Advertisment

ଆଉ ୨୧ ଜଣଙ୍କ ନାଁ ଘୋଷଣା କଲା ବିଜେପି, ରାଉରକେଲାରୁ ଲଢ଼ିବେ ଦିଲ୍ଲୀପ ରାୟ; ଦୁଇଟି ସ୍ଥାନରେ ବଦଳିଲେ ପ୍ରାର୍ଥୀ

ପ୍ରଥମ ପର୍ଯ୍ୟାୟରେ ଦଳ ୧୧୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ସେଥିରୁ ଦୁଇଟିରେ ପ୍ରାର୍ଥୀଙ୍କୁ ବଦଳାଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
undefined

Dillip Ray

ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ଆଉ ୨୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ୧୧୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ସେଥିରୁ ଦୁଇଟିରେ ପ୍ରାର୍ଥୀଙ୍କୁ ବଦଳାଇଛି। ରଣପୁର ଓ ପଟ୍ଟାଙ୍ଗୀରେ ଦଳ ପ୍ରାର୍ଥୀ ବଦଳାଇଛି। ରଣପୁରରୁ ଦଳ ପ୍ରଥମେ ତାପସ ମାର୍ଥାଙ୍କୁ ପ୍ରାର୍ଥୀ କରିଥିଲା। ତେବେ ଆଜି ପ୍ରକାଶ ପାଇଥିବା ତାଲିକାରେ ତାଙ୍କ ବଦଳରେ ସୁରମା ପାଢ଼ୀଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ପଟ୍ଟାଙ୍ଗୀରେ ଚୈତନ୍ୟ ହନ୍ତାଳଙ୍କ ସ୍ଥାନରେ ଚୈତନ୍ୟ ନନ୍ଦବାଲିଙ୍କୁ ପ୍ରାର୍ଥୀ କରିଛି ଦଳ।  

Advertisment

୨୦୧୯ରେ ନିର୍ବାଚନ ଲଢ଼ି ନଥିବା ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ ଏଥର ନିର୍ବାଚନ ଲଢ଼ିବେ। ତାଙ୍କୁ ଦଳ ରାଉରକେଲାରୁ ପ୍ରାର୍ଥୀ କରିଛି।  ଏହି ଆସନରୁ ଦିଲ୍ଲୀପ ରାୟ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୧୯୮୫ ଓ ୧୯୯୦ରେ ଜନତା ଦଳ ଟିକେଟରେ ସେ ବିଜୟୀ ହୋଇଥିଲେ। ୨୦୧୪ରେ ସେ ଏହି ଆସନରୁ ବିଜେପି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।  

ନିକଟରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା କୈଳାଶ ଚନ୍ଦ୍ର କୁଲେସିକାଙ୍କୁ ପ୍ରାର୍ଥୀ କରାଯାଇଛି। ବିଜେପି ତାଙ୍କୁ ଲକ୍ଷ୍ମୀପୁର ଆସନରୁ ପ୍ରାର୍ଥୀ କରିଛି।କୈଳାଶ କୁଲେସିକା କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ। କିନ୍ତୁ ଟିକେଟ ନ ମିଳିବାରୁ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଟିକେଟ ଦେବାର ପ୍ରତିଶ୍ରୁତି ଦେଇ ବିଜେଡି ତାଙ୍କୁ ଦଳରେ ଯୋଗ ଦେବାକୁ କହିଥିଲା ବୋଲି ସେ ଅଭିଯୋଗ କରିଥିଲେ। ୨୦୧୪ରେ ସେ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ସେ ହାରିଯାଇଥିଲେ। 

Advertisment

ଡମ୍ବରୁ ଶିଶାଙ୍କୁ ମଧ୍ୟ ବିଜେପି ଟିକେଟ ଦେଇଛି। ଗତ ମାସରେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ୨୦୧୪ରେ ଡମ୍ବରୁ ଚିତ୍ରକୋଣ୍ଡା ଆସନରୁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ତାଙ୍କୁ ଦଳ ଟିକେଟ ଦେଇ ନଥିଲା। ବିଜେପି ତାଙ୍କୁ ଚିତ୍ରକୋଣ୍ଡା ଆସନରୁ ପ୍ରାର୍ଥୀ କରିଛି।   

ସେହିପରି ପାଟଣାରୁ ବିଜେପି ଅଖିଳ ଚନ୍ଦ୍ର ନାୟକଙ୍କୁ ପ୍ରାର୍ଥୀ କରିଥିବା ବେଳେ ସାରସକଣାରୁ ଭାଦବ ହାଁସଦା, ରାଇରଙ୍ଗପୁରରୁ ଜୋଲେନ ବାରଦା, ବାଙ୍ଗିରିପୋଷିରୁ ସଞ୍ଜଳି ମୁର୍ମୁ, କରଞ୍ଜିଆରୁ ପଦ୍ମଚରଣ ହାଇବ୍ରୁ, ଝରିଗାଁରୁ ନରସିଂହ ଭତ୍ରା, ଡାବୁଗାଁରୁ ସୋମନାଥ ପୂଜାରୀ, ରାଜନଗରରୁ ଲଳିତ ବେହେରା, ବାଲିକୁଦା ଏରସମାରୁ ସତ୍ୟସାରଥି ମହାନ୍ତି, ଜଗତସିଂହପୁରରୁ ଅମରେନ୍ଦ୍ର ଦାଶ, କାକଟପୁରରୁ ବାଇଧର ମଲ୍ଲିକ, ସାନଖେମୁଣ୍ଡିରୁ ଉତ୍ତମ ପାଣିଗ୍ରାହୀ, ମୋହନାରୁ ପ୍ରଶାନ୍ତ ମଲ୍ଲିକ, ବିଷମକଟକରୁ ଜଗନ୍ନାଥ ନୁଣ୍ଡ୍ରୁକା, ରାୟଗଡ଼ାରୁ ବସନ୍ତ ଉଲାକା ଓ କୋଟପାଡ଼ରୁ ରୁପୁ ଭତ୍ରାଙ୍କୁ  ପ୍ରାର୍ଥୀ କରିଛି।

ଦୁଇଟି ପର୍ଯ୍ୟାୟରେ ବିଜେପି ମୋଟ ୧୩୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଆହୁରି ୧୬ଟି ଆସନ ପାଇଁ ବିଜେପି ନାଁ ଘୋଷଣା କରି ନାହିଁ। ଅନ୍ୟପକ୍ଷରେ ରାଜ୍ୟର ସମସ୍ତ ୨୧ଟି ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିସାରିଛି। 

Bjp Odisha Assembly Election 2024