Advertisment

୩୭୦ ଉଚ୍ଛେଦ ପରେ ପ୍ରଥମଥର ଶ୍ରୀନଗରରେ ମୋଦି, କହିଲେ- ହୃଦୟ ଜିତିବାକୁ ଆସିଛି

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିବାକୁ ମଧ୍ୟ ଭୁଲି ନାହାନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
PM Modi

PM Modi

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମଥର ପାଇଁ ଶ୍ରୀନଗରରେ ସାଧାରଣ ଲୋକଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିକଶିତ ଭାରତ, ବିକଶିତ ଜମ୍ମୁ-କଶ୍ମୀର କାର୍ଯ୍ୟକ୍ରମ ଅଧୀନରେ ସେ ୬,୪୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ବି କରିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ମୋଦି ଗୋଟିଏ ସାଧାରଣ ସଭାକୁ ସମ୍ବୋଧନ କରି ଜମ୍ମୁ-କଶ୍ମୀରର ଲୋକଙ୍କୁ ପ୍ରଶଂସା କରିଛନ୍ତି। ଏଥିସହ ସେ ହୃଦୟ ଜିତିବାକୁ ଆସିଥିବା କହିଛନ୍ତି। ଆଜି ଶୁଭାରମ୍ଭ ହୋଇଥିବା ବିକାଶମୂଳକ ପ୍ରକଳ୍ପ ଜମ୍ମୁ-କଶ୍ମୀରର ବିକାଶକୁ ଆହୁରି ଆଗକୁ ନେବ। ବିକଶିତ ଭାରତ ପାଇଁ ଜମ୍ମୁ-କଶ୍ମୀରର ବିକାଶ ନିତ୍ୟାନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି। 

ମୋଦି କହିଛନ୍ତି, “ମୁଁ ଆପଣମାନଙ୍କ ହୃଦୟ ଜିତିବା ପାଇଁ କଠିନ ପରିଶ୍ରମ କରୁଛି। ମୋର ବିଶ୍ୱାସ ଯେ ମୁଁ ଠିକ ଦିଗରେ ଯାଉଛି। ଆପଣମାନଙ୍କ ହୃଦୟ ଜିତିବାକୁ ସକ୍ଷମ ହୋଇଛି। ଆହୁରି ଅଧିକ ମାତ୍ରାରେ ହୃଦୟ ଜିତିବାକୁ ମୋର ଉଦ୍ୟମ ଜାରି ରହିଛି। ଏଠାକୁ ମୁଁ ଆପଣମାନଙ୍କ ହୃଦୟ ଜିତିବାକୁ ଆସିଛି।  

Advertisment

ଏମିତି ଏକ ଯୁଗ ଥିଲା ଯେଉଁ ସମୟରେ ଜମ୍ମୁ-କଶ୍ମୀରର ଲୋକମାନେ ବିଭିନ୍ନ ପ୍ରକାରର ଫାଇଦାରୁ ବଞ୍ଚିତ ହେଉଥିଲେ। ଏମିତି ସମୟ ଥିଲା ଯେତେବେଳେ ଭାରତର ଅନ୍ୟ ପ୍ରାନ୍ତରେ ବିଭିନ୍ନ ଆଇନ କାର୍ଯ୍ୟକାରୀ ହେଉଥିବା ବେଳେ ଜମ୍ମୁ-କଶ୍ମୀରରେ ଏହା ଲାଗୁ ହୋଇ ପାରୁ ନଥିଲା।

ଯେତେବେଳେ ପୂରା ଦେଶରେ ବିଭିନ୍ନ ଜନକଲ୍ୟାଣ ଯୋଜନା ଲାଗୁ ହେଉଥିଲା ସେତେବେଳେ ଜମ୍ମୁ-କଶ୍ମୀରବାସୀ ଏହାକୁ ପାଇ ପାରୁ ନଥିଲେ। ଏବେ ଦେଖନ୍ତୁ ସମୟ କେମିତି ବଦଳି ଗଲା।”

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିବାକୁ ମଧ୍ୟ ଭୁଲି ନାହାନ୍ତି।  ସେ କହିଛନ୍ତି, “ଧାରା ୩୭୦କୁ ନେଇ କଂଗ୍ରେସ କେବଳ ଜମ୍ମୁ-କଶ୍ମୀରବାସୀଙ୍କୁ ନୁହେଁ, ପୂରା ଦେଶକୁ ବିଭ୍ରାନ୍ତ କରିଥିଲା।

