Dharmendra pradhan And Naveen Patnaik
ସୋମବାର ସନ୍ଧ୍ୟାରେ ସରୁଛି ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାର। ଏହା ପୂର୍ବରୁ ଅର୍ଥାତ ଆଜି ଝାରସୁଗୁଡ଼ାରେ ଦେଖିବାକୁ ମିଳିଲି ହେଭିୱେଟ୍ଙ୍କ ଟକ୍କର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସଭା ଓ ରୋଡ୍ ସୋ। ବାକ୍ ଯୁଦ୍ଧ ମଧ୍ୟ ଦେଖିବାକୁ ମିଳିଛି।
ଆଜି କୋଲାବିରା ନିର୍ବାଚନୀ ସଭାରେ ଶାସକ ଦଳକୁ ଜୋରଦାର ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନବ ହତ୍ୟା, ନାବାଳକ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ସମ୍ବଲପୁର ହିଂସା, ଦଳିତ-ଆଦିବାସୀ, ପଛୁଆବର୍ଗ ସର୍ଭେ ନାଁରେ ଷଡ଼ଯନ୍ତ୍ର ଭଳି ପ୍ରସଙ୍ଗକୁ ଉଠାଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣରେ ଛନ୍ଦିଛନ୍ତି। ଏଥିସହ ଅତିକ ଅହମ୍ମଦର ଘନିଷ୍ଠ ସହଯୋଗୀ ଗୁଡୁ ମୁସଲିମ୍ ବରଗଡ଼ର ଭଟଲିରେ ଲୁଚିବା ଓ ବିଜେଡି ନେତାଙ୍କ ସହ ରାଜା ଖାନର ଲିଙ୍କକୁ ନେଇ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର।
ଧର୍ମେନ୍ଦ୍ର ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଓ ବିଧାୟକମାନେ ଭେଟି ପାରୁନାହାନ୍ତି। ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜି ମଧ୍ୟ ତାଙ୍କ ସହ ଆଲୋଚନା କରିବାର ସୁଯୋଗ ପାଉ ନଥିବାର ଖବର ଅଛି। କଳାପାହାଡ଼ମାନେ ରାଜ୍ୟ ସରକାରକୁ ଚଳାଉଥିବା କହିଛନ୍ତି ଧର୍ମେନ୍ଦ୍ର।
ସେପଟେ ପ୍ରଚାରକୁ ଆଉ ମାତ୍ର ଦିନ ଥିବା ବେଳେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବାକୁ ଆଜି ଅପରାହ୍ଣରେ ମୈଦାନକୁ ଓହ୍ଲାଇଥିଲେ ଖୋଦ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଝାରସୁଗୁଡ଼ା ସହରର ଅମଲିପାଲିରେ ସାଧାରଣ ସଭା କରି ନବୀନ ଦିବଙ୍ଗତ ନେତା ନବ ଦାସଙ୍କୁ ମନେ ପକାଇବା ସହ ମହିଳା ପ୍ରାର୍ଥୀଙ୍କୁ ଅପମାନିତ କରାଯାଉଥିବା କହି ବିରୋଧୀଙ୍କୁ ସମାଲୋଚନା କରିଛନ୍ତି। ବିକାଶ ପାଇଁ ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଅପିଲ କରିଛନ୍ତି।
ନବୀନ ପଟ୍ଟନାୟକ ଆହୁରି କହିଛନ୍ତି, ନବ ଦାସଙ୍କ କାମ ପାଇଁ ଝାରସୁଗୁଡ଼ାବାସୀ ତାଙ୍କୁ ମନେ ରଖିବେ। ତାଙ୍କ ଦାୟିତ୍ୱ ନେବା ପାଇଁ ଓ ସେବା କରିବାକୁ ଦୀପାଳି ଆଗେଇ ଆସିଛନ୍ତି। ଦୀପାଳି ଉଚ୍ଚ ଶିକ୍ଷିତା ଓ ସମାଜସେବାରେ ବେଶୀ ରୁଚି ରଖନ୍ତି। ବିରୋଧୀ ଦୀପାଳିଙ୍କୁ ଗାଳି ଦେଉଥିବା ମୋତେ ଦୁଃଖ ଦେଇଛି। ଦୀପାଳି ଏ ମାଟିର ଝିଅ। ତାଙ୍କୁ ସେବା ପାଇଁ ଆପଣ ସୁଯୋଗ ଦିଅନ୍ତୁ। ମୋର ବିଶ୍ୱାସ ଦୀପାଳି ସେବାର ସୁଯୋଗ ପାଇଲେ ତାକୁ ସାକାର କରିବେ। ଝାରସୁଗୁଡ଼ାକୁ ୧ ନମ୍ବର ଶିଳ୍ପ ସମୃଦ୍ଧ ଜିଲ୍ଲା କରିବା ବିଜେଡିର ଲକ୍ଷ୍ୟ ରଖିଛି। ଝାରସୁଗୁଡ଼ାବାସୀଙ୍କ ସେବା ଲାଗି ଦୀପାଳିଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1683468251.jpg)