ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ନେଇ ଧର୍ମେନ୍ଦ୍ରଙ୍କ କଟାକ୍ଷ: ୪-୫ଜଣ ବାବୁ ସକାଳୁ ବୁଲି ଫଟୋ ଉଠେଇଦେଲେ ମେଟ୍ରୋ ହୋଇଯାଏନି

ଆଜି ଭୁବନେଶ୍ୱର ରେଳ ଷ୍ଟେସନରେ ‘ତେଜସ ରେକଯୁକ୍ତ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସର ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମେଟ୍ରେ ଟ୍ରେନ ଚାଲିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଟାକ୍ଷ କରି କହିଛନ୍ତି ଯେ, ମେଟ୍ରେ ଟ୍ରେନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ହୁଏ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

  • Published: Monday, 14 August 2023
  • , Updated: 14 August 2023, 07:25 PM IST

“ଆମେ ଓଡ଼ିଆ ଲୋକ ବଡ଼ବଡ଼ କଥା ଜାଣି ପାରୁନି । ବଡ଼ ବଡ଼ ଟି-ବାବୁମାନେ ଫଟୋ ଉଠେଇ ଦେଉଛନ୍ତି, ଆମେ ଡରି ଯାଉଛୁ । ୪-୫ଜଣ ବାବୁ ସକାଳୁ ସକାଳୁ ଉଠି ବୁଲୁଛନ୍ତି ଆଉ ଫଟୋ ଉଠେଇ ଘୋଷଣା କରିଦେଉଛନ୍ତି ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ପ୍ରକଳ୍ପ ହେବ । ମୁଁ ଯେତିକି ଜାଣିଛି କେନ୍ଦ୍ର-ରାଜ୍ୟ ମିଳିତ ଉଦ୍ୟମରେ ଏହି ମେଟ୍ରୋ ଟ୍ରେନ ପ୍ରକଳ୍ପ ହୁଏ । ଖାଲି ୪-୫ ବାବୁ ଯାଇ ସକାଳୁ ସକାଳୁ ବୁଲି ଫଟୋ ଉଠେଇ ଦେଲେ ମେଟ୍ରୋ ହୋଇଯାଏନି ।” ଆଜି ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ।

ଆଜି ଭୁବନେଶ୍ୱର ରେଳ ଷ୍ଟେସନରେ ‘ତେଜସ ରେକଯୁକ୍ତ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସର ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମେଟ୍ରେ ଟ୍ରେନ ଚାଲିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଟାକ୍ଷ କରି କହିଛନ୍ତି ଯେ, ମେଟ୍ରେ ଟ୍ରେନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ହୁଏ ।  ୪-୫ ବାବୁ ସକାଳୁ ସକାଳୁ ଯାଇ ବୁଲି ଫଟୋ ଉଠାଇ ଘୋଷଣା କରିଦେଲେ ମେଟ୍ରୋ ହୋଇଯାଏନି ।  ଆମେ ଓଡ଼ିଆ ଲୋକ, ବଡ଼ ବଡ଼ କଥା ଜାଣିପାରୁନି । ବଡ଼ ବଡ଼ ଟି ବାବୁ ପହଂଚି ଫଟୋ ଉଠେଇ ଘୋଷଣା କରି ଦେଉଛନ୍ତି, ଆମେ ଡରି ଯାଉଛୁ । ତେବେ ମେଟ୍ରୋ କ’ଣ, ଏହାକୁ କିଏ କରିବ, ଏହା ଜାଣିବା ଦରକାର । ମେଟ୍ରୋ ଟ୍ରେନ ପାଇଁ ମାଟି ଟେଷ୍ଟ ହୋଇଛି  ବୋଲି ବିଧାୟକ ଅନନ୍ତ ନାରାୟଣ ଜେନା(ବୁନୁ ବାବୁ) କହୁଥିଲେ । ଏବେ ବିଧାୟକ ହେବାପରେ ଷ୍ଟେସନ ରାସ୍ତା କାମଟି କରି ଦିଅନ୍ତୁ । ଭୁବନେଶ୍ୱରର ସମସ୍ତଙ୍କର । ସମସ୍ତେ ମିଳିମିଶି କାମ କରନ୍ତୁ । ଫଟୋ ଉଠେଇ ଦେଲେ ମେଟ୍ରୋ ହୋଇଯାଏନି । ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ନେଇ ଏପର୍ଯ୍ୟନ୍ତ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟ ସହ ରାଜ୍ୟ ସରକାର କଥା ହୋଇନାହାନ୍ତି ବୋଲି ମୋ’ ପାଖରେ ଖବର ଅଛି । ଓଡ଼ିଶାକୁ ମେଟ୍ରୋ ଆସୁ, କିନ୍ତୁ ଆସିବା ପାଇଁ ସଠିକ୍ ପ୍ରୟାସ ହେଉ । କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ମଧ୍ୟ ଓଡ଼ିଶାରେ ବନ୍ଦେ ମେଟ୍ରୋ ଚାଲିବା ପାଇଁ ଆଶ୍ୱସ୍ତ କରିଛନ୍ତି ।

ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ,ମୋଦି ସରକାର ୩୫୦କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରି ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ କରୁଛନ୍ତି । ଓଡ଼ିଶାର ପୁରୀ, କଟକ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ରାଉରକେଲା, ଭଦ୍ରକ, ବାଲେଶ୍ୱର ଷ୍ଟେସନର ମଧ୍ୟ ନବୀକରଣ କାମ ହେଉଛି। ରାଜ୍ୟର ମୋଟ ୫୭ଟି ଷ୍ଟେସନର ନବୀକରଣ କାର୍ଯ୍ୟ ହେବ । ଓଡ଼ିଶାକୁ ରେଳ ଅନୁଦାନ,ନୂଆ ରେଳ ଲାଇନ ଚଳାଚଳ ଓ ଆନୁସଙ୍ଗିକ କାର୍ଯ୍ୟ ପାଇଁ ଦିଲ୍ଲୀକୁ ଯାଇ ଲଢ଼େଇ କରିବାକୁ ପଡ଼ୁଥିଲା । ମାତ୍ର ଏବେ ମୋଦି ସରକାରରେ ଏସବୁ ସହଜ ହୋଇଯାଇଛି । ରାଜଧାନୀ ଏକ୍ସପ୍ରେସରେ ତେଜସ ରେକ୍ ଲାଗିବା ପରେ ଏହାର ଘଣ୍ଟା ପ୍ରତି ବେଗ ୨୦୦କିମି ହୋଇଯିବ । ଟ୍ରେନରେ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ମଧ୍ୟ ରହିଛି ।

ଅନ୍ୟପକ୍ଷରେ ବିଜେଡିର ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ, ମେଟ୍ରୋ ଟ୍ରେନ ପ୍ରକଳ୍ପ କାର୍ଯ୍ୟ ରାଜ୍ୟ ସରକାର ଧୂମଧାମରେ କରୁଛନ୍ତି । ଠିକ୍ ସମୟରେ କାମ ସରିବ । କାର୍ଯ୍ୟ ହେବା ଦରକାର । ଲୋକେ ଉପକୃତ ହେବା ଦରକାର । ଓଡ଼ିଶା ଲୋକେ ମେଟ୍ରୋ ଚାହୁଁଛନ୍ତି । ରାଜ୍ୟ କରୁ କି କେନ୍ଦ୍ର କରୁ କିନ୍ତୁ ତାହା ହେବା ଦରକାର । ରାଜ୍ୟ ଜମି ଦେଉଛି । ସବୁ ହେଉଛି । ସାଇନବୋର୍ଡ ମାରି ମାଟି ପରୀକ୍ଷା ମଧ୍ୟ ହେଲାନି । ତେଣୁ କେନ୍ଦ୍ର ସରକାରଙ୍କ ସହ କଥା ହୋଇନାହାନ୍ତି କି ସହଯୋଗ କରୁନଥିବା କଥା ସେ କେମିତି କହୁଛନ୍ତି ବୋଲି ଶ୍ରୀ ଜେନା ପ୍ରଶ୍ନ କରିଛନ୍ତି।

Related story