Advertisment

ଦେଶ ଇତିହାସରେ ପ୍ରଥମ: ରେକର୍ଡ ନିଲମ୍ବନ ଓ ଇଣ୍ତିଆ ମେଣ୍ଟର ସଂଖ୍ୟା

ସୋମବାର ଲୋକସଭାରୁ ୩୩ ଜଣ ସାଂସଦ ନିଲମ୍ବନ ହୋଇଥିବା ବେଳେ ମଙ୍ଗଳବାର ଆଉ ୪୯ ଜଣ ସଦସ୍ୟଙ୍କ ବିରୋଧରେ ସମାନ ପଦକ୍ଷେପ ନିଆଯାଇଛି।

Congress

Congress

Advertisment

ବିଶୃଙ୍ଖଳା ଆଚରଣ ଅଭିଯୋଗରେ ଉଭୟ ରାଜ୍ୟସଭା ଓ ଲୋକସଭାରୁ ମୋଟ ୧୪୧ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି। ଭାରତର ଇତିହାସରେ ପ୍ରଥମଥର ପାଇଁ ସଂସଦରୁ ଏତେ ସଂଖ୍ୟକ ସାଂସଦ ନିଲମ୍ବନ ହେବା ପ୍ରଥମ ଘଟଣା। ଏହି ନିଲମ୍ବନ ପରେ ବିଜେପି ଏବେ ଉଭୟ ଗୃହରେ ନିଜର ସଂଖ୍ୟାକୁ ଆହୁରି ମଜବୁତ କରି ନେଇଛି। ସେହିପରି ବିଜେପି ସହ ଲଢ଼େଇ କରିବାକୁ ଏକାଠି ହୋଇଥିବା ବିରୋଧୀ ମେଣ୍ଟ ଇଣ୍ଡିଆର ସାଂସଦଙ୍କ ସଂଖ୍ୟା ପୂରା ହ୍ରାସ ପାଇଛି।

Advertisment

ସୋମବାର ଲୋକସଭାରୁ ୩୩ ଜଣ ସାଂସଦ ନିଲମ୍ବନ ହୋଇଥିବା ବେଳେ ମଙ୍ଗଳବାର ଆଉ ୪୯ ଜଣ ସଦସ୍ୟଙ୍କ ବିରୋଧରେ ସମାନ ପଦକ୍ଷେପ ନିଆଯାଇଛି। ରାଜ୍ୟସଭାରୁ ମଧ୍ୟ ଦୁଇ ଦିନ ଭିତରେ ୫୯ ଜଣ ସାଂସଦଙ୍କୁ ବାହାର ରାସ୍ତା ଦେଖିବାକୁ ପଡ଼ିଛି। ସଂସଦରେ ହୋଇଥିବା ସୁରକ୍ଷା ତ୍ରୁଟି ଉପରେ ଆଲୋଚନା ପାଇଁ ଦାବି କରି ବିରୋଧୀ ନାରାବାଜୀ କରିବାରୁ ସେମାନଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସଂସଦରୁ ନିଲମ୍ବନ ହୋଇଥିବା ସଦସ୍ୟଙ୍କ ମଧ୍ୟରେ ଶଶି ଥରୁର, କାର୍ତ୍ତି ଚିଦାମ୍ବର, ସୁପ୍ରିୟା ସୁଲେ, ଡିମ୍ପଲ ଯାଦବ ଓ ଫାରୁକ ଅବଦୁଲ୍ଲାଙ୍କ ଭଳି ବରିଷ୍ଠ ନେତା ରହିଛନ୍ତି। ଲୋକସଭାରେ କଂଗ୍ରେସର ଦୁଇ ବଡ଼ ନେତା ଅଧୀର ରଞ୍ଜନ ଚୌଧୁରୀ ଓ ଗୌରବ ଗୋଗୋଇଙ୍କୁ ମଧ୍ୟ ବାହାରକୁ ଯିବାକୁ ପଡ଼ିଛି।

Advertisment

ଲୋକସଭାରୁ ୮୨ ସାଂସଦ ନିଲମ୍ବନ ହେବା ପରେ ଏବେ ବିଜେପି ଆହୁରି ଶକ୍ତି ଶାଳୀ ହୋଇଯାଇଛି। ଏବେ କେବଳ ୧୦୦ ଜଣ ବିରୋଧୀ ସାଂସଦ ଲୋକସଭାରେ ରହିଥିବା ବେଳେ ବିଜେପିର ସଂଖ୍ୟା ୩୦୦ ଉପରେ ରହିଛି।

ରାଜ୍ୟସଭାରେ ମଧ୍ୟ ଶାସକ ଦଳକୁ ଚ୍ୟାଲେଞ୍ଜ କରିବା ପାଇଁ ୧୦୦ରୁ କମ ସାଂସଦ ରହିଛନ୍ତି। ଏମାନଙ୍କ ମଧ୍ୟରେ ବିଜେପିକୁ ପରୋକ୍ଷରେ ସମର୍ଥନ କରୁଥିବା ଆନ୍ଧ୍ର ପ୍ରଦେଶର ୱାଇଏସ୍‌ଆର କଂଗ୍ରେସ, ଓଡ଼ିଶାର ବିଜେଡିର ସାଂସଦମାନେ ଅଛନ୍ତି।

ଇଣ୍ଡିଆ ମେଣ୍ଟର ୧୪୧ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି। ଲୋକସଭାରେ ଇଣ୍ଡିଆ ମେଣ୍ଟର ୧୪୨ ଜଣ ସାଂସଦ ଥିବା ବେଳେ ସେମାନଙ୍କ ମଧ୍ୟରୁ ୯୫ ଜଣ ନିଲମ୍ବନ ହୋଇ ସାରିଛନ୍ତି। ସେହିପରି ରାଜ୍ୟସଭାରେ ଥିବା ୧୦୧ ଇଣ୍ଡିଆ ମେଣ୍ଟର ସାଂସଦଙ୍କ ମଧ୍ୟରୁ ୪୬ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

୧୯୮୯ରେ ବିଶୃଙ୍ଖଳା ଆଚରଣ ପାଇଁ ଲୋକସଭାରୁ ସର୍ବାଧିକ ୬୩ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟାକୁ ନେଇ ଚାଲିଥିବା ବିତର୍କ ବେଳେ ଏପରି ଘଟଣା ଘଟିଥିଲା।

Congress Parliament Parliament Security Breach
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe