ଶଙ୍ଖ ଭବନରେ ଦେବୀ ଓ ବବି ହଟହଟା: ମହଙ୍ଗା ପଡ଼ିଲା ମାମଲାତି, କାହିଁକି ହେଉନି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ବିଜେଡି ସୂତ୍ର ଅନୁସାରେ,ବବି ଭୁବନେଶ୍ୱରରେ ନିଜର ରାଜନୀତିକ ଅସ୍ତିତ୍ୱ ବଂଚାଇ ରଖିବା ପାଇଁ ବାଇଁଆ ଓ ଲିଟୁଙ୍କ ଉପରେ ଭରସା କରିଛନ୍ତି । ଉଭୟଙ୍କ କାନ୍ଧରେ ବନ୍ଧୁକ ରଖି ବବି ଭୁବନେଶ୍ୱରରେ ନିଜର ପତିଆରା ଦେଖାଇବାରେ ଲାଗିଛନ୍ତି ।

ବିଜେଡି ରାଜ୍ୟ ମୁଖ୍ୟାଳୟ (ଫାଇଲ ଫଟୋ)

  • Published: Tuesday, 24 September 2024
  • , Updated: 24 September 2024, 10:44 PM IST

ନବୀନ ପଟ୍ଟନାୟକଙ୍କ ବିଜେଡି ଏବେ ଉତ୍କଟ ଗୋଷ୍ଠୀକନ୍ଦଳରେ ଅଣନିଶ୍ୱାସୀ ହୋଇପଡ଼ିଛି । ଯେଉଁମାନେ ବିଜେଡି ବିପର୍ଯ୍ୟୟର ମୁଖ୍ୟ ପୁରୋଧା ସାଜିଥିଲେ ଏବେ ସେମାନେ ପୁଣିଥରେ ସକ୍ରିୟ ହୋଇ ସଂଗଠନକୁ ନିଜ ନିୟନ୍ତ୍ରଣକୁ ନେବାକୁ ପ୍ରୟାସ କରୁଥିବାରୁ ଦଳରେ ବିରୋଧର ସ୍ୱର ତୀବ୍ର ହେବାରେ ଲାଗିଛି । ଗତ ରବିବାର ଦଳର ତଥାକଥିତ ପ୍ରଭାବଶାଳୀ ନେତା ପ୍ରଣବପ୍ରକାଶ ଦାସ(ବବି) ଓ ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ଶଙ୍ଖଭବନରେ ଦଳୀୟ କର୍ମୀମାନଙ୍କ ଦ୍ୱାରା ହଟହଟା ହୋଇଥିବା ଜଣାପଡ଼ିଛି । ଏପରିକି ନିଜର ରାଜନୀତିକ ଅସ୍ତିତ୍ୱକୁ ବଂଚାଇ ରଖିବା ପାଇଁ ବବି ଏବେ ଭୁବନେଶ୍ୱରର ଦୁଇ କର୍ପୋରେଟ ଅମରେଶ ଜେନା(ବାଇଁଆ) ଓ ବିରଂଚି ନାରାୟଣ ମହାସୁପକାର(ଲିଟୁ)ଙ୍କୁ ଅସ୍ତ୍ର କରି ଦଳରେ ଗୋଷ୍ଠୀକନ୍ଦଳ ଓ ଅଶାନ୍ତି ସୃଷ୍ଟି କରୁଥିବା ଚର୍ଚ୍ଚା ହେଉଛି ।

ଗତ ରବିବାର ଶଙ୍ଖ ଭବନରେ ଦଳୀୟ ବୈଠକ ପାଇଁ ଭୁବନେଶ୍ୱରର ତିନି ନେତା ଅଶୋକ ଚନ୍ଦ୍ର ପଣ୍ଡା,ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତଙ୍କୁ ନିଜ ନିଜ ଅଂଚଳର ଆଗଧାଡ଼ିର ସଂଗଠକଙ୍କ ସହ ଆସିବାକୁ ଦଳ ପକ୍ଷରୁ କୁହାଯାଇଥିଲା । ବରିଷ୍ଠ ନେତା ଦେବୀ ମିଶ୍ର ଏହି ୩ ନେତାଙ୍କୁ ନିଜର ସମର୍ଥକମାନଙ୍କ ସହ ଆସିବା ପାଇଁ ବ୍ୟକ୍ତିଗତ ଭାବେ ଫୋନ୍ କରି ଜଣାଇଥିଲେ । କିନ୍ତୁ ଏହି ବୈଠକକୁ ଅମରେଶ ଓ ଲିଟୁ ଆସିବା ଯୋଗୁ ବିବାଦର ସୂତ୍ରପାତ ହୋଇଥିଲା । ସେମାନଙ୍କୁ କୌଣସି ବିଧାୟକ ଅବା ବିଧାୟକ ପ୍ରାର୍ଥୀ ଡାକିନଥିବାବେଳେ କିଭଳି ଏହି ବୈଠକକୁ ଆସିଲେ ତାକୁ ନେଇ ଶଙ୍ଖଭବନରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା ।

