Advertisment

ବିଧାୟକଙ୍କୁ ପିଟି ଛଡ଼ାଇନେଲେ ସୁନା ଚେନ୍‌

ଆକ୍ରମଣକାରୀମାନେ ବବି ଭାଇ ଜିନ୍ଦାବାଦ୍ ନାରା ପକାଇଥିବା ଅଭିଯୋଗ କରିଛନ୍ତି ବିଧାୟକ।

ଅଦ୍ୟତନ ହୋଇଛି
MLA

MLA

Advertisment

ଯାଜପୁରରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ସମର୍ଥକମାନେ ତାଙ୍କୁ ଆକ୍ରମଣ କରିଥିବା କହିଛନ୍ତି ନିଜେ ବିଧାୟକ ଶ୍ରୀ ସାହୁ। ଡିଡିଏମ୍‌ଙ୍କ ଅଫିସକୁ ମିଟିଂ ପାଇଁ ଯିବା ବେଳେ ଯାଜପୁର ବୁଢ଼ାପୋଲ ନିକଟରେ ବିଧାୟକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।

Advertisment

ଅଭିଯୋଗ ଅନୁଯାୟୀ, ବୁଢ଼ାପୋଲ ନିକଟରେ ଆଜି ବିଜେଡି କର୍ମୀମାନେ ଆନ୍ଦୋଳନରେ ବସିଥିଲେ। ବିରଜା ହାଟ ସ୍ଥାନାନ୍ତର ପ୍ରତିବାଦରେ ସେମାନେ ଆନ୍ଦୋଳନକୁ ଓହ୍ଲାଇ ରାସ୍ତାରୋକ କରିଥିଲେ। ତେଣୁ ଅନେକ ଗାଡ଼ି ରାସ୍ତାରେ ଅଟକି ରହିଥିଲା। ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ସେହିବାଟରେ ଏ ସରକାରୀ ବୈଠକକୁ ଯୋଗଦେବାକୁ ଯାଉଥିବା ବେଳେ ଫସି ଯାଇଥିଲେ। ହଠାତ୍ ୧୦/୧୫ ଜଣ ଲୋକ ତାଙ୍କ ଗାଡ଼ି ଆଡ଼କୁ ମାଡ଼ି ଆସିଥିଲେ। ସେମାନେ ବିଧାୟକ ଶ୍ରୀ ସାହୁଙ୍କୁ ଗାଳିଗୁଲଜ କରିବା ସହିତ ତାଙ୍କୁ ଧକ୍କା ମାରିଥିଲେ। ତାଙ୍କ ସୁନା ଚେନ୍ ଛିଣ୍ଡାଇ ନେଇ ଯାଇଥିଲେ। ତାଙ୍କ କାରକୁ ଲୁହା ରଡ୍ ଓ ଠେଙ୍ଗାରେ ପିଟିଥିଲେ। ଫଳରେ ତାଙ୍କ କାରର କାଚ ଭାଙ୍ଗି ଯାଇଛି। ଗଲା ବେଳେ ସେମାନେ ବବି ଭାଇ ଜିନ୍ଦାବାନ ନାରା ପକାଇଥିଲେ। ଏମିତିକି ବିଜେପି ନେତା ଯାଜପୁରକୁ ଆସିଲେ ମାଡ଼ ଖାଇବେ ବୋଲି କହିଥିଲେ।      

ବିଧାୟକ ଶ୍ରୀ ସାହୁ କହିଛନ୍ତି, କିଛି ଲୋକ ରାସ୍ତାରୋକ କରିଥିଲେ। ରାସ୍ତା ବନ୍ଦ ଥିବାରୁ ମୋ ଗାଡ଼ି ସେଠାରେ ଅଟକି ଥିଲା। ରାସ୍ତା ବନ୍ଦ ଥିବାରୁ ମୋ ଗାଡ଼ି ସେଠାରେ ଅଟକି ଥିଲା। ସେମାନେ ମୋ ଗାଡ଼ିକୁ ରଡ୍‌ ଓ ଠେଙ୍ଗାରେ ପିଟିଥିଲେ। ଗାଡ଼ିରେ ମୋତେ ଦେଖି ମୋ ଆଡ଼କୁ ମାଡ଼ି ଆସିଥିଲେ। ମୋତେ ପିଟି, ମୋ ଚେନ୍‌ ଛିଡ଼ାଇ ନେଇଥିଲେ। ବବି ଭାଇ ଜିନ୍ଦାବାଦ୍‌ କହି ମୋତେ ସେମାନେ ଆକ୍ରମଣ କରିଥିଲେ। ତୁରନ୍ତ ଏଠୁ ପଳା, ନହେଲେ ମାରିଦେବୁ ବୋଲି ସେମାନେ କହିଥିଲେ। 

