ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ସପ୍ତାହକ ମଧ୍ୟରେ ତୃତୀୟ ନୋଟିସ୍ ଜାରି କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ଶୁକ୍ରବାର ସନ୍ଧ୍ୟାରେ ଏହି କୈଫୟତ ତଲବ ନୋଟିସ୍ ଜାରି କରି ତାଙ୍କୁ ୨ଦିନ ମଧ୍ୟରେ ନିଜର ଜବାବ ରଖିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ୩ଦିନ ତଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଦୀଘା ମନ୍ଦିରର ନାମକରଣକୁ ନେଇ ଉଦବେଗ ବ୍ୟକ୍ତ କରିଥିଲେ ମଧ୍ୟ ମଧ୍ୟ ମମତା ଏନେଇ କୌଣସି ଉତ୍ତର ଦେଇନଥିବା ଜଣାପଡ଼ିଛି । ଦୀଘାରେ ଜଗନ୍ନାଥ ମନ୍ଦିର ସ୍ଥାନକୁ ‘ଜଗନ୍ନାଥ ଧାମ’ ଭାବେ ପଶ୍ଚିମବଙ୍ଗ ସରକାର କରିଥିବା ନାମକରଣକୁ ନେଇ ପୁରୀ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜ ମଧ୍ୟ ନିଜର ଅସନ୍ତୋଷ ବ୍ୟକ୍ତ କରିସାରିଛନ୍ତି । ତେବେ ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ ଓ ନାମକରଣରେ ରାମକୃଷ୍ଣ ଦାସମହାପାତ୍ରଙ୍କ ଭୂମିକା ଥିବା ସନ୍ଦେହ କରାଯାଉଛି । କୋଟିକୋଟି ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦେବାଭଳି କାର୍ଯ୍ୟ କରିଥିବା ପାଇଁ ରାମକୃଷ୍ଣଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ଉପରେ ପୂର୍ଣ୍ଣଚ୍ଛେଦ ପକାଇବାର ସମ୍ଭାବନା ରହିଛି ।
ରାମକୃଷ୍ଣ ଦାସମହାପାତ୍ରଙ୍କୁ ପୁଣି ନୋଟିସ୍ କାହିଁକି
ଶୁକ୍ରବାର(ମେ’ ୯ତାରିଖ)ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଆଉ ଏକ କୈଫୟତ ତଲବ ନୋଟିସ୍ ଦଇତାପତି ସେବକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ଜାରି କରିଛନ୍ତି । ଏହି ନୋଟିସ୍ ପାଇବାର ୨ଦିନ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜବାବ ସନ୍ତୋଷଜନକ ନହେଲେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ ଦର୍ଶାଯାଇଛି । ଦୀଘାଠାରେ ଶ୍ରୀଜଗନ୍ନାଥ ମନଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଶ୍ରୀ ଦାସମହାପାତ୍ର ଯୋଗ ଦେଇ ସେବକ ଦଳର ନେତୃତ୍ୱ ନେଉଥିବା ଚିତ୍ର ଓ ଭିଡ଼ିଓ ବିଭିନ୍ନ ଗଣମାଧ୍ୟମରେ ବହୁଳ ଭାବେ ପ୍ରସାରିତ ହୋଇଛି । ଦୀଘାଠାରେ ଶ୍ରୀଜଗନ୍ନାଥ ମନ୍ଦିରକୁ ନିର୍ଦ୍ଦିଷ୍ଟ ଭାବେ ଉଦଘାଟନ ସମୟରେ ‘ଜଗନ୍ନାଥଧାମ-ଦୀଘା’ ଲେଖାଯିବା ସହ ଏନେଇ ଫଳକ କରାଯିବା ନଜରକୁ ଆସିଛି । ଶ୍ରୀମନ୍ଦିର ସେବକ ଭାବେ ଶ୍ରୀ ଦାସମହାପାତ୍ର କାହିଁକି ସେଠାରେ ଯୋଗଦେଲେ ଓ ଏହାର ନାମକରଣବେଳେ ଦୀଘା ଶ୍ରୀଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତାମାନଙ୍କ ପାଖରେ ଆପତ୍ତି କରିଥିଲେ କି ନାହିଁ ସେ ବିଷୟରେ କୈଫୟତ ରଖିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନବକଳେବର ସମୟରେ ବଳକା ଥିବା ଦାରୁରେ ଦୀଘା ମନ୍ଦିର ପାଇଁ ମହାପ୍ରଭୁଙ୍କ ମୂର୍ତ୍ତି ଗଢ଼ାଯାଇଥିବା ନେଇ ଶ୍ରୀ ଦାସମହାପାତ୍ର ବଙ୍ଗୀୟ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାର ହିଁ ତାଙ୍କ ପାଇଁ ଅଡ଼ୁଆ ବଢ଼ାଇଛି । ଯଦିଓ ବଳକା ଦାରୁ କାଠରେ ମୂର୍ତ୍ତି ସମ୍ଭବପର ନୁହେଁ ବୋଲି ଶ୍ରୀମନ୍ଦିରର ମହାରଣା ସେବକ ସ୍ପଷ୍ଟ କରିସାରିଛନ୍ତି ।
ପୂର୍ବ ନୋଟିସ୍ ଓ ପଦକ୍ଷେପ
ଦୀଘାରେ ଶ୍ରୀଜଗନ୍ନାଥ ମନ୍ଦିର ଉଦଘାଟନବେଳେ ଏହାର ନାମକରଣ ‘ଜଗନ୍ନାଥ ଧାମ’ ରଖାଯିବାକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପରେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମେ’ ୨ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏହାର ଏକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଶ୍ରୀମନ୍ଦିର ପ୍ରଶାସକଙ୍କ ଦ୍ୱାରା ମନ୍ଦିରର ବିଭିନ୍ନ ସେବା ସହ ଜଡ଼ିତ ସେବାୟତଙ୍କୁ ନିଜର ମତାମତ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ମେ’ ୩ତାରିଖରେ ଗୋଟିଏ ନୋଟିସ୍ ଏବଂ ମେ’ ୪ତାରିଖରେ ଆଉ ଗୋଟିଏ ନୋଟିସ୍ ଶ୍ରୀ ଦାସମହାପାତ୍ରଙ୍କୁ ଜାରି କରିଥିଲେ । ଏହି ଉଭୟ ନୋଟିସ୍ ଦୀଘା ଜଗନ୍ନାଥ ମନ୍ଦିରକୁ ଦାରୁ ନେଇଯିବା ପ୍ରସଙ୍ଗ ଓ ଏକ ବଙ୍ଗୀୟ ଚ୍ୟାନେଲକୁ ଦିଆଯାଇଥିବା ମନ୍ତବ୍ୟ ସହ ଜଡ଼ିତ ଥିଲା । ଶ୍ରୀ ଦାସମହାପାତ୍ରଙ୍କ ମନ୍ତବ୍ୟ ଓ କାର୍ଯ୍ୟ ପୁରୀସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ଗାରିମାକୁ କ୍ଷୂଣ୍ଣ ଓ ବିଭ୍ରାନ୍ତି କରିଛି ବୋଲି ଅଭିଯୋଗ ହେଉଛି । ୪ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀ ଦାସମହାପାତ୍ରଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ଓ ଉପସ୍ଥିତ ରହି ନିଜର ପକ୍ଷ ରଖିବା ପରେ ତାଙ୍କୁ ପୁଣି ଏକ ନୋଟିସ୍ ଦିଆଯାଇ ୭ଦିନ ମଧ୍ୟରେ ଜବାବ ରଖିବାକୁ କୁହାଯାଇଥିଲା । ଏବେ ସେହି ୭ଦିନ ନପୁରୁଣୁ ଆଉ ଏକ ନୋଟିସ୍ ଜାରି ହୋଇଛି ।
ସରକାରଙ୍କୁ ରିପୋର୍ଟ ଦେଲେ ଶ୍ରୀମନ୍ଦିର ପ୍ରଶାସକ
ମେ’ ୫ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଲୋକସେବା ଭବନରେ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ଭେଟି ତଦନ୍ତ କମିଟିର ରିପୋର୍ଟ ପ୍ରଦାନ କରିଥିଲେ । ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଦୀଘା ଜଗନ୍ନାଥ ମନ୍ଦିର ଓ ଦଇତାପତିଙ୍କ ଭୂମିକା ପ୍ରସଙ୍ଗରେ ତଦନ୍ତ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ଶ୍ରୀମନ୍ଦିର ପ୍ରଶାସନ ୩ଦିନ ଧରି ମହାରଣା ସେବକ, ମନ୍ଦିର ସୁରକ୍ଷା ଅଧିକାରୀ, ଦଇତାପତି ନିଯୋଗ ଆଦିଙ୍କ ମତାମତ ଆଧାରରେ ଏହି ରିପୋର୍ଟ ଦେଇଛନ୍ତି । ଦୀଘା ମନ୍ଦିରର ନାମକରଣ ‘ଜଗନ୍ନାଥ ଧାମ’ ଭକ୍ତମାନଙ୍କ ମଧ୍ୟରେ ବିଭ୍ରାନ୍ତ ସୃଷ୍ଟି କରିପାରେ । ପୁରୀର ଐତିହାସିକ ଓ ଧାର୍ମିକ ଗୌରବକୁ କ୍ଷୂଣ୍ଣ କରିବ । ଏହି ନାମକରଣ ଓଡ଼ିଶାର ସାଧାରଣ ଜନତା ଓ ତୀର୍ଥଯାତ୍ରୀଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି । ରାମକୃଷ୍ଣ ଦାସମହାପାତ୍ର ନିଜର ସ୍ପଷ୍ଟୀକରଣ ଦାଖଲ କରିଛନ୍ତି । କିନ୍ତୁ ମନ୍ଦିର ପ୍ରଶାସନ ତାଙ୍କୁ ଆଗାମୀ ୭ଦିନ ମଧ୍ୟରେ ଆହୁରି ଏକ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛି । ଯେଉଁଥିରେ ଏହି ବିଷୟ ସହ ଜଡ଼ିତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯିବ ନାହିଁ ତାହା ତାଙ୍କୁ ଜଣାଇବାକୁ କୁହାଯାଇଛି । ଭାରତର ଚାରିଧାମ ମଧ୍ୟରେ ପୁରୀର ଜଗନ୍ନାଥ ଧାମ ଅନ୍ୟତମ । ତେଣୁ ଦୀଘାରେ ଜଗନ୍ନାଥ ଧାମ ନାମର ବ୍ୟବହାର ଭୁଲ୍ ବୋଲି ବିବେଚନା କରାଯାଉଛି । ଓଡ଼ିଶା ସରକାର ଏହାକୁ ହଟାଇବାକୁ ପଦକ୍ଷେପ ନେଉଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଚିଠି
ଦୀଘା ଶ୍ରୀଜଗନ୍ନାଥ ମନ୍ଦିରର ନାମକରଣ ‘ଜଗନ୍ନାଥ ଧାମ’କରାଯିବାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆପତ୍ତି ଉଠାଇବା ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମେ’ ୬ତାରିଖରେ ଚିଠି ଲେଖି ଆବଶ୍ୟକ ସଂଶୋଧନ ପାଇଁ ଅନୁରୋଧ କରିଛନ୍ତି । ପଶ୍ଚିମବଙ୍ଗରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଭକ୍ତିକୁ ସ୍ୱୀକାର କରିବା ସହ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ‘ଜଗନ୍ନାଥ ଧାମ’ ନାମର ବ୍ୟବହାର ପୁରୀର ଅନନ୍ୟ ଐତିହ୍ୟକୁ ଦୁର୍ବଳ କରିପାରେ । ଦୀଘା ମନ୍ଦିରର ଆନୁଷ୍ଠାନିକ ଯୋଗାଯୋଗ ଓ ପ୍ରଚାର ସାମଗ୍ରୀରେ ‘ଜଗନ୍ନାଥ ଧାମ’ର ନାମ ବ୍ୟବହାର ନକରି ଆନ୍ତଃରାଜ୍ୟ ସମ୍ମାନ ଓ ସାଂସ୍କୃତିକ ସମ୍ବେଦନଶୀଳତାକୁ ସୁରକ୍ଷା ଦେବାକୁ ପରାମର୍ଶ ଦେଇଥିଲେ । ଭକ୍ତମାନଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଏହାର ତୁରନ୍ତ ସମାଧାନ ଓ ସ୍ପଷ୍ଟତା ଆଣିବାକୁ ଅନୁରୋଧ କରିଥିଲେ । ତେବେ ମମତା ଏପର୍ଯ୍ୟନ୍ତ ଏହାର କୌଣସି ଉତ୍ତର ରଖିନଥିବା ଜଣାପଡ଼ିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।