ଦଳୀୟ ସୂତ୍ର ଅନୁସାରେ, ଶଙ୍ଖଭବନରେ ସମସ୍ତଙ୍କ ଉପସ୍ଥିତିରେ ଅଶୋକ ପଣ୍ଡାଙ୍କ ସମର୍ଥକ ଗୋଷ୍ଠୀ ସିଧାସଳଖ ବବିଙ୍କୁ କଡ଼ା ଭାଷାରେ ଗାଳିଗୁଲଜ କରିଥିଲେ । ଦଳକୁ ନଷ୍ଟ କରିବା ଓ ଅଶାନ୍ତି ସୃଷ୍ଟି କରିବାରେ ବବିଙ୍କ ଭୂମିକା ଥିବା କହି ଏକାମ୍ର ନିର୍ବାଚନମଣ୍ଡଳୀର ଯୁବ ବିଜେଡି ସଭାପତି ରାଜେଶ ପାତ୍ର ମନଇଚ୍ଛା ବର୍ଷିଥିଲେ । ଭୁବନେଶ୍ୱରର ଅନ୍ୟ କିଛି କର୍ପୋରେଟର ଓ ଆଗଧାଡ଼ିର ନେତା ମଧ୍ୟ ଶ୍ରୀ ପାତ୍ରଙ୍କୁ ସମର୍ଥନ କରି ବବିଙ୍କୁ ଗାଳିଗୁଲଜ କରିବା ପରେ ସେ ନିଜ ଚାମ୍ବରକୁ ପଳାଇବାକୁ ବାଧ୍ୟ ହୋଇଥିଲେ । ସେଠାରେ ମାମଲାତି ଦେଖାଇବାକୁ ପ୍ରୟାସ କରୁଥିବା ଅନ୍ୟତମ ବରିଷ୍ଠ ନେତା ଦେବୀ ମିଶ୍ରଙ୍କୁ ମଧ୍ୟ କିଛି ମହିଳା କଡ଼ା ଭାଷାରେ ଭର୍ତ୍ସନା କରିଥିଲେ ।   ପରିସ୍ଥିତି ଜଟିଳ ହେଉଥିବା ଦେଖି ଦଳର ଅନ୍ୟ ବରିଷ୍ଠ ନେତାମାନେ ନିଜ ଇଜ୍ଜତକୁ ରଖି ଚୁପ୍ ରହିବାକୁ ବାଧ୍ୟ ହୋଇଥିଲେ ବୋଲି ଜଣାପଡ଼ିଛି ।

ଅନ୍ୟପକ୍ଷରେ ଦଳୀୟ ଅନୁଶାସନ ବାହାରେ କାର୍ଯ୍ୟ ଓ ବିଶୃଙ୍ଖଳିତ ଆଚରଣ କରୁଥିବା ବାଇଁଆ ଓ ଲିଟୁଙ୍କୁ କିଏ ସୁରକ୍ଷା ଦେଉଛି ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସାଧାରଣ ନିର୍ବାଚନ ପୂର୍ବରୁ ଦଳୀୟ ପ୍ରାର୍ଥୀଙ୍କ ବିରୁଦ୍ଧରେ ସମାନ୍ତରାଳ ବୈଠକ ଓ ସଭାସମିତି କରିବା ଏବଂ ଏପରିକି ବିଜେପି ନେତାମାନଙ୍କ ସହ ଖୋଲାଖୋଲି ଭାବେ ଭେଟଘାଟ କରି ବାଇଁଆ ଓ ଲିଟୁ ବିବାଦୀୟ ହୋଇପଡ଼ିଥିଲେ । ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ଗଣମାଧ୍ୟମ ସାମ୍ନାକୁ ଆସି ମତ ରଖିବା ଯୋଗୁ ବିଜେଡିକୁ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଯେଉଁଥିପାଇଁ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତ ତାଙ୍କ ବିନା ଅନୁମତିରେ ସଂଗଠନ ସମ୍ପର୍କରେ ଗଣମାଧ୍ୟମରେ ଜିଲ୍ଲାର କୌଣସି ନେତା ବୟାନ ରଖିପାରିବେ ନାହିଁ ବୋଲି କଟକଣା ଜାରି କରିଥିଲେ ।  ମାତ୍ର ଏସବୁ ସତ୍ତ୍ୱେ ବାଇଁଆ ଓ ଲିଟୁ କିଭଳି ବାରମ୍ବାର ବୟାନବାଜି କରୁଛନ୍ତି ଓ କାହା ସାହାସରେ ଦଳର ବରିଷ୍ଠ ନେତାମାନଙ୍କୁ ସିଧାସଳଖ ଟାର୍ଗେଟ କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ।

