ୟାକ୍ କରିଛି। ୫୭ ଆସନରେ ଲଢ଼ି ୪୧ ଆସନରେ ବିଜୟ ହାସଲ କରିଛି ଦଳ। ନିର୍ବାଚନରେ ବିଜେପି, ଶିବସେନା ଓ ଏନସିପିର ମହାୟୁତି ମେଣ୍ଟ ୨୮୮ ଆସନରୁ ୨୩୦ ଆସନରେ ଜିତି ବିପୁଳ ବିଜୟ ସହ ସରକାର ଗଠନ କରିଛି। ଅନ୍ୟପଟେ ବିରୋଧୀ କଂଗ୍ରେସ, ଶିବସେନା (ଉଦ୍ଧବ ଗୋଷ୍ଠୀ) ଓ ଏନସିପି (ଏସସିପି)ର ମହା ବିକାଶ ଅଘାଡ଼ି ମେଣ୍ଟ କେବଳ ୪୬ ଆସନରେ ସୀମିତ ରହି ଯାଇଛି।

Bjp Devendra Fadnavis Maharashtra Politics NCP Ajit Pawar Mahayuti Alliance