୨୦୨୪ ନିର୍ବାଚନରେ ପ୍ରାର୍ଥୀ ହେବେ ଧର୍ମେନ୍ଦ୍ର

ଏକ ଇଂରାଜୀ ଦୈନିକ ସମ୍ବାଦପତ୍ରକୁ ସାକ୍ଷାତକାର ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଗାମୀ ନିର୍ବାଚନ ଲଢ଼ିବା ନେଇ ସଙ୍କେତ ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

  • Published: Monday, 23 January 2023
  • , Updated: 23 January 2023, 09:16 PM IST

ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିଦ୍ୱନ୍ଦ୍ୱିତା କରିବେ । ତେବେ ସେ ଓଡ଼ିଶାରୁ ଲୋକସଭା ନା ବିଧାନସଭା ଆସନ ପାଇଁ ଲଢ଼ିବେ ତାହା ସ୍ପଷ୍ଟ କରିନାହାନ୍ତି । ଆଉ ଗତକାଲି ସମାପ୍ତ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକରୁ ଧର୍ମେନ୍ଦ୍ର ଦୂରେଇ ରହିବା ଓ ଏପଟେ ନିର୍ବାଚନ ଲଢ଼ିବା ପାଇଁ ନିଜେ ସଙ୍କେତ ଦେବାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ସୂଚନା ଅନୁସାରେ, ଏକ ଇଂରାଜୀ ଦୈନିକ ସମ୍ବାଦପତ୍ରକୁ ସାକ୍ଷାତକାର ଦେଇ  କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଗାମୀ ନିର୍ବାଚନ ଲଢ଼ିବା ନେଇ ସଙ୍କେତ ଦେଇଛନ୍ତି । ସେ ନିର୍ବାଚନ ଲଢ଼ିବାକୁ ଇଚ୍ଛୁକ ଥିବା ନେଇ ଦଳର ପଦାଧିକାରୀଙ୍କୁ ଅବଗତ କରାଇଛନ୍ତି । ତେବେ ସେ ଲୋକସଭା ନା ବିଧାନସଭା ଆସନରୁ ଲଢ଼ିବେ ତାହା ସ୍ପଷ୍ଟ କରିନାହାନ୍ତି । ଆଉ ଶ୍ରୀ ପ୍ରଧାନଙ୍କ ଏହି ନିର୍ବାଚନ ଲଢ଼ିବା ଖବର ଏବେ ରାଜନୀତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଧର୍ମେନ୍ଦ୍ର ନିର୍ବାଚନ ଲଢ଼ିଲେ ତାହା ଦଳ ପାଇଁ ଅଧିକ ସହାୟକ ହେବ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଥିବାବେଳେ ସେ ଢେଙ୍କାନାଳ କିମ୍ବା ସମ୍ବଲପୁର ଲୋକସଭା ଆସନରୁ ଲଢ଼ିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ଶ୍ରୀ ପ୍ରଧାନ ଯଦି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ତା’ହେଲେ ପାଲଲହଡ଼ା, ତାଳଚେର କିମ୍ବା ପରଜଙ୍ଗରୁ ପ୍ରାର୍ଥୀ ହୋଇପାରନ୍ତି । ଆଉ ଯଦି ସେ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ, ତା’ହେଲେ ଦଳ ତାଙ୍କୁ ରାଜ୍ୟ ରାଜନୀତି ଅପେକ୍ଷା କେନ୍ଦ୍ରୀୟ ରାଜନୀତିରେ ସକ୍ରିୟ କରି ରଖିବାକୁ ଚାହୁଁଥିବାର ସନ୍ଦେଶ ଯିବ । ମାତ୍ର ଶ୍ରୀ ପ୍ରଧାନ ନିଜେ ନକହିଲେ ଅବା ନିର୍ବାଚନ ପୂର୍ବରୁ ଏହା ଆକଳନ କରିବା ସମ୍ଭବପର ନୁହେଁ ।

ଆଗାମୀ ନିର୍ବାଚନରେ ବିଜେପି ଓଡ଼ିଶାରେ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ବିଜେଡି ସରକାରକୁ ଗାଦିଚ୍ୟୁତ କରିବାର ରଣନୀତିରେ କାର୍ଯ୍ୟ କରୁଥିବାବେଳେ ଶ୍ରୀ ପ୍ରଧାନଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି । ବିଜେପି ଯଦିଓ ଓଡ଼ିଶାରେ କାହାରିକୁ ନିଜର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଉପସ୍ଥାପନ କରିନି କିନ୍ତୁ ନବୀନ ପଟ୍ଟନାୟକଙ୍କୁ କାଉଂଟର କରିବା ପାଇଁ ବିଜେପିରେ ଅନେକ ଯୋଗ୍ୟ ନେତା ଅଛନ୍ତି ବୋଲି ନିଜେ ଶ୍ରୀ ପ୍ରଧାନ ପୂର୍ବରୁ ଗଣମାଧ୍ୟମକୁ ବୟାନ ଦେଇସାରିଛନ୍ତି ।

ସୂଚନାଯୋଗ୍ୟ, ୨୦୦୦ରେ ବିଧାନସଭା ଓ ୨୦୦୪ ଲୋକସଭା ଆସନରୁ ବିଜୟୀ ହୋଇଥିବା ଶ୍ରୀ ପ୍ରଧାନ ୨୦୦୯ ବିଧାନସଭା ନିର୍ବାଚନରେ ପାଲଲହଡ଼ା ବିଧାନସଭା ଆସନରୁ ପରାଜିତ ହୋଇଥିଲେ । କିନ୍ତୁ ଦଳ ତାଙ୍କୁ ୨୦୧୨ରେ ବିହାରରୁ ଓ ପରେ ୨୦୧୮ରେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ପଠାଇଥିଲା ।

Related story