ବିଜେଡି ସୂତ୍ର ଅନୁସାରେ,ବବି ଭୁବନେଶ୍ୱରରେ ନିଜର ରାଜନୀତିକ ଅସ୍ତିତ୍ୱ ବଂଚାଇ ରଖିବା ପାଇଁ ବାଇଁଆ ଓ ଲିଟୁଙ୍କ ଉପରେ ଭରସା କରିଛନ୍ତି । ଉଭୟଙ୍କ କାନ୍ଧରେ ବନ୍ଧୁକ ରଖି ବବି ଭୁବନେଶ୍ୱରରେ ନିଜର ପତିଆରା ଦେଖାଇବାରେ ଲାଗିଛନ୍ତି । ଭୁବନେଶ୍ୱରର ବିଜେଡି ନେତାମାନେ ଖୋଲାଖୋଲି ଭାବେ ବାଇଁଆ ଓ ଲିଟୁଙ୍କ ବିରୁଦ୍ଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ଦାବି କରୁଥିଲେ ମଧ୍ୟ ବିଜେଡି ସର୍ବେସର୍ବା ଭିକେ ପାଣ୍ଡିଆନଙ୍କୁ ପ୍ରଭାବିତ କରି ବବି ସେମାନଙ୍କର ସୁରକ୍ଷାକବଚ ପାଲଟିଛନ୍ତି । ଆଉ ବବି ପରୋକ୍ଷରେ ଭୁବନେଶ୍ୱର ଜିଲ୍ଲା ବିଜେଡି ସଂଗଠନ ଜିଲ୍ଲାରେ ଦଳୀୟ କନ୍ଦଳକୁ ତୀବ୍ରତର କରାଉଥିବା ଚର୍ଚ୍ଚା ହେଉଛି । ଏହିସବୁ କାରଣ ଯୋଗୁ ଗତ ରବିବାର ଅଶୋକ ପଣ୍ଡାଙ୍କ ସମର୍ଥକମାନେ ଶଙ୍ଖଭବନ ପରିସରରେ ସମସ୍ତଙ୍କ ସମ୍ମୁଖରେ ବବିଙ୍କୁ କଡ଼ାଭାଷାରେ ଗାଳିଗୁଲଜ କରିଥିଲେ । ସାଧାରଣ ନିର୍ବାଚନରେ ପରାଜୟ ହେବାପରେ ବବିଙ୍କ ଶଙ୍ଖଭବନ ପରିସରରେ ଦ୍ୱିତୀୟଥର ପାଇଁ ଏଭଳି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି ।

ଉଲ୍ଲେଖଯୋଗ୍ୟ, ଏସମସ୍ତ ଘଟଣା ଜାଣି ମଧ୍ୟ ନବୀନ ଓ ତାଙ୍କ ପରାମର୍ଶଦାତା ଭିକେ ପାଣ୍ଡିଆନ ନିରବ ରହୁଥିବାରୁ ଭୁବନେଶ୍ୱରରେ ବିଜେଡି ସଂଗଠନ କ୍ରମଶଃ ଲଗାମଛଡ଼ା ହେବାରେ ଲାଗିଛି । ଆଉ ପରୋକ୍ଷରେ ଏଭଳି ଅସ୍ଥିରତା ସୃଷ୍ଟି କରୁଥିବା ବବିଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନକରିବା ମଧ୍ୟ ଭବିଷ୍ୟତରେ ନବୀନ ଓ ପାଣ୍ଡିଆନଙ୍କୁ ମହଙ୍ଗା ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି ।

Related story