ରୁବେନଙ୍କୁ ନେଇ ବିଜେଡିରେ ଭିନ୍ନମତ: ବର୍ଷିଲେ ଅରୁଣ-ଅତନୁ, ପ୍ରସନ୍ନ କରିଥିଲେ ପ୍ରଶଂସା

ରୁବେନଙ୍କ ପୁସ୍ତକର ସଂଶୋଧିତ ସଂସ୍କରଣ ଗତ ଦୁଇଦିନ ତଳେ ଉନ୍ମୋଚନ ହେବା ପରଠୁ ରାଜନୀତିକ ଉଷ୍ମତା ଲାଗି ରହିଛି ।

ରୁବେନ ବାନାର୍ଜୀ ଓ ତାଙ୍କ ବହି।

  • Published: Monday, 23 December 2024
  • , Updated: 23 December 2024, 10:10 PM IST

ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀଙ୍କ ପୁସ୍ତକର ସଂଶୋଧିତ ସଂସ୍କରଣକୁ ନେଇ ଆଜି ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି ବିଜେଡି । ଦୁଇଦିନ  ପରେ ବିଜେଡିର ଦୁଇ ବରିଷ୍ଠ ପ୍ରଭାବଶାଳୀ ନେତା ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକ ଭିନ୍ନ ଭିନ୍ନ ଭାବେ ଗଣମାଧ୍ୟମ ସମ୍ମୁଖକୁ ଆସି ରୁବେନଙ୍କ ଉପରେ ବର୍ଷିଛନ୍ତି । ରୁବେନଙ୍କୁ ନୀତି ନୈତିକତାର ପାଠ ପଢ଼ାଇବା ସହ ନବୀନଙ୍କୁ ନଭେଟି କିଭଳି ଏପରି ‘ଗପ’ଲେଖିଛନ୍ତି ବୋଲି ଏହି ନେତାମାନେ ପ୍ରଶ୍ନ କରିବା ସହ ରୁବେନଙ୍କ କଲମରେ କାହା କାଳି ଅଛି କହି ତାଙ୍କର ବିଶ୍ୱସନୀୟତା ଆଡ଼କୁ ଅଙ୍ଗୁଳି ଉଠାଇଛନ୍ତି । ଅବଶ୍ୟ ରୁବେନ ମଧ୍ୟ ପାଲଟା ଜବାବ ଦେଇ ୨୦୧୮ ମସିହାରେ ସେ ଲେଖିଥିବା ଏହି ପୁସ୍ତକକୁ  ୬ବର୍ଷ ପରେ କାହିଁକି ବିଜେଡି ବିରୋଧ କରୁଛି ବୋଲି କହିଛନ୍ତି । ସଂଶୋଧିତ ସଂସ୍କରଣରେ ପାଣ୍ଡିଆନଙ୍କୁ ନେଇ ବିଷୟ ଥିବାରୁ ଏଭଳି ବିରୋଧ ହେଉଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ରୁବେନଙ୍କ ପୁସ୍ତକର ସଂଶୋଧିତ ସଂସ୍କରଣ ଗତ ଦୁଇଦିନ ତଳେ ଉନ୍ମୋଚନ ହେବା ପରଠୁ ରାଜନୀତିକ ଉଷ୍ମତା ଲାଗି ରହିଛି । ବିଜେଡିର ବରିଷ୍ଠ ନେତା ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଗତକାଲି ରୁବେନଙ୍କ ପୁସ୍ତକକୁ ପ୍ରଶଂସା କରିଥିଲେ । କହିଥିଲେ ଯେ, ବିଜେଡି ଗଠନ ହେବାଦିନଠୁ ଦଳକୁ ଅତିପାଖରୁ ରୁବେନ ଦେଖିଛନ୍ତି । ଅନେକ କିଛି ତଥ୍ୟ ସେ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି । ରୁବେନଙ୍କ ବିଶ୍ୱସନୀୟତା ଓ ଜଣେ ପ୍ରତିଷ୍ଠିତ ସାମ୍ବାଦିକ ବୋଲି ପ୍ରସନ୍ନ କହିବା ସହ ପୁସ୍ତକରେ ଥିବା ତଥ୍ୟକୁ ପରୋକ୍ଷରେ ସ୍ୱୀକୃତି ଦେଇଥିଲେ ।

କିନ୍ତୁ ଆଜି ପୂର୍ବାହ୍ନରେ ଅରୁଣ ସାହୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରୁବେନଙ୍କ ଉପରେ ବର୍ଷିଛନ୍ତି । ରୁବେନ ଜଣେ ଅଣଓଡ଼ିଆ ଓ ସେ ତାଙ୍କ ପୁସ୍ତକରେ ବିନା ତଥ୍ୟପ୍ରମାଣରେ ଲେଖିଥିବା କଥାକୁ ବିଜେଡି କଡ଼ାଭାଷାରେ ନିନ୍ଦା କରୁଛି ବୋଲି କହିଥିଲେ । ଏହାସହିତ ରୁବେନଙ୍କର ସାହାସ ଅଛି ତ ବିଜେପି କାହିଁକି ୪୦୦ରୁ ୨୪୦କୁ ଖସିଲା ସେନେଇ ଲେଖନ୍ତୁ ବୋଲି କହିଛନ୍ତି । ନବୀନଙ୍କୁ ନଭେଟି ତାଙ୍କ ସହ କଥା ନହୋଇ ଚା’ଖଟିରେ ହେଉଥିବା ଚର୍ଚ୍ଚାକୁ ସଜେଇ ଜଣେ ବିରୋଧୀ ଦଳ ନେତା ଭଳି ରୁବେନ୍ ନିଜ ବହିରେ ଲେଖିଛନ୍ତି ବୋଲି ଅରୁଣ କହିଛନ୍ତି ।

ଅରୁଣଙ୍କ ଏହି ମନ୍ତବ୍ୟକୁ ନେଇ ରୁବେନ୍ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଥିଲେ । କହିଥିଲେ ତାଙ୍କ ପୁସ୍ତକ ପ୍ରକାଶନର ୬ବର୍ଷ ପରେ ମଧ୍ୟ କାହିଁକି ବିଜେଡି ଚୁପ୍ ଥିଲା । ଏବେ ପୁସ୍ତକରେ କେବଳ ପାଣ୍ଡିଆନ ପ୍ରସଙ୍ଗକୁ ଯୋଡ଼ାଯାଇଛି । ଏବେ ପାଣ୍ଡିଆନ କଥା ପାଇଁ ବିଜେଡି ଏଭଳି ପ୍ରତିକ୍ରିୟାଶୀଳ ହେଉଛି କି ବୋଲି କହିଛନ୍ତି ।

ସନ୍ଧ୍ୟାରେ ସମାନ ପ୍ରସଙ୍ଗରେ ଅତନୁ ମଧ୍ୟ ରୁବେନଙ୍କୁ କଡ଼ାଭାଷାରେ ନିନ୍ଦା କରିଛନ୍ତି । ରୁବେନ ସାମ୍ବାଦିକତାର ନୀତି ନୈତିକତା ଭୁଲି ଯାଇଥିବା ଓ ଏବେ ପରିଚୟସଙ୍କଟ ମଧ୍ୟ ଦେଇ ଗତି କରୁନାହାନ୍ତ ତ ବୋଲି ଅତନୁ ପ୍ରଶ୍ନ କରିବା ସହ ତାଙ୍କ କଲମରେ କାହା କାଳି ରହିଛି ବୋଲି କଟାକ୍ଷ କରିଛନ୍ତି ।

Related story