Dilip ray
କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ କେନ୍ଦ୍ର କୋଇଲା ମନ୍ତ୍ରୀ ଦିଲ୍ଲୀପ ରାୟ ଆଗାମୀ ନିର୍ବାଚନ ଲଢ଼ିବାକୁ ଇଚ୍ଛା ବ୍ୟକ୍ତ କରିଛନ୍ତି। କୋଇଲା ଦୁର୍ନୀତି ମାମଲାରେ ୩ବର୍ଷ ଜେଲ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିବାକୁ ସେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋର୍ଟ ଏହି ମାମଲାରେ ସିବିଆଇକୁ ନୋଟିସ୍ ଜାରି କରି ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କ ପକ୍ଷରୁ ତାଙ୍କ ଓକିଲ ମୁକୁଳ ରୋହତଗୀ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ଦିଲ୍ଲୀପ ରାୟ ଆଗାମୀ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି। ଏହି କାରଣରୁ ତାଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଚାହୁଁଛନ୍ତି। ଆବେଦନରେ ଦର୍ଶାଇଛନ୍ତି ଯେ, ଦିଲ୍ଲୀପ ରାୟଙ୍କ ବିରୁଦ୍ଧରେ ଚାଲିଥିବା ମାମଲାରେ ଶୀଘ୍ର ରାୟ ଆସିବାର ଆଶା କ୍ଷୀଣ। ଲୋକପ୍ରତିନିଧି ଆଇନର ଧାରା ୮(୩) ଅନ୍ତର୍ଗତ ୩ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବାରୁ ସେ ଲୋକସଭା ଓ ବିଧାନସଭା ନିର୍ବାଚନ ଲଢ଼ିପାରିବେ ନାହିଁ କିମ୍ବା ରାଜ୍ୟସଭାକୁ ମନୋନୀତ ହୋଇପାରିବେ ନାହିଁ। ଦିଲ୍ଲୀପ ଏବେ ୭୧ବର୍ଷ ବୟସର ହେଲେଣି। ଯଦି ଏସବୁ ମାମଲାରେ ରାୟ ଆସିବାରେ ବିଳମ୍ବ ହୁଏ ତା’ହେଲେ ତାଙ୍କର ଅପୂରଣୀୟ କ୍ଷତି ହେବାର ସମ୍ଭାବନା ରହିଛି ବୋଲି ତାଙ୍କ ଆବେଦନରେ ଉଲ୍ଲେଖ ଅଛି।
ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ସ୍ୱରନକାନ୍ତ ଶର୍ମା ଏହି ଆବେଦନ ଉପରେ ସିବିଆଇକୁ ଗତକାଲି ନୋଟିସ୍ ଜାରି କରି ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୫ତାରିଖକୁ ଧାର୍ଯ୍ୟ ହୋଇଛି। ସିବିଆଇ ପକ୍ଷରୁ ବରିଷ୍ଠ ଆଡ଼ଭୋକେଟ୍ ଆର ଏସ ଚିମା ଓ ତରନ୍ନୁମ ଚିମା ହାଜର ହୋଇ ରିପୋର୍ଟ ଦାଖଲ ପାଇଁ କିଛି ସମୟ ଲୋଡ଼ିଥିଲେ।
ସୂଚନାଯୋଗ୍ୟ, ୧୯୯୯ ମସିହାରେ ଝାଡ଼ଖଣ୍ଡର ଗିରିଡିହ କୋଲ୍ ବ୍ଲକ ଆବଂଟନରେ ଅନିୟମିତତା ଅଭିଯୋଗରେ ଦିଲ୍ଲୀପଙ୍କୁ ୩ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ୨୦୨୦ ଅକ୍ଟୋବର ୨୬ତାରିଖରେ ଟ୍ରାଏଲ କୋର୍ଟ ଏହି କୋଲ୍ ବ୍ଲକ୍ ଆବଂଟନ ଅନିୟମିତ୍ତା ମାମଲାରେ ୩ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ଲକ୍ଷ ଟଙ୍କାର ଜୋରିମାନା ଧାର୍ଯ୍ୟ କରିଥିଲେ। ତେବେ ଟ୍ରାଏଲ କୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ଦିଲ୍ଲୀପ ରାୟ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୨୦ ଅକ୍ଟୋବର ୨୭ତାରିଖରେ ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ସିବିଆଇକୁ ନୋଟିସ୍ ଜାରି କରି ୩ବର୍ଷ ଜେଲ ଦଣ୍ଡାଦେଶକୁ ନିଲମ୍ବିତ କରି ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Dilip_ray_1711125774.jpg)