ଆଜି ମୁଁ ପର୍ଯ୍ୟଟନ ସହ ଜଡ଼ିତ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବାର ସୁଯୋଗ ପାଇଛି। ଜମ୍ମୁ-କଶ୍ମୀର କେବଳ ଗୋଟିଏ ଅଞ୍ଚଳ ନୁହେଁ, ଏହା ଭାରତର କପାଳ। ବିକଶିତ ଭାରତର ସବୁଠାରୁ ମୁଖ୍ୟ ଲକ୍ଷ୍ୟ ହେଲା ବକଶିତ ଜମ୍ମୁ-କଶ୍ମୀର।

ଆଜି ଏଠାରେ ଧାରା ୩୭୦ ନାହିଁ। ତେଣୁ ଜମ୍ମୁ-କଶ୍ମୀରର ଯୁବଗୋଷ୍ଠୀଙ୍କ ଦକ୍ଷତାକୁ ଉପଯୁକ୍ତ ସମ୍ମାନ ମିଳୁଛି। ସେମାନେ ନୂଆ ସୁଯୋଗ ସବୁ ପାଉଛନ୍ତି। ଆଜି ଜମ୍ମୁ-କଶ୍ମୀର ବିକାଶର ନୂଆ ଶୃଙ୍ଘ ଛୁଇଁଛି। ଜମ୍ମୁ-କଶ୍ମୀର ମୁକ୍ତ ଭାବେ ନିଃଶ୍ୱାସ ନେଇ ପାରୁଛି। ଧାରା ୩୭୦ ଉଚ୍ଛେଦ ପରେ କଟକଣାରୁ ସ୍ୱାଧୀନତା ମିଳିଛି। 

ଦୀର୍ଘ ଦଶନ୍ଧି ଧରି ରାଜନୀତିକ ଫାଇଦା ପାଇଁ କଂଗ୍ରେସ ଓ ଏହାର ସହଯୋଗୀ ଦଳମାନେ ଧାରା ୩୭୦ ନାଁରେ ଲୋକଙ୍କୁ ବିଭ୍ରାନ୍ତ କରୁଥିଲେ। କିନ୍ତୁ ଆଜି ଏଠାରେ ସମସ୍ତଙ୍କର ସମାନ ଅଧିକାର ଓ ସମସ୍ତଙ୍କୁ ସମାନ ସୁଯୋଗ ମିଳୁଛି। ଲୋକମାନେ ସତ ଜାଣିବାକୁ ପାଇଛନ୍ତି। ସେମାନଙ୍କୁ ପୂର୍ବରୁ ବିଭ୍ରାନ୍ତ କରାଯାଉଥିଲା।

ଏହା ନୂଆ ଜମ୍ମୁ-କଶ୍ମୀର।, ଯେଉଁଥି ପାଇଁ ଆମେ ସମସ୍ତେ ଦୀର୍ଘ ଦଶନ୍ଧି ଧରି ଅପେକ୍ଷା କରିଥିଲୁ। ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ଏହି ନୂଆ ଜମ୍ମୁ-କଶ୍ମୀର ପାଇଁ ନିଜ ଜୀବନର ବଳିଦାନ ଦେଇଥିଲେ। 

ମୋତେ କୁହାଯାଇଛି ଯେ ୨୮୫ ବ୍ଲକର ୧ ଲକ୍ଷ ଲୋକ ଆମ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇଛନ୍ତି। ମୁଁ ଜମ୍ମୁ-କଶ୍ମୀର ଲୋକଙ୍କୁ ଧନ୍ୟବାଦ ଦେବାକୁ ଚାହେଁ। ଏହି ନୂଆ ଜମ୍ମୁ-କଶ୍ମୀରର ଉଜ୍ଜ୍ୱଳ ଭବିଷ୍ୟତ ରହିଛି। ସବୁ ପ୍ରକାରର ଚ୍ୟାଲେଞ୍ଜ ମାତ ଦେବାକୁ ଏବେକାର ଜମ୍ମୁ-କଶ୍ମୀର ସକ୍ଷମ। ଆପଣମାନଙ୍କର ହସହସ ମୁହଁ ଦେଖି ଦେଶର ୧୪୦ କୋଟି ଭାରତୀୟ ଖୁସି ଅନୁଭବ କରୁଛନ୍ତି।”

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ ୧୦୦୦ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଥିଲେ। ଏଥିସହ କେନ୍ଦ୍ରୀୟ ଯୋଜନାର ଅନେକ ହିତାଧିକାରୀଙ୍କୁ ଭେଟିଥିଲେ। ଜମ୍ମୁ-କଶ୍ମୀରର ସ୍ଥାନୀୟ କଳାକୃତିକୁ ନେଇ ପ୍ରସ୍ତୁତ ହୋଇଥିବା ଗୋଟିଏ ପ୍ରଦର୍ଶନୀ ମେଳାକୁ ମଧ୍ୟ ମୋଦି ବୁଲି ଦେଖିଥିଲେ।

PM Modi Jammu Kashmir