Advertisment

ସେ ଆହୁରି କହିଛନ୍ତି, ମୋ ପିଏସ୍‌ଓଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ପିଏସ୍‌ଓଠାରୁ ପିସ୍ତଲ ଛଡ଼ାଇ ମୋତେ ଫାୟାରିଂ କରିଥାନ୍ତେ। କୌଣସି ପ୍ରକାରେ ପିଏସ୍‌ଓ ସେମାନଙ୍କ କବଳରୁ ଖସିଯାଇଥିଲେ। ଲୋକମାନେ ଆସିନଥିଲେ ସେମାନେ ମୋତେ ମାରିଦେଇଥାନ୍ତେ। ବବି ଦାସକୁ ବିରୋଧ କରୁଛି, ତାକୁ ପିଟି ମାରିଦିଅ କହୁଥିଲେ। ମୋତେ ମାରି ବାଇ ଇଲେକ୍ସନ କରିବା ଯୋଜନାରେ ଥିଲେ। ଆକ୍ରମଣ ପରେ ପରେ ବବିଙ୍କ ଭାଇ ଲଲ ଦାସ ଫୋନ୍‌ କରିଥିଲେ। ଯାହା ହେଲା ହେଲା, କଂପ୍ରୋମାଇଜ୍‌ କରିଦିଅ କହିଥିଲେ। ଲୋକ ଲଗାଇ ପିଟିବେ, ପୁଣି କଂପ୍ରୋମାଇଜ୍‌ ପାଇଁ କହିବେ।

ଏହି ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଜେପି କର୍ମୀ ଓ ସମର୍ଥକମାନେ ସେଠାରେ ପହଞ୍ଚିଥିଲେ। ସେମାନେ ବିଧାୟକଙ୍କ ଗାଡ଼ିକୁ ଘେରି ରହିଥିଲେ। ଆକ୍ରମଣକାରୀଙ୍କୁ ଗିରଫ ନ କରିବା ପର୍ଯ୍ୟନ୍ତ ବିଧାୟକ କିମ୍ବା ବିଜେପି କର୍ମୀ ହଟିବେ ନାହିଁ ବୋଲି କହିଥିଲେ। ପୁଲିସ୍ ସେମାନଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ଏହି ଘଟଣାରେ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ଯାଜପୁର ଏସ୍‌ପି କହିଛନ୍ତି। ଅନ୍ୟପକ୍ଷରେ ଘଟଣାସ୍ଥଳରେ ସ୍ଥିତି ଶାନ୍ତ ପଡ଼ିବା ପରେ ଯାଜପୁର ଟାଉନ୍ ଥାନା ଆଗରେ ଉତ୍ତେଜନା ଦେଖାଦେଇଛି। ପ୍ରଣବ ପ୍ରକାଶ ଦାସଙ୍କ ସମର୍ଥକମାନେ ସେଠାରେ ପହଞ୍ଚି ପ୍ରତିବାଦ କରୁଛନ୍ତି। ପ୍ରଣବଙ୍କ ଭାଇ ଲଲ ଥାନାରେ ପହଞ୍ଚିଛନ୍ତି। ଆକ୍ରମଣ ପରେ ଲଲ ତାଙ୍କୁ ଫୋନ୍ କରିଥିଲେ ବୋଲି ଅଭିଯୋଗ କରିଥିଲେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ। 

ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) କହିଛନ୍ତି, ଏହି ଘଟଣାକୁ ନିନ୍ଦା କରୁଛି। ମୋର ଅନେକ ଦଳୀୟ କାର୍ଯ୍ୟକ୍ରମ ଥିଲା, ମୁଁ ଘଟଣାସ୍ଥଳରେ ନଥିଲି। ବିରଜା ପ୍ରକଳ୍ପକୁ ନେଇ ପ୍ରଶାସନର ନିଷ୍ପତ୍ତି ବିରୋଧରେ ରାସ୍ତାରୋକ ହୋଇଥିଲା। ବିଧାୟକ ସେପଟେ ଯାଉଥିଲେ ଓ ଆନ୍ଦୋଳନକାରୀଙ୍କ ସହ ତାଙ୍କର ବଚସା ହୋଇଥିବା ମୁଁ ଶୁଣିବାକୁ ପାଇଛି। ବିଜେଡି କୌଣସି ପ୍ରକାର ହିଂସାକୁ ପ୍ରଶ୍ରୟ ଦିଏ ନାହିଁ। ଯଦି କେହି ଏହି ଘଟଣାରେ ଦୋଷୀଥିବା ତା’ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ସେମାନଙ୍କୁ ଗିରଫ କରାଯାଉ। ଏନେଇ ମୁଁ ଏସ୍‌ପିଙ୍କ ସହିତ ମଧ୍ୟ କଥା ହୋଇସାରିଛି। ଆମ ତରଫରୁ ସଂପୂର୍ଣ୍ଣ ସହଯୋଗ କରାଯିବ। ମୋ ଭାଇ ଏହି ଆକ୍ରମଣରେ ସଂପୃକ୍ତ ଥିବା କୁହାଯାଉଛି। ମୁଁ ମୋ ଭାଇକୁ ଯାଇ ଥାନାରେ ବସିବାକୁ କହିଛି। ଯଦି ତାଙ୍କର ଏଥିରେ ହାତ ଥିବ, ତାଙ୍କୁ ମଧ୍ୟ ଗିରଫ କରାଯାଉ।

ବିରଜା ହାଟକୁ ନେଇ ହୋଇଥିଲା ରାସ୍ତାରୋକ

ଯାଜପୁରର ବିରଜା ହାଟ ପ୍ରସଙ୍ଗକୁ ନେଇ ହୋଇଥିଲା ରାସ୍ତାରୋକ। ବହୁ ବର୍ଷ ପୂର୍ବରୁ ବିରଜା ମନ୍ଦିର ନିକଟରେ ଚାଲି ଆସୁଥିବା ବିରଜା
ହାଟକୁ ପୂର୍ବ ସରକାର ଅମଳରେ ବିରଜା ପ୍ରକଳ୍ପ ପାଇଁ ଏହାକୁ ସନ୍ଥ ମାଧବ ନିକଟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠି ଭଲ ବ୍ୟବସାୟ ହେଉ ନଥିବା ନେଇ ବାରମ୍ବାର ବ୍ୟବସାୟୀଙ୍କ ଅଭିଯୋଗରୁ ପୁଣି ହାଟକୁ ପୂର୍ବସ୍ଥାନକୁ ଫେରାଇ ଅଣାଯିବାକୁ ନିଷ୍ପତ୍ତି ହୋଇଥିଲା। ଯାହାକୁ ନେଇ ସୃଷ୍ଟି ହୋଇଥିଲା ଦୁଇ ଗୋଷ୍ଠୀ। ଗୋଟିଏ ଗୋଷ୍ଠୀ ପୂର୍ବ ସ୍ଥାନକୁ ହାଟ ଫେରିବା ଚାହୁଁଥିବା ବେଳେ ଅପର ଗୋଷ୍ଠୀ ବିରଜା ପ୍ରକଳ୍ପକୁ ଭଣ୍ଡୁର କରାଯିବାର ଉଦ୍ଦେଶ୍ୟ କହି ଏହାର ବିରୋଧ କରୁଥିଲେ। କୁହାଯାଉଛି ବିରୋଧ କରୁଥିବା ଗୋଷ୍ଠୀଙ୍କ ପଛରେ ରହିଛି ବବି ଦାସଙ୍କ ପ୍ରଚ୍ଛଦ ସମର୍ଥନ। ସେଇଥିପାଇଁ ହାଟ ସ୍ଥାନାନ୍ତର ପାଇଁ ପ୍ରଶାସନର ନିଷ୍ପତ୍ତି ବିରୋଧରେ ଆଜି ରାସ୍ତାରୋକ ବେଳେ ଘଟିଥିଲା ଏହି ତୁମୁଳକାଣ୍ଡ। ବିଧାୟକଙ୍କ ଗାଡ଼ି ସେଇ ରାସ୍ତା ଦେଇ ଅତିକ୍ରମ କରିବା ବେଳେ ହୋଇଥିଲା ମରଣାନ୍ତକ ଆକ୍ରମଣ।